ପାଣ୍ଡିଆନଙ୍କ ନୂଆ ଭୂମିକା ନୂଆ ରାଜନୀତି

ପାଣ୍ଡିଆନଙ୍କ ନୂଆ ଭୂମିକା ନୂଆ ରାଜନୀତି

ଏକଦା ପ୍ରଶାସନିକ ପଦବୀରୁ ରାଜନୀତିରେ ପାଦ ଥାପିଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁଁ ପଚାରିଥିଲି- ପ୍ରଶାସନ ଓ ରାଜନୀତି ଭିତରେ ସବୁଠାରୁ ବଡ ଫରକ୍ ଟି କଣ । ଏହାର ଉତ୍ତରରେ ସେ କହିଥିଲେ - ଶାସନରେ ଥିବା ଯାଏ ତମେ ବଡ଼ ସାହେବ କିମ୍ବା ବଡ଼ ସାର୍ । ବାବୁ ଥିବା ବେଳେ ଯେଉଁ ମାନେ ତମ ପାଖରେ ଠିଆ ହେବାକୁ ଡରୁଥିବେ, ରାଜନୀତିରେ ସେମାନେ ଆସି ତମ କାନ୍ଧରେ ହାତ ଥୋଇ ତମକୁ ଭାଇ ବୋଲି ଡାକିବେ ଓ ତମ ପକେଟ୍ ଅଣ୍ଡାଳି ପଇସା ନେଇ ଚାଲିଯିବେ । ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ବସ୍ତ ସଚିବ ଭିକେ ପାଣ୍ଡିଆନ ଆଇଏଏସ ଚାକିରୀ ଛାଡୁଛନ୍ତି, ଏହାପରେ ସ୍ବାଭାବିକ ଭାବରେ ସେ ରାଜନୀତିକୁ ଆସିବେ ବୋଲି ଅନେକ ଭାବି ନେଇଛନ୍ତି । ଗତ କିଛିଦିନ ଧରି ତାଙ୍କ ନାଁ ଓଡ଼ିଶା ରାଜନୀତିର କେନ୍ଦ୍ରରେ ରହିଆସିଛି ଓ ଅବସର ନେବା ପରେ ସେ ସିଧା ସଳଖ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବେ ବୋଲି ସମସ୍ତଙ୍କର ଧାରଣା ରହିଛି

 ତେବେ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେବା ସମୟରେ ତାଙ୍କୁ ବୁଝିବାକୁ ପଡ଼ିବ ଯେ ପ୍ରଶାସକ ଭାବରେ ତାଙ୍କର ଯେଉଁ ପ୍ରଭାବ ଓ ପତିଆରା ରହିଥିଲା, ରାଜନୀତିରେ ତାହା ସମାନ ନ ହେବାର ସମ୍ଭାବନା ଅଧିକ। ରାଜନୀତିରେ ଆପଣ ନେତା ଓ କର୍ମୀଙ୍କୁ ପ୍ରତି ମୁହୂର୍ତ୍ତରେ ସନ୍ତୁଷ୍ଟ କରିବାକୁ ବାଧ୍ୟ । ଶାସନରେ ଥିବା ବେଳେ ଆପଣଙ୍କ ଆଦେଶରେ ପୂରା ସରକାର ଚାଲିପାରେ, ହେଲେ ରାଜନେତା ହେବା ପରେ ପ୍ରଶାସନ ଉପରେ ସମାନ ନିୟନ୍ତ୍ରଣ ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଯେଉଁ ସମ୍ମାନ, ସୁରକ୍ଷା ଓ କ୍ଷମତା ମିଳିଥିଲା, ରାଜନେତା ହେବା ପରେ ସେ ସବୁର ଚରିତ୍ର ରାତାରାତି ବଦଳି ଯିବ। ସରକାରୀ ସୁରକ୍ଷା ସବୁବେଳେ ଅଭେଦ୍ୟ, ହେଲେ ରାଜନେତାର ଜୀବନ ସବୁ ବେଳେ ଖୋଲା ମେଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ମୁଖ୍ୟମନ୍ତ୍ରୀ ଅନୁଷ୍ଠାନର ସବୁ କ୍ଷମତା ଉପଯୋଗ କରିବାର ଯେଉଁ ସୁଯୋଗ ଏ ଯାଏଁ ପାଣ୍ଡିଆନଙ୍କ ହାତରେ ରହିଥିଲା, ରାଜନୀତିରେ ପ୍ରତ୍ୟକ୍ଷ ଯୋଗଦାନ କଲେ ହଠାତ୍ ସେଇଟା ଖସିଯାଇ ପାରେ!!

