ଏଥର ଜିଏସଟି ସୁଧୁରିବ ତ ?

ଏଥର ଜିଏସଟି ସୁଧୁରିବ ତ ?

ବନ୍ଧୁଗଣ , ପ୍ରଧାନମନ୍ତ୍ରୀ କହିଛନ୍ତି ଦିପାବଳୀ ଉପହାର ଦେବେ । ତୋଫା ଦେବେ । କଣ ସେ ତୋଫା ? ଆସନ୍ତା ଦିପାବଳୀ ପୁର୍ବରୁ ମୋଦୀ ଜିଏସଟିର ସେକେଣ୍ଡ ଜେନେରେସନ ରିଫର୍ମ କରି, ଭାରି ମାତ୍ରାରେ ଜିଏସଟି ଦର କମାଇବେ ବୋଲି କହିଛନ୍ତି । ଗତ ସ୍ବାଧୀନତା ଦିବସରେ ଭାଷଣ ଦେବାବେଳେ, ସେ ଏକଥା କହିଛନ୍ତି । 

 ଭାରତରେ ବ‌ହୁ ପୁର୍ବରୁ ଜିଏସଟି ପାଇଁ ଆଲୋଚନା ଚାଲିଥିଲା । ୟୁପିଏ ସମୟରେ ଏହାର ଢାଞ୍ଚା ଓ ସ୍ବରୁପ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ  ଆଲୋଚନା ଜୋର ଧରିଥିଲା । ସେତେବେଳେ ଗୋଟିଏ revenue neutrality rate କଥା ଉଠିଥିଲା । ବିଶେଷଜ୍ଞମାନେ କହିଥିଲେ ଏହି revenue neutrality rate ହେଉଛି ୧୮% । ଅର୍ଥାତ ହାରାହାରି ଜିଏସଟି ଦର ୧୮% ରହିଲେ ରାଜ୍ୟମାନଙ୍କର କ୍ଷତି ହେବ ନାହିଁ । ଏମିତି ତ ଜିଏସଟି ଦର ଗୋଟିଏ ରହିଲେ ଭଲ । କିନ୍ତୁ ଭାରତ ଭଳି ଦେଶରେ ତାହା ସମ୍ଭବ ନୁହେଁ ବୋଲି ସର୍ବାଧିକ ୩ ପ୍ରକାର ରହିବ ବୋଲି ଚିନ୍ତା କରା ଯାଉଥିଲା । କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏସବୁ ଚିନ୍ତାକୁ ପଛକୁ କରି ଧଡାଧଡ ଜିଏସଟି ଲାଗୁ କରି ଦିଆଗଲା । Revenue neutrality rate କଥା ଚିନ୍ତା କରାଗଲା ନାହିଁ । କେନ୍ଦ୍ର ସରକାର କହିଲେ ଆମେ ଲୋକଙ୍କ ଉପରେ ସେସ୍ ଲଗେଇ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବୁ । ତିନି ପ୍ରକାର ଦର ଜାଗାରେ ପାଞ୍ଚପ୍ରକାର ଦର ଆସିଲା - ୫%, ୧୨%, ୧୮%, ୨୮%, ଓ ୪୦% । ତରବରିଆ ଭାବେ ଜିଏସଟି ପ୍ରଚଳନ ଓ ଅନୌପଚାରିକ ବା ଛୋଟବେପାରୀଙ୍କ ଅସୁବିଧା କଥା ଚିନ୍ତା କରା ଗଲା ନାହିଁ । ଏବେ ୮ ବର୍ଷ ପରେ ମୋଦୀ କହୁଛନ୍ତି ଜିଏସଟିରେ ସେକେଣ୍ଡ ଜେନେରେସନ ରିଫର୍ମ ଆଣିବେ । ସରକାରଙ୍କୁ ଏତିକି ବୁଝିବାକୁ ୮ ବର୍ଷ ଲାଗିଗଲା ।

ଆପଣ ଅନେକଥର ଶୁଣିଥିବେ ଜିଏସଟି ଆଦାୟ ବଢ଼ିଗଲା ..ଜିଏସଟି ଆଦାୟ ବଢ଼ିଗଲା । ସେମାନେ ଯେଉଁଥିପାଇଁ ଏକଥା କହିଥାନ୍ତି, ତାହା ହେଲା, ଏହା ଦ୍ବାରା ଆପଣ ବୁଝିବେ ଯେ ଦେଶର ଅର୍ଥନୀତି ବଢୁଛି ।  ଦେଶର ଅର୍ଥନୀତି ବଢ଼ିଛି ନିଶ୍ଚୟ । କେବଳ କୋଭିଡ୍ ଭଳି ଅସ୍ବାଭାବିକ ପରିସ୍ଥିତି ନ ଆସିଲେ, ପୃଥିବୀର ସବୁ ଦେଶରେ ସବୁବର୍ଷ ଅର୍ଥନୀତି ବଢେ । କିନ୍ତୁ ଭାରତରେ ଅର୍ଥନୀତି ଯେଉଁ ହିସାବରେ ବଢ଼ିଛି, ଜିଏସଟି କଣ ସେହି ଅନୁପାତରେ ବଢ଼ିଛି ?  

