ମୋ ଭୋଟ ଆଉ କାହାର ଷଡଯନ୍ତ୍ରର ଶିକାର କି ??

ମୋ ଭୋଟ ଆଉ କାହାର ଷଡଯନ୍ତ୍ରର ଶିକାର କି ??

୧୯୯୧ ମସିହା, ଦଶମ ଭାରତୀୟ ଲୋକସଭାର ନିର୍ବାଚନ ସମୟ । କିଛି ବୁଝିବା ବୟସ ହୋଇନଥାଏ । ତଥାପି ମନେଅଛି ଯେ ଜିପରେ ମାଇକ ଲଗାଇ ଦଳମାନେ ପ୍ରଚାର କରନ୍ତି ନିଜନିଜ ପାର୍ଥୀଙ୍କ ପାଇଁ। ହାତଚିହ୍ନ ଆଉ ଚକଚିହ୍ନ ଥିବା କାଗଜ ମାନ ଜିପରୁ ଫୋପଡାଯାଏ (ଆମେ ବି ଖେଳିଲାବେଳେ ଗୋଟାଇ ଆଣି ଡଙ୍ଗା ଆଉ ଏରୋପ୍ଲେନ୍ ବନାଉ)। ମିଟିଂ କିମ୍ବା ଶୋଭାଯାତ୍ରା (ନିର୍ବାଚନ ପ୍ରଚାର ପାଇଁ) ହେଉଥିବ ଯଦି ବି ମନେ ନାହିଁ ମୋର। କିନ୍ତୁ ରାଜନୈତିକ ଦଳଗୁଡିକ ମଧ୍ୟରେ ଏମିତି ପରସ୍ପରକୁ ନେଇ ଅଶୋଭନୀୟ ବୟାନବାଜି ହେବାର ଆଲୋଚନା କାଇଁ ବାପା ହେରିକାଙ୍କ ଠାରୁ ଶୁଣିଥିଲି ବୋଲି ମୋର ମନେ ପଡୁନି। ଅବଶ୍ୟ ସେତେବେଳେ ଆଜିକାଲିକା ପରି ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ନଥିଲା, ତେଣୁ ସୋ' କଲ୍ଡ ଡିବେଟ୍ ବି ହୋଇ ପାରୁନଥିଲା ବୋଧେ ! ସୀମିତ ସାଧନ ଏବଂ ପ୍ରଚାରତନ୍ତ୍ର ସାହାଯ୍ୟରେ ନିର୍ବାଚନ ପ୍ରଚାର ହେଉଥିଲା। ନିର୍ବାଚନ ସମୟରେ ବାପା ଏବଂ ସ୍କୁଲର ଅନ୍ୟ ଶିକ୍ଷକମାନେ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରରେ ଡ୍ୟୁଟି କରୁଥିଲେ। ପାହାଡିଆ ଗାଁକୁ ଜିପ୍ ନଯାଇ ପାରିଲେ, ଚାଲିଚାଲି ଯାଉଥିଲେ ଏବଂ ମତଦାନ ପରେ ବ୍ୟାଲଟ ବକ୍ସ ସହ ଫେରୁଥିଲେ।

କିଛି ବୁଝି ନପାରିଥିଲେ ବି ଏମିତି କିଛିକିଛି ମନେ ଅଛି। ପଞ୍ଚମ ଶ୍ରେଣୀ ହେଲାବେଳକୁ ପ୍ରଥମେ ସମ୍ବିଧାନ, ସ°ସଦ, ଲୋକସଭା ଏବଂ ଆମର ମୌଳିକ ଅଧିକାର ବିଷୟରେ ଜାଣିଲି। ନବମରେ ସିଭିକ୍ସ ପଢିଲା ବେଳେ ବୁଝିଲି ଯେ କେବଳ ଦେଶର ନିର୍ବାଚିତ ସରକାର ନୁହେଁ ବର° ଦେଶର ନାଗରିକ ମାନଙ୍କର ମଧ୍ୟ ଅଧିକାର ପରି କର୍ତ୍ତବ୍ୟ ମଧ୍ୟ ରହିଛି। ସେଇ ଅଧିକାର ଏବଂ କର୍ତ୍ତବ୍ୟ ଉଭୟର ଗୋଟିଏ ସମ୍ମିଳିତ ରୂପ ହେଉଛି "ମତଦାନ"। ଅଧିକାର ଏଇଥି ପାଇଁ ଯେ, ଦେଶର ନାଗରିକ ହିସାବରେ କେଉଁ ଦଳ (ବ୍ୟକ୍ତି ବିଶେଷ ନୁହେଁ) ସରକାର ଗଠନ କରିବ, କେଉଁ ଦଳର ବିକାଶ ନୀତିକୁ ଜଣେ ବାଛିବ ସେଇଟି ବିଚାର କରିବା ବା ବାଛିବା ଅଧିକାର ସମ୍ପୂର୍ଣ୍ଣ ନିଜସ୍ଵ, ଏହା ହିଁ ଗଣତନ୍ତ୍ର। ମତଦାନ ବା ଭୋଟ୍ ଦେବା ସମୟରେ ପରିବାର ଲୋକବି ନା ସାଙ୍ଗରେ ରହିବେ ନା ପ୍ରଭାବିତ କରି ପାରିବେ।

ସେମିତି କର୍ତ୍ତବ୍ୟ ଏଇଥି ପାଇଁ ଯେ, ଦେଶର ବିକାଶ ଏବଂ ଗଠନ ପାଇଁ, ଦେଶକୁ ଚଳେଇବା (ଶାସନ କରିବା ପାଇଁ ନୁହେଁ)  ପାଇଁ ଗୋଟିଏ ଦଳକୁ ବାଛିବା ଦାୟିତ୍ୱ ପ୍ରତି ନାଗରିକର। ତେଣୁ ସେଇ ସ୍କୁଲ୍ ବେଳୁ ଆମେ ବି ଭାରି ଆଗ୍ରହରେ କେବେ ଆମକୁ ୧୮ ବର୍ଷ ହେବ ଆଉ ଆମେ ଭୋଟ୍ ଦେବୁ, ସରକାର ଗଠନରେ ଭାଗନେବୁ ଏବଂ ଦେଶର ବିକାଶରେ ଅ°ଶ ଗ୍ରହଣ କରିବୁ, ଅପେକ୍ଷା କରିଥାଉ। ହେଲେ ଭୋଟ୍ ଦେବାର ବୟସ ହେଲା ବେଳକୁ ଦେଶର ପରିସ୍ଥିତି, ନେତା ମାନଙ୍କର ପ୍ରତିଶ୍ରୁତି ଏବଂ ଦଳ ମାନଙ୍କର ରାଜନୀତି (ଗଣତନ୍ତ୍ରରେ ବି!!), ଦଳ-ବଦଳ ଏସବୁ ବିଷୟରେ ଶୁଣି, ପଢି ବିଚାର କରିବା ବି ଆରମ୍ଭ ହୋଇଯାଇଥିଲା। ବାପାଙ୍କ ପରି ଆଜି ପର୍ଯ୍ୟନ୍ତ ମୋର ମତ ଏବଂ ବିଚାର ମଧ୍ୟ ପାର୍ଟି-ନ୍ୟୁଟ୍ରାଲ୍, ଅର୍ଥାତ ଆଜି ମଧ୍ୟ ମୁଁ ଜଣେ ସାଧାରଣ ନାଗରିକ। କୌଣସି ନିର୍ଦ୍ଦିଷ୍ଟ ଦଳର ବିଚାରଧାରା କିମ୍ବା ନୀତି ଦ୍ଵାରା ପ୍ରଭାବିତ ହୋଇପାରିନି। ମତଦାନ ପୂର୍ବରୁ ସବୁବେଳେ ବର୍ତ୍ତମାନର ସରକାର କେଉଁଠି ଫେଲ୍ ମାରିଛନ୍ତି ଏବଂ ଦଳଗୁଡିକ ଦେଶର ବିକାଶ ପାଇଁ କ'ଣ ପଦକ୍ଷେପ ନେଇପାରିବେ ସେୟା ବିଚାର କରି ଭୋଟ୍ ଦେଇଛି। କିନ୍ତୁ ଫେବୃଆରୀ ୧୬ ତାରିଖ ରାତିରେ "ଦ ଗାର୍ଡିଅନ୍" ଦ୍ବାରା ପ୍ରସାରିତ ଗୋଟିଏ ଷ୍ଟିଙ୍ଗ୍ ଅପରେସନର ଭିଡିଓ, ବିବରଣୀ ଏବଂ ରିପୋର୍ଟ ମୋ ପରି ଗୋଟିଏ ସାଧାରଣ ନାଗରିକର ଅଧିକାର କେତେ ଦୂର ସୁରକ୍ଷିତ ତା' ଉପରେ ପ୍ରଶ୍ନ ସୃଷ୍ଟି କରିଛି!


