ଆଜ୍ଞା, ଟିକେ ଶୁଣିବେ କି ?

ଆଜ୍ଞା, ଟିକେ ଶୁଣିବେ କି ?

ହଁ ଆଜ୍ଞା, ମୁଁ ଆପଣଙ୍କୁ ପଚାରୁଛି। ଆପଣ ପାଣ୍ଡିଆନବାବୁ ତ ? ବହୁ ଦିନ ହେଲା ଆପଣଙ୍କ ବିଷୟରେ ଶୁଣୁଛି । ସୋସିଆଲ ମିଡିଆରେ ଦେଖୁଛି । ଆପଣ ଏନଆରଆଇ ପିଲାମାନଙ୍କୁ ଭାଷଣ ଦେବାର ଦେଖିଛି । ଆପଣ ବହୁତ ଭଲ କାମ କରୁଛନ୍ତି। ଗାଁ ଗାଁରେ ବିକାଶ ପହୁଞ୍ଚାଉଛନ୍ତି । କେତେକ ବିରୋଧୀ ଆପଣଙ୍କ ପଛରେ ପଡ଼ିଛନ୍ତି। କେତେକ ଆପଣଙ୍କୁ ତାମିଲ୍ ବୋଲି କହୁଛନ୍ତି। ମୁଁ କିନ୍ତୁ ଆପଣଙ୍କୁ ତାମିଲ ବୋଲି କହିବି ନାହିଁ। ଆପଣ ବହୁ ଦିନ ହେଲା ଓଡ଼ିଶାରେ ଅଛନ୍ତି। ଓଡ଼ିଆ ଝିଅକୁ ବାହା ହୋଇଛନ୍ତି।  ପୁଣି ତାମିଲ କ'ଣ ? ମୋର କିନ୍ତୁ ଗୋଟିଏ ସମସ୍ୟା ଅଛି । ଆପଣ ଏତେ ଆଡେ ବୁଲୁଛନ୍ତି । କିନ୍ତୁ କେହି କେବେ ଥରେ ଆପଣଙ୍କୁ 'ଆଜ୍ଞା ଟିକେ ଶୁଣିବେ କି ?' ବୋଲି କହି ଅଟକାଉ ନାହାନ୍ତି ? ଯଦି କେହି ଅଟକାଉ ଥାଆନ୍ତେ ଓ ଆପଣ ସତରେ ଅଟକାଉଥିବା ଲୋକମାନଙ୍କ ଗୁହାରି ଶୁଣୁଥାନ୍ତେ ତେବେ ସେମାନଙ୍କ ମଧ୍ୟରୁ ଜଣିଏ ବି କେହି କହିଥାନ୍ତା ଆଜ୍ଞା ଏ ୪୦ ଦିନିଆ ଇଲେକ୍ଟ୍ରି ମିଟର ରିଡିଂ ବନ୍ଦ କରନ୍ତୁ । ଟାଟା କମ୍ପାନୀ ପ୍ରାୟ ସମସ୍ତଙ୍କୁ ଏହି ଫାନ୍ଦରେ ପକେଇଛି। କିଏ ସେ ଫାନ୍ଦରେ ପଡୁଛି ତ କିଏ ପଡୁନି । 

କ'ଣ କହିଲେ ? ଆପଣଙ୍କୁ କେହି ଏ ପର୍ଯ୍ୟନ୍ତ ଏକଥା କହିନାହିଁ ? ଆଶ୍ଚର୍ଯ୍ୟ । ଆପଣ କେମିତି ବୁଲୁଛନ୍ତି କି ? ଟିଭି କ୍ୟାମେରାମ୍ୟାନଙ୍କ ସୁରକ୍ଷାରେ ? 