୨୦୧୭-୧୮ରେ ଜିଏସଟି ଆରମ୍ଭ ହୋଇଥିଲା । ଅନେକ ଗୁଡ଼ିଏ ଟ୍ୟାକ୍ସକୁ ଯୋଡ଼ି ଜିଏସଟି କରା ଯାଇଥିଲା । ୨୦୧୬-୧୭ରେ, ଅର୍ଥାତ୍ ଜିଏସଟି ଲାଗୁ ହେବାର ପୂର୍ବ ବର୍ଷ, ସେହି ସବୁ ଟ୍ୟାକ୍ସ ମିଶାଇ ଯେତିକି ଆଦାୟ ହୋଇଥିଲା, ତାହା ଥିଲା ଜିଡିପିର ୬.୩% । ଆଉ ୨୦୨୩-୨୪ର ଜିଏସଟି ଆଦାୟକୁ ଯଦି ଦେଖିବା , ତାହା ହେଲା ୬.୭% । କଣ ବେଶି ହୋଇଗଲା ? ପୁଣି ୨୦୨୩-୨୪ର ଏହି ଜିଏସଟିରେ ସେସ୍ ମିଶିକରି ଅଛି, ଯାହା ନିର୍ଦ୍ଦିଷ୍ଟ କେତୋଟି ଜିନିଷ ଉପରେ ଲାଗେ । ଯଦି ଏହି ସେସକୁ ବାଦ୍ ଦେଇ ଦେଖିବା, ତାହେଲେ ଅର୍ଥନୀତିର ଅନୁପାତ ହିସାବରେ, ତାହା ୨୦୧୬-୧୭ ଠାରୁ କମ୍ । 

ତଥାପି ବି ୨୦୨୩-୨୪ରେ ଯେଉଁ ଜିଡିପି ସଂଗ୍ରହ ହୋଇଛି, ତାହାର କାରଣ   ଅର୍ଥନୀତି ବଢିବା କି ? ନା ଲୋକଙ୍କୁ ଶୋଷି କରି ଆଦାୟ ହୋଇଛି ? ଏହା ବି ଚିନ୍ତା କରାଯିବା ଆବଶ୍ୟକ । ଆପଣ ତ ଶୁଣିଥିବେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖରେ ଲାଲକୀଲ୍ଲାରେ କଣ କହିଥିଲେ । କିନ୍ତୁ ଗତ କିଛିଦିନ ପୂର୍ବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଟୁଇଟ୍ କରି କହିଛି, ନାଇଁ ନାଇଁ, କିଛି ଫାଇନାଲ ହୋଇନି, ଆସନ୍ତା ମାସରେ ଜିଏସଟି କାଉନସିଲ୍ ମିଟିଂ ହେବ, ରାଜ୍ୟମାନଙ୍କ ସହ କଥାବାର୍ତ୍ତା ହେବ । ତେଣୁ ଏବେଠାରୁ କେହି କଳ୍ପନାଜଳ୍ପନା କରନ୍ତୁ ନାହିଁ । ତେବେ ଏ କଳ୍ପନାଜଳ୍ପନା କିଏ ଆରମ୍ଭ କରିଥିଲା ? ଜିଏସଟି ଦର କମିବ ବୋଲି ପ୍ରଧାନମନ୍ତ୍ରୀ କହିବାରୁ ସିନା ଲୋକମାନେ ଇଲେକ୍ଟ୍ରୋନିକ୍ସ ଜିନିଷ  ଓ ଗାଡି କିଣିବାକୁ ସ୍ଥଗିତ ରଖିଲେ ? ଦର କମିବାକୁ ଅପେକ୍ଷା କଲେ ? ତଦ୍ୱାରା ବିକ୍ରୀ ଓ ବିଜିନେସ କମିଗଲା । 

