ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି : ଦର୍ଶନ ଏବଂ ଆଜିକାର ଜଗତ

ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି  : ଦର୍ଶନ ଏବଂ ଆଜିକାର ଜଗତ

ଆଜିକାର ଜଗତ ସଂପର୍କରେ ଦର୍ଶନ କ'ଣ କହିପାରେ ? ରାଜନୀତୀକ,ଅର୍ଥନୀତିବିଦ୍, ସମାଜତାତ୍ତ୍ୱିକ,ଭବିଷ୍ୟତବକ୍ତା,ସାଂବାଦିକ ଏଇ ଭଳି ବ୍ୟକ୍ତିବିଶେଷଗଣ ଯାହା ଯାହା କହିଛନ୍ତି ବା କହୁଛନ୍ତି ତାହାର ଅତିରିକ୍ତ ଆଜିକାର ଜଖତ ସଂପର୍କରେ ଆଉ କି କ'ଣ କହିବାର ରହିଯାଇଛି ? ଦର୍ଶନ କ'ଣ ଏପରି କିଛି କହିପାରେ ଯାହା ଉପରେ ଉଲ୍ଲିଖିତ ସେଇମାନେ କହି ନାହାଁନ୍ତି ?

ସବୁ ପ୍ରାପ୍ତି ଆଉ ସବୁ ଗୁଣଗୁଡିକର ଭଳି ଅଥବା ହୁଏତ ତାହାଠାରୁ ଅଧିକ ଆମକୁ ଆଲୋଡିତ କରେ ପୃଥିବୀରେ ଦେଖାଯାଉଥିବା ଯାବତୀୟ ଅମଙ୍ଗଳ,ଅପୂର୍ଣ୍ଣତା ଆଉ କ୍ଷୟକ୍ଷତି। ମଣିଷ ଆଶା କରେ ଯେ ଏଇଠି ଦର୍ଶନ ଆମମାନଙ୍କୁ କିଛି ପରାମର୍ଶ ଦେଇପାରିବ, କେଉଁ ଭଳି ଏହି ସବୁ ଅଭାବାତ୍ମକ ବିଷୟଗୁଡିକର ପ୍ରତିକାର,ପ୍ରତିରୋଧ ଏବଂ ଆତିକ୍ରାନ୍ତି ସମ୍ଭବ  ଏବଂ ପରାମର୍ଶ ଦେବ କେଉଁଭଳି ସେହି ଲାଭ ଗୁଡିକ ସୁବିନ୍ୟସ୍ତ ହୋଇ ଆମର ଅଂଶୀଭୂତ ହେବ । ଏହାର ଆଧିକାଂଶ ହିଁ ଏହିପରିକା ନୈତିକ ଉପଦେଶ ହେବ ଯାହାର କୌଣସି ପ୍ରକାରର  କମତି ଆମ ଆଗରେ ହେବନାହିଁ ।
ବର୍ତ୍ତମାନ ଅବକ୍ଷୟରୁ ଏଇ ପୃଥିବୀ କେଉଁପରି ବାହାରି ଆସି ପାରିବ,ଏହି ବିଷୟରେ ସବୁ ନୀତିବାଗୀଶ,ଧର୍ମଗୁରୁ ଏବଂ ଆଧ୍ୟାତ୍ମିକ ପୁନରୁଜ୍ଜୀବନକାରୀମାନଙ୍କର ଉପଦେଶମାଳା ରହିଅଛି । ଦର୍ଶନକୁ ଯଦି ଏଇ ସବୁକିଛି ର ସହିତ ପ୍ରତିଯୋଗୀତା କରିବାକୁ ପଡିବ,ତାହାହେଲେ ତାହାକୁ ଏପରି କିଛି ହୋଇ ଉଠିବାକୁ ହେବ ଯାହାକୁ ଆମର ବନ୍ଧୁ କ୍ଲାର୍କ ଗ୍ଲାଇମୋର୍ କହିଛନ୍ତି "ପ୍ରାଜ୍ଞତା"। ଏବେକାର ସମସ୍ୟା କେବଳ ନୁହଁ ,ହଜାର ବର୍ଷ  ଆଗେକାର ସମସ୍ୟାର ମୁଖୋମୁଖି ହେବା ପାଇଁ  ବି ଯଥାର୍ଥ ଶିକ୍ଷା,ମାନବତାବୋଧର ଦୃଢ ସଂସ୍କାର,ଭଲପାଇବା ଏବଂ ସହାନୁଭୂତି ଇତ୍ୟାଦି ମାନସିକତାର ଚର୍ଚ୍ଚା,ଅନ୍ତର୍ମୁଖୀ ଆଧ୍ୟାତ୍ମିକତାର ଉନ୍ମେଷ,ଏହି ପ୍ରକାରର କିଛି ବିଧାନ ଦେବାକୁ ହୁଏ । ଆମର ସମସାମୟିକ ଅନେକଙ୍କର ହିଁ ଯେଉଁ ଭଳି ମନେ ହୋଇଥାଏ ପୃଥିବୀ ଏବେ ରସାତଳଗାମୀ , ପାଞ୍ଚହଜାର ବର୍ଷ ଆଗେକାର ପ୍ରାଚୀନ ମିଶରର "ନୂତନ ରାଜବଂଶ" ର ଠିକ୍ ସେମିତି ମନେ ହୋଇଥିଲା,ପାଣ୍ଡବମାନଙ୍କର ରାଜତ୍ୱର ଶେଷରେ ବି ମନେ ହୋଇଥିଲା ସେମିତି ଠିକ୍ !  ଏଥିରୁ ଏଇଟି ଅବଶ୍ୟ ପ୍ରମାଣ ହେବନାହିଁ ଯେ,ଉପରର ବିଧାନଗୁଡିକ ସବୁ ଅଯାଚିତ । କେବଳ ଏଇକଥାକୁ କହିବାକୁ ଚାହିଁବି ଯେ,ମୁଁ ଏଇସବୁକୁ ଆପଣମାନଙ୍କ ଉପରେ ଚାପିଦେବି ନାହିଁ ।

