ଛ' ପଟ ଲାଲ ଶଙ୍ଖା
ମହାରାଷ୍ଟ୍ରର ସହର ପୁନେ।
ଏଠାରେ ଅନେକ ଐତିହାସିକ ଚୁକ୍ତି ହୋଇଛି ।
ମାତ୍ର ଏଇଠି ଏହି ଚୁକ୍ତିଟି ଆଦୌ ଐତିହାସିକ ନୁହଁ। ଇତିହାସର ପାଠ୍ୟକ୍ରମରେ ବି ଏହା ରହିବାର ନାହିଁ।କହିବାକୁ ଗଲେ ଏହା ଗୋଟିଏ ନିହାତି ସାଧାରଣ ଲୋକର ଏକ ଅସାଧାରଣ ଘଟଣା ସହ ସଂପୃକ୍ତି ର କଥା। ଆମେ ଯେତେବେଳେ କୌଣସି ସଂପୃକ୍ତିର କଥା କହୁ ସେତେବେଳେ ଆମେ ସେହି ସଂପୃକ୍ତି ଠାରୁ ସହଜରେ ଯଦି ଖସି ଯାଉ ତାହାହେଲେ ଦେଖାଯିବ ଯେ ତାହା ପରେ ଆମକୁ ଆଉ କୌଣସି ପାପବୋଧ ଆକ୍ରାନ୍ତ କରୁନାହିଁ । ମାତ୍ର କାହା ସହିତ କିଛି ଚୁକ୍ତି କଲେ ତାହା ସହିତ ସଂଭାବ୍ୟ ଚୁକ୍ତିଭଂଗ ର ପାପବୋଧ ଆମର ