ଘରଭଙ୍ଗା ନୀତି ଓ ୱାସିଙ୍ଗ ମେସିନ୍ ପଲିଟିକ୍ସ

ଘରଭଙ୍ଗା ନୀତି ଓ ୱାସିଙ୍ଗ ମେସିନ୍ ପଲିଟିକ୍ସ

ଘର ଗଢା ପରି ପର ଘର ଭଙ୍ଗିବା ବି ଏକ ପ୍ରକାର କାମ । ଗାଁ ଗହଳରେ ସମୟ ବିତାଇଥିବା ମଣିଷମାନେ ଏ ଘରଭଙ୍ଗା ଲୋକମାନଙ୍କୁ ଚିହ୍ନନ୍ତି । ଏମିତି ଦେଖିଲେ ଅଳ୍ପେ ବହୁତେ ଆମ ସମସ୍ତଙ୍କର ଏ ଭଙ୍ଗା-ଗଢାର ପ୍ରତ୍ୟକ୍ଷ ଅନୁଭୂତି ନିଶ୍ଚୟ ରହିଛି। 

ଘରଭଙ୍ଗା କାମଟି ଏବେ ଆମ ଭାରତୀୟ ମୁଖ୍ୟସ୍ରୋତର ରାଜନିତୀରେ ଏକପ୍ରକାର ନିତୀରେ ପରିଣତ ହେଇସାରିଛି । ସାଧୁ ଭାଷାରେ ନ୍ୟୁ-ନର୍ମାଲ । କାରଣ ରାଜନିତୀ ଓ କୁଟନୀତିର ର-କ ଜାଣିନଥିବା ଲୋକ ଏବେ ଏ ନେଇ ଭବିଷ୍ୟବାଣୀ କରିପାରୁଛି । ଭାରତୀୟ ରାଜନୀତିରେ ନୀତି ବୋଲି ପ୍ରକୃତରେ କିଛି ନାହିଁ ବୋଲି ସାଧାରଣରୁ ସାଧାରଣ ଲୋକ ବି ଗ୍ରହଣ କରିସାରିଲାଣି । ଅବଶ୍ୟ ଏମିତିକା କିଛି  ଚାଲାକିକୁ ଚାଣକ୍ୟନୀତି ଓ ମାଷ୍ଟର୍ ଷ୍ଟ୍ରୋକ୍ ବୋଲି କହି ଆତ୍ମସନ୍ତୋଷ ଲାଭ କରୁଥିବା ଲୋକଙ୍କର ମଧ୍ୟ କିଛି ଅଭାବ ନାହିଁ ।

ଏଠି ଏତେ ଉପକ୍ରମଣିକାର ଆୟୋଜନର ଉଦ୍ଦେଶ୍ୟ ହେଲା ମହାରାଷ୍ଟ୍ରର ରାଜନୀତି ଉପରେ ଦୁଇ ପଦ କହିବାର ଅଛି ।।

ମହାରାଷ୍ଟ୍ର ରାଜନୀତି ଏବେ ଏତେ ରୋଚକ ପରିସ୍ଥିତିରେ ଯେ, ଅନେକ ବଡ଼ ଉତ୍ସୁକ ହୋଇ ଅନେଇ ବସିଛନ୍ତି ଆଗକୁ କ'ଣ ହେବ । ଜାତୀୟ ସ୍ତରର ଦଳ ହେଉ କି ଆଞ୍ଚଳିକ ଦଳ ହେଉ,  ସେମାନଙ୍କୁ ଭାଙ୍ଗି ପକାଇବା କାମଟି ବଡ଼ ବଢିଆ ବାଗରେ ଭାରତୀୟ ଜନତା ଦଳ କରିପାରୁଛି । ଭାଜପା ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳକୁ ଏକାଠି କରିବାକୁ ଆଗଭର ହେଇଥିବା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ପ୍ରତିଷ୍ଠାତା ଅଧ୍ୟକ୍ଷ ଶରତ ପାୱାରଙ୍କ ଡେଙ୍ଗା ମୁଣ୍ଡରେ ଏବେ ଠେଙ୍ଗା ପଡିଛି । ଶରତ ପାୱାରଙ୍କ ପୁତୁରା ଅଜିତ ପାୱାର ଏନ୍.ସି.ପିର କିଛି ବିଧାୟକଙ୍କୁ ନେଇ ସରକାରରେ ସାମିଲ୍ ହେଇ ରାଜ୍ୟର ଉପମୂଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ଏନ୍.ସି.ପିର ଅସଲ ଦାବିଦାର୍ ମାମଲାରେ ଦାଦି - ପୁତୁରା ଦୁହେଁ ପରସ୍ପର ଭିତରେ ଟଣାଟଣିରେ ଲାଗିଛନ୍ତି । ଫଳାଫଳ ଆଗକୁ ଜଣା ପଡିବ ।

