ଏକଛତ୍ରବାଦର ଛତା ତଳେ ଆଉ ଏକ ବିଭତ୍ସ ନାଟକ
ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପୃଥିବୀର ଏକମାତ୍ର ଏକଛତ୍ରବାଦୀ ଶାସକଙ୍କର ନାମ କହିବାକୁ ଯଦି କୁହାଯାଏ, ତାହେଲେ ଅନେକ ସେ ନାମ ଉଚ୍ଚାରଣ କରିବାକୁ ଡରିବେ । ଡରିବା ସ୍ଵାଭାବିକ କାରଣ ସେ ନାଁର ଉଚ୍ଚାରଣ ଇ ଦେଶଦ୍ରୋହ ପାଲଟି ଯାଇପାରେ । ନାଁ ଧରୁ ଧରୁ ଆପଣଙ୍କ ପାଖକୁ ପୁଲିସର ପରୁଆନା ଆସି ପହଞ୍ଚି ଯାଇପାରେ । ଏକଛତ୍ରବାଦୀ ଶାସକର ଅଧୀନରେ ଆପଣ ଗୀତ ଗାଇପାରିବେ ନାଇଁ । ଯଦି ଗୀତ ଗାଇବେ ତାହେଲେ ଆପଣ ଶାସକର ବନ୍ଦନା ଗାଇବେ ନଚେତ ପୁରୁଣା ଦିନର ପ୍ରେମକାହାଣୀ କୁ ଗାଇବେ । ଆପଣ କଥା କହିପାରିବେ ନାଇଁ । ଅବଶ୍ୟ ସମ୍ବିଧାନରେ ଆପଣଙ୍କର କଥା କହିବାର ପୂର୍ଣ୍ଣ ସ୍ଵାଧୀନତା ରହିଛି । ଇଦି ଅମିନ ନାମକ ଆଫ୍ରିକାର ଜଣେ କୁଖ୍ୟାତ ଏକଛତ୍ରବାଦୀ ଶାସକ ଥରେ କହିଥିଲେ – “ମୋ ଶାସନରେ କଥା କହିବାର ସ୍ଵାଧୀନତା ଅବଶ୍ୟ ରହିଛି, ହେଲେ କଥା କହିଲା ପରେ ତାର ପରିଣତି କଣ ହେବ, ସେ କଥା ମୁଁ କହିପାରିବି ନାଇଁ"।
ଏକଛତ୍ରବାଦୀ ଶାସନରେ ଆପଣ ଗୀତ ଗାଇଲେ ନେହା ସିଂ ରାଠୋର ଭଳି ପୁଲିସର ନାଲିଆଖି ଦେଖିବାକୁ ପଡିବ । ନେହା ରାଠୋରଙ୍କର ଏକମାତ୍ର ଭୁଲ ହେଲା ସେ ବ୍ୟବସ୍ଥାକୁ ନିଜ ଗୀତରେ ପ୍ରଶ୍ନ କରୁଛନ୍ତି । ଏକଛତ୍ରବାଦୀକୁ ଆପଣ ପ୍ରଶ୍ନ ପଚାରି ପାରିବେ ନାଇଁ । ଏପରିକି ଏକଛତ୍ରବାଦୀର ନାମ ଭୁଲ ଭାବରେ ଯଦି ଆପଣ ଉଚ୍ଚାରଣ କରିଦିଅନ୍ତି ତାହେଲେ ମଧ୍ୟ ଆପଣଙ୍କୁ ପୁଲିସ ବାନ୍ଧି ନେଇଯିବ । ତେଣୁ ଏକଛତ୍ରବାଦୀର ନାମ ଉଚ୍ଚାରଣ କରିବା ଆଗରୁ ଆପଣଙ୍କୁ ହଜାର ଥର ଅଭ୍ୟାସ କରିବାକୁ ପଡିବ । ଆପଣ ଯଦି ଭୁଲ ଉଚ୍ଚାରଣ କରନ୍ତି ତାହେଲେ ଆପଣଙ୍କୁ କଂଗ୍ରେସ ମୁଖପାତ୍ର ପବନ ଖେରାଙ୍କ ପରି