ଆମ ନିକଟରେ,ଏହାର ତୁଳନାରେ ଆମର ବର୍ତ୍ତମାନର ପୃଥିବୀକୁ ବୁଝିପାରିବା ଅଧିକ କଠିନ ଏବଂ ସମସ୍ୟାଜନକ ମନେ ହୁଏ । ହେଗେଲ୍ ବର୍ଣ୍ଣିତ ମିନର୍ଭାର ପେଚା ଟି ଭଳି ( ପ୍ରଫେସର ମହାନ୍ତି ଏଇଠି ଚିନ୍ତାନାୟକ ହେଗେଲ୍ ଙ୍କର  ଉଲ୍ଲେଖରେ ଯେଉଁ ମିନର୍ଭାଙ୍କ ପେଚାର କଥା କହିଛନ୍ତି ସେହି ବିଶେଷ ପେଚା ସାଧାରଣତଃ ଗୋଧୂଳୀର ଅବସାନ ସମୟରେ ଉଡିବା ପାଇଁ ଡେଣା ଫଡଫଡ କରିଥାଏ । ମିନର୍ଭାଙ୍କ ପେଚାର ଅବସାନ ସମୟରେ ଏଇ ଭଳି ଉଡାଣକୁ ହେଗେଲ୍ ଦର୍ଶନ ପାଇଁ ଏକ ପ୍ରତୀକୀ ରୂପରେ ବ୍ୟବହାର କରିଛନ୍ତି । ତାଙ୍କ ମତରେ ମିନର୍ଭାଙ୍କ ପେଚା ଭଳି କବଳ ଅବକ୍ଷୟ ର ସମୟରେ ହିଁ ପ୍ରସ୍ତୁତ ହୋଇଥାଏ ଦର୍ଶନର ଉଡାଣ ।)ଦର୍ଶନର ଘଟଣା ଘଟିଯିବାର ପରେ ପଛକୁ ଫେରି ଚାହିଁଥାଏ ଗଢି ଉଠିଥିବା  ଏଇ ଜଗତକୁ !  ଏପରି ବି ହୋଇପାରେ ଯେ,ଏଇ ଉପଲବ୍ଧି କରିବାଟା କେବଳ ତତ୍ତ୍ୱଗତ ଉପଲବ୍ଧି ନୁହଁ ,ଏହାର ପ୍ରାୟୋଗିକ ଦିଗଟିକୁ ବୁଝିବା ବି ଏଇ ଉପଲବ୍ଧିର ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ (ଯେମିତି ଧରାଯାଉ,ଅନ୍ୟ ମଣିଷକୁ ମୁଁ ଯେମିତି ବୁଝେ,ମୋର ସମସାମୟିକ ମଣିଷମାନଙ୍କୁ ବା ପ୍ରତିବେଶୀ ମଣିଷ ମାନଙ୍କୁ ଯେମିତି ବୁଝେ ),ଏହିପରି ଭାବରେ ନୈତିକ ଏବଂ ରାଜନୈତିକ ପ୍ରସଂଗରେ କେଉଁଭଳି ଏଇ ପୃଥିବୀ ସହିତ ନିଜକୁ ସଂପର୍କୀତ କରିବି ଏଇସବୁ ବିଷୟରେ ବି ପ୍ରାସଙ୍ଗିକତା ରହିଥାଇ ପାରେ । ତାହା ବୋଲି ,ପୃଥିବୀକୁ କେଉଁଭଳି ଆହୁରି ଊନ୍ନତତର କରାଯାଇପାରେ ସେ ସମ୍ବନ୍ଧରେ କିଛି ବ୍ୟବହାରିକ ନିର୍ଦ୍ଦେଶାବଳୀର ଗୁଚ୍ଛ ତିଆରି କରିବାରେ  ଏହା ପର୍ଯ୍ୟବେସିତ ହୁଏ ନା । ଯେଉଁ ବ୍ୟବହାରିକ ବୁଦ୍ଧିର ଭିତରେ ତତ୍ତ୍ୱ ଆଉ ପ୍ରୟୋଗ ଅବିଚ୍ଛିନ୍ନ ରହିଥାଏ ,ସେହି ବୁଦ୍ଧି ହିଁ ଏଇ ପୃଥିବୀ ର ସହିତ ଆମମାନଙ୍କୁ ମାନିନେଇ ଚାଲିବାକୁ ଶିଖାଇଥାଏ ।