ଗଲା ନଭେମ୍ବର ୨୦୧୯ରୁ ମହାରାଷ୍ଟ୍ର ରାଜନୀତିର ଚାଲିଥିବା ପଲିଟିକାଲ ଡ୍ରାମା ୱେବ୍ ସିରିଜ୍ ଟି  ଏପିସୋଡ୍ ପରେ ଏପିସୋଡ୍ ହେଇ ପ୍ରଦର୍ଶିତ ହେଇଚାଲିଛି । ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ନିର୍ବାଚନ ଲଢିଥିଲେ କିନ୍ତୁ ପାସ୍ପରିକ କ୍ଷମତା କନ୍ଦଳ ପରେ ଶିବସେନା, ଏନ୍.ସି.ପି ଓ କଂଗ୍ରେସ ସହାୟତାରେ ସରକାର ଗଢିଥିଲା । ଗଲା ବର୍ଷ ଜୁନ୍ ମାସରେ ବିରୋଧୀ ଭୂମିକାରେ ଥିବା ଭାଜପା ରାଜ୍ୟରେ କ୍ଷମତାରେ ଥିବା ତ୍ରୀଦଳୀୟ ମହା ବିକାଶ ଅଘାଦି ସରକାରକୁ ଶିବସେନାର କିଛି ବିଦ୍ରୋହୀ ବିଧାୟକଙ୍କ ସହାୟତାରେ କ୍ଷମତାଚ୍ୟୁତ କରିଥିଲା । କଳେ ବଳେ କୌଶଳେ କ୍ଷମତା ଦଖଲ ପାଇଁ ଲାଳାୟିତ ଭାଜପା, ବିଦ୍ରୋହୀ ଶିବସେନାର ମୁଖିଆ ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲା । ଭାଜପାର କ୍ଷମତା ଲୋଭରେ ଫଡନାଭିସ୍ ମଧ୍ୟ ଏମିତି ଏକ ଅପମାନଜନକ ପରିସ୍ଥିତିକୁ ହଜମ କରିବାକୁ ବାଧ୍ୟ ହେଇଥିଲେ । ଏବେ ଅଜିତ ପାୱାର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଭାବରେ ସରକାରରେ ସାମିଲ ହେଲାପରେ ରାଜ୍ୟ ଏକା ସମୟରେ ଦୁଇ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ପାଇଛି ।
 
