ଠକ ଓ ଭ୍ରଷ୍ଟାଚାରୀଙ୍କ ପ୍ରତି ମୋଦୀ ସରକାର ଏତେ ଉଦାର କାହିଁକି ?

ଠକ ଓ ଭ୍ରଷ୍ଟାଚାରୀଙ୍କ ପ୍ରତି ମୋଦୀ ସରକାର ଏତେ ଉଦାର କାହିଁକି ?

ହର୍ଷଦ ମେହେଟା

ଲଖୁଭାଇ ପାଠକ

ସତ୍ୟମ ରାଜୁ

ଏ ନାଁ ସବୁ ମନେ ପଡୁଛି । ଏମାନେ ଯେତେବେଳେ ନିଜର ଠକେଇ ପାଇଁ ଧରା ପଡିଥିଲେ, ସେତେବେଳର ସରକାର ଦୋହଲି ଯାଇଥିଲା । ହର୍ଷଦ ମେହେଟା ଯୋଗୁଁ ପିଭି ନରସିଂହ ସରକାର ପ୍ରବଳ ବଦନାମ ହୋଇଥିଲେ । ସେତେବେଳେ ଆର୍ଥିକ ଅପରାଧ ଓ ଠକେଇ ପାଇଁ ଆମେ ଭାରତ ସରକାରଙ୍କ ଅପାରଗତାକୁ ଦାୟୀ କରୁଥିଲୁ । ସରକାରକୁ କାଠଗଡାରେ ଠିଆ କରେଇ ଏ ସରକାର ଦୁର୍ନୀତିଗ୍ରସତ ବୋଲି କହିବାର ସାହସ ନାଗରିକମାନଙ୍କର ରହିଥିଲା । ଜଣେ ଆନ୍ନା ହଜାରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରି ମନମୋହନ ସିଂ ସରକାରର ପତନ ଘଟାଇବାରେ ମୁଖ୍ୟ ଭୂମିକା ନେଇଥିଲେ ।

ତେବେ ଆଜି କାହିଁକି ସବୁ ସ୍ଥିତି ଓଲଟା ହୋଇଯାଇଛି ? ଆଜି ଭାରତର ପଳାତକ, ଠକ ଓ ଆର୍ଥିକ ଅପରାଧୀଙ୍କର ସଂଖ୍ୟା ବହୁତ ଅଧିକ । ନୀରବ ମୋଦୀ, ମେହୁଲ ଚୋକସି, ବିଜୟ ମାଲ୍ୟା, ଯତିନ ମେହେଟା, ଠାକୁର ଦ୍ଵାରକା ଦାସ, ଲଳିତ ମୋଦୀ...ଏମିତି ତାଲିକା ବହୁତ ଲମ୍ବା । ଏମାନେ ସମସ୍ତେ ନରେନ୍ଦ୍ର ମୋଦୀ ସରକାର ସମୟରେ ଆର୍ଥିକ ଘୋଟାଲା କରି ଆରାମରେ ଦେଶରୁ ଖସି ପଳାଇଛନ୍ତି ।

ଧର୍ଷଣ ଏବଂ ଆର୍ଥିକ ଅପରାଧରେ ଜଡିତ ସ୍ଵାମୀ ନିତ୍ୟାନନ୍ଦ ଏଇ ଶାସନ ଅମଳରେ ଦେଶ ଛାଡି ବିଦେଶରେ ଗୋଟେ ନୂଆ ଦେଶ ଗଢିଛି ଓ ଭାରତ ସରକାରଙ୍କ ପାରିବାପାଣିଆକୁ ଉପହାସ କରୁଛି ।

କିରଣ ପଟେଲ ନାମକ ଜଣେ ଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟାଳୟର ଅଧିକାରୀ ବୋଲି କହି Z+ ସୁରକ୍ଷା ବ୍ୟବସ୍ଥା ଉପଭୋଗ କରୁଛି । ଦେଶର ସବୁଠୁ କଡାକଡି ସୁରକ୍ଷା ବ୍ୟବସ୍ଥା ଥିବା କାଶ୍ମୀରର ସେନାବାହିନୀ ଶିବିରକୁ ଏ ଠକ ପଶି ଯାଉଛି ଓ ସେନାର ଅଧିକାରୀ ମାନେ ତାକୁ ସଲାମ ଠୁଙ୍କୁଛନ୍ତି । ଏ ଠକ ସାଙ୍ଗରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀର ପୁଅ ମଧ୍ୟ ସାମିଲ ହେଉଛି ।

