ବୈଷମ୍ୟ ମାନସିକତା ଓ ସମାନ ନାଗରିକ ସ°ହିତା

ବୈଷମ୍ୟ ମାନସିକତା ଓ ସମାନ ନାଗରିକ ସ°ହିତା

ସୋମବାର ଦିନ ସକାଳୁ ଉଠୁ ଉଠୁ WhatsAppରେ ପ୍ରଥମ message ପାଇଥିଲି ଜଣେ ଲେଖକ ଏବଂ ମୋର ନିୟମିତ ପାଠକଙ୍କ ଠାରୁ, "ମାଡାମ୍, UCC ଉପରେ କିଛି information ଦେଇ ଲେଖନ୍ତୁ। ବହୁତ confusion ହେଉଛି। ଲୋକ ଭାବୁଛନ୍ତି କ'ଣ ଗୋଟିଏ ନିୟମ ଆସିବ, ଦେଶରେ ସମସ୍ତେ ସମାନ ପ୍ରକାରର ଡ୍ରେସ୍ ପିନ୍ଧିବେ।" ସାଧାରଣତଃ ପ୍ରଚଳିତ ଭାଷାରେ କୌଣସି ଶିକ୍ଷାନୁଷ୍ଠାନ ବା କାର୍ଯ୍ୟାଳୟରେ ଡ୍ରେସ୍-କୋଡକୁ ଆମେ 'ୟୁନିଫର୍ମ' କହିଥାଉ। ତେଣୁ ସାଧାରଣ ଲୋକଙ୍କ ଭିତରେ ଏପ୍ରକାର ଧାରଣା ସୃଷ୍ଟି ହେବା ସ୍ବାଭାବିକ କଥା। ମୁଁ ନିଜେ ଭଲରେ ସେ ବିଷୟରେ ଜାଣିସାରିଲେ ଏବଂ ସରକାରଙ୍କ ଦ୍ବାରା UCCରେ ପ୍ରକୃତରେ କ'ଣ ପ୍ରସ୍ତାବିତ କରାଯିବ ଜାଣା ପଡିଲେ ନିଶ୍ଚୟ ଏ ବିଷୟରେ ଲେଖିବି କହି ଜଣାଇଲି। ଆପଣମାନେ ମଧ୍ୟ ଏ ଭିତରେ ଅନେକ ଜାଗାରୁ UCCକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ଶୁଣି ସାରିବେଣି। ଆଉ ସବୁ ଶୁଣି ସାରିଲା ପରେ ମଧ୍ୟ ଆପଣଙ୍କ ମସ୍ତିଷ୍କରୁ ଯେ ସବୁ ସନ୍ଦେହ ଦୂର ହୋଇନଥିବ ମୁଁ ନିଶ୍ଚିତ। କାରଣ ଏପର୍ଯ୍ୟନ୍ତ UCCକୁ ନେଇ କ'ଣ ପ୍ରସ୍ତାବ ରଖାଯିବ ସଠିକ୍ ଭାବରେ କିଛି କୁହାଯାଇ ନାହିଁ। ଆଉ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଁ କେବଳ ଗୋଟିଏ ଯୁକ୍ତି ଶୁଣି ଆସୁଛି ଯେ "ଏହା ଦ୍ଵାରା 'ତିନ୍-ତଲାକ୍' ହଟିଯିବ, ମୁସଲମ୍ ସମ୍ପ୍ରଦାୟର ମହିଳା ମାନଙ୍କର ସମସ୍ୟା ଦୂର ହେବ। ବିରୋଧ କରୁଥିବା ଲୋକମାନେ କ'ଣ ମୁସଲମାନ୍ ଭଉଣୀ ମାନଙ୍କର ଉନ୍ନତି ଚାହୁଁ ନାହାନ୍ତି?"

        ଯଦି ସମାନ ନାଗରିକ ସ°ହିତାର ଅର୍ଥ କେବଳ 'ତିନ୍- ତଲାକ୍' ନିୟମର ସ°ଶୋଧନ ପାଇଁ ତା' ହେଲେ ଏହା ପାଇଁ ବିଚାର-ବିମର୍ଶ ପରେ ଦେଶର ମୁସଲିମ୍ ପର୍ସନାଲ୍ ଲ' ରେ ସ°ଶୋଧନ ଆଣାଯାଇ ପାରିବ। ଏହା ପାଇଁ UCC କ'ଣ ଦରକାର? ଯେମିତି ଦେଶରେ ସତୀପ୍ରଥା, ବାଲ୍ୟବିବାହ, ଯୌତୁକପ୍ରଥା ଆଦିରୁ ସମାଜକୁ ମୁକ୍ତ କରିବା ପାଇଁ ସମୟ ସମୟରେ ଦେଶରେ ନିୟମ ପ୍ରଣୟନ ହୋଇଛି, ସେମିତି ସ°ଶୋଧନ ଆଣିବା ଦରକାର। କିନ୍ତୁ UCCର ଅର୍ଥ କେବଳ ଏୟା ନୁହେଁ ଆପଣ ମଧ୍ୟ ଜାଣିଛନ୍ତି (ଏ ବିଷୟରେ ସବିଶେଷ ଆଲୋଚନା ଆଉ କେବେ)। ସେଥିରେ ଥିବା "civil" ଶବ୍ଦ ଅର୍ନ୍ତଗତ କ'ଣ କ'ଣ ଆସେ ତାହା ନେଇ ମଧ୍ୟ ଆପଣ ଅବଗତ। UCC ବା ସମାନ ନାଗରିକ ସ°ହିତାକୁ ଆମ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦଶ ଦିନ ତଳେ ତାଙ୍କର ଗୋଟିଏ ସଭାରେ ଅତି ସରଳ ଭାଷାରେ ବୁଝାଇ ଦେଇଥିଲେ, "ଗୋଟିଏ ପରିବାରରେ (ଭାରତ ଦେଶ ହେଉଛି ଗୋଟିଏ ପରିବାର ଏବଂ ଏଥିରେ ବସବାସ କରୁଥିବା ସମସ୍ତ ନାଗରିକ ଜାତି-ଧର୍ମ-ବର୍ଣ୍ଣ-ଭାଷା-ପରମ୍ପରା ନିର୍ବିଶେଷରେ ସମସ୍ତେ ସେହି ପରିବାରର ସଦସ୍ୟ) ରହୁଥିବା ସଦସ୍ୟ ମାନଙ୍କ ପାଇଁ ଅଲଗା ଅଲଗା ନିୟମ କାହିଁକି ରହିବ। ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ନିୟମ ହେବା କଥା।" ଏହି ବାର୍ତ୍ତା ଆଦରଣୀୟ ପ୍ରଧାନମନ୍ତ୍ରୀ ତାଙ୍କ ରାଜନୈତିକ ଦଳର ୩୦୦୦ କର୍ମକର୍ତ୍ତାଙ୍କୁ ୨୭ ଜୁନ୍, ୨୦୨୩ରେ ଭୋପାଳ, ମଧ୍ୟପ୍ରଦେଶରେ ଆୟୋଜିତ ଭାଜପାର "ମେରା ବୁଥ୍ ସବସେ ମଜବୁତ୍" କାର୍ଯ୍ୟକ୍ରମ ସମୟରେ ଦେଇଥିଲେ।

ବାଃ! ସତରେ କେତେ ସୁନ୍ଦର ଭାବନାଟିଏ ଭାବିଲେ, ସମ୍ପୂର୍ଣ୍ଣ ଦେଶ ଗୋଟିଏ ପରିବାର ଆଉ ସବୁ ନାଗରିକ ସେଇ ପରିବାରର ସଦସ୍ୟ। ଅବଶ୍ୟ ଏହି ଭାବନା ହିଁ ଆମ ଦେଶର ସବୁଠାରୁ ବଡ଼ ବଳ ଏବଂ ଖାସିୟତ୍। କୌଣସି ଭାରତୀୟକୁ କେହି ଶିଖାଏନି ଯେ ସେ ତା' ପଡୋଶୀକୁ କେବଳ ଭାରତୀୟ ହିଁ ଭାବିବ। ନିଜ ମାତୃଭାଷା, ନିଜ ଗାଁରେ ପ୍ରଚଳିତ ପର୍ବପର୍ବାଣୀ, ଖାଦ୍ୟାଭ୍ୟାସ, ପରିଧାନ ଯେତେ ଅଲଗା ହେଲେ ବି ଆମେ ସମସ୍ତେ ଯେ କେବଳ ଭାରତୀୟ ଏହା ହିଁ ଆମ ସମାଜର ଉଦାର ମାନସିକତା।