ଏଠି ଦୁଇଟି କଥା ସ୍ପଷ୍ଟ ହେଇଯାଇଛି । ଏକରେ ଭାଜପା ରାଜ୍ୟ ରାଜନୀତିରେ ଭୋଟ ମାନଙ୍କ ମତ ପ୍ରତି ଏତେଟା ଗୁରୁତ୍ୱ ଦେଉନି । କାରଣ ଭାଜପାର ଆତ୍ମ ବିଶ୍ୱାସ ରହିଛି ଯେଉଁ ଦଳ ଯେତେ ଭୋଟରେ ତା' ରାଜ୍ୟରେ ଜିତୁ ନା କାହିଁକି, ସେ ଦଳର ବିଧାୟକମାନଙ୍କୁ ନିର୍ବାଚନ ପରେ ନିଜ ପକ୍ଷକୁ ଆଣିବା କିଛି  ଅସାଧ୍ୟ ବ୍ୟାପାର ନୁହେଁ । ସାମ-ଦାନ -ଦଣ୍ଡର ସେ ସରଳ ଗଣିତର ସୂତ୍ର ଭାଜପା ଜାଣି ସାରିଛି । ଆମେ ଅତୀତରେ ଭାଜପାର ସେଇ ଘର ଭଙ୍ଗା ବିଦ୍ୟାର ପ୍ରୟୋଗ କର୍ଣ୍ଣାଟକ, ଗୋଆ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଦେଖିସାରିଛେ । ଦ୍ୱିତୀୟ କଥାଟି ହେଲା, ଆଜିକାଲି ଭାଜପା ଭାରତୀୟ ଗଣତନ୍ତ୍ରରେ ଏକ ବୃହତ୍ ୱାସିଙ୍ଗ ମେସିନ୍ ଅବା ଏକ ବିରାଟ ପାପନାସିନୀ କୁଣ୍ଡର କାମ କରୁଛି । ତମେ ଯେତେ ପାପ, ଭ୍ରଷ୍ଟାଚାର, ଦୁର୍ନିତୀ ଓ ଅନାଚାର କରି ଥାଅନା କାହିଁକି ଭାଜପାର ପାପନାସିନୀ କୁଣ୍ଡରେ ଥରେ ଗାଧେଇ ପଡିଲେ ତମେ ପାପମୁକ୍ତ, ଶାପମୁକ୍ତ ଓ ଫିନ୍ ଫିନ୍ ସଫା ହେଇଯିବ । ତୁମର ସମସ୍ତ କଳୁଷ ଉଭେଇଯିବ ଓ ତମଠି ଦିବ୍ୟ ଭାବ ଉକୁଟି ଉଠିବ । ବିଗତ କିଛି ବର୍ଷ ଭିତରେ ନାରାୟଣ ରାଣେ, ବି. ଏସ୍.  ୟେଦିୟୁରାପ୍ପା, ସୁନିଲ୍ ଝାକର୍, କ୍ୟାପେଟେନ୍ ଅମରିନ୍ଦ ସିଂ, ହିମନ୍ତ ବିଶ୍ୱ ଶର୍ମା, ହାର୍ଦ୍ଧିକ ପଟେଲ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏକନାଥ ସିନ୍ଧେ ଓ ଅଜିତ ପାୱାର ପ୍ରଭୃତିଙ୍କ ନାମ ନେଇପାରିବା । ଏ ସବୁ ନେତା ଘୋର ଦୁର୍ନୀତିଗ୍ରସ୍ଥ ବୋଲି ଭାଜପା ଛାତି ପିଟି କହୁଥିଲା । କିନ୍ତୁ ସେମାନେ ଭାଜପାରେ ସାମିଲ୍ ହେଲାପରେ ଅବା ସମର୍ଥନ ଦେଲାପରେ କଳଙ୍କିଲଗା ଲୁହା ସବୁ ହଠାତ୍ ସୁନା ପାଲଟିଗଲେ । ମହାରାଷ୍ଟ୍ରରେ ଅଜିତ ପାୱାରଙ୍କୁ ସମର୍ଥନ କରୁଥିବା ଛଗନ ଭୂଜବଳ, ହସନ୍ ମୁସୁରିଫ୍ ଓ ପ୍ରଫୁଲ୍ଲ ପଟେଲଙ୍କ ନାମକୁ ମଧ୍ୟ ଉଦାହରଣ ଭାବରେ ନିଆଯାଇପାରେ । ଭାଜପାର ଏହି କାମଟିକୁ ରାଜନୈତିକ ବିଶେଷଜ୍ଞମାନେ ୱାସିଙ୍ଗ ମେସିନ୍ ପଲିଟିକ୍ସ ବୋଲି ନାମକରଣ କରିଛନ୍ତି । ଭାଜପାର ଆଇ.ସି.ଇ ଫର୍ମୁଲା ସବୁଠି କାମ ଦେଉଛି । ଆଇ.ସି.ଇ କହିଲେ ଇନକମ୍ ଟ୍ୟାକ୍ସ୍, ସିବିଆଇ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ । ଦଳ ବଦଳ କରି ଭାଜପାରେ ଯୋଗ ଦେଇଥିବା ମହାରାଷ୍ଟ୍ରର ଟାଣୁଆ ରାଜନେତା ହର୍ଷବର୍ଦ୍ଧନ ପାଟିଲଙ୍କ କହିବା ଅନୁସାରେ ସେ ଭାଜପାରେ ଯୋଗ ଦେଲାପରେ ରାତିରେ ଟିକେ ଶାନ୍ତିରେ ଶୋଇପାରୁଛନ୍ତି । ରାତି ଅଧିଆ କେନ୍ଦ୍ରୀୟ ଏଜେନ୍ସି ଆଉ ତାଙ୍କ କବାଟ ପିଟୁ ନାହାଁନ୍ତି । ଏଥିରୁ ବୁଝାପଡୁଛି ରାଜନେତାମାନେ ବଡ଼ ଆଗ୍ରହ ଦେଖାଇ ଅବା ଭାଜପାର ନୀତିରେ ଆକର୍ଷିତ ହେଇ ସେଥିରେ ଯୋଗ ଦେଉନାହଁନ୍ତି କି ସମର୍ଥନ ଦେଇନାହାଁନ୍ତି, ବରଂ ଭୟ ପାଇଁ କରୁଛନ୍ତି ।  ତାପରେ ଆପେ ବଞ୍ଚିଲେ ବାପର ନାଁ ପରି ସୁବିଧାବାଦର ରାସ୍ତା ତ ସବୁବେଳେ ସେମାନଙ୍କ ପାଇଁ ଖୋଲା ରହିଛି ।