ପ୍ରାଚୀନ ପୃଥିବୀ ଥିଲା ସୀମିତ,ଆଧୁନିକ ବିଶ୍ୱ ଅସୀମ (ଅସୀମ ଦେଶ ଏବଂ କାଳ ),ଉତ୍ତର-ଆଧୁନିକ ପୃଥିବୀ ପୁଣି ସଂକୁଚିତ ହୋଇ ସୀମିତ ଆକାର ଗ୍ରହଣ କରିଛି । ପ୍ରଯୁକ୍ତି ର ସାହାଯ୍ୟରେ ମଣିଷ ଅଭାବନୀୟ ଭାବେ ବହୁଦୂରରେ ଥିବା ବସ୍ତୁକୁ ବି ଅନୁସନ୍ଧାନ କରିବାକୁ ସକ୍ଷମ ହୋଇଛି,ଏପରିକି ଗୋଟିଏ ଦୁଇଟି କୃଷ୍ଣ-ଗହ୍ୱରକୁ ଚିହ୍ନିତ କରିପାରିଛି (ଯେଉଁଠି ଆମର ବୁଢା ଆଙ୍ଗୁଳିର ନଖ ର ସମାନ ମାପ ବିଶିଷ୍ଟ କ୍ଷେତ୍ରରେ କେତେ ଲକ୍ଷ ନକ୍ଷତ୍ରର ଶକ୍ତି ସଂହତ ହୋଇ ରହିଛି )। ପୃଥିବୀର ସୃଷ୍ଟିର ମୁହୂର୍ତ୍ତରେ,ବିଶ୍ୱର ଆଦ୍ୟ କେତୋଟି ଘଟଣାର ନିକଟକୁ ଫେରିଯାଇ ପାରିବାର କ୍ଷମତା ସେ ରଖେ । ଦେଶ ଆଉ କାଳ ଦୁଇଟି ଏଇଲେ  ସସୀମ ରାଶି ।

°°°°°

ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି ହେଉଛନ୍ତି ଜଣେ ପ୍ରଖ୍ୟାତ ଦାର୍ଶନିକ ଏବଂ ଜଣେ ବିରଳ ଓଡିଆ । ତାଙ୍କର ଦେହାବସାନ ରେ ତାଙ୍କର ସ୍ମୃତି ଚାରଣ କରିବା ଉଦ୍ଦେଶ୍ୟରେ ଏଇ ଲେଖାଟି ଚାରିଦିନ ତଳେ ଅର୍ଥାତ୍ ୭ ମାର୍ଚ୍ଚ ୨୩ ଦିନ ପ୍ରସ୍ତୁତ ହୋଇଥିଲା। ଶ୍ରୀଯୁକ୍ତ ମହାନ୍ତିଙ୍କ ଦେହାବସାନ ସଂବାଦଟି ଉପସ୍ଥିତ ଲେଖକ ଓଡିଶାର ବିଶିଷ୍ଟ ଦର୍ଶନ ଶାସ୍ତ୍ରର ପ୍ରବକ୍ତା ତଥା ପ୍ରଫେସର୍ ଶ୍ରୀଯୁକ୍ତ ଗଣେଷ ଦାସଙ୍କ କାନ୍ଥରୁ ପାଇଥିଲା ।  କିନ୍ତୁ ଅନ୍ୟତ୍ର କେଉଁଠି ଏ ସଂପର୍କରେ ପରିପୂରକ ସଂବାଦ ନପାଇବାରୁ ଉପସ୍ଥିତ ଲେଖକ ମନରେ କିଛି ଦ୍ୱିଧା ଆସିଥିଲା। 

ଆଜି ସମ୍ବାଦ ପତ୍ରରେ ଶ୍ରୀଯୁକ୍ତ ମହାନ୍ତିଙ୍କ ଦେହାବସାନ ସମ୍ବାଦ ବାହାରିଛି । ଆଜି ୱିକିପିଡିଆ ବି ତାହାର ଉପଯୁକ୍ତ  ସଂଶୋଧନ କରିଦେଇଛି ।


ଏଠାରେ ପ୍ରସ୍ତୁତ ଏଇ ଅଂଶଟି ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି ଙ୍କର ରଚିତ ମୂଳ ବଙ୍ଗଳା ଭାଷାରେ ରଚିତ ପୁସ୍ତକ "ଆତ୍ମା ଏବଂ ତାର ଅପର :କୟେକଟି ଦାର୍ଶନିକ ପ୍ରବନ୍ଧ " ରୁ ଗୃହିତ ଏବଂ ଅନୁସୃଜିତ ।

ଏହି ବହିର ଭୂମିକାରେ କୁହାଯାଇଛି:

" ଏହି ରଚନାଗୁଡିକ ଭିତରୁ ଅଧିକାଂଶ ଗତ ନବେ ଦଶକ ରେ ଲିଖିତ ଏବଂ ଏଗୁଡିକରେ ଅଧ୍ୟାପକ ମହାନ୍ତିଙ୍କ ଚିନ୍ତାଧାରାର ସୁସ୍ପଷ୍ଟ ଦିଗବଦଳ ନଜରକୁ ଆସେ। ଏହି ସବୁ  ଲେଖା  ପ୍ରାୟତଃ ତାଙ୍କର କୋଲକାତାରେ ଅବସ୍ଥାନକାଳୀନ ଲେଖା ,ବହିପତ୍ରର ବିନା ସାହାଯ୍ୟରେ ଏଇ ଲେଖା । ତେଣୁ ଏଥିରେ କୌଣସି ପାଦଟୀକା ନାହିଁ  ଏବଂ ଏହା ସାଧାରଣ ପାଠକକୁ ଲକ୍ଷ୍ୟ କରି ରଚିତ । ତେଣୁ ଏହି ଲେଖାଗୁଡିକରେ ଅସାଧାରଣ ପ୍ରାଞ୍ଜଳତା ରହିଛି । ରଚନାଗୁଡିକରେ ରହିଛି ଉତ୍ତର-ଆଧୁନିକତା ରୁ ଉଦ୍ଭୁତ କିଛି ସଂକଟ କାଳରେ ରାଜନୀତିକୁ ନେଇ,ସଂସ୍କୃତିକୁ ନେଇ ଏବଂ କ୍ଷମତାକୁ ନେଇ ତାଙ୍କର କିଛି ପ୍ରତିକ୍ରୀୟା।