ଆଜ୍ଞା, ସରକାରଙ୍କ ବଜେଟରେ  କ୍ୟାପିଟାଲ ଏକ୍ସପେଣ୍ଡିଚର୍ ବୋଲି ଗୋଟିଏ ସଂଖ୍ୟା ଥାଏ । ସେହି ଟଙ୍କାରେ ପୋଲ, ସଡ଼କ, ସ୍କୁଲ, ହସ୍ପିଟାଲ ଆଦି ଇନଫ୍ରାଷ୍ଟ୍ରାକ୍ଚର ତିଆରି ହୁଏ। ଏବର୍ଷ ଏଥିପାଇଁ ପ୍ରାୟ ୫୨ ହଜାର କୋଟି ଟଙ୍କା ଅଛି। ଆପଣ କ'ଣ ଏ ସବୁ ଗୁଡ଼ାକ ଉଦ୍ଘାଟନ କରିବେ, ଉଦ୍ଘାଟନ ବେଳେ ଉପସ୍ଥିତ ରହିବେ କିମ୍ବା କାମ ତଦାରଖ କରିବେ ? ଆପଣ କରୁଛନ୍ତି ବୋଲି ମୋର କିଛି ଅଭିଯୋଗ ନାହିଁ । କିନ୍ତୁ ଏହା କଣ ସମ୍ଭବ ? ଏହା କ'ଣ ଜରୁରୀ ? ତଥାପି ଯଦି କରୁଛନ୍ତି ତା'ହେଲେ କରନ୍ତୁ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆପଣ ଏତେ ଜାଗାକୁ ବୁଲିବା ସମୟରେ ଏପର୍ଯ୍ୟନ୍ତ କେହି କେମିତି ଆପଣଙ୍କୁ କହି ନାହାନ୍ତି " ଆଜ୍ଞା, ଟିକେ ଶୁଣିବେ କି ? ରାଉରକେଲା ଷ୍ଟାଡିୟମ କେମିତି ତିଆରି ହେବାର କେଇ ମାସ ମଧ୍ୟରେ ଭାଙ୍ଗିଗଲା?'

ମୋତେ ଭୁଲ୍ ବୁଝିବେନି ପ୍ଲିଜ୍। ଷ୍ଟାଡିୟମ ଭାଙ୍ଗି ଯିବାରେ ମୁଁ ଆଶ୍ଚର୍ଯ୍ୟ ହେଉନି। କାରଣ ଆଜିକାଲି ସବୁଆଡେ ଭାଙ୍ଗୁଛି ।  ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଉଛି , ଯେଉଁ ଷ୍ଟାଡିୟମ ତିଆରି ହୋଇଗଲା ବୋଲି ଆପଣ ଖୁସିରେ ଗଦଗଦ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁଡନ୍ୟୁଜ୍ ଦେଇଥିଲେ ଓ ତାହାର ଭିଡିଓ ଆମେ ଦେଖିଥିଲୁ , ସେହି ଷ୍ଟାଡିୟମର ଏକ ଅଂଶ ଭାଙ୍ଗି ଯିବା ପରେ କେହି କେମିତି ଆପଣଙ୍କୁ ସେ ବିଷୟରେ ପ୍ରଶ୍ନ ପଚାରି ନାହାନ୍ତି। 

ଆପଣ ବାରିପଦା ଆଡେ ଗଲେଣି ? ଆପଣଙ୍କର ସେ ଭିଡ଼ିଓ ମୁଁ ଦେଖିଛି ଯେଉଁଥିରେ ଆପଣ ଏନଆରଆଇ ପିଲାଙ୍କ ଆଗରେ ଖୁସିରେ ଗଦଗଦ ହୋଇ କହିଥିଲେ, ଆମ ସାର୍ ମୂଖ୍ୟମନ୍ତ୍ରୀ ହେବା ପରଠାରୁ ରାଜ୍ୟ ଖାଦ୍ୟଶସ୍ୟରେ ଏମିତି ସ୍ବାବଲମ୍ବୀ ହୋଇଗଲା ଓ ରାଜ୍ୟରେ ଏତେ ଧାନ ଉତ୍ପାଦନ ହେଉଛି ଯେ ବାରିପଦାର ଧାନଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନପାରି ବେପାରୀକୁ ଶସ୍ତାରେ ବିକି ଦେଉଛନ୍ତି । ଏହି କଥା ଶୁଣି ଏନଆରଆଇ ପିଲାମାନେ ତାଳି ମାରି କମ୍ପେଇ ଦେଇଥିଲେ। ମୁଁ ଆଶ୍ଚର୍ଯ୍ୟ ହେଲି।  ହେଲୋ , ଏଇଟା ହସିବାର ବିଷୟ ନୁହେଁ। ଏଇଟାକୁ ଅଭାବୀ ବିକ୍ରି କୁହାଯାଏ। ରାଜ୍ୟର ୭୦% ଚାଷୀ ଏହି ଧାନ ସଂଗ୍ରହ ବ୍ୟବସ୍ଥା ବାହାରେ ଅଛନ୍ତି।  ସେ ଭିଡ଼ିଓ ଦେଖିବା ପରେ ମୁଁ ଭାବିଥିଲି ଜଣେ ବି କେହି ସାମ୍ବାଦିକଙ୍କ ହାବୁଡ଼ରେ ଆପଣ ପଡିବେ ଯିଏ ଆପଣଙ୍କୁ ପଚାରି ଦେଖିବ ଖାଦ୍ୟରେ ସ୍ବାବଲମ୍ବୀ ହେବା ମାନେ ଆପଣ କ'ଣ ବୁଝିଛନ୍ତି ; ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆପଣ ୟୁନିଭର୍ସାଲ ହେଲ୍ଥକେୟାର ବୋଲି କାହିଁକି କହିଛନ୍ତି …ଏମିତି ଆହୁରି ଅନେକ ପ୍ରଶ୍ନ । ତେବେ ଚିନ୍ତା କରନ୍ତୁ ନାହିଁ । ସେକଥା ଭୁଲିଯାନ୍ତୁ । ହେଲେ ଆପଣ ବାରିପଦା ଯଦି କେବେ ଯିବେ,  ନିଶ୍ଚୟ ଆପଣଙ୍କୁ କେହି ନା କେହି ଚାଷୀ ଏ ବିଷୟରେ ପଚାରି ପାରେ । ଅବଶ୍ୟ ଆପଣଙ୍କୁ ପ୍ରଶ୍ନ ପଚାରିବା ପାଇଁ ଯେଉଁମାନେ ଆପଣଙ୍କୁ ଘେରି ରହିଛନ୍ତି ସେମାନେ ସେହି ଚାଷୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଦେଲେ ତ ?