 ୧୬ ଫେବୃଆରୀ ଦିନ ଦ ଗାର୍ଡିଅନ୍ ଦ୍ଵାରା ପ୍ରସାରିତ ରିପୋର୍ଟଟି ବିଶ୍ବର ଗୋଟିଏ ବଡ 'ହ୍ୟାକି°' ଏବଂ 'ଡିସ୍- ଇନ୍ଫରମେସନ୍' ବା 'ଭୁଲ୍-ତଥ୍ୟପ୍ରଦାନ' ବା ଚାଲୁ ଭାଷାରେ କହିଲେ ସାଧାରଣ ଲୋକଙ୍କୁ ଭୁଆଁ-ବୁଲାଇବା ଉପରେ ଆଧାରିତ। ଏହି ରିପୋର୍ଟଟିକୁ ଯଦିଓ ଦ ଗାର୍ଡିଅନ୍ ତା'ର ପ୍ଲାଟଫର୍ମରେ ବିଶ୍ବ ସାମନାକୁ ଆଣିଛି କିନ୍ତୁ ପ୍ରକୃତରେ ଏଥିରେ ବିଶ୍ବର ୨୫ଟି ଦେଶର, ୩୦ଟି ମିଡିଆ (ଖବର ପ୍ରଦାନକରୀ ସ°ସ୍ଥା) ହାଉସର, ୧୦୦ଜଣ ସାମ୍ବାଦିକ, ୮ ମାସ କାମ କରି ଏହି ଘଟଣାର ଖୋଳତାଡ ଏବଂ ଭିଡିଓ ହସ୍ତଗତ କରିବାରେ ସଫଳ ହୋଇଥିଲେ। ରିପୋର୍ଟଟିକୁ ପରିବେଷଣ କରିବାର ଦାୟିତ୍ୱ ଭାରତୀୟ ମୂଳର ଜଣେ ସାମ୍ବାଦିକ ମନିଷା ଗାଙ୍ଗୁଲି ତୁଲାଇ ଥିଲେ। ରିପୋର୍ଟ ଅନୁସାରେ, ଇସରାଏଲର ଗୋଟିଏ ସ°ସ୍ଥା ହ୍ୟାକି°, ସାବୋଟାଜ୍ (ଜ୍ଞାତସାରରେ ରାଜନୈତିକ ଏବଂ ସାମରିକ କ୍ଷୟକ୍ଷତି କରିବା) ଏବଂ ସୋସିଆଲ ମିଡିଆରେ ଡିସ୍-ଇନଫରମେସନ୍ ମାଧ୍ୟମରେ ଗତ ୨୦ ବର୍ଷ ମଧ୍ୟରେ ବିଶ୍ବର ୩୭ଟି ଦେଶର ୩୦ଟି ଜେନେରାଲ ଇଲେକ୍ସନ୍ ବା ସାଧାରଣ ନିର୍ବାଚନକୁ ପ୍ରଭାବିତ, ପରିଚାଳିତ ବା ମ୍ୟାନିପୁଲେଟ୍ କରିଛନ୍ତି।

ଏହି ସ°ସ୍ଥାଟି ତାଲ୍ ହନାନ୍ ନାମକ ଜଣେ ଇସରାଏଲ ଗୁଇନ୍ଦା ସ°ସ୍ଥା ଆଇ ଏଫ୍ ଡିର ପୂର୍ବତନ କର୍ମଚାରୀ ଦ୍ବାରା ପରିଚାଳିତ। ତାଲ୍ ହନାନ୍ କିନ୍ତୁ ସ°ସ୍ଥା ପରିଚାଳନା ପାଇଁ ନିଜ ନାଁ ବଦଳରେ ଜର୍ଜ ବ୍ୟବହାର କରୁଥିବା ବେଳେ ତାଙ୍କ ସ°ସ୍ଥାକୁ ଟିମ୍ ଜର୍ଜ କୁହାଯାଏ। ତାଙ୍କ ସ°ସ୍ଥା ବିଭିନ୍ନ ଦେଶର ରାଜନୈତିକ ଦଳ ଗୁଡିକ ଠାରୁ ବକେୟା ଅର୍ଥ ଗ୍ରହଣ କରି ନିର୍ବାଚନ ପାଇଁ ଖୁଫିଆ ଭାବରେ ପ୍ରାର୍ଥୀ ପ୍ରଚାର