ଗତକାଲିର ବଡ଼ ପ୍ରଶ୍ନ ଥିଲା ଏହାପରେ ପାଣ୍ଡିଆନ କରିବେ କଣ ? ସେ ଚାକିରୀରୁ ସ୍ବେଛାକୃତ ଅବସର ନେଇ ସିଧାସଳଖ ବିଜେଡିରେ ଯୋଗ ଦେବେ କି? ବିଜେଡିରେ ତାଙ୍କୁ ସିଧାସଳଖ କାର୍ଯ୍ୟକାରୀ ସଭାପତି ଭଳି କିଛି ଗୋଟାଏ ଗୁରୁତ୍ବପୂର୍ଣ୍ଣ ପଦବୀରେ ରଖାଯିବ କି? ତେବେ ଦଳୀୟ ପଦବୀରେ ରହିଲେ ପ୍ରତ୍ୟକ୍ଷ ଭାବରେ ପ୍ରଶାସନର ନିୟନ୍ତ୍ରଣ ତାଙ୍କ ହାତରୁ ଅବଶ୍ୟ ଖସିଯିବ। ସେହି ଦୃଷ୍ଟିରୁ ତାଙ୍କୁ ତାଙ୍କର ପୁରୁଣା ଭୂମିକାରେ ସରକାର ରଖିଛନ୍ତି । ବର୍ତ୍ତମାନ ସେ ଫାଇଭ ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ କାମ କରିବେ ।

ଏହା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ଏବେ ଉଠିବ। ପାଣ୍ଡିଆନ ଅବସର ନେବା ପରେ ଫାଇଭ୍ ଟି ବିଭାଗର ଅଧ୍ୟକ୍ଷ ଭାବରେ ତାଙ୍କର ଭୂମିକା ବଦଳିବ ? ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏହି ଭଳି ନିଯୁକ୍ତି ଦେଇଛନ୍ତି। ଶାସନ ଉପରେ ନିୟନ୍ତ୍ରଣ ରଖିବାକୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପାଣ୍ଡିଆନଙ୍କ ଉପସ୍ଥିତି ଅପରିହାର୍ଯ୍ୟ। ସେ ଯଦି ବିଜେଡି କାର୍ଯ୍ୟାଳୟକୁ ଆସନ୍ତି ତା ହେଲେ ଅମଲାତନ୍ତ୍ର ଉପରେ ତାଙ୍କର ପୂର୍ବବର୍ତ୍ତୀ ପ୍ରଭାବ କ୍ଷୁଣ୍ଣ ହେବ ନିଶ୍ଚୟ । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶାସନିକ ଦାୟିତ୍ବରେ ରଖିବାକୁ ଉଚିତ ମନେ କରିଛନ୍ତି

ବର୍ତ୍ତମାନ ସ୍ଥିତିରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି । ପାଣ୍ଡିଆନଙ୍କ ଭୂମିକା ଯାହା ଥିଲା ତାହା ରହିବ । କେବଳ ଆଇଏଏସ କ୍ୟାଡର ଭାବରେ ତାଙ୍କର ଯେଉଁ ସୀମାରେଖା ରହିଥିଲା ତାହା ଆଉ ରହିବ ନାଇଁ । ଆଇଏଏସ କ୍ୟାଡର ଭାବରେ ତାଙ୍କର ନିୟାମକ ଏବଂ ନିୟନ୍ତ୍ରକ ଭାବରେ କେନ୍ଦ୍ର ସରକାରଙ୍କର ଯେଉଁ ଭୂମିକା ଥିଲା ତାହା ଆଉ ରହିବ ନାହିଁ । ସେହିପରି ଆଇଏଏସ କ୍ୟାଡରର ହାଇରାର୍କି ମାନିବାକୁ ସେ ଆଉ ବାଧ୍ୟ ନୁହନ୍ତି । କ୍ୟାବିନେଟ ମନ୍ତ୍ରୀ ସହିତ ତାଙ୍କ ପଦବୀ ସମାନ ହୋଇଥିବାରୁ ତାଙ୍କ ଅଧୀନରେ ରାଜ୍ୟର ଅମଲାତନ୍ତ୍ର କାମ କରିବାକୁ ଏକପ୍ରକାର ବାଧ୍ୟ ।   

ବାସ୍ତବରେ ୨୦୧୯ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଉଭୟ ରାଜ୍ୟ ଶାସନ ଓ ବିଜେଡ଼ିର ପରିଚାଳନା ଦାୟିତ୍ଵ ତୁଲାଇ ଆସୁଛନ୍ତି । ଏ ଯାଏ ତାହା ଆଢୁଆଳରେ ଘଟୁଥିଲା, ଏବେ ତାକୁ ଖୋଲାଖୋଲି କରିବାର ବାଟ ଫିଟାଇ ଦିଆଯାଇଛି ।