ଆତିକ୍ ର ହତ୍ୟାକାରୀ ପଛରେ କିଏ ?

ଆତିକ୍ ର ହତ୍ୟାକାରୀ ପଛରେ କିଏ ?

ପୂର୍ବତନ ସାଂସଦ ଓ ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦ ଓ ତା’ ସାନଭାଇ ଆସରଫ୍‌ଙ୍କୁ ଟିଭି କ୍ୟାମେରା ସମ୍ମୁଖରେ ରାତି ୧୦ଟା ବେଳେ ହସ୍ପିଟାଲ୍ କ୍ୟାମ୍ପସ୍‌ରେ ଯେଉଁ ତିନିଜଣ ଗୁଳି ଚଳାଇ ହତ୍ୟା କଲେ ସେମାନେ ସଂଗେ ସଂଗେ ‘ଜୟ ଶ୍ରୀରାମ’ ଧ୍ୱନୀ ଦେଇ ଆତ୍ମସମର୍ପଣ କଲେ । ମାତ୍ର ୪୪ ସେକେଣ୍ଡ ଭିତରେ ହାତବନ୍ଧା ହୋଇଥିବା ଦୁଇ ଗ୍ୟାଙ୍ଗଷ୍ଟର ଉପରକୁ ୧୪ ରାଉଣ୍ଡ ଗୁଳି ଏହି ସନ୍ଦିଗ୍ଧ ହତ୍ୟାକାରୀମାନେ ଚଳାଇଥିଲେ । ସେମାନେ ସେଠାରୁ ଦୌଡ଼ି ପଳାଇଯିବା ପାଇଁ କୌଣସି ଉଦ୍ୟମ ନକରି ଆତ୍ମସମର୍ପଣ କରିବା ଓ ସେମାନଙ୍କୁ ପୋଲିସ ସାମାନ୍ୟ ମଧ୍ୟ ଆଘାତ ନକରିବା ପଛରେ କିଛି କାରଣ ଥିବା ଜଣାପଡୁଥିଲା ।

ଏହି ହତ୍ୟାକାରୀମାନେ ହେଲେ ଲଭନେଶ୍ ତିୱାରୀ, ବୟସ ମାତ୍ର ୨୩, ସନ୍ନି ସିଂହ-ବୟସ ୨୪ ଏବଂ ଅରୁଣ ମୌର୍ଯ୍ୟ-ବୟସ ୨୫ଙ୍କ ସଂପର୍କରେ ଯେଉଁ ତଥ୍ୟ ହସ୍ତଗତ ହୋଇଛି ସେଥିରୁ ଜଣାପଡିଛି ଯେ ସେମାନେ ଗରିବ ଘରର ପିଲାମାନେ । ୩ଜଣଯାକ ଉତ୍ତରପ୍ରଦେଶର ତିନୋଟି ଭିନ୍ନ ଜିଲ୍ଲାର ବାସିନ୍ଦା । ସେମାନେ ଅସାମାଜିକ ବା ଛୋଟ ଧରଣର ଗଣ୍ଡଗୋଳରେ ଲିପ୍ତ ଥିଲେ ମଧ୍ୟ ବଡ଼ଧରଣର କୌଣସି ଅପରାଧ ସେମାନେ କରିନଥିଲେ । କିନ୍ତୁ ଏହି ଗରିବ ଘରର ପିଲା ଉତ୍ତରପ୍ରଦେଶର ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଆସି ପ୍ରୟାଗରାଜରେ ଗୋଟିଏ ହୋଟେଲ୍‌ରେ ରହିବା ଏବଂ ସେମାନଙ୍କ ହାତରେ ତିନୋଟି ୫ରୁ ୭ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ପିସ୍ତଲ ରହିବା ପଛରେ ଏକ ବଡ଼ ଶକ୍ତି, ଯାହାଙ୍କର ସରକାର ଓ ପୋଲିସ ବ୍ୟବସ୍ଥା ସହିତ ସଂପର୍କ ଅଛି ବୋଲି ଅନୁମାନ କରାଯାଉଛି ।