କରେ। ତାଲ୍ ହନାନଙ୍କ ଅନୁସାରେ ସେମାନେ ବଡ଼ବଡ଼ କର୍ପୋରେଟ ସ°ସ୍ଥାଠାରୁ ମଧ୍ୟ କଣ୍ଟ୍ରାକ୍ଟ ନିଅନ୍ତି। ୫୦ ବର୍ଷୀୟ ହନାନଙ୍କ କହିବା ଅନୁସାରେ ସେମାନେ ବିଶ୍ବର ଯେକୌଣସି ଲୋକର ଜି-ମେଲ୍ ଏବଂ ଟେଲିଗ୍ରାମ୍ ଆକାଉଣ୍ଟକୁ ହ୍ୟାକ୍ କରିପାରନ୍ତି। ଏହି କୌଶଳ ବ୍ୟବହାର କରି ସେମାନେ ପ୍ରତିଦ୍ୱନ୍ଦୀ ଦଳର ନେତା ଏବଂ ସେମାନଙ୍କ ପାଖ ଲୋକଙ୍କର ବିରୋଧରେ ବ୍ୟବହାର କରନ୍ତି।

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଅର୍ଥ ନେଇଥିବା ଦଳର ପ୍ରତିଦ୍ୱନ୍ଦୀର ସବୁ ପ୍ରଚାରକୁ ପଣ୍ଡ କରିବା। ଏହା ପାଇଁ ସେମାନେ ସୋସିଆଲ ମିଡିଆରେ ଡିସ୍-ଇନ୍ଫରମେସନ୍ ବା ଦୁଃସପ୍ରଚାର ଏବଂ ମିଛ ପ୍ରଚାରର ସାହାଯ୍ୟ ନିଅନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଭୁଲ୍ ଏବଂ ମ୍ୟାନିପୁଲେଟେଡ୍ ତଥ୍ୟ ପ୍ରଦାନ କରିବା ପାଇଁ ଏମାନେ ମିଛ ବା କୃତ୍ରିମ ସୋସିଆଲ ମିଡିଆ ଆକାଉଣ୍ଟସ ବନାନ୍ତି। ଏହି କାମ ପାଇଁ ଟିମ୍ ଜର୍ଜ "ଏ ଆଇ ଏମ୍ ଏସ୍" ନାମକ ସଫ୍ଟଓୟାର ବ୍ୟବହାର କରେ। ହନାନଙ୍କ କହିବା ଅନୁସାରେ ଏବେ ତାଙ୍କ ପାଖରେ ପାଖାପାଖି ୩୦,୦୦୦ ଫେକ୍ ବା ମିଛ ସୋସିଆଲ ମିଡିଆ ଆକାଉଣ୍ଟସ ଅଛି। ସେମାନଙ୍କ ଭିତରୁ ଅନେକ ଆଇଡି ମଲ୍ଟି-ଲେୟାର, ଅର୍ଥାତ ସେହି ଫେକ୍ ନାଁରେ ଜିମେଲ୍, ଫେସବୁକ, ଟ୍ବିଟର୍, ଇନଷ୍ଟା, ଲିଙ୍କ୍ଡଇନ୍, ଟେଲିଗ୍ରାମ୍ ଏବଂ ୟୁଟ୍ୟୁବ୍ ଆକାଉଣ୍ଟସ ରହୁଛି। କିଛି ଫେକ୍ ଆଇଡିର ଆମାଜନ୍ ଆକାଉଣ୍ଟସ, କ୍ରେଡିଟ୍ କାର୍ଡି, ବିଟ୍-କଏନ୍ ଓ୍ବାଲେଟ୍ ମଧ୍ୟ ରହୁଛି। ତେଣୁ ସେହି ଫେକ୍ ଆଇଡିଟିକୁ ସମସ୍ତେ ସତ ବୋଲି ଭାବି ନେଉଛନ୍ତି। ଏହି ଫେକ୍ ଆଇଡି ଗୁଡିକ ଅଟୋ ରେଗୁଲେଟେଡ୍ ବା ବୋଟ୍ସ (ରୋବଟ୍ ର ସର୍ଟଫର୍ମ), ଏହି ଫେକ୍ ଆଇଡି ଗୁଡିକ ଟେକ୍ସଟ ଏବଂ ଭଏସ ଚାଟ୍ ଜରିଆରେ ଉତ୍ତର ଦେବାକୁ ମଧ୍ୟ ସକ୍ଷମ।