ଏବେ ଅଜିତ ପାୱାର କ୍ଷମତାକୁ ଆସିଲାପରେ ଏକନାଥ ସିନ୍ଧେଙ୍କ ଅବସ୍ଥା କ'ଣ ହେବ କିଏ ଜାଣେ । ଏକଥା ସମସ୍ତେ ଜାଣନ୍ତି ଏକନାଥ ସିନ୍ଧେ ଜଣେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ । ଏକନାଥଙ୍କୁ ପାଲେଇ ଧରିବା ପଛରେ ଭାଜପାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଉଦ୍ଧବ ଠାକରେଙ୍କ କ୍ଷମତା ସଂକୁଚିତ କରିବା । ଆଗକୁ ହୁଏତ ଏକନାଥଙ୍କ ଶିବସନା ଭାଜପା ସହ ବିଲିନ ହେଇଯିବ । ନିର୍ବାଚନ ପୂର୍ବରୁ କିଛି ବିଧାୟକ ଉଦ୍ଧବ ଠାକରେଙ୍କ ପାଖକୁ ହୁଏତ ଫେରିଯିବେ । ଅଜିତ ପାୱାର ସରକାରକୁ ଆସିଲା ପରେ ସେ ପ୍ରକାର ହଲଚଲ ଆରମ୍ଭ ହେଇସାରିଲାଣି । ନା ଖାଉଙ୍ଗା ନା ଖାନେ ଦୁଙ୍ଗା କହୁଥିବା ଦଳ ଏବେ ସବ୍ କୁଛ୍ ଖା ଯାଉଙ୍ଗା ବୋଲି ପାଟି ଆଁ କରି ବସିଛି ।