ଆପଣଙ୍କୁ ମୂଖ୍ୟମନ୍ତ୍ରୀ କହିଛନ୍ତି । ଆପଣ ବୁଲୁଛନ୍ତି । ମୋର ସେଥିରେ କିଛି କହିବାର ନାହିଁ । ହିପୋକ୍ରାସି ବୋଲି ଗୋଟିଏ ଇଂରାଜୀ ଶବ୍ଦ ଅଛି । ସେଇଟା ଆଜିକାଲି ସବୁଆଡେ ଦେଖା ଯାଉଛି। ଯେଉଁ ବିଜେପି ଆପଣ କେଉଁ ଅଧିକାରରେ ଏସବୁ କରୁଛନ୍ତି ବୋଲି ପ୍ରଶ୍ନ କରୁଛି, ତାଙ୍କରି କେନ୍ଦ୍ର ମନ୍ତ୍ରୀମାନେ ନାଗପୁର ଯାଇ ସେଠାରେ ସଂଘ ଆଗରେ ହିସାବ ଦେଇଥିଲେ ସେମାନେ କ'ଣ କାମ କରୁଛନ୍ତି । ଏସବୁର ଆଜିକାଲି ସାମାନ୍ୟକରଣ ହୋଇ ସାରିଲାଣି ।‌

 କିନ୍ତୁ ପାଣ୍ଡିଆନବାବୁ, ଆପଣ ଯେତେବେଳେ ସ୍ତ୍ରୀ ପୁରୁଷ ସମସ୍ତଙ୍କଠାରୁ ଗୋଛା ଗୋଛା ଦରଖାସ୍ତ ନେଉଛନ୍ତି, ସେତେବେଳେ ସେମାନଙ୍କୁ ଟିକେ ଭଲ ଭାବରେ ଦେଖନ୍ତୁ । ଅବଶ୍ୟ ଠିକ୍ ସେମାନଙ୍କୁ ନୁହେଁ, ସେମାନଙ୍କଠାରୁ ଖଣ୍ଡେ ଦୁରରେ ଠିଆ ହୋଇଥିବା ବୁଢ଼ାବୁଢ଼ୀଙ୍କୁ ଦେଖନ୍ତୁ । ସେମାନେ ଆନନ୍ଦରେ ଆପଣଙ୍କର ଏହି ଯାତ୍ରା ଉପଭୋଗ କରୁଛନ୍ତି ।‌  ସରକାର ସେମାନଙ୍କୁ ମାସକୁ ୫୦୦ ଟଙ୍କା ଦେଉଛନ୍ତି । ଆପଣ ଟିକେ ଭଲ କରି ଦେଖନ୍ତୁ । ସେମାନଙ୍କ ଭିତରୁ କେତେକ ସ୍ତ୍ରୀ ଲୋକଙ୍କ ଦେହରେ ବ୍ଲାଉଜ ନଥିବ । ଏନଏଫଏଚଏସ୍-୫ ରିପୋର୍ଟ କହୁଛି ଯେ ଆମ ରାଜ୍ୟରେ ପ୍ରତି ୧୦୦୦ ମହିଳାଙ୍କ ମଧ୍ୟରେ ୬୪୪ ଜଣ ରକ୍ତହୀନତାର ଶିକାର । ସେହି ଗୋଛା ଗୋଛା କାଗଜ ମଧ୍ୟରେ କ'ଣ ଗୋଟିଏ ବି କାଗଜ ନାହିଁ ଯେଉଁଥିରେ ଲେଖା ହୋଇଥିବ 'ପୁଅରେ ମୋ ଭତ୍ତା ଟିକେ ବଢାଇ ହଜାରେ ଟଙ୍କା କରିଦେ , ତୋର ମଙ୍ଗଳ ହେବ ।‌' 

