ବିଜୟା ସ୍ତୋତ୍ର

ବିଜୟା ସ୍ତୋତ୍ର

ଚିର ଗ୍ରୀଷ୍ମର ତପ୍ତ ଏ ଧରା ଶିଶିର ଶୀତଳା ହୁଅ ମା

ଶିଶୁ ରକ୍ତରେ ପଖଳା ଏ ମାଟି କରୁଣା ପରଶ ଦିଅ ମା

ଯୁଦ୍ଧଭୂଇଁରେ ଚିର ସଂହାର ଶାନ୍ତି ସ୍ଵରୂପା ହୁଅ ମା

ରକ୍ତନଦୀରେ ଶବର ବନ୍ୟା ଜୀବନ ଝରଣା ହୁଅ ମା

 

ରକ୍ତବୀଜର ରେରେକାର ଶୁଭେ ଖଡ୍ଗଧାରିଣୀ ହୁଅ ମା

ମହିଷ ପିଠିରେ ଅନ୍ୟାୟ ଘୋଷ ମହିଷାମର୍ଦ୍ଦିନୀ ହୁଅ ମା

ରାଉ ରାଉ ଏଠି ଭୋକର ଜଠର ଅର୍ଣ୍ଣରେ ପୂର୍ଣ୍ଣା ହୁଅ ମା

ଘନ ଅନ୍ଧାର ଅସରା ଏ ରାତି ଆଲୋକିନୀ ଆଶା ହୁଅ ମା

 

ଏଇ ଧର୍ମରୁ ସେଇ ଧର୍ମର ସୀମାରେଖା ପୋଛି ଦିଅ ମା

ତମେ ମାତୃକା ତମେ ମରିୟମ ଅମିନା ମମତା ତୁମେ ମା

ଏଇ ଦେଶ ସେଇ ଦେଶର ମଣିଷ ବିଭାଜନ ଲିଭି ଯାଉ ମା

ସବୁରି ଆଖିରେ ସକାଳର ଫୁଲ ମହ ମହ ଫୁଟି ଯାଉ ମା

 

ମଣିଷ ମରୁଛି ମଣିଷ ମାରୁଛି ବିବେକିନୀ ତୁମେ ହୁଅ ମା

ମଣିଷ ଆଖିରେ ମଣିଷ ଛାତିରେ ପ୍ରେମର ପ୍ରଲେପ ଦିଅ ମା

ଯିଏ ଯହିଁ ଥାଉ କାନ୍ଦେ ସେ ଯେବେ ତା ଲୁହରେ ତୁମେ ବହ ମା

ପୀଡାର ଜଗତ କଷଣର ମାଟି ଅମୃତ ତୁମ ଛାଇ ମା

 

ସବୁ ମା ତୁମେ, ସବୁ ନାରୀ ତୁମେ, ଘଟେ ଘଟେ ତୁମେ ବସ ମା

ସବୁ ନଦୀ ତୁମେ ସବୁ ଗଛ ତୁମେ ସବୁ ସୁନ୍ଦର ତୁମେ ମା

ସବୁ ମଣିଷର ଇଚ୍ଛାରେ ତୁମେ ପୃଥିବୀ ତୁମର ଦେହ ମା

ମଣିଷ ହେବାର ଜୀବନ ମରଣ ବରଦାନ ମୋତେ ଦିଅ ମା