ଆପଣଙ୍କର ମନେ ଅଛି ? ଗତବର୍ଷ ଦେଶସାରା ବହୁତ ହୋ ହଲ୍ଲା ହୋଇଥିଲା । ସ୍ୱାସ୍ଥ୍ୟବୀମା ଉପରେ କାହିଁକି ଜିଏସଟି ଲାଗୁଛି ? ଲୋକଙ୍କ ଚିକିତ୍ସା ପାଇଁ ବି ସରକାର ଟ୍ୟାକ୍ସ ନେବେ ! ଜିଏସଟି କାଉନସିଲ ବି ଏହାକୁ ଗମ୍ଭୀରତାର ସହ ନେଇ ଏକ କମିଟି ବସେଇଲା । କମିଟି ବି ପ୍ରସ୍ତାବ ଦେଲା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମାର  ପ୍ରିମିୟମ ଉପରୁ ସମ୍ପୂର୍ଣ ଜିଏସଟି ହଟାଯାଉ ଓ ତା ଉପରକୁ, ପ୍ରିମିୟମ ଉପରେ ଜିଏସଟିକୁ ୧୮%ରୁ କମା ଯାଇ ୫% କରାଯାଉ । ଗତବର୍ଷ ଡ଼ିସେମ୍ବରରେ ବସିଥିବା ଜିଏସଟି କାଉନସିଲରେ ଏହାର ବିଚାର ହେଲା । କିନ୍ତୁ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ଆପଣ ଜାଣିଛନ୍ତି ? ୨୦୧୯-୨୦ରେ ସରକାର ସ୍ବାସ୍ଥ୍ୟ ବୀମାରୁ ୨୧୦୧ କୋଟି ଟଙ୍କାର ଜିଏସଟି ପାଇଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ବଢ଼ି ୧୬୩୯୮ କୋଟି ଟଙ୍କା ହୋଇଗଲା । ସରକାର କେଉଁ କେଉଁ ବାଟରେ ଆପଣଙ୍କୁ ଲୁଟୁଛି ଆପଣ କେମିତି ଜାଣିବେ ? ଆପଣ ତ ମିଡିଆରେ ବାଉଁଶରାଣୀ ଖେଳ ଦେଖୁଛନ୍ତି । ତେଣୁ ଲୋକଙ୍କ ଚିକିତ୍ସା ଉପରେ ଜିଏସଟି ହଟାଇବା କଥା ସେଇଠି ରହିଗଲା । କଣ ପ୍ରଧାନମନ୍ତ୍ରୀ ଲାଲକୀଲ୍ଲାରୁ ଜିଏସଟି ତୋଫା ଦେବାକୁ କହିବା ବେଳେ,  ତାଙ୍କୁ ଏହି ସ୍ୱାସ୍ଥ୍ୟବୀମା ଉପରେ ଜିଏସଟି ହଟିବାର ଆଶ୍ଵାସନା କଥା ଜଣା ନଥିଲା କି ? 

ଏହି ଜିଏସଟି ଦର କମିବା ଓ ସ୍ଲାବ ସଂଖ୍ୟା ୫ରୁ କମେଇ ତିନି ରଖିବା କଥା ବହୁ ଆଗରୁ ଶୁଣା ଯାଇ ଆସୁଛି । ଜିଏସଟି କାଉନସିଲ ୨୦୨୧ରେ ସ୍ଥିର କରିଥିଲା ଜିଏସଟି ଦର କମାଯିବ ଓ ତାହାର  ସରଳୀକରଣ କରାଯିବ । ପଞ୍ଚଦଶ ଅର୍ଥ କମିଶନ ମଧ୍ୟ ଏହି ସୁପାରିଶ କରିଥିଲା । ଏବେ ଷୋଡଶ ଅର୍ଥ କମିଶନର କାର୍ଯ୍ୟକାଳ ଚାଲିଛି । ତାହେଲେ ପ୍ରଧାନମନ୍ତ୍ରୀ ଏଥର ଯେଉଁ ଜିଏସଟି ତୋଫା ଦେବେ ବୋଲି କହିଛନ୍ତି, ତାହା କେବଳ ଲାଲକୀଲ୍ଲା ଭାଷଣରେ, କିଛି ଗୋଟାଏ ବଡ଼ ଘୋଷଣା କରାଯାଏ ବୋଲି କହି ନାହାନ୍ତି ତ ? ବିରୋଧୀ ଦଳମାନେ ଆରମ୍ଭରୁ କହି ଆସିଥିଲେ ଜିଏସଟି ଦର ସ୍ଲାବ ସଂଖ୍ୟା କମାଅ  ଓ ଜିଏସଟି ଦର କମାଅ । ସରକାର ଶୁଣି ନଥିଲେ ।  