ବେଦାନ୍ତ ବିଶ୍ଵ ବିଦ୍ୟାଳୟ – ବେଆଇନ ଓ ସରକାରୀ ତୋଷଣର ଅବୈଧ ନମୁନା
ଏପ୍ରିଲ ୨୦୦୬ରେ ସାରା ଓଡିଶାରେ ଗୋଟେ ମିଛ ସ୍ଵପ୍ନର ଜାଲ ବୁଣା ହୋଇଥିଲା । ପୂରୀ କୋଣାର୍କ ସମୁଦ୍ରକୂଳରେ ଏକ ବିଶ୍ଵସ୍ତରୀୟ ବିଶ୍ଵ ବିଦ୍ୟାଳୟ ନିର୍ମାଣ ପାଇଁ ଲଣ୍ଡନ ରେ ରହୁଥିବା ଶିଲ୍ପପତି ଅନିଲ ଅଗ୍ରୱାଲାଙ୍କ ବେଦାନ୍ତ କମ୍ପାନୀ ସହିତ ଓଡିଶା ସରକାର ଏକ ଚୁକ୍ତିନାମା କରିଥିଲେ । ଏହି ବିଶ୍ଵ ବିଦ୍ୟାଳୟ ପାଇଁ ବେଦାନ୍ତ ଓଡିଶା ସରକାରଙ୍କୁ ୧୫ ହଜାର ଏକର ଜାଗା ପୁରୀ-କୋଣାର୍କ ରାସ୍ତାରେ ମାଗିଥିଲେ । ଯେତେବେଳେ ବେଦାନ୍ତ ଏତେ ପରିମାଣର ଜମି ରାଜ୍ୟ ସରକାରଙ୍କଠାରୁ ମାଗିଥିଲା, ତାହା ମୂଳତଃ ବେଆଇନ, କାରଣ ସେତେବେଳେ ଆବେଦନକାରୀ କମ୍ପାନୀ ଏକ ଘରୋଇ କମ୍ପାନୀ ଥିଲା । ବେଦାନ୍ତକୁ ସରକାର ଜମି ଚିହ୍ନଟ କରି ଦେଇନଥିଲେ, ବରଂ ବେଦାନ୍ତ ଚିହ୍ନଟ କରିଥିବା ଜମିକୁ ସରକାର ବେଦାନ୍ତ ପାଇଁ ଅଧିଗ୍ରହଣ କରିବା ଆରମ୍ଭ କରିଥିଲେ । ସିଧା ସିଧା କହିଲେ ରାଜ୍ୟ ସରକାର ବେଦାନ୍ତର ପିଆଦା ଭାବରେ ଜମି ଅଧିଗ୍ରହଣ କରୁଥିଲେ । ପାଖାପାଖି ୬୦୦୦ ଏକର ଚାଷଜମି ବେଦାନ୍ତ ପାଇଁ ଅଧିଗ୍ରହଣ କରା ଯାଇଥିଲା, ଯାହାକି ବେଆଇନ ଓ ସରକାରୀ ପ୍ରିୟା ପ୍ରୀତି ତୋଷଣର ଏକ ନମୁନା ବୋଲି ଗତକାଲି ଭାରତର ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି ।
ପ୍ରଥମେ ବେଦାନ୍ତର ଜମି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇ ଓଡିଶା ହାଇକୋର୍ଟ ଏହି ପ୍ରକଳ୍ପକୁ ଖାରଜ କରି ଦେଇଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ବେଦାନ୍ତ ସୁପ୍ରିମକୋର୍ଟ ଯାଇଥିଲେ ଓ ସେଠାରେ ମଧ୍ୟ ଏହି କମ୍ପାନୀକୁ ବେଆଇନ କାରବାର ଲାଗି ଭର୍ତ୍ସନା ଶୁଣିବାକୁ ପଡିଛି । କେବଳ ବେଦାନ୍ତ ନୁହେଁ, ଓଡିଶା ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି । ଏକ ଘରୋଇ କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କର ଏହା ଆହେତୁକ ପ୍ରୀୟା ପ୍ରୀତି ତୋଷଣର ଏକ ନମୁନା ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଏହି ଜମି ଅଧିଗ୍ରହଣ ସଂପୂର୍ଣ୍ଣ ଭାବରେ ବେଆଇନ, ପରିବେଶ ବିରୋଧୀ ଏବଂ ଲୋକ ବିରୋଧୀ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ଜଷ୍ଟିସ ମୁକେଶ ରଞ୍ଜନ ଶାହ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କର ଖଣ୍ଡପୀଠ ଓଡିଶା ହାଇକୋର୍ଟଙ୍କ ରାୟକୁ ବରକରାର ରାଖୀ କହିଛନ୍ତି ଯେ –
- ବେଦାନ୍ତ ବା ଷ୍ଟେରଲାଇଟ ଏକ ଘରୋଇ କମ୍ପାନୀ । ଏହା ନାମରେ ସରକାର ଜମି ଅଧିଗ୍ରହଣ କରିବା ପାଇଁ ଚୁକ୍ତି କରିବା ମୂଳତଃ ବେଆଇନ । ସରକାରଙ୍କ ସହିତ ଚୁକ୍ତିନାମା ପରେ କମ୍ପାନୀର ଚରିତ୍ର ବଦଳା ଯାଇ ଏହାକୁ ପ୍ରାଇଭେଟ ରୁ ପବ୍ଲିକ କମ୍ପାନୀ ଭାବରେ ବଦଲା ଯାଇଥିଲା । ଅନୀଲ ଅଗ୍ରୱାଲ ଫାଉଣ୍ଡେସାନ ନାମରେ ଏହି କମ୍ପାନୀର ନାମ ବଦଲା ଯାଇଥିଲା ।
- ସରକାର ନିଜେ ଜମି ବାଛିବା ବଦଳରେ କମ୍ପାନୀ ଏଠି ମାମଲାତକାର ସାଜିଥିଲା ଓ ନିଜ ପାଇଁ ନିଜେ ଜମି ବାଛିଥିଲା । ସରକାର କେବଳ କମ୍ପାନୀ କଥାରେ ହଁ ଭରିଥିଲେ ।
- ଏହି ପ୍ରକଳ୍ପ ପାଇଁ ୬୦୦୦ ପରିବାରର ପ୍ରାୟ ୩୦୦୦୦ ଲୋକଙ୍କୁ ଜମି ଓ ଜୀବିକା ହରାଇବାକୁ ପଡିଥାନ୍ତା । ବେଦାନ୍ତ ପାଇଁ ନିର୍ଦ୍ଧାରିତ ଜମି ମୂଳତଃ ଘରୋଇ ମାଲିକାନାରେ ରହିଥିବା ଚାଷଜମି । ଏହାକୁ ରାଜ୍ୟ ସରକାର ଏକ ଘରୋଇ କମ୍ପାନୀର ସ୍ଵାର୍ଥରେ ଉଜାଡିବା ସମ୍ବିଧାନ ବିରୋଧୀ କାମ ।
- ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ରାଜ୍ୟ ସରକାର ଆଦୌ ମୁଣ୍ଡ ଖଟାଇ ନାହାନ୍ତି । ସମ୍ପୃକ୍ତ ଜମି ଭିତରେ ନୂଆ ନଈ ଓ ନାଳ ଭଳି ପୁରୀ ଜିଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନଦୀ ପ୍ରବାହିତ ହେଉଛି । ନଦୀର ନିୟନ୍ତ୍ରଣ ଘରୋଇ କମ୍ପାନୀ ହାତକୁ କେମିତି ଦିଆଯିବ ବୋଲି ସୁପ୍ରିମ କୋର୍ଟ କଡା ପ୍ରଶ୍ନ କରିଛନ୍ତି ।
- ଏହି ପ୍ରକଳ୍ପକୁ ଲାଗି ବାଲୁଖଣ୍ଡ ଅଭୟାରଣ୍ୟ ରହିଛି । ଏହି ପ୍ରକଳ୍ପର ନିର୍ମାଣ କମ ପୁରୀ-କୋଣାର୍କ ବେଳାଭୂମିର ପର୍ଯାବରଣ ଓ ପରିବେଶ ଉପରେ ଭୟଙ୍କର ପ୍ରଭାବ ପକାଇବ । ସେକଥା ରାଜ୍ୟ ସରକାର ବିଲକୁଲ ଭାବି ନାହାନ୍ତି ।