ବ୍ରିଜ ଭୂଷଣ ଶରଣ ସିଂ ନାମକ ଜଣେ ମାଫିଆକୁ ବିଜେପି ସରକାର ସାଂସଦ ଓ ଭାରତୀୟ କୁସ୍ତିସଙ୍ଘର ସଭାପତି କରୁଛନ୍ତି । ସେ ଲୋକ ଟେଲିଭିଜନ କ୍ୟାମେରା ଆଗରେ ନିଜକୁ ଜଣେ ହତ୍ୟାକାରୀ ବୋଲି ପରିଚୟ ଦେଉଛି । ଦେଶର ପ୍ରମୁଖ ଅଲିମ୍ପିକ୍ସ ବିଜେତା ସେ ଲୋକ ବିରୋଧରେ ଆନ୍ଦୋଳନ କରିବା ସତ୍ତ୍ୱେ ନରେନ୍ଦ୍ର ମୋଦୀ ସରକାର ତାକୁ ସୁରକ୍ଷା ଦେଉଛନ୍ତି । ଖେଳାଳିଙ୍କୁ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗ କୁ ସରକାର ଓ ଦିଲ୍ଲୀ ପୁଲିସ ଛାପି ଦେବାର ଉଦ୍ୟମ କରୁଛନ୍ତି ।

ଏବେ ଆଉ ଜଣେ ଠକ ଉତ୍ତର ପ୍ରଦେଶ ପୁଲିସ ଦ୍ଵାରା ଧାରା ପଡିଛି । ତା ନାଁ- ସଞ୍ଜୟ ରାୟ ଶେରପୁରିଆ । ଏ ବାବୁ ନିଜକୁ ପ୍ରଧାନମନ୍ତ୍ରୀଙ୍କ ଖାସ ଲୋକ କହି କୋଟି କୋଟି ଟଙ୍କା ଠକି ନେଇଛି । କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଦେଇଛି । ସିବିଆଇରୁ ଖସେଇ ଦେବ ବୋଲି ବହୁ ଲୋକଙ୍କଠାରୁ ପଇସା ଖାଇ ଯାଇଛି । ଏ ଲୋକ ପୁଣି ନରେନ୍ଦ୍ର ମୋଦୀଙ୍କ ଉପରେ ବହି ଲେଖିଛି । ବହିର ନାଁ- “ଦିବ୍ୟ ଦୃଷ୍ଟି ମୋଦୀ”।   

ଆଉ ଜଣେ ଠକ ଏବେ ବିଜେପିର ଅତି ପ୍ରିୟ ଲୋକ ପାଲଟିଛି । ତା ନାଁ- ସୁକେଶ ଚନ୍ଦ୍ରଶେଖର। ଜେଲ ଭିତରେ ଥାଇ ସେ ସାକ୍ଷାତ୍କାର ଦେଉଛି । ବିଜେପି ନେତାଙ୍କ ତରଫରୁ ସେ ଆମ ଆଦମୀ ପାର୍ଟି ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ଓ ବିଜେପି ତାର ପ୍ରଚାର କରୁଛି ।

ଠକମାନଙ୍କର ଏ ଲାମ୍ବା ତାଲିକା ଦେଖି ଆମେ ଆଉ ବିଚଳିତ ହେଉନୁ । ଏହା ସରକାରର ଭ୍ରଷ୍ଟାଚର ବୋଲି ଆଉ କେହି କହୁନାହାନ୍ତି । ଖୋଦ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଠକେଇ ହେଉଛି- ହେଲେ କେହି କିଛି ଜାଣି ପାରୁନାହାନ୍ତି । କାଶ୍ମୀରରେ ଏବେ ଭ୍ରଷ୍ଟାଚାରୀଙ୍କର ସାମ୍ରାଜ୍ୟ ଚାଲିଛି । ପୂର୍ବତନ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସ୍ପଷ୍ଟ ଭାବରେ ପୂର୍ବତନ ବିଜେପି ସାଧାରଣ ସମ୍ପାଦକ ରାମ ମାଧବ, ପୂର୍ବତନ ଅର୍ଥମନ୍ତ୍ରୀ ହସୀବ ଡ୍ରାବୁ ନାଁ ରେ ଅଭିଯୋଗ କରିଛନ୍ତି ।

ହେଲେ ଏ ସରକାର ଭ୍ରଷ୍ଟାଚାର ପ୍ରତି ବେଶ ଉଦାର । ଭ୍ରଷ୍ଟାଚାରୀ ଓ ଠକଙ୍କ ପ୍ରତି ନରେନ୍ଦ୍ର ମୋଦୀ ସରକାରର ବିଶେଷ ଅନୁଗ୍ରହ ଓ ଅନୁକମ୍ପା ରହିଛି । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଲୋକେ ଏହାକୁ ନେଇ ନୀରବ ହୋଇ ବସିଛନ୍ତି ।