ନିବନ୍ଧଗୁଡିକରେ ଯେଉଁ ମୁଖ୍ୟ ଧାରଣା ଗୁଡିକର ପ୍ରସ୍ତାବ କରାଯାଇଛି ତାହା ହେଲା - ବ୍ୟକ୍ତିକ ଆତ୍ମା ବିଭିନ୍ନ ସ୍ତରରେ ଏକ ସମନ୍ୱୟରେ ଗଠିତ ଓ ଆମର ତଥାକଥିତ ବ୍ୟକ୍ତିସତ୍ତାକୁ ଦେଖିବାକୁ ହେବ ନିମ୍ନସ୍ତରୀୟ ପରିଚୟର ଉପରେ ପ୍ରକ୍ଷିପ୍ତ ଉଚ୍ଚ ପର୍ଯ୍ୟାୟ ର ପରିଚୟ ହିସାବରେ ; ଅନେକଗୁଡିଏ ଖଣ୍ଡ ଜଗତରୁ କଳ୍ପିତ ଏକ ଜଗତର ନିର୍ମାଣ ; "ଅପର"-ଏହାର ଉପସ୍ଥିତି ଆମମାନଙ୍କର ନିଜର ଅଭ୍ୟନ୍ତରରେ (ସଂସ୍କୃତି ର କ୍ଷେତ୍ରରେ ପ୍ରୟୋଗ କରିଲେ ଦେଖାଯିବ ଯେ,ବିଦେଶୀ ସଂସ୍କୃତି ଆଗରୁ ଦେଶୀୟ ସଂସ୍କୃତି ଭିତରେ ବର୍ତ୍ତମାନ; ଅନ୍ୟ ସଂସ୍କୃତି (ଯେପରି ବ୍ୟକ୍ତିତ୍ୱ) ଯଥାଯଥ ଭାବରେ ବୁଝିପାରିଲେ ଯାଇ ଏଇଟି ଯେ "ଅନ୍ୟ" ସେଇଭଳି କଥାକୁ ବୁଝିପାରିବା,ଯାହା କାହାର ଅସ୍ମିତାର ପ୍ରସାରଣ ହିସାବରେ ନୁହଁ ; ପ୍ରାକ୍-ଚିନ୍ତନସ୍ତରରୁ ଆରମ୍ଭ କରି ଉଚ୍ଚମାର୍ଗୀୟ ଚିନ୍ତନସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ହିଁ ତତ୍ତ୍ୱ ଏବଂ ବ୍ୟବହାରର ଅନ୍ତର୍ଲିପ୍ତତା ; ସଂସ୍କୃତି କ'ଣ ଆଉ ତାହାର ପରିମାପର  ମାପକାଠିର ଅଭାବ; ସାଂସ୍କୃତିକ ପରିଚୟ ଗୋଟିଏ ଉଚ୍ଚମାର୍ଗର ଗଠନକ୍ରିୟା ଯାହା ଆଭ୍ୟନ୍ତରୀଣ ପାର୍ଥକ୍ୟକୁ ଦୂରକୁ ଠେଲି ଦିଏ ।"

ପ୍ରଫେସର ମହାନ୍ତିଙ୍କ ଭଳି ଜଣେ ଆନ୍ତର୍ଜାତିକ ସ୍ୱୀକୃତ ଦର୍ଶନ-ବିଦ୍ୱାନ ଙ୍କୁ ଆମର ଏଠାରେ ଜଣେ ଓଡିଆ ବୋଲି ସେମିତି ପରିଚିତି ନମିଳିବା ଓଡିଆ ମାନଙ୍କର ଅସାମର୍ଥ୍ୟକୁ ପ୍ରକାଶ କରେ ।  ପ୍ରଫେସର ମହାନ୍ତି ଯଦିଓ ରେଭେନସା କଲିଜିଏଟ୍ ରୁ ମାଟ୍ରିକ୍ୟୁଲେସନ୍ ପରେ ତାଙ୍କର ପରବର୍ତ୍ତି ଶିକ୍ଷା କଲିକତା ଏବଂ ବିଦେଶରେ କରିଛନ୍ତି ଏବଂ ଅଧିକାଂଶ ସମୟରେ ସେ କଲିକତାରେ ଅବସ୍ଥାନ କରିଥାଆନ୍ତି । କିନ୍ତୁ ଏହିଭଳି ଜଣେ ଦର୍ଶନ -ବିଦ୍ୱାନ ତଥା ବିରଳ ଓଡିଆଙ୍କୁ ଆମ ନିକଟକୁ ଖୋଜିଲୋଡି ଆଣିବା ଆମର କର୍ତ୍ତବ୍ୟ। ଯଦି ଶ୍ରୀଯୁକ୍ତ ମହାନ୍ତି ଙ୍କ କିଛି ଚିନ୍ତନ ବଙ୍ଗଳା ଭାଷାରେ ବହି ଆକାରରେ ପ୍ରକାଶିତ (ଏପରିକି ତାଙ୍କ ସହିତ କିଛି କଥୋପକଥନ ବି ବଙ୍ଗଳା ଭାଷାରେ ବହି ଆକାରରେ ପ୍ରକାଶିତ ହୋଇଥିବା କଥା ଉପସ୍ଥିତ ଲେଖକ ଜାଣେ। ମାତ୍ର ଓଡିଆ ଭାଷାରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ନେଇ କୌଣସି ପରିଚିତିମୂଳକ ପୁସ୍ତକ ଏଠାରେ ଅନୁପସ୍ଥିତ । ଏହାର ପଛରେ ଥିବା କାରଣମାନଙ୍କୁ ବିସ୍ତୃତ କରିବାର ଆଗ୍ରହ ଉପସ୍ଥିତ ଲେଖକର ଆଦୌ ନାହିଁ ।