- ବେଦାନ୍ତ କମ୍ପାନୀ ପ୍ରତି ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ଏହାକୁ ସବୁ ପ୍ରକାର ସହଯୋଗ କରିବାକୁ ବେଆଇନ ଭାବରେ ଚୁକ୍ତି କରିଥିଲେ । ବିଶ୍ଵ ବିଦ୍ୟାଳୟ ପରିଧି ବାହାରେ ୫ କିଲୋମିଟର ପର୍ଯନ୍ତ ଯାହା ବି ନିର୍ମାଣ କାମ ହେବ ସେଥି ଲାଗି ବେଦାନ୍ତର ଅନୁମତି ଲୋଡା ବୋଲି ବିଚିତ୍ର ନିୟମରେ ଓଡିଶା ସରକାର ସହମତି ଦେଇଥିଲେ ।
- ବେଦାନ୍ତ ପ୍ରତି ଓଡିଶା ସରକାରଙ୍କର ମାତ୍ରାଧିକ ଆଗ୍ରହ ଓ ସମର୍ଥନ ଅନୈତିକ ଓ ବେଆଇନ ବୋଲି ସୁପ୍ରିମକୋର୍ଟ ବେଦାନ୍ତକୁ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ବେଦାନ୍ତ ବିଶ୍ଵ ବିଦ୍ୟାଳୟର ଅବସାନ ଘଟିଥିବା ବେଳେ ଏହାକୁ ନେଇ ରାଜନୀତି ଏବେ ବଢିବାରେ ଲାଗିବ । ଏ ପ୍ରସଙ୍ଗରେ ରାୟ ଆସିଲା ପରେ ମୁଖ୍ୟ ବିରୋଧୀଦଳ ବିଜେପି ଚୁପ ହୋଇ ବସିଛି । ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ । ୨୦୦୬ ବେଳଳୁ ରାଜ୍ୟରେ ବିଜେପି-ବିଜେଡି ସରକାର ରହିଥିଲା । ଜମି ଅଧିଗ୍ରହଣ ମାମଲାରେ ମୁଖ୍ୟ ଭୂମିକା ନେଇଥିବା ରାଜସ୍ୱ ବିଭାଗର ମନ୍ତ୍ରୀ ଭାବରେ ସେତେବେଳେ ଆଜିର ବିଜେପି ସଭାପତି ମନମୋହନ ସାମଲ ରହିଥିଲେ । ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ବିଜେପି ହାତରେ ରହିଥିଲା । ତେଣୁ ସ୍ଵାଭାବିକ ଭାବରେ ଏହି ବେଆଇନ କାରବାରରେ ବିଜେପି ଓ ବିଜେଡ଼ିର ଭୂମିକା ସମାନ ।
ସମ୍ପ୍ରତି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବେଦାନ୍ତ ବିଶ୍ବବିଦ୍ୟାଳୟର ମୁଖ୍ୟ ପୃଷ୍ଠପୋଷକ ଥିଲେ । ଅବସର ନେବା ପରେ ସେ ସ୍ଵୟଂ ବେଦାନ୍ତରେ ଚାକିରୀ ମଧ୍ୟ କରିଥିଲେ । ତେଣୁ ଏଭଳି ଏକ ସଂବେଦନଶୀଳ ରାଜନୈତିକ ପ୍ରସଙ୍ଗରେ ସବୁ ମୁଖ୍ୟ ବିରୋଧୀ ଦଳ ହାତ ବାନ୍ଧି ବସିଛନ୍ତି ।
ତେବେ ଏହି ବେଆଇନ ପ୍ରକଳ୍ପ ବିରୋଧରେ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କର ନେତୃତ୍ଵ ଓ ଆଇନଗତ ଲଢେଇରେ ତାଙ୍କର ଭୂମିକା ବେଶ ସ୍ମରଣୀୟ ।