ଆଜ୍ଞା ଟିକେ ଶୁଣିବେ, ପାଣ୍ଡିଆନବାବୁ ? ଯେଉଁମାନେ ଆପଣଙ୍କୁ ଅଣ୍ଡା ଫିଙ୍ଗିଲେ ସେମାନଙ୍କର ଲୋକଙ୍କ ଭଲମନ୍ଦ ସହିତ କିଛି ସମ୍ପର୍କ ନାହିଁ ମ । ସେମାନେ ହେଉଛନ୍ତି ଭଡାଟିଆ ଗୁଣ୍ଡା । ସେମାନେ କୈାଣସି ପାର୍ଟିର ନୁହନ୍ତି । ଏଭଳି ଇଭେଣ୍ଟ ପାଇଁ ଟଙ୍କା ଦେଲେ ଟିଭି କ୍ୟାମେରା ମିଳି ଯାଉଛି ଓ ଏଭଳି ଗୁଣ୍ଡା ମଧ୍ୟ ମିଳି ଯାଉଛନ୍ତି । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଅସଲରେ ସେମାନେ ଖୁବ୍ ଶୀଘ୍ର ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବ୍ୟଗ୍ର ।‌ ମୋର ଚିନ୍ତା କିନ୍ତୁ ଅନ୍ୟ ବିଷୟକୁ ନେଇ । ଆପଣଙ୍କୁ ଜଣେ ବିଜେଡି ନେତ୍ରୀ ମୂଖ୍ୟମନ୍ତ୍ରୀ ବୋଲି କହିଲେ ।‌ ସେଥିରେ ଦଳ କିଛି ପ୍ରତିକ୍ରିୟା ଦେଇଛି ନା ଚୁପ୍ ରହିଛି ମୁଁ ଜାଣିନି । ଏହା ଏକ ଗୁରୁତର ବିଷୟ । ମୂଖ୍ୟମନ୍ତ୍ରୀଙ୍କ ସମ୍ମାନର ବିଷୟ । ତେବେ ଛାଡ଼ନ୍ତୁ । ଆପଣ ମୋବାଇଲ୍ ମାଧ୍ୟମରେ ଶୁଣାଇ ଦେଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ପଠାଉଛନ୍ତି । ଆପଣ ମାସ ମାସ ହେଲା  ଖବରରେ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା,  ଏ ପର୍ଯ୍ୟନ୍ତ ଆପଣଙ୍କୁ ସାଧାରଣ ଜନତାଙ୍କ ଭିତରୁ କିମ୍ବା ସାମ୍ବାଦିକଙ୍କ ଭିତରୁ ଜଣେ ବି କେହି ଗୋଟିଏ ପ୍ରଶ୍ନ କେମିତି ପଚାରି ନାହାନ୍ତି ।‌ ଆପଣ ବୁଲି ବୁଲି ସରକାରୀ ସ୍କୁଲ  ଦେଖୁଛନ୍ତି । ରୁପାନ୍ତର ହୋଇଥିବା ସ୍କୁଲ ଦେଖୁଛନ୍ତି । କିନ୍ତୁ ଆପଣ ଯେଉଁ ଭୁବନେଶ୍ୱରରୁ ଯାଉଛନ୍ତି, ସେହି ଭୁବନେଶ୍ୱରର ୟୁନିଟ୍ - ୨ ସ୍କୁଲ ବନ୍ଦ ହୋଇ ଯାଉଛି । ସେ ଅଞ୍ଚଳର ପିଲାସବୁ ଆଜିକାଲି ପାଠ ପଢ଼ିବାକୁ କେଉଁଠିକୁ ଯାଉଛନ୍ତି ? ଆମ ମୁଖ୍ୟମନ୍ତ୍ରୀ ଗତ ୨୫ ବର୍ଷକାଳ କୈାଣସି ପ୍ରଶ୍ନର ଜବାବ ଦେଲେନି ।  ଓଡ଼ିଶାର କୈାଣସି ସାମ୍ବାଦିକ ତାଙ୍କୁ ପ୍ରଶ୍ନଟିଏ ପଚାରିବାକୁ ସୁଯୋଗ ପାଇଲେ ନାହିଁ । ଆପଣ ତ ଏବେ ପ୍ରଶ୍ନସବୁ ଶୁଣନ୍ତୁ । ଏତେ ବଡ଼ ଚର୍ଚ୍ଚିତ ଓ ଲୋକପ୍ରିୟ ସଚିବ ଆପଣ ।‌ ଓଡ଼ିଶା ବିଷୟରେ ଆପଣଙ୍କ ସ୍ବପ୍ନ କ'ଣ ଆମେ ତ ଟିକିଏ ଶୁଣୁ । ଓଡ଼ିଶା ବର୍ତ୍ତମାନ ବିକାଶର ରାସ୍ତାରେ କେଉଁଠି ଅଛି ସେ ବିଷୟରେ  ଆପଣଙ୍କ ବିଚାର ତ ଆମେ ଟିକେ ଶୁଣୁ । ଆପଣ ବଜେଟରେ ଥିବା ସମସ୍ତ ୫୨ ହଜାର କୋଟି ଟଙ୍କାର କ୍ୟାପିଟାଲ ଏକ୍ସପେଣ୍ଡିଚରକୁ ଉଦ୍ଘାଟନ କରନ୍ତୁ ମନା ନାହିଁ । କିନ୍ତୁ ସେଇଟା ଯଦି ବିକାଶ ତେବେ ଆଗରୁ ବିକାଶ କୁଆଡେ ଯାଇଥିଲା ଯାହା ଫଳରେ ହସପିଟାଲ୍ ଘରେ ଛାତ ଖସିବ ବୋଲି ଫାର୍ମାସିଷ୍ଟ ହେଲମେଟ ପିନ୍ଧି ବସୁଛନ୍ତି ? ସେ ପ୍ରଶ୍ନର ଉତ୍ତର ଆପଣ ଦେବେ ନା ସାର୍ ଆପଣଙ୍କ ମୋବାଇଲରେ କହିବେ ଓ ଆପଣ ମାଇକ୍ରୋଫୋନ୍ ମାଧ୍ୟମରେ ଲୋକଙ୍କୁ ଶୁଣାଇବେ ?  