ସେତେବେଳେ ଆମେ ଶୁଣୁଥିଲୁ ଜିଏସଟି ଲାଗୁ ହେବା ପରେ ଲୋକଙ୍କ ଡିମାଣ୍ଡ ବଢିବ, ବିକ୍ରୀ ବଢିବ ଓ ବିଜିନେସ୍ ବଢିବ । କିନ୍ତୁ ଆମେ ଦେଖିଲୁ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶରେ ଡିମାଣ୍ଡ ବଢୁନି । ଜିଡିପି ପିଠାର ୬୦% ହେଉଛି ଉପଭୋକ୍ତା ଖର୍ଚ୍ଚ ବା ଆପଣ ଓ ମୋର ଖର୍ଚ୍ଚ । ଜିଡିପିର ଏହି ୬୦% ଅଂଶ ବଢୁ ନଥିବାରୁ ମୋଟ ଜିଡିପି ଆବଶ୍ୟକ ମୁତାବକ ବଢୁ ନାହିଁ । ଆଜି ପରିସ୍ଥିତି ଏମିତି ହୋଇଗଲାଣି ଯେ କମ୍ପାନୀମାନେ ଯେତିକି କର୍ପୋରେଟ ଟ୍ୟାକ୍ସ ଦେଉଛନ୍ତି, ତାହାଠାରୁ ଅଧିକ ଆମେ ଜିଏସଟି ଦେଉଛୁ । ସରକାରଙ୍କ ପୂର୍ବ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୂବ୍ରମଣ୍ୟମ ଏହି ଜିଏସଟି ଢାଞ୍ଚାକୁ tax terrorism ବା ଟିକସ ଆତଙ୍କବାଦ କହିଥିଲେ ।  ଏବେ କୁହା ଯାଉଛି ୫ ଓ ୧୮% ଜିଏସଟି ରହିବ ଏବଂ ୧୨ ଓ ୨୮% ଜିଏସଟି ହଟି ଯିବ ।‌

ଆପଣଙ୍କର ମନେ ଅଛି , ପପକର୍ଣ ଉପରେ ଜିଏସଟି କଥା ? ତାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ବନିଥିଲା ।   ଜିଏସଟି ଆସିବା ପୂର୍ବରୁ ଆମକୁ କୁହା ଯାଇଥିଲା, ଏହା ଦ୍ବାରା ଟିକସ ବ୍ୟବସ୍ଥା ସରଳ ହେବ । କିନ୍ତୁ ହେଲା କଣ ? ପପକର୍ଣରୁ ସରକାରଙ୍କୁ ମୋଟ ଜିଏସଟିର ୦.୦୧୩% ମିଳିଥାଏ । କିନ୍ତୁ ଏହାକୁ ଜଟିଳ କରିବା ପାଇଁ ଜିଏସଟି ବିଭାଗକୁ ନୋବେଲ ପୁରସ୍କାର ମିଳିବା କଥା । ଦେଶୀ ମିଠାଇ ଉପରେ ୫% ଜିଏସଟି, କିନ୍ତୁ କେକ୍ ପେଷ୍ଟ୍ରି ଉପରେ ୧୮% ଜିଏସଟି । ରୁଟି ଉପରେ ୫% ଓ ପରଟା ଉପରେ ୧୮% । ବିନା ଏସି ରେଷ୍ଟୁରାଣ୍ଟରେ ଖାଇଲେ ଖାଇବା