ଏହି ଫେକ୍ ଆଇଡି ଦ୍ବାରା ହିଁ ସେମାନେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ସାଧାରଣ ଲୋକର ମସ୍ତିଷ୍କ, ଚିନ୍ତାଧାରା, ବିଚାରଧାରାକୁ ପ୍ରଭାବିତ କରନ୍ତି। ଫି ନେଇଥିବା ଦଳର ମହିମା ଗାଇବା, ବିଚାରଧାରା, ପ୍ରପୋଗାଣ୍ଡାର ପ୍ରଚାର ଏବଂ ପ୍ରତିଦ୍ୱନ୍ଦୀ ଦଳକୁ ଦୁର୍ବଳ ବୋଲି ଲଗାତାର ପ୍ରଚାର କରନ୍ତି। କେବଳ ଦୁର୍ବଳ ନୁହେଁ, ପ୍ରତିଦ୍ୱନ୍ଦୀକୁ ପରିବାର ଏବଂ ସମାଜ ଆଗରେ ବଦନାମ୍ କରିବା ପାଇଁ ବିଭିନ୍ନ ଅଶ୍ଳୀଳ ଫଟୋ ଏବଂ ସେକ୍ସ-ଟୟ ଘରକୁ ପଠାଇବା ମଧ୍ୟ ହନାନ୍ କହିଛନ୍ତି। କେବଳ ମତଦାତାର ମନୋଭାବ କିମ୍ବା ବିଚାର ନୁହେଁ ବର° ଭୋଟି° ପାଇଁ ବ୍ୟବହାର କରାଯାଉଥିବା ଇଲୋକ୍ଟ୍ରୋନିକ୍ ମେସିନକୁ ମଧ୍ୟ ଏମାନେ ହ୍ୟାକ୍ କରନ୍ତି। ଏହି କାମ କରିବା ପାଇଁ ତାଲ୍ ହନାନ୍ ଏବଂ ତାଙ୍କ କମ୍ପାନୀ ମାସିକ ସାଢେ ଚାରି କୋଟିରୁ ଛ' କୋଟି ପର୍ଯ୍ୟନ୍ତ ଫି ନେଇଥାଏ। 


ଉକ୍ତ ଅଣ୍ଡର-କଭର ଫୁଟେଜଟି, ଫ୍ରାନ୍ସର ଗୋଟିଏ ସ°ସ୍ଥା ଫରବିଡେନ୍ ଷ୍ଟୋରିଜ୍ (ବିଶ୍ବବ୍ୟାପି ହତ୍ୟା, ଧମକ ଏବଂ ମିଛ କେସରେ ଜେଲଦଣ୍ଡ ଭୋଗୁଥିବା ସାମ୍ବାଦିକ ମାନଙ୍କ ପାଇଁ କାମ କରୁଥିବା ସ°ସ୍ଥା)ର ଡିସ୍-ଇନ୍ଫରମେସନ୍ ଉପରେ କରାଯାଇଥିବା ଇନଭେଷ୍ଟିଗେସନର ଅ°ଶ। ଟିମ୍ ଜର୍ଜକୁ ଭେଟିବା ପାଇଁ ରେଡ଼ିଓ ଫ୍ରାନ୍ସ, ହାରେଜ୍ ଏବଂ ଦ ମାର୍କରର ତିନିଜଣ ସାମ୍ବାଦିକ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ଗୋଟିଏ ଆଫ୍ରିକୀୟ ଦେଶର ରାଜନୈତିକ ଦଳର ପ୍ରତିନିଧି ହୋଇ ଯୋଗାଯୋଗ କରିଥିଲେ। ପ୍ରଥମ ଯୋଗାଯୋଗ ଜୁଲାଇ ୨୦୨୨ରେ ହୋଇଥିବା ବେଳେ, ସାକ୍ଷାତ ଡିସେମ୍ବର ୨୦୨୨ରେ ହୋଇଥିଲା। ଲଗାତାର ଭିଡିଓ କନ୍ଫରେନ୍ସି° ପରେ ଟିମ୍ ଜର୍ଜ ଏହି ତିନି ସାମ୍ବାଦିକଙ୍କୁ ଦେଖା କରିବା ପାଇଁ ଜାଗା ଏବଂ ସମୟ ନିର୍ଦ୍ଧାରିତ କରିଥିଲା। ମିଟିଂଟି ମଧ୍ୟ କୌଣସି ଅଫିସ ନୁହେଁ ବର° ଗୋଟିଏ ବିଲ୍ଡିଂର ବେସମେଣ୍ଟ ପାର୍କି°ରେ ହୋଇଥିଲା। ଏହି ଛ' ଘଣ୍ଟାର ମିଟିଂର ଭିଡିଓକୁ  ଅତି ଗୋପନୀୟ ତରିକାରେ ରେକର୍ଡ କରାଯାଇଥିଲା। ଭିଡିଓ ରେ ତାଲ୍ ହନାନ୍ ସେମାନଙ୍କ ସ°ସ୍ଥାର କାମ କରିବା ଶୈଳୀକୁ ବର୍ଣ୍ଣନା କରିବା ସହ କେମିତି ସେମାନେ ହସ୍ତକ୍ଷେପ କରିଥିବା ୩୩ଟି ମତଦାନ ମଧ୍ୟରୁ ୨୭ଟି ରେ ସଫଳତା ପାଇଛନ୍ତି ତାହା ମଧ୍ୟ ବଖାଣିଛି। ଟିମ୍ ଜର୍ଜ କହିବା ଅନୁସାରେ ସେମାନଙ୍କ ସ°ସ୍ଥା ଆଫ୍ରିକୀୟ, ୟୁରୋପୀୟ, ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ ଏବଂ ମଧ୍ୟ ଆମେରିକା ତଥା ଏସିଆର ଅନେକ ଦେଶର ରାଜନୈତିକ ଦଳ ତାଙ୍କ ସ°ସ୍ଥାର ସେବା ନେଇଛନ୍ତି। ଏବଂ ଦର୍ଶାଯାଇଥିବା ବିଶ୍ବର ବିଭିନ୍ନ ରାଷ୍ଟ୍ର ଗୁଡିକ ମଧ୍ୟରେ ଭାରତ ଉପରେ ମଧ୍ୟ ଇଙ୍ଗିତ ଅଛି। ଗୋଟିଏ ମେଲ୍ ଦ୍ବାରା ୫୦୦୦ ବୋଟ୍ସ ମାଧ୍ୟମରେ ମାସ୍- ମେସେଜ୍ ବା ଗଣପ୍ରଚାର କରାଯାଇ ପାରିବାର କ୍ଷମତା ଟିମ୍ ଜର୍ଜର ରହିଛି। ଅବଶ୍ୟ ଭିଡିଓଟିରେ ନିଜ କାମ କରିବାର ସବିଶେଷ ଏବଂ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ତାଲ୍ ହନାନ୍ ମନାକରି ଦେଇଥିଲା। କିନ୍ତୁ ଯେତିକି ବି ତଥ୍ୟ ଦେଇଥିଲା ତାହା ସମ୍ପୂର୍ଣ୍ଣ ବିଶ୍ବରେ ଗଣତନ୍ତ୍ର ଏବଂ ମତଦାନ ପ୍ରକ୍ରିୟାରେ ବିଶ୍ୱାସ ରଖିଥିବା ନାଗରିକ ମାନଙ୍କ ବିଶ୍ୱାସକୁ ଦୋହଲେଇ ଦେବା ପାଇଁ ଯଥେଷ୍ଟ ଥିଲା। 