         ଯେତେବେଳେ ଭାଜପାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମଗ୍ର ଭାରତବାସୀଙ୍କୁ ଗୋଟିଏ ପରିବାରର ସଦସ୍ୟ ଭାବରେ ବର୍ଣ୍ଣନା କରିଥିବେ ଏବଂ ସମଗ୍ର ଦେଶକୁ ସମାନ କରି ଗଢି ତୋଳିବା ପାଇଁ ଉଦବୋଧନ ଦେଇଥିବେ, ସେଠି ଉପସ୍ଥିତ ଥିବା ପ୍ରତ୍ୟେକ କର୍ମକର୍ତ୍ତା ନିଶ୍ଚିତ ଭାବରେ ଏହା ଦ୍ବାରା ଭାରତର ପ୍ରତ୍ୟେକ ନାଗରିକକୁ ସମାନ ଭାବରେ ଦେଖିବା ପାଇଁ ପ୍ରେରଣା ପାଇଥିବେ ବୋଲି ମୋର ଦୃଢ଼ ବିଶ୍ୱାସ। କିନ୍ତୁ ସେଇ ୨୭ ଜୁନ୍ ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୬୦୦ କିମି ଦୂର ସିଦ୍ଧି ଜିଲ୍ଲାରେ ଜଣେ ବ୍ରାହ୍ମଣ ଭାଜପା କର୍ମୀ ଦ୍ବାରା ଜଣେ ସାଧାରଣ ଆଦିବାସୀ ଯୁବକର ମୁହଁ ଉପରେ ଛିଡା ହୋଇ ପରିଶ୍ରା କରିବା ଘଟଣା, ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ କେତେ ଦୂର ପ୍ରଭାବଶାଳୀ ସେ ନେଇ ପ୍ରଶ୍ନ ନିଶ୍ଚୟ ସୃଷ୍ଟି କରୁଛି! ଘଟଣାଟି ବିଷୟରେ ଆପଣ ଏ ଭିତରେ ଅଳ୍ପ-ବହୁତ ଜାଣି ସାରିବେଣି ବୋଧେ। ଖବର ଅନୁସାରେ ୪ ଜୁଲାଇ ୨୦୨୩ ସୁଦ୍ଧା ଗୋଟିଏ ୧୦ ସେକେଣ୍ଡର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭିଡିଓଟିରେ ସିଦ୍ଧି ବିଧାନସଭା କ୍ଷେତ୍ରର ବିଧାୟକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧି ପ୍ରଭେଶ୍ ଶୁକ୍ଲା ପାଟିରେ ସିଗାରେଟ ଜାକି ଜଣେ ଦୁର୍ବଳ ଶରୀରର ଯୁବକର ମୁହଁ ଉପରେ ଠିଆ ହୋଇ ପରିଶ୍ରା କରିବାର ଦୃଶ୍ୟ ସ୍ପଷ୍ଟ ଦେଖି ହୁଏ। ଉପସ୍ଥିତ ଲୋକଙ୍କ ଅନୁସାରେ ଭିଡିଓରେ ଥିବା ଯୁବକଟି କୋହ୍ଲ ଜନଜାତିର ଦଶମତ ରାଓ୍ବତ୍। ଲଜ୍ଜାଜନକ ଦୁର୍ଘଟଣା ଦିନ ସନ୍ଧ୍ୟାରେ ଉକ୍ତ ଯୁବକଟି ମାର୍କେଟ୍ ଯିବା ରାସ୍ତାରେ ପ୍ରଭେଶ୍ ଶୁକ୍ଲା ସହ ଆମନାସାମନା ହୋଇ ଯାଇଥିଲା। ଯେତେବେଳେ କୋହ୍ଲ ଯୁବକଟି ଶୁକ୍ଲାକୁ ତା' ବାକି ଥିବା ପାଉଣା ମାଗିଥିଲା। ଶୁକ୍ଲା ନିଶାସକ୍ତ ଅବସ୍ଥାରେ ପ୍ରଥମେ ତାକୁ ବାଡେଇବା ସହ ପରେପରେ ତା' ମୁହଁ ଉପରକୁ ପରିଶ୍ରା କରିଥିଲା।

        ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଲାର ଗୋଟିଏ ଦୁଇ ଦିନ ଭିତରେ ପ୍ରଭେଶ୍ ଶୁକ୍ଲା ଅତି ସର୍ନ୍ତପଣରେ ପୀଡିତ ଯୁବକ ଦଶମତ ରାଓ୍ବତର ଘର ଲୋକଙ୍କ ଠାରୁ କୋର୍ଟ ଆଫିଡେବିଡ୍ କରାଇ ନେଇଥିଲା ଯେ "ସମ୍ପୂର୍ଣ୍ଣ ଘଟଣାଟି ମିଛ, ଭିଡିଓଟି ମିଛ, ଏବଂ ଯେହେତୁ ପ୍ରଭେଶ୍ ଶୁକ୍ଲା ଗୋଟିଏ ରାଜନୈତିକ ଦଳ ସହ ସ°ଶ୍ଳିଷ୍ଠ ସେଥିପାଇଁ ଏହା ବିରୋଧୀ ମାନଙ୍କର ଷଡ଼ଯନ୍ତ୍ର"। ଘଟଣାଟି ୨୭ ଜୁନରେ ଘଟିଥିବା ବେଳେ, ଅନେକ ସମାଲୋଚନା ଏବଂ ତାଚ୍ଛଲ୍ୟ ପରେ ଯାଇ ୪ ଜୁଲାଇରେ ମଧ୍ୟପ୍ରଦେଶ ପୁଲିସ ପ୍ରଭେଶ୍ ଶୁକ୍ଲାକୁ ହାଜତକୁ ନେଇଥିଲା! ଆଉ ସେହି ପୁଲିସ ଧରିନେବା ବେଳେ ମଧ୍ୟ ଆପଣ ଯଦି ପ୍ରଭେଶ୍ ଶୁକ୍ଲାର ଚାଲି ଓ ଠାଣି ଦେଖିବେ, ଦେଶର ନିୟମ କାନୁନ ଏବଂ "ଭାରତୀୟ ସମାଜ ଗୋଟିଏ ପରିବାର" ଥିଓରୀ ପ୍ରତି ତା'ର ତାଚ୍ଛଲ୍ୟ ଭାବ ଠିକ୍ ବାରି ପାରିବେ। ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସି° ଚୌହାନଙ୍କୁ ପଚରାଯିବାରୁ କହିଥିଲେ, "ଅପରାଧୀ କେବେ କୌଣସି ଧର୍ମ-ଜାତି ବା ଦଳର ହୋଇନଥାଏ, ଅପରାଧୀ କେବଳ ଜଣେ ଅପରଧୀ।" ପ୍ରଭେଶ୍ ଶୁକ୍ଲା ଉପରେ NSA ଲଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ମଧ୍ୟପ୍ରଦେଶ ଭାଜପା ଏବଂ ସିଦ୍ଧିର ବିଧାୟକଙ୍କ ଦ୍ବାରା ପ୍ରଭେଶ୍ ଶୁକ୍ଲା ସହ କୌଣସି ସମ୍ପର୍କ ଥିବାକୁ ସମ୍ପୂର୍ଣ୍ଣ ଖାରିଜ କରିଦିଆ ଯାଇଛି (ପ୍ରତିଥର ଅପରାଧିକ ମାମଲା ସାମନାକୁ ଆସିଲେ ଏୟା କରାଯାଏ)। ୫ ଜୁଲାଇ, ୨୦୨୩ରେ ଦେଶର 'ନୂତନ ବୁଲଡୋଜର ଆଇନ୍' ଅନୁସାରେ ପ୍ରଭେଶ୍ ଶୁକ୍ଲାର ଘରର ଅବୈଧ ନିର୍ମାଣ ଉପରେ (ପାଚେରୀ ଆଦି) ବୁଲଡୋଜର ଚଲା ଯାଇଛି। ହେଲେ ଅପରାଧୀର ଘର ଉପରେ ବୁଲଡୋଜର ଚଲେଇ ଭାଙ୍ଗି ଦେବା କ'ଣ ସତରେ ସମାଧାନ? ସତରେ କ'ଣ ବୁଲଡୋଜର ଅପରାଧୀର ମାନସିକତା ଏବଂ ଖାସ୍ କରି ଶୁକ୍ଲା ଓ ରାଓ୍ବତ୍ କେସର ବୈଷମ୍ୟ ମାନସିକତାକୁ ଭାଙ୍ଗି ପାରେ? ଅନେକ ପ୍ରଶ୍ନ କରି ପାରନ୍ତି ମୁଁ ଏଠି ବୁଲଡୋଜର ଦ୍ବାରା 'ବୈଷମ୍ୟ ମାନସିକତା'କୁ ଭାଙ୍ଗିବା କଥା କାହିଁକି କହିଲି! ଆଗକୁ କହୁଛି କାହିଁକି ଏଠି "ବୈଷମ୍ୟ" ର ପ୍ରଶ୍ନ ଉଠାଇଲି।