ବିମାନ ବନ୍ଦରରୁ ପୁଲିସ ଉଠେଇ ନେଇଯିବ । ଏକଛତ୍ରବାଦୀର ପୁଲିସ କିଛି ବି କରିପାରେ । ଆଗରୁ କୁହା ଯାଉଥିଲା ଆଇନ ଶୃଙ୍ଖଳା ହେଉଛି ରାଜ୍ୟର ଅଧିକାର । ଏବେ ଆସାମ ପୁଲିସ ଆପଣଙ୍କୁ ଓଡିଶାରୁ ଉଠେଇ ନେଇଯାଇପାରେ । ସବୁଠୁ ମଜା କଥା ହେଲା, ବିରୋଧୀଦଳ ଶାସିତ ରାଜ୍ୟର ପୁଲିସ ସବୁ ଆଇନ କାନୁନ ମାନିବାକୁ ବାଧ୍ୟ, ହେଲେ ଏକଛତ୍ରବାଦୀ ଶାସକର ପୁଲିସ ଯାହା କହେ, ତାହା ହିଁ ଆଇନ । ପଞ୍ଜାବ ପୁଲିସ ଶାସକ ଦଳର ମୁଖପାତ୍ରକୁ ବାନ୍ଧିଲେ ଅପରାଧ, ହେଲେ ଆସାମ ପୁଲିସ କଂଗ୍ରେସ ମୁଖପାତ୍ର କି ଗୁଜରାଟ ବିଧାୟକଙ୍କୁ ବାନ୍ଧି ନେଇ ଯାଇ ପାରିବ । ଗୁଜରାଟ ରେ ଜଣେ ତୃଣମୂଳ କଂଗ୍ରେସ ମୁଖପାତ୍ର ଅନେକ ମାସ ହେଲା ଜେଲରେ ଅଛନ୍ତି । ଏ ସମସ୍ତଙ୍କ ଅପରାଧ ହେଲା ଏମାନେ ଏକଛତ୍ରବାଦୀକୁ ପ୍ରଶ୍ନ ପଚାରନ୍ତି ।
ଏବେ ଦିଲ୍ଲୀରେ ଆଉ ଗୋଟେ ବିଭତ୍ସ ନାଟକ ଚାଲିଛି । କୌଣସି ଗଣତାନ୍ତ୍ରିକ ଇତିହାସରେ ଗୋଟେ ନିର୍ବାଚିତ ରାଜ୍ୟ ସରକାରର ମନ୍ତ୍ରୀଙ୍କୁ ବାତିଲ ହୋଇଥିବା ଗୋଟେ ପ୍ରଶାସନିକ ନୀତି ପାଇଁ ଗିରଫ କରାଯାଇଛି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆଙ୍କୁ ଗିରଫ କରିଥିବା ସିବିଆଇର ଦାବୀ ବଡ ବିଚିତ୍ର । ଗୋଟେ ସରକାରୀ ନୀତି ପାଇଁ ତାଙ୍କୁ ଗିରଫ କରା ଯାଇଛି, ଯେଉଁ ନୀତି ସରକାର ବାତିଲ କରି ସାରିଛନ୍ତି । ଉକ୍ତ ନୀତି ଆଣିବାର ଅଧିକାର ଗୋଟେ ନିର୍ବାଚିତ ସରକାରର ରହିଛି । ସେ ନୀତି ଯଦି ଆଇନ ବିରୋଧୀ ତାକୁ ଅଦାଲତକୁ ଟଣା ଯାଇପାରିବ । କିନ୍ତୁ ଏକଛତ୍ରବାଦରେ ସେସବୁ ପ୍ରକ୍ରିୟା କାମ କରେ ନାହିଁ । ଏକଛତ୍ରବାଦୀ ପାଖରେ ସିବିଆଇ ଅଛି, ଇଡି ଅଛି, ଭୟାଳୁ ଅଦାଲତ ଅଛି ( ଏ କଥା ଖୋଦ ସୁପ୍ରିମିକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି । ତାଙ୍କ ମତରେ ବିଚାରପତିମାନେ ଡରିକି ଜାମିନ ଦେଉନାହାନ୍ତି । ) କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଭିତ୍ତିରେ, ବିନା ଜାମିନରେ ଏକଛତ୍ରବାଦର ବିରୋଧୀଙ୍କୁ ମାସ ମାସ ଜେଲରେ ପୂରେଇ ରଖା ଯାଉଛି । ଏକଛତ୍ରବାଦୀର ଶାସନକୁ ସଲାମ କରୁନଥିବା ଲୋକକୁ ଜେଲକୁ ଯିବାକୁ ପଡିବ । ଏକଥା ଆଜିର ଏକମାତ୍ର ସତ୍ୟ ।
ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କର ସବୁଠୁ ବଡ ଅପରାଧ ହେଲା ସେ ଓ ତାଙ୍କ ଦଳ ଏକଛତ୍ରବାଦୀର ଦଳକୁ ହରାଇ ବାରମ୍ବାର ନିର୍ବାଚନ ଜିତୁଛନ୍ତି । ଏକଛତ୍ରବାଦୀର ଦଳକୁ ହରାଇବାର ସାହସ ଯିଏ କରିବ ସେ ଜେଲ ଯିବ । ମନୀଷ ଶିଷୋଦିଆଙ୍କ ଦଳର ଅନେକ ବିଧାୟକ ଓ ମନ୍ତ୍ରୀ ୟା ପୂର୍ବରୁ ଜେଲ ଯାଇ ସାରିଛନ୍ତି । ଏ ଦେଶର ଏକଛତ୍ରବାଦୀ ଶାସକ ନିର୍ବାଚନ ଜିତିଲେ, ତାହା ଏକମାତ୍ର ନିର୍ଣ୍ଣାୟକ ନିର୍ବାଚନ, ବାକି ସବୁ ଭେଳିକି ମାତ୍ର । ଯେ କୌଣସି ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି ଏକଛତ୍ରବାଦୀକୁ ବେଶୀ ସମୟ ଲାଗେନାଇଁ । ଦେଶର ପୂରା ପୁଲିସ ବ୍ୟବସ୍ଥା ଅବିକା ଏକଛତ୍ରବାଦର ସଂରକ୍ଷଣ ପାଇଁ ଜୋର ଲଗାଇ କାମରେ ମାତିଛନ୍ତି । ମନୀଷ ଶିଷୋଦିଆ ସେଇ ପ୍ରକ୍ରିୟାର ଏକ ଅଂଶ ।
ଆଉ ବର୍ଷେ ପରେ ଏକଛତ୍ରବାଦର ନବୀକରଣ ପାଇଁ ନିର୍ବାଚନ ହେବ । ୩୦ ରୁ ୪୦ ଭାଗ ଲୋକ ଅନ୍ଧ ଭାବରେ ଏକଛତ୍ରବାଦୀ ପଛରେ ଜୟ ଜୟ କାର କରିବେ । ୩୮% ଲୋକଙ୍କ ଭୋଟ ପାଇ ୬୨% ଲୋକଙ୍କ ଉପରେ ଏକଛତ୍ରବାଦୀ ଅତ୍ୟାଚାର କରିଚାଲିବ । ତାକୁ ଆଇନ ଓ ଗଣତନ୍ତ୍ରର ଶାସନ କହି ଆମେ ତାଳି ମାରିବାକୁ ବାଧ୍ୟ ହେବୁ ।
ତେବେ ଏ ଏକଛତ୍ରବାଦୀ କିଏ ଓ ତାଙ୍କ ନାଁ କଣ ସେକଥା ଆପଣମାନେ ଇ କୁହନ୍ତୁ !!