ଅସଲ କଥାଟି କଣ ଜାଣନ୍ତି କି, ପାଣ୍ଡିଆନବାବୁ ? ଆମର ଏଠାରେ ପ୍ରଶ୍ନର ଅଭାବ ଅଛି ଯାହାର ଉତ୍ତର ମିଳିବ । ଏଭଳି ପ୍ରଶ୍ନ ଓ ଉତ୍ତର ଯଦି ଆମକୁ ମିଳନ୍ତା ତାହେଲେ ଆମକୁ ଆଉ ସବୁ ମିଳିଯାନ୍ତା ।‌ ମୁଁ ମାନୁଛି ଯେ ଆଜିକାଲି ପ୍ରଶ୍ନ ପଚାରିବା ଭଳି ସାମ୍ବାଦିକ ବହୁତ୍ କମ୍ ଅଛନ୍ତି । ସମସ୍ତେ ତମାସା ଦେଖାଇବାରେ ବ୍ୟସ୍ତ । ନେତାଙ୍କୁ ପ୍ରଶ୍ନ ପଚାରିବା ପାଇଁ ପ୍ରୋଗ୍ରାମକୁ  ଡାକିଲେ  ପ୍ରୋଗ୍ରାମର ସେଟ୍ କେମିତି ରହିବ ସେ ନେଇ ବ୍ୟସ୍ତ ରହୁ ରହୁ ପ୍ରଶ୍ନ କ'ଣ ପଚାରିବୁ ସେଥିପାଇଁ ପ୍ରସ୍ତୁତ ହେବାକୁ ସମୟ ହେଉ ନାହିଁ ।  ଗତ ବଜେଟ୍ ସମୟରେ ଦେଖିଥିଲି ଗୋଟିଏ ଟିଭି ଚ୍ୟାନେଲ ଗୋଟିଏ ହୋଟେଲରେ କିଛି ରାଜନୈତିକ ଦଳର ନେତାମାନଙ୍କୁ ବସେଇ ବଜେଟ ଆଲୋଚନା କରୁଛି । ପ୍ରଥମ ପାଞ୍ଚ ମିନିଟ୍ ଖାଦ୍ୟପେୟ ବିଷୟରେ ଓ ବଜେଟରୁ ଛାଡି ଆଉ ସବୁ ବିଷୟରେ ଆଲୋଚନା ଆରମ୍ଭ ହେବାରୁ ମୁଁ ରିମୋଟରେ ହାତ ମାରିଲି । କେନ୍ଦ୍ର ମନ୍ତ୍ରୀମାନଙ୍କର ବରାଦଦିଆ ଇଣ୍ଟରଭ୍ୟୁ ଦେଖୁଛୁ  । ମନ୍ତ୍ରୀ ଓ ତାଙ୍କ ସମର୍ଥକ ଓ ଚ୍ୟାନେଲମାଲିକ ଭାବୁଛନ୍ତି ଆମେ ଜନତାଙ୍କ ମସ୍ତିସ୍କକୁ ରିମୋଟରେ ନିୟନ୍ତ୍ରଣ କରି ଦେଉଛୁ । ପ୍ରକୃତରେ ସେମିତି ହେଉଛି କି ନାହିଁ ମୁଁ କହି ପାରିବି ନାହିଁ ।‌ ଏବେ ନେତା ବିଧାୟକ ଓ ମନ୍ତ୍ରୀମାନଙ୍କୁ ଫୁରୁସତରେ ପ୍ରଶ୍ନ ପଚରା ଯାଉଛି ସେମାନଙ୍କ ବାଲ୍ୟ ଜୀବନ କେମିତି କଟିଥିଲା, ସେ ରାଜନୀତିକୁ କେମିତି ଆସିଲେ ଓ ତାଙ୍କର ପ୍ରୀୟ ଖାଦ୍ୟ କ'ଣ । ସତେ ଯେପରି ସେମାନେ ହେଉଛନ୍ତି ଚିତ୍ରତାରକା କିମ୍ବା ନିକଟରେ କୈାଣସି ଖେଳ ଟୁର୍ଣ୍ଣାମେଣ୍ଟରୁ କପ୍ ନେଇ ଆସିଛନ୍ତି । କିନ୍ତୁ ପ୍ରଶ୍ନ କାହିଁ ? 