ଜଣେ ଯଥାର୍ଥ ଚିନ୍ତକ, ଯିଏ ନିଜର ମୌଳିକ ଚିନ୍ତନରେ ବିଶ୍ୱମାନର ଛାପ ରଖିଯାଇଛନ୍ତି, ସେହିଭଳି ଜଣେ ବିରଳ ଓଡିଆଙ୍କୁ ଓଡିଆମାନଙ୍କ ଆଗରେ ପରିଚିତି ପ୍ରଦାନ କରିବା ପାଇଁ ବଂଗଭାଷାର ସାହାଯ୍ୟ ନେବାକୁ ପଡିବା ଅତ୍ୟନ୍ତ କ୍ଷୋଭର ବିଷୟ । ଉପସ୍ଥିତ ଲେଖକର ଚରମ ଅଜ୍ଞତା ଯେ,ସେ ପ୍ରଥମେ ପ୍ରଫେସର୍ ଜିତେନ୍ଦ୍ରନାଥ ଙ୍କୁ ଜାଣିବାକୁ ପାଇଥିଲା ୧୯୯୨ ମସିହାରେ । ସେଇସମୟରେ ପ୍ରସିଦ୍ଧ ବଂଗଳା  ପାକ୍ଷିକ "ଦେଶ" ର ମଝି ପୃଷ୍ଠାରେ ଶ୍ରୀଯୁକ୍ତ ମହାନ୍ତିଙ୍କର ଗୋଟିଏ ବଡ ସାକ୍ଷାତକାର ବାହାରିଥିଲା । ଅବଶ୍ୟ "ଦେଶ" ପତ୍ରିକାରେ ସାକ୍ଷାତକାର ସେମିତି ବାହାରେ ନାହିଁ । ସେହି ସାକ୍ଷାତକାର ରେ ଶ୍ରୀଯୁକ୍ତ ମହାନ୍ତି  ଜଣେ ଓଡିଆ ବୋଲି ନିଜର ପରିଚୟ ଦେଇଥିଲେ । 

ଉପସ୍ଥିତ ଲେଖକ ଓଡିଶାରେ ପ୍ରଥମ ଥର ଶ୍ରୀଯୁକ୍ତ ମହାନ୍ତି ଙ୍କୁ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇଥିଲା ସମ୍ଭବତଃ ୨୦୧୪ ମସିହାରେ । ରମାଦେବୀ ମହାବିଦ୍ୟାଳୟରେ ପୂଜ୍ୟା ରମାଦେବୀଙ୍କ ଉପରେ ଆୟୋଜିତ ଏକ ସେମିନାର ରେ ସେ ବ୍ୟାଖ୍ୟାନ ପ୍ରଦାନ କରିଥିଲେ ।

ସେଇଠି ଉପସ୍ଥିତ ଲେଖକ ଶ୍ରୀଯୁକ୍ତ ମହାନ୍ତିଙ୍କ ସଂପର୍କରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଥିଲା। ସଂପର୍କରେ ପ୍ରଫେସର ମହାନ୍ତି ପୂଜ୍ୟା ରମା ଦେବୀଙ୍କର ଭଣଜା ହେବେ ।

ଆଜି ସ୍ମରଣ ର  ଏଇ ଅବସରରେ କାମନା କରିବି ଆମେ ଏହାପରେ ଶ୍ରୀଯୁକ୍ତ ମହାନ୍ତିଙ୍କ ଚିନ୍ତନସମୂହକୁ  ଆମ ମାନଙ୍କ ଆଗରେ ଉପସ୍ଥାପନ କରିବାର ଯଥାଯଥ  ପ୍ରୟାସ କରିବା।