ପୃଥିବୀ କାନ୍ଦେ

ପୃଥିବୀ କାନ୍ଦେ

କାହାକୁ ଦିଶେନି ପୃଥିବୀର ଲୁହ, 

ପୃଥିବୀ କାଂଦେ ବୋଲିତ 
ସକାଳୁ ଘାସର ଦେହରେ ଅଲଝିଥାଏ 
ଟୋପାଏ କାକର
ଜନ୍ମ ହେଉ ହେଉ ବିକ୍ରି ହୋଇଯାଏ 
କାହା କାହାର ଶୈଶବ
ରାତି ଅଧିଆ ଭାଂଗେ ସ୍ବପ୍ନ 
ସକାଳ ନ ହେଉଣୁ 
ଆତତାୟୀର ହାତରେ ଛିଣ୍ଡିଯାଏ ଫୁଲର ଆୟୁଷ  ।
 
ସତରେ ପୃଥିବୀ କାଂଦେ 
କେହି ହେଲେ ଶୁଣିନାହାନ୍ତି ବୋଧେ 
ତାର କୋହଭରା ଡାକ  ।

ଝରଣା ହୋଇ ବହିଆସେ 
ତା'ର ଲୁହ 
ବର୍ଷା ହୋଇ ଆକାଶରୁ ଥିପି ପଡ଼େ 
ତା'ର ଲୁହ 
ସୂର୍ଯ୍ୟର କିରଣ ହୋଇ ବିଛେଇ ହୋଇପଡ଼େ 
ତା'ର ଲୁହ 
ଚଂଦ୍ରାଲୋକର ମାଦକତା ହୋଇ ରଚିଯାଏ 
ତା'ର ଲୁହ,

ପକ୍ଷୀର ପହିଲି କାକଳି ହୋଇ ଭାସିଆସେ 
ତା'ର କୋହ 
ପ୍ରେମିକା ଛାତିର ଶବ୍ଦ ହୋଇ ଆସେ 
ତା'ର କୋହ 
କବିତାର ଶେଷ ଅକ୍ଷରର ଉନ୍ମାଦ ହୋଇ ଆସେ 
ତା'ର କୋହ 
ରାତିରେ ସହରର ନିଶୂନ୍ ନୀରବତା ହୋଇ ଆସେ 
ତା'ର କୋହ  ।

ପୃଥିବୀ ଅଛି ଓ ରହିବ 
ଠିକ ଯେମିତି ଥିଲା ମୋ ଜନ୍ମ ଆଗରୁ 
ମୋତେ ଯେମିତି ଦେଖେଇ ଓ ବୁଝେଇ ଦିଆଗଲା,
ଏ ସବୁ ପୃଥିବୀର ହସ ଓ
ତା'ର ଜୀବନକାଳର ସୁଂଦରତମ କୋଳାହଳ,
ମୁଁ ମାନିନେଲି 
ଯଦିଓ ମୁଁ ଜାଣିଥିଲି, ତା' ଭିତରେ ଲୁଚିଛି
ପୃଥିବୀର ଆଦିମତମ ଲୁହ 
ପୃଥିବୀର ନିବିଡ଼ତମ କୋହ 
ପୃଥିବୀର ସବୁଠୁ ନୈରାଶ୍ଯମୟ ଦୃଶ୍ୟପଟ ଓ 
ଥାକ ଥାକ ଦୁଃଖ,

ପୃଥିବୀର ଦୁଃଖ ମୋତେ ଦିଶେ 
କ୍ଷତାକ୍ତ ଚଢ଼େଇର ପରତଳ ମନ ପରି 
ପୃଥିବୀର ଲୁହ ମୋତେ ଦିଶେ 
ଶରବିଦ୍ଧ ଚଢ଼େଇର ଡେଣାରୁ ପଝରୁଥିବା ରକ୍ତ ପରି   ।