 ଦ ଗାର୍ଡିଅନ୍ ଦ୍ବାରା ଏହି ଭିଡିଓଟି ପ୍ରଚାରିତ ହେବା ଦ୍ବାରା ବିଶ୍ବସ୍ତରରେ ଇସରାଏଲର ପ୍ରତିଷ୍ଠା ଉପରେ ଆଞ୍ଚ୍ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ ବିଗତ କିଛି ବର୍ଷ ମଧ୍ୟରେ ଇସରାଏଲ ଉପରେ ବିଭିନ୍ନ ଦେଶକୁ ସାଇବର ଗୁଇନ୍ଦା ଟେକନୋଲୋଜି ଏବଂ ମାସ୍ ହ୍ୟାକି°ର ଟେକନୋଲୋଜି ଯୋଗାଇ ଦେବାର ଅଭିଯୋଗ ଆସିଛି। ଏବଂ ତାଲ୍ ହନାନର କମ୍ପାନୀ କିଛି ଡିସ୍-ଇନ୍ଫରମେସନ୍ ବା ମିଛ-ତଥ୍ୟ ଇସରାଏଲ ଡିଫେନ୍ସ ମିନିଷ୍ଟ୍ରି ଦ୍ବାରା ସ୍ବୀକୃତ ଡେମୋମ୍ୟାନ୍ ଇଣ୍ଟରନ୍ୟାସନାଲ୍ ଓ୍ବେବସାଇଟ ମାଧ୍ୟମରେ କରିଥିବା ଦେଖାଯାଇଛି। ଟିମ୍ ଜର୍ଜ ଗତ ୨୦ ବର୍ଷ ହେଲା କାମ କରୁଛି ମାନେ, ଆମ ଦେଶର ୪ଟି ସାଧାରଣ ନିର୍ବାଚନକୁ ପରିଚାଳିତ କରିଥିବାର ସମସ୍ତ ସମ୍ଭାବନା ରହିଛି। ତଥାପି ଆମ ଦେଶର ଗଣମାଧ୍ୟମ ଚୁପ୍ ଥିବା ଆଶ୍ଚର୍ଯ୍ୟ କରୁଛି ! ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ଗୁଡିକ ମଧ୍ୟରେ ଏବେଠୁ ବଳ ଏବଂ ଅଙ୍କ କଷା ଚାଲିଛି। ସୋସିଆଲ ମିଡିଆରେ ଏବେ ବି ମେସେଜ୍ ଆସୁଛି। ପ୍ରଚାର ଜୋରସୋରରେ ଚାଲିଛି। ବର୍ଷ ବର୍ଷ ଧରି ନେତା ମାନଙ୍କ ସମାନ ପ୍ରତିଶ୍ରୁତି ଶୁଣିଶୁଣି କାନ ଝିମଝିମ କରୁଛି। ହେଲେ ଛୋଟବେଳୁ ଶୁଣିଛି ପରା, ଭୋଟ୍ ନଦେଇ, ସରକାର ଗଠନ ପରେ ଘରେ ଡ୍ରଇ° ରୁମରେ ବସି ଚା' ପିଇବା ସମୟରେ ଖାଲି ସମାଲୋଚନା କଲେ କିଛି ଲାଭ ହୁଏନି। କିନ୍ତୁ ଭିଡିଓରେ ଦେଖିଥିବା ତାଲ୍ ହନାନ୍ ର ମୁହଁ ଆଉ ହସ ମନେପଡି ଭାବୁଛି- ମୋ ଭୋଟଟା ସୁରକ୍ଷିତ ଅଛି ତ?