ଉପରେ ୫% ଟ୍ୟାକ୍ସ ଓ ଏସି ରେଷ୍ଟୁରାଣ୍ଟରେ ସେହି ଖାଦ୍ୟ ଖାଇଲେ ୧୮% ଟ୍ୟାକ୍ସ ଦେବାକୁ ହେବ । ଏହାର କିଛି ମାନେ ଅଛି ? ସରକାର କାହିଁକି ଲୋକଙ୍କୁ ବିନା ଏସି ରେଷ୍ଟୁରାଣ୍ଟରେ ଖାଇବାକୁ ଉତ୍ସାହିତ କରୁଛନ୍ତି ? ହାତ ତିଆରି ବସ୍ତ୍ର ଉପରେ ଜିଏସଟି ନାହିଁ । କିନ୍ତୁ ତିଆରିରେ ଇଲେକ୍ଟ୍ରିରେ ଚାଲୁଥିବା ମେସିନ ବ୍ୟବହାର ହୋଇଥିଲେ ସେଥିରେ ଜିଏସଟି ଲାଗିବ । ବିଭିନ୍ନ ପ୍ରକାର ଜୋତା, ଟେକ୍ସଟାଇଲ ଓ ଅଟୋମୋବାଇଲ୍ ପାଇଁ ଭିନ୍ନ ଭିନ୍ନ ଟ୍ୟାକ୍ସ ସ୍ଲାବ । 

ଆପଣ ଆଉ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ୨୦୧୭ ଠାରୁ ଜିଏସଟିରେ ୧୫୦୦ ଠାରୁ ଅଧିକ ଥର ସଂଶୋଧନ ହେଲାଣି । ଜିଏସଟି କାଉନସିଲର ୫୫ଟି ବୈଠକ ହୋଇଛି । ପ୍ରତ୍ୟେକ ବୈଠକରେ ନିୟମ ବଦଳା ଯାଇଛି । ଜିଏସଟିକୁ ସହଜ ବନେଇ ବନେଇ ତାକୁ ଏମିତି ଜଟିଳ କରାଯାଇଛି, ବର୍ତମାନ ଜିଏସଟି ମାନେ ହେଉଛି ଅନିଶ୍ଚିତତା । ପୁଞ୍ଜି ଲଗାଣକାରୀ ଓ ବ୍ୟବସାୟୀମାନେ ଚାହାନ୍ତି ଦୀର୍ଘ ସମୟ ପାଇଁ ନିୟମ ଓ ନୀତିରେ ସ୍ଥିରତା । ତେଣୁ ବର୍ତମାନ ଏହା ଜାଣି ଆଉ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯେ ଦେଶରେ ଜିଡିପର ଅନୁପାତ ଭାବେ ପ୍ରାଇଭେଟ୍ ଇନଭେଷ୍ଟମେଣ୍ଟ ବଢୁ ନାହିଁ । ୟୁରୋପ ଓ ଅନ୍ୟ ଦେଶମାନଙ୍କରେ, ଯେଉଁଠି ଜିଏସଟି ବ୍ୟବସ୍ଥା ଅଛି , ସେଠାରେ ବର୍ଷକୁ ହାରାହାରି ତିନି ଥର ନିୟମ ବଦଳେ । ବାରମ୍ବାର ନିୟମ ଓ ଦର ବଦଳିବା ଦ୍ବାରା , ଜିଏସଟି ପ୍ଲାଟଫର୍ମ ତାହା ସହିତ ତାଳ ଦେଇ ବଦଳିବା କଷ୍ଟକର ହୁଏ । ଟେକ୍ନୋଲୋଜିରେ ସମସ୍ୟା ଆସେ । ବ୍ୟବସାୟୀଙ୍କୁ ରିଟର୍ଣ ଫାଇଲ ଓ ରିଫଣ୍ଡ ପାଇବାରେ ଅସୁବିଧା ହୁଏ । କଣ ଏହି ହେଉଛି ଜିଏସଟିର ସରଳତା ଯେଉଁଥିପାଇଁ ଏହାର ଉଦ୍ଘାଟନ ପାଇଁ ରାତି ଅଧରେ ପାର୍ଲ୍ୟାମେଣ୍ଟରେ ଉତ୍ସବ ହୋଇଥିଲା ? 