କାରଣ ଏହି ତିନିଜଣ ଆଗୁଆ କିପରି ଜାଣିଲେ ଯେ ଆତିକ୍ ଓ ତା’ସାନଭାଇଙ୍କୁ ରାତି ୧୦ଟାରେ ଡାକ୍ତରୀମାଇନା ପାଇଁ ହସ୍ପିଟାଲକୁ ନିଆଯାଉଛି ବୋଲି? ସେହି ସ୍ଥାନକୁ ସାମ୍ବାଦିକମାନଙ୍କୁ ଡକାଯାଇଥିବାରୁ ଏହି ତିନିଜଣ ସାମ୍ବାଦିକ କାର୍ଡ ସହିତ ଦାମିକା କ୍ୟାମେରା ସହିତ ସେଠାରେ ପହଞ୍ôଚବା ଓ କେହି ସେମାନଙ୍କୁ ସନ୍ଦେହ ନକରିବା ଆହୁରି ବିସ୍ମୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଗୋଟିଏ ଗଣମାଧ୍ୟମକୁ କହିଛନ୍ତି ଯେ ସଂପୃକ୍ତ ସନ୍ଦିଗ୍ଧ ଯୁବକମାନେ ଏକ ପୋଲିସ ଗାଡ଼ିରେ ଆସି ଘଟଣାର କିଛି ସମୟ ପୂର୍ବରୁ ପହଞ୍ôଚଥିଲେ । କିନ୍ତୁ ସେମାନେ ସାମ୍ବାଦିକ ଭାବରେ ଆତିକ୍ ଓ ଆସରଫ୍‌ଙ୍କୁ ସାମ୍ବାଦିକମାନେ ଘେରି ପ୍ରଶ୍ନ ପଚାରିବା ସମୟରେ ସିଧା ଆସି ପକେଟ୍‌ରେ ରଖିଥିବା ପିସ୍ତଲରୁ ପ୍ରଥମେ ଆତିକ୍ ଓ ସାଙ୍ଗେ ସାଙ୍ଗେ ସାନଭାଇକୁ ଗୁଳି ଚଳାଇଥିଲେ ।


ଆତିକ୍ ଓ ତାଙ୍କ ସାନଭାଇଙ୍କୁ ରାତିରେ ଡାକ୍ତରୀମାଇନା କରିବାର କୌଣସି ଆବଶ୍ୟକତା ନଥିଲେ ମଧ୍ୟ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇ କ୍ୟାମ୍ପସ୍ ବାହାରେ ଗାଡ଼ି ରଖି ପାଦରେ ଚଲାଇ ହସ୍ପିଟାଲକୁ ନିଆଯିବା ସମୟରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏପରିକି ସେହି ଡାକ୍ତରଖାନାର ପ୍ରମୁଖ ଡାକ୍ତରମାନେ ମଧ୍ୟ ରାତିରେ ଆତିକ୍ ଓ ତାଙ୍କ ସାନଭାଇ ଡାକ୍ତରୀମାଇନାକୁ ଆସୁଥିବା ଘଟଣାର କୌଣସି ଆଗୁଆ ସୂଚନା ମଧ୍ୟ ପାଇନଥିଲେ । ଏହି ତିନିଜଣ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଦରଖାସ୍ତ ମଧ୍ୟ ଦେଇନଥିଲା । ଯଦିଓ ପୋଲିସ ଘେର ଭିତରେ ଆତିକ୍ ଓ ତା’ସାନଭାଇଙ୍କୁ ଅଦାଲତର ସୁରକ୍ଷା ନିର୍ଦ୍ଦେଶ ସତ୍ତ୍ୱେ ବାହାରୁ ତିନିଜଣ ବ୍ୟକ୍ତି ଗୁଳିକରିବା ଘଟଣା ସାରା ଦେଶର ପୋଲିସ ଇତିହାସରେ ଏକ ନୂଆ ଅଧ୍ୟାୟ । ଏପରି ଘଟଣାରେ ସନ୍ଦିଗ୍ଧ ହତ୍ୟାକାରୀମାନଙ୍କୁ ପୋଲିସ ରିମାଣ୍ଡରେ ନେଇ ସେମାନେ କିପରି ପ୍ରୟାଗରାଜକୁ ଆସିଲେ ଓ ସେମାନଙ୍କୁ ଏହି ଅତ୍ୟାଧୁନିକ ପିସ୍ତଲ କିଏ ଯୋଗାଇଲେ ଓ ସେମାନଙ୍କ ସମସ୍ତ ବ୍ୟୟ କିଏ ବହୁନ କରୁଥିଲା, ସେ ସବୁ ବିଷୟ ପୋଲିସ ରିମାଣ୍ଡରେ ଆଣିବା ପରେ ଜଣାପଡିଥାନ୍ତା । କିନ୍ତୁ ପୋଲିସ ସେଥିପାଇଁ କୌଣସି ଉଦ୍ୟମ ନକରି ଫଳରେ ସେମାନଙ୍କୁ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ । ଏବେ ସେହି ତିନିଜଣଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରୟାଗରାଜର ନୟିନୀ ଜେଲ୍‌ରୁ ପ୍ରତାପଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି ।