ଭାଜପା ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରୁ ବେଶ୍ ଆସନ ପାଇଥିଲା । ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ର ହେଲା ଦ୍ୱିତୀୟ ସର୍ବାଧିକ ଲୋକସଭା ଆସନ ରଖିଥିବା ରାଜ୍ୟ । ଭାଜପାର ହିସାବ ଅନୁସାରେ ଉତ୍ତରପ୍ରଦେଶ (୮୦ ଆସନ), ମହାରାଷ୍ଟ୍ର (୪୮ ଆସନ) ଓ ବିହାରରୁ (୪୦ ଆସନ) ତାକୁ ଅଧିକ ଆସନ ଆଣିବାକୁ ହେବ । ଅନୁମାନ କରାଯାଉଛି  ମହାରାଷ୍ଟ୍ର ପରେ ବିହାରରେ ମଧ୍ୟ ସେଇ ଘରଭଙ୍ଗା ଖେଳ ହୁଏତ ଖୁବ୍ ଶୀଘ୍ର ଦେଖିବାକୁ ମିଳିପାରେ । ନିତିଶ୍ କୁମାର ଭାଜପା ପାଖରୁ ଅଲଗା ହେଲା ଦିନରୁ ନିତିଶଙ୍କ ଘରକୁ ଭାଙ୍ଗିବାର ଚେଷ୍ଟା ଅବ୍ୟାହତ ରହିଛି ।

ଗଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାଜପା ଶୋଚନୀୟ ପରାଜୟ ବରଣ କରିଛି । ତାପରେ  ଚଳିତବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ କେତେବେଳେ କେଉଁଠି କ'ଣ ହେବ ସଠିକରେ କହିହେବନି । ଏଇ ସବୁ ଲିଗ୍ ମ୍ୟାଚ୍ ପରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଫାଇନାଲ୍ ଖେଳି ଯେ କୌଣସି ଉପାୟରେ କେନ୍ଦ୍ରରେ କ୍ଷମତାକୁ ଫେରିବାକୁ ଚାହୁଁଛି ।
 
ନିର୍ବାଚନର ଫଳାଫଳ ଏବେଠୁ ସମ୍ପୂର୍ଣ୍ଣ ଆକଳନ କରିହେବନି । ଫଳାଫଳ ଯାହାବି ହେଉ, ଭାରତୀୟ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଭୟ କରିବାର ଯଥେଷ୍ଟ କାରଣ ରହିଛି । ଭୟର କାରଣ ହେଲା ଭାଜପା ଏ ଯେଉଁ ଘର ଭଙ୍ଗା ନୀତି ଓ ୱାସିଙ୍ଗ ମେସିନ୍ ପଲିଟିକ୍ସ ଆପଣାଇଛି ତାହା କସ୍ମିନ କାଳେ ଗଣତନ୍ତ୍ର ପାଇଁ ଏବଂ ଭାରତୀୟ ସଂଘୀୟ ବ୍ୟବସ୍ଥା ପାଇଁ ଶୁଭଙ୍କରୀ ନୁହେଁ । କାଲି ଯଦି କେନ୍ଦ୍ରରେ ଆଉ କୌଣସି ଦଳ କ୍ଷମତାକୁ ଆସେ ସେ ବି ନିଶ୍ଚୟ ଏଇ ଘର ଭଙ୍ଗା ନୀତି ଓ ୱାସିଙ୍ଗ ମେସିନ୍ ପଲିଟିକ୍ସ ଆପଣାଇବାକୁ ଆଦୌ ପଛେଇବନି । ଭାରତୀୟ ରାଜନୀତିରେ କ୍ଷମତାରେ ଥିବା ଅଧିକାଂଶ ରାଜନେତା ଦୁର୍ନୀତିଗ୍ରସ୍ଥ । ତେଣୁ ସେମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ନଚେଇବାରେ କିଛିବି ଅସୁବିଧା ହେବନି । ବିରୋଧି ଦଳକୁ ମୂଳପୋଛ କରିବାର ଚେଷ୍ଟା ଯେ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଏକ ଅବ୍ୟବସ୍ଥା ଓ ପ୍ରଚଣ୍ଡ ପ୍ରଳୟଙ୍କରୀ ସେକଥା ହୁଏତ ବୁଝାଇ କହିବାକୁ ପଡିବନି ।