କୁହା ଯାଇଥିଲା, ଜିଏସଟି ଲାଗୁ ହେଲେ ଟ୍ୟାକ୍ସ ଲିକ୍ ବା ଟ୍ୟାକ୍ସ ଚୋରୀ ବନ୍ଦ ହୋଇଯିବ । ଗତବର୍ଷ ନଭେମ୍ବରରେ ଜଣେ ଟ୍ୟାକ୍ସ ଅଫିସରଙ୍କ ବୟାନକୁ ଉଦ୍ଧାର କରି, ଦ ଇକୋନୋମିକ୍ ଟାଇମ୍ସ ଲେଖିଛି, ସେମାନେ ୧୮୦୦୦ ଟି ଫର୍ଜି କମ୍ପାନୀ ବା ବୋଗସ କମ୍ପାନୀ ଧରିଛନ୍ତି, ଯେଉଁମାନଙ୍କ ଜରିଆରେ ୨୫୦୦୦ କୋଟି ଟଙ୍କାର ଟିକସ ଫାଙ୍କି ହୋଇଛି । କମ୍ପାନୀମାନେ, ଏହି ସେଲ୍ କମ୍ପାନୀମାନଙ୍କ ଠାରୁ କିଛି ନ କିଣି ମଧ୍ୟ , ସେମାନଙ୍କ ଠାରୁ ମିଛ ଇନଭଏସ ନେଇ input tax ଛାଡ ନେଇଛନ୍ତି । ଜିଏସଟି ଇଣ୍ଟେଲିଜେନ୍ସ ଅନୁସାରେ ୨୦୨୩-୨୪ରେ ଦୁଇଲକ୍ଷ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କି ଧରା ପଡ଼ିଛି । ଏଥି ମଧ୍ୟରୁ ଅନଲାଇନ୍ ଗେମ୍ କମ୍ପାନୀ ଗୁଡ଼ିକ ପ୍ରାୟ ୪୦% ଟ୍ୟାକ୍ସ ଫାଙ୍କିଛନ୍ତି ।‌ ସାଇବର ସିକୁରିଟି କିଛି କରି ପାରୁନି । ଏଲଆଇସି, ବୀମା କମ୍ପାନୀ, ଆଇଟି କମ୍ପାନୀ, ଇ-କମର୍ସ କମ୍ପାନୀ, ଲୁହା, ଧାତୁ , ସିଗାରେଟ୍, ବିଡ଼ି, ପାନ ମସଲା, ଯାହାକୁ ଦେଖିବେ, ସେମାନଙ୍କ ପାଖକୁ ଜିଏସଟି ଡିମାଣ୍ଡ ନୋଟିସ ଯାଉଥିବାର ଖବରକାଗଜରେ ଖବର ବାହାରୁଛି । ଏଇଆକୁ ଖତମ କରିବାକୁ ତ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହଟା ଯାଇ ଜିଏସଟି ଅଣା ଯାଇଥିଲା ? 

ଏଠାରେ  ଜିଏସଟି ସମ୍ବନ୍ଧୀୟ ଆଉ ଗୋଟିଏ ଗୁମର କଥା ବିଷୟରେ ଜାଣନ୍ତୁ । ପ୍ରଧାନମନ୍ତ୍ରୀ କହୁଛନ୍ତି ଜିଏସଟି ଦର କମାଇ ତୋଫା ଦେବେ । ଏପର୍ଯ୍ୟନ୍ତ ଏହି ବିଷୟଟି ଜିଏସଟି କାଉନସିଲକୁ ଆସିନାହିଁ । ଏଣେ ଜିଏସଟି ଗୃପ୍ ଅଫ୍ ମିନିଷ୍ଟର୍ସ ଚିନ୍ତା କରୁଛି ସ୍ବାସ୍ଥ୍ୟ ଓ ସ୍ବସ୍ଥ ଉର୍ଜା ଉପରେ ନୂଆ ସେସ୍ ଲଗାଯିବ । ଦ୍ବିତୀୟରେ, କଣ ରାଜ୍ୟମାନେ ରାଜି ହେବେ ଦର କମିବା ଫଳରେ ସେମାନଙ୍କ ରାଜସ୍ବରେ ଯେଉଁ କ୍ଷତି ହେବ ତାହା ବରଦାସ୍ତ କରିବାକୁ ? ଯେତେବେଳେ ଜିଏସଟି ଲାଗୁ ଆରମ୍ଭ ହୋଇଥିଲା, ସେତେବେଳେ ଧରି ନିଆ ଯାଇଥିଲା, ପ୍ରତ୍ୟେକ ରାଜ୍ୟର ରାଜସ୍ବ ବାର୍ଷିକ ୧୪% ବଢିବ , ଓ ସେଥିରୁ କମିଲେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ତାହାର କ୍ଷତି ପୁରଣ ଦେବେ । ୨୦୨୨ ମସିହାରେ ସେହି ୫ ବର୍ଷ ସରିବା ପରେ ଅନେକ ରାଜ୍ୟର ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଛି । ଜିଏସଟି ଲାଗୁ ହୋଇ ନଥିଲେ ରାଜ୍ୟ ସରକାରମାନେ ନିଜେ ଟ୍ୟାକ୍ସ ବଢାଇ ପାରିଥାନ୍ତେ ଓ କମାଇ ପାରିଥାନ୍ତେ । କିନ୍ତୁ ଜିଏସଟି ଆସିବା ପରେ ରାଜ୍ୟ ସରକାର ମାନଙ୍କ ପାଖରେ ସେ ଅଧିକାର ଆଉ ନାହିଁ । କେନ୍ଦ୍ର ସରକାର କେତେକ ଜିନିଷ ଉପରେ ଅତିରିକ୍ତ ସେସ୍ ଲଗାଇ ସେହି ଟଙ୍କାରୁ ରାଜ୍ୟମାନଙ୍କୁ କ୍ଷତିପୁରଣ ଦେଉଥିଲେ । କ୍ଷତିପୁରଣ ସିନା ୨୦୨୨ ମସିହାରୁ ବନ୍ଦ ହୋଇ ଯାଇଛି, କେନ୍ଦ୍ର ସରକାର କିନ୍ତୁ ଏଥିପାଇଁ ଯେଉଁ ସେସ୍ ଆଦାୟ କରୁଥିଲେ ତାହା ଏବେବି ଜାରି ରହିଛି । ପେଟ୍ରୋଲ, ଡିଜେଲ, ବିଜୁଳି ଓ ରିଅଲ ଇଷ୍ଟେଟକୁ ଜିଏସଟି ଭିତରକୁ ଆଣିବା କଥା ତ ଆଉ କେହି ତୁଣ୍ଡରେ ଧରୁ ନାହାନ୍ତି । 

କେନ୍ଦ୍ର ସରକାରଙ୍କର ଆର୍ଥିକ ସର୍ଭେରେ ଲେଖା ଯାଇଛି, ଚଳିତ ବର୍ଷ ସରକାର ଜିଏସଟିରୁ  କରିବାକୁ ଯାଉଥିବା  ଆୟ, ଗତ ବର୍ଷ ଠାରୁ ୧୦.୯% ବଢ଼ି, ୧୧.୭୮ ଲକ୍ଷ କୋଟି ଟଙ୍କା ହେବ । ସର୍ବାଧିକ ଜିଏସଟି ୧୮% ଜିଏସଟିରୁ ଆସେ । ସରକାରଙ୍କୁ ସବୁଠାରୁ ବେଶି ଜିଏସଟି ବା ମୋଟ ଜିଏସଟିର ୬୭%, ଏହି ୧୮% ସ୍ଲାବରୁ ମିଳେ । ଏହି ୧୮% ଦର ଅପରିବର୍ତ୍ତିତ ରହିବ । ଏହା ହଟିବ ନାହିଁ । ୭% ଆୟ ହୁଏ ୫% ସ୍ଲାବରୁ, । ୫% ଆୟ  ହୁଏ ୧୨% ଜିଏସଟି ଦରରୁ, ଯାହାକୁ ଖତମ କରାଯିବ ବୋଲି କୁହା ଯାଉଛି  । ୧୧% ଆୟ ମିଳେ ୨୮% ଜିଏସଟି ଦରରୁ । ଏହା ଆୟର ଅପେକ୍ଷାକୃତ ଏକ ବଡ ଅଂଶ । କାରଣ ଏଥିରେ ଅଟୋମୋବାଇଲ ଓ କେତେକ ଦାମୀ ଜିନିଷ ଅସୁଛି । ଏହାକୁ ହଟାଯିବ ବୋଲି କୁହା ଯାଉଛି । ଚିନ୍ତା କରନ୍ତୁ । ଏବେ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୋଷକ ଉପରେ ୧୨% ଜିଏସଟି ଲାଗୁଛି । ଏବେ ଏହି ୧୨% ଜିଏସଟି ଦର ବନ୍ଦ ହେଲେ, ଏଭଳି ପୋଷାକ ୫% ଜିଏସଟି ଦର କି ୧୮% ଜିଏସଟି ଦରକୁ ଯିବ, ତାହା କହି ହେବ ନାହିଁ । ସେହିପରି ପ୍ରୋସେସଡ୍ ଫୁଡ ୧୨%ରୁ  ୧୮% କୁ ଚାଲିଯିବ । ଯାହା ଫଳରେ ଏସବୁ ମହଙ୍ଗା ହେବ । ଏବେ ଅଟୋମୋବାଇଲ ଉପରେ ୨୮% ଜିଏସଟି ଲାଗୁଛି । ଏହା କମାଇବା ପାଇଁ ବହୁଦିନରୁ ଦାବୀ ହୋଇ ଆସୁଥିଲା । କାରଣ ଆହୁରି