ଏହି ତିନିଜଣ ସନ୍ଦିଗ୍ଧ ହତ୍ୟାକାରୀଙ୍କ ନାମରେ ଛୋଟଛୋଟ ଅପରାଧ ଘଟଣା ଥିଲେ ମଧ୍ୟ ସେମାନେ ମିଳିତ ଭାବରେ କେବେ କୌଣସି ଠାରେ ଅପରାଧ କରିନାହାନ୍ତି । ଏବେ ପ୍ରଶ୍ନ ଉଠୁଛି, ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଥିବା ଏହି ଗରିବ ଶ୍ରେଣୀର ପିଲାମାନଙ୍କୁ କିଏ, କିପରି ଏକଜୁଟ୍ କରି ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ପ୍ରବର୍ତ୍ତାଇଲା? ଏହି ତିନିଜଣ ଯୁବକ ପୂର୍ବରୁ ଏଥିପାଇଁ ଯୋଜନା କରିଥିଲେ ନା ସେମାନଙ୍କ ପାଇଁ ଆଉ କିଏ ଯୋଜନା କରି ଏକ ଅସ୍ତ୍ର ଭାବରେ ସେମାନଙ୍କୁ ବ୍ୟବହାର କରିଛନ୍ତି, ତାହା ଏବେବି ଅସ୍ପଷ୍ଟ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ବାନ୍ଦା ଜିଲ୍ଲାର ଲାଭଲେଶ ତିୱାରୀ ଓ ମୋହିତ ଆଲିୟାସ ସନ୍ନି ଯିଏକି ହମିରପୁର ଜିଲ୍ଲାର ସେମାନେ ପରସ୍ପରକୁ ୨୦୨୧ରେ ପ୍ରଥମେ ବାନ୍ଦା ଜେଲ୍‌ରେ ଭେଟିଥିଲେ । ଲାଭଲେଶ୍ ପକ୍‌ସୋ ଆଇନ୍‌ରେ ଅଭିଯୁକ୍ତ ହୋଇ ଜେଲ୍‌କୁ ଆସିଥିବା ବେଳେ ମୋହିତ ଆର୍ମସ୍ ଆକ୍ଟର ଏକ ଧାରାରେ ଅଭିଯୁକ୍ତ ହୋଇ ଆସିଥିଲା । ସେମାନେ ଜାମିନରୁ ମୁକ୍ତ ହେବା ପରେ ପ୍ରୟାଗରାଜରେ ଆସି ପହଞ୍ଚିଥିଲେ । ସେହି ସ୍ଥାନରେ ସେମାନେ ତୃତୀୟ ଆସାମୀ କୁହାଯାଉଥିବା ଅରୁଣ ମୌର୍ଯ୍ୟକୁ ଭେଟିଥିଲେ । ଅରୁଣ ମୌର୍ଯ୍ୟ ଗୋଟିଏ ରେଷ୍ଟ୍ରୁରାଂଟରେ କାମ କରୁଥିଲା । କିନ୍ତୁ ଜଣାପଡିନାହିଁ ଜେଲ୍‌ରୁ ଜାମିନରେ ଖସିଲା ପରେ ଲାଭଲେଶ୍ ଓ ମୋହିତ କାହିଁକି ଓ କାହା ଇଙ୍ଗିତରେ ପ୍ରୟାଗରାଜ ଆସିଥିଲେ ଓ କିଏ ସେମାନଙ୍କୁ ଅରୁଣ ମୌର୍ଯ୍ୟଙ୍କ ସହିତ ସାକ୍ଷାତ କରାଇଥିଲା ।