କେତେକ କୁହନ୍ତି ଓଡ଼ିଶାରେ ଅମୁକର ଅଭାବ ଅଛି ଓ ସମୁକର ଅଭାବ ଅଛି । କିନ୍ତୁ ପ୍ରକୃତରେ କ'ଣ ଅଭାବ ଅଛି ଆପଣ ଜାଣିଛନ୍ତି ପାଣ୍ଡିଆନବାବୁ ? ଅନେକ ଗୁଡ଼ିଏ ପ୍ରଶ୍ନ ଅଛି । ସେସବୁ ପଚାରିବାକୁ ବୁମ୍ ନାହିଁ, ସାମ୍ବାଦିକ ନାହିଁ ଓ ମିଡ଼ିଆ ନାହିଁ । ଏପରିକି ଆଜିକାଲି ଆପଣଙ୍କ ବୁଲିବାକୁ ଦେଖି ବିରୋଧୀ ଶିବିରରୁ  ଯେପରି ପ୍ରତିକ୍ରିୟା ଆସୁଛି, ମୋତେ ଲାଗୁଛି ସେସବୁ ପ୍ରଶ୍ନ ପଚାରିବାକୁ ଓଡ଼ିଶାରେ ଆପଣଙ୍କ ବିରୋଧୀ ନାହାନ୍ତି ।‌ ତେବେ ଛାଡ଼ନ୍ତୁ ।  ଆପଣ ଏମିତି ବୁଲୁଥାନ୍ତୁ । କିନ୍ତୁ ହୁସିଆର  ରୁହନ୍ତୁ। ଅଣ୍ଡାମାଡ ପାଇଁ ନୁହେଁ । ଅନେକ ପ୍ରଶ୍ନ ଅଶରୀର ହୋଇ ପବନରେ ବୁଲୁଛନ୍ତି ।  ଆପଣ ହୁସିଆର ରହିଥାନ୍ତୁ କାଳେ କିଏ ଆପଣଙ୍କୁ ପଚାରିଦେବ ' ଆଜ୍ଞା ଟିକିଏ ଶୁଣିବେ କି ?'