        ସତରେ ଏହି ଖବରଟି ବିଷୟରେ ପଢିବା ପୂର୍ବରୁ ଆପଣ କେବେ କଳ୍ପନା ବି କରିଛନ୍ତି ଏମିତି ଅମାନୁଷିକ ଏବଂ ଅସଭ୍ୟ କାମ କେହି କରିପାରେ ବୋଲି? ଅନୁମାନ ଲଗାଇ ପାରୁଛନ୍ତି, ଦଶମତ ରାଓ୍ବତର ମାନସିକ ସ୍ଥିତି ସମ୍ପର୍କରେ? ସତରେ ଆଶ୍ଚର୍ଯ୍ୟ ଲାଗେ ଆଜି ଦେଶର ସର୍ବୋଚ୍ଚ ଶାସନ ପଦବୀ ଏବଂ ଦେଶର ପ୍ରଥମ ନାଗରିକ ହିସାବରେ ଜଣେ ଆଦିବାସୀ ବା ଜନଜାତି ମହିଳାଙ୍କୁ ସସମ୍ମାନେ ବାଛଯାଏ କିନ୍ତୁ ଶାସକ ଦଳର କର୍ମକର୍ତ୍ତା ସାମନାରେ ଥିବା ଆଦିବାସୀଟେର ମୁହଁ ଉପରେ ପରିଶ୍ରା କରେ! ଆଶ୍ଚର୍ଯ୍ୟ ଲାଗେ ଦେଶର ମହିଳା ଓ ବାଳବିକାଶ ମନ୍ତ୍ରୀ ସ°ସଦ ଭିତରେ ବିରୋଧୀଦଳର ନେତାଙ୍କୁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ପାଇଁ ଗର୍ଜନ କରି କୁହନ୍ତି "ସୋନିଆ ଗାନ୍ଧୀ, ସେ ଗରିବକୁ, ପଛୁଆ ବର୍ଗର ମହିଳାଙ୍କୁ କ୍ଷମା ମାଗ", କିନ୍ତୁ ତାଙ୍କରି ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଜଣେ ଆଦିବାସୀ ଯୁବକର ମୁହଁ ଉପରେ ତାଙ୍କ ଦଳର କର୍ମକର୍ତ୍ତା ପରିଶ୍ରା କଲେ କ୍ଷୋଭ ପ୍ରକାଶ କରି ପଦୁଟିଏ ମଧ୍ୟ କୁହନ୍ତି ନାହିଁ (ମାନନୀୟ ମନ୍ତ୍ରୀ ସ°ସଦରେ ସୋନୀଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ "you sanctioned the humiliation of tribal legacy of this country".....ତା'ହେଲେ ଏଥର?)! ଆଶ୍ଚର୍ଯ୍ୟ ଲାଗେ ଯେଉଁ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳ ସାହଡୋଲରେ ପ୍ରଧାନମନ୍ତ୍ରୀ ଯାଇ ଆଦିବାସୀ ପରମ୍ପରା, ନୃତ୍ୟ, ଗୀତ, ଖାଦ୍ୟକୁ ସମ୍ମାନ ଜଣାଇ, ଆଦିବାସୀ ନେତାଙ୍କୁ ଭେଟି, ସେମାନଙ୍କୁ ଦେଶର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଯାବତୀୟ ଯୋଜନା ଘୋଷଣା କରନ୍ତି, ସେହି ରାଜ୍ୟରେ ତାଙ୍କରି ଦଳର ଜଣେ କର୍ମକର୍ତ୍ତା ଦ୍ବାରା ଜଣେ ନିଷ୍ପେଷିତ ଆଦିବାସୀ ଯୁବକର ମୁହଁ ଉପରେ ଛିଡା ହୋଇ ପରିଶ୍ରା କରେ! ରିପୋର୍ଟ ଏବଂ ଡାଟା ଅନୁସାରେ ମଧ୍ଯପ୍ରଦେଶରେ ଦେଶର ସର୍ବାଧିକ ଆଦିବାସୀ ବା ଜନଜାତି ଲୋକେ ପ୍ରତାଡିତ ଏବଂ ଅତ୍ୟାଚାରିତ ହେବାର ଘଟଣା ଘଟିଥାଏ। ହୁଏତ ଓଡ଼ିଶାରେ ରହି, ଏଠାକାର ସାମାଜିକ ବ୍ୟବସ୍ଥାକୁ ଦେଖି ଜାତି ଏବଂ ବର୍ଣ୍ଣଗତ ଭେଦଭାବ ବିଷୟରେ ଏତେ ତୀବ୍ର କରି ଭାବି ପାରିବା ସମ୍ଭବ ନୁହେଁ। କିନ୍ତୁ ଏବେ ବି ଦେଶର ମଧ୍ୟ ଏବଂ ଉତ୍ତରାଞ୍ଚଳ ରାଜ୍ୟ ଗୁଡିକରେ ଜାତିଗତ ଭେଦଭାବ ଏବଂ ବୈଷମ୍ୟ ଖୁବ୍ ତୀବ୍ର। ସେହି ମଧ୍ୟପ୍ରଦଶରେ ଏହି ଗତ ସପ୍ତାହରେ ଜଣେ ଶୁଦ୍ର (କିମ୍ବା ଆଦିବାସୀ) ଶ୍ରେଣୀର ନାଗରିକ ତାଙ୍କ ସ୍ତ୍ରୀ ଏବଂ ଏକ-ବର୍ଷର କନ୍ୟା ସନ୍ତାନକୁ ବାଇକରେ ବସାଇ ଜଣେ ସବର୍ଣ୍ଣ ବ୍ୟକ୍ତିର ଘର ସାମନା ଦେଇ ଚାଲିଯିବା କାରଣରୁ ତାଙ୍କୁ ଉକ୍ତ ପରିବାର ଦ୍ବାରା ଅଟକାଇ ପିଟିବା ଏବଂ ଶିଶୁକନ୍ୟାକୁ ଫିଙ୍ଗିଦେବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଥିଲା। କେବଳ ଏଇ ଦୁଇଟି ଘଟଣା ନୁହେଁ ଲେଖି ବସିଲେ ଗୋଟିଏ ଲମ୍ବା ତାଲିକା ହେବ ଏ ଜାତି- ବର୍ଣ୍ଣ ବୈଷମ୍ୟକୁ ନେଇ ଘଟିଥିବା ଘଟଣାବଳୀର! ସ୍କୁଲ କଲେଜରୁ ପାଠ ପଢିବାଠୁ ଆରମ୍ଭ କରି କାମ କଲା ଭିତରେ କେବେ ଆପଣ ଅନୁଭବ କରିଛନ୍ତି ପାଖରେ ବସି ଖାଉଥିବା, ହସୁଥିବା, ସୁଖଦୁଃଖ ବାଣ୍ଟୁଥିବା ମଣିଷଟିର ଜାତି କି ଧର୍ମ ସତରେ ମାନେ ରଖେ ବୋଲି? ହେଲେ "ମାନେ" ରଖେ ବୋଲି ଆମେ ମନା ବି କରି ପାରିବା ନାହିଁ! ନହେଲେ ହୁଏତ କୌଣସି ବ୍ରାହ୍ମଣ ପ୍ରଭେଶ୍ ଶୁକ୍ଲା ଜଣେ ଆଦିବାସୀ ଯୁବକ ଦଶମତ ରାଓ୍ବତର ମୁହଁ ଉପରେ ପରିଶ୍ରା କରି ନଥାନ୍ତା! ତା' ହେଲେ ଏତେ ତୀବ୍ର ବୈଷମ୍ୟ ମାନସିକତା ଦ୍ବାରା ଆକ୍ରାନ୍ତ ଏ ଦେଶରେ କେଉଁ ଯୁକ୍ତିରେ UCC ଲାଗୁ କରିବା ପାଇଁ ଦାବି କରାଯାଏ? ଅବଶ୍ୟ ଏଠି ଆଉ ଗୋଟିଏ ପ୍ରଶ୍ନ ବି ଉଠେ ପ୍ରକୃତରେ ପ୍ରଭେଶ୍ ଶୁକ୍ଲା କାହା ଉପରେ ପରିଶ୍ରା କରିଥିଲା…..ବିଶ୍ବ ଆଗରେ "ସବୁ ନାଗରିକ ସମାନ" ଦାବି କରୁଥିବା ଗଣତନ୍ତ୍ର ଉପରେ ନା' ତା' ଜାତି ସହ ବାକି ସମସ୍ତଙ୍କୁ ସମାନ କରିବାକୁ ଚାଲିଥିବା ଚେଷ୍ଟା ଉପରେ ନା' ସ୍କୁଲରେ ଶିକ୍ଷକତା କରୁଥିବା ତା' ମା' ଦେଇଥିବା ଶିକ୍ଷା ଉପରେ ନା' ତଟସ୍ଥ ହୋଇ ଚାହିଁଥିବା ଦଳେ ଭୋଟରଙ୍କ ଉପରେ??