ଏଥିରୁ ସ୍ପଷ୍ଟ ଜଣାପଡୁଛି, ଏହି ଅପରାଧ ପଛରେ କେହି ଏକ ବଡ଼ଶକ୍ତି କାମ କରୁଛି ଓ ସେହି ଶକ୍ତି ଆତିକ୍ ଓ ତା’ଭାଇର ମୃତ୍ୟୁ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ବ୍ୟକ୍ତିର ଯୋଜନା ଅନୁସାରେ ୩ଜଣଯାକ ସନ୍ଦିଗ୍ଧ କାମ କରିଛନ୍ତି ଓ ସେମାନଙ୍କୁ ମୂଲ୍ୟବାନ ପିସ୍ତଲ ଯୋଗାଇବା ସହିତ ଯୋଗାଯୋଗ ଓ ଆର୍ôଥକ ସମ୍ବଳ ପ୍ରଦାନ କରିଛନ୍ତି । ଜେଲ୍‌ରୁ ଜାମିନ୍ ପାଇବା ପରେ ମୋହିତ ଓ ଲାଭଲେଶ୍ ଦିଲ୍ଲୀ ଯାଇଥିଲେ । ଆହୁରି ମଧ୍ୟ ଜଣାପଡିଛି ଯେ ଅରୁଣ ମୌର୍ଯ୍ୟ ଏକ ଛୋଟିଆ ଅପରାଧରେ ପାନିପଥ ଜେଲ୍‌ରେ ସମୟ କାଟିଛି । ମୋହିତ ବିରୋଧରେ ପ୍ରାୟ ୧୨ଟି ମାମଲା ଥିବାବେଳେ ଦ୍ୱାଦଶ ପାଶ୍ କରିଥିବା ଲାଭଲେଶ୍ ବିରୋଧରେ ୪ଟି ମାମଲା ଅଛି । ସେ ଜଣେ ନିଶାଶକ୍ତ ବୋଲି ଜଣାପଡିଛି । ଅସଲକଥା ହେଉଛି ଗରିବ ଶ୍ରେଣୀର ଏହି ଆସାମୀମାନେ ୫/୭ଲକ୍ଷ ଟଙ୍କା ମୂଲ୍ୟର ପିସ୍ତଲ ଯୋଗାଡ଼ କରିବା, ଯେଉଁ ପିସ୍ତଲ କି ଭାରତରେ ଅବୈଧ ଓ ଦେଶରେ କେବେ କୌଣସି ଅପରାଧରେ ବ୍ୟବହୃତ ହୋଇନାହିଁ, ଏଗୁଡ଼ିକ କିଏ ଏହି ସନ୍ଦିଗ୍ଧ ଅପରାଧୀଙ୍କୁ ଯୋଗାଇଦେଲା?

ବାସ୍ତବିକ ଜୟ ଶ୍ରୀରାମ ଧ୍ୱନୀ ଦେଇ ପୋଲିସର ପରୋକ୍ଷ ସହଯୋଗରେ କାମ ଶେଷ କରିଥିବା ଏହି ତିନିଜଣ ଅପରାଧୀଙ୍କ ସଂକ୍ରାନ୍ତରେ ସମସ୍ତ ବିଷୟ ଅବଗତ ହୋଇ କାହା ଇଙ୍ଗିତରେ ଓ କାହା ଯୋଜନାରେ ସେମାନେ ଏପରି ଆଚରଣ କରିଛନ୍ତି ତା’ର ସତ୍ୟାସତ୍ୟ ପଦାକୁ ଆସିବା ନେଇ ଘୋର ସନ୍ଦେହ ରହିଛି । ଯଦିଓ ଉତ୍ତରପ୍ରଦେଶ ସରକାର ଏଥିପାଇଁ ଏକ ନ୍ୟାୟିକ କମିଶନ ଗଠନ କରିଛନ୍ତି, କିନ୍ତୁ ଏହି କମିଶନ ସତ୍ୟାସତ୍ୟ ପ୍ରକାଶ କରିବ ବୋଲି କେହି ଭାବୁନାହାନ୍ତି । ଅସଲକଥା ହେଉଛି ଯେଉଁ ସୁପ୍ରିମକୋର୍ଟ ଗତମାସରେ ଆତିକ୍ ନିଜର ଜୀବନ ପ୍ରତି ବିପଦ ନେଇ ଅଭିଯୋଗ କରିବା ସମୟରେ ସେ ପୋଲିସ ହେପାଜତରେ ଥିବାରୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେବ ବୋଲି କହି ଦରଖାସ୍ତକୁ ଅଗ୍ରାହ୍ୟ କରିଦେଇଥିଲେ ଏବେ ସେହି ଅଦାଲତ ଏହାକୁ ନିଜଆଡୁ ଏକ ମାମଲା ଭାବେ ଗ୍ରହଣ କରି ପ୍ରକୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିବେ କି? ଜାତୀୟ ମାନବାଧିକାର କମିଶନ ନିଜଆଡୁ ଗତ ଶନିବାର ଠାରୁ ଏହି ମାମଲା ହାତକୁ ନେବାକଥା । କିନ୍ତୁ ସେମାନଙ୍କ ନିରବତା ମଧ୍ୟ ସେହିସବୁ ସଂସ୍ଥାର ସାମ୍ବିଧାନିକ ଦାୟିତ୍ୱ ପ୍ରତି ଉତ୍ତରଦାୟିତ୍ୱ ନେଇ ପ୍ରଶ୍ନ ସୃଷ୍ଟି କରିଛି ।