ବହୁତ ଶିଳ୍ପ ଅଟୋମୋବାଇଲ ଶିଳ୍ପ ଉପରେ ନିର୍ଭର କରେ । ଏହା ୧୮% ଜିଏସଟି ଦରକୁ ଯିବା ସ୍ବାଗତଯୋଗ୍ୟ ଅଟେ । କିନ୍ତୁ ଡର ହେଉଛି, ଏହା ଦ୍ବାରା ରାଜ୍ୟ ମାନେ ଯେତିକି କ୍ଷତି ସହିବେ ତାହା ରୋଡ୍ ଟ୍ୟାକ୍ସ ଦ୍ବାରା ଭରଣା କରିବେ ନାହିଁ ତ ? ୧୧% ଆୟ ଦେଉଥିବା ୨୮% ସ୍ଲାବ ଅନ୍ତର୍ଗତ ଜିନିଷ ସବୁ ଯଦି ୧୮%କୁ ଚାଲିଯିବ ତେବେ ସରକାରଙ୍କର ବହୁତ କ୍ଷତି ହେବ । ଅବଶ୍ୟ ଏହିସବୁ ଜିନିଷର ଦାମ୍ କମିବା ପରେ ଯଦି ବିକ୍ରୀ ବଢିବ, ତେବେ ସେହି କ୍ଷତି ଭରଣା ହେବ, ଉତ୍ପାଦନ ବଢିବ ଓ ନିଯୁକ୍ତି ବଢିବ । ତେବେ ସ୍ଲାବ୍ ସଂଖ୍ୟା କମିଯିବା ଅର୍ଥ ନୁହେଁ ୨୮% ସ୍ଲାବ ଥିବା ସବୁ ଜିନିଷ ୧୮%କୁ ଓ ୧୨% ସ୍ଲାବର ସବୁ ଜିନିଷ ୫%କୁ ଖସି ଆସିବ । କିଛି ୧୨% ସ୍ଲାବ ଜିନିଷ ୧୮%କୁ ଓ କିଛି ୨୮% ସ୍ଲାବ ଜିନିଷ ୪୦%କୁ ବି ଯାଇପାରେ । NIPFP ବା ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ଫାଇନାନ୍ସ ଏଣ୍ଡ ପଲିସି ତରଫରୁ ଏକ ହିସାବ କରା ଯାଇଛି, ସବୁ ରାଜ୍ୟ ପାଇଁ revenue neutrality ଆଣିବାକୁ ହେଲେ , ୧୮% ଜାଗାରେ ୨୦-୨୨% ର ମାନକ ଦର ଦରକାର । କଣ ସବୁ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ରାଜି ହେବେ ? ନା କେନ୍ଦ୍ର ସରକାର ପୁଣିଥରେ ରାଜ୍ୟମାନଙ୍କ ପାଇଁ କ୍ଷତିପୁରଣ ଯୋଜନା ଆଣିବେ ? ଷୋଡଶ ଅର୍ଥ କମିଶନ ସହ ରାଜ୍ୟମାନେ ଯେତେବେଳେ ଭେଟିଥିଲେ, ସେତେବେଳେ ୨୮ଟି ରାଜ୍ୟ କହିଥିଲେ , ଯଦି ଜିଏସଟି ସ୍ଲାବ୍ ସଂଖ୍ୟାକୁ କମାଯାଏ ତେବେ କେନ୍ଦ୍ରୀୟ ଟ୍ୟାକ୍ସରେ ସେମାନଙ୍କ ଭାଗ ବଢାଇବାକୁ ପଡିବ । ତେବେ ଏକଥା ସତ ଯେ ଜିଏସଟି ସ୍ଲାବ ସଂଖ୍ୟା କମିବା ଦରକାର ଓ ଢାଞ୍ଚାର ସରଳୀକରଣ ହେବା ଦରକାର । କିନ୍ତୁ ସେଥିପାଇଁ ଜିଏସଟି ପ୍ଲାଟଫର୍ମରେ ବହୁତ ପରିବର୍ତନ ଦରକାର ହେବ, ଇନଭଏସର ସ୍ବରୁପ ବଦଳିଯିବ, ଜିନିଷ ଓ ସେବାର ବର୍ଗିକରଣ ବଦଳିବ, କର୍ମଚାରୀମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ ସମୟ ଲାଗିଲେ ଲାଗୁ । ନାଇଁ ଯଦି ଅଗଷ୍ଟ ୧୫ରେ କହିଥିଲେ ବୋଲି ଅଳ୍ପ କିଛି ଜିନିଷ ଉପରେ ଦର କମେଇ , ବହୁତ ବଡ ପ୍ରଚାର କରାଯିବ , ତାହେଲେ ସେଇଟା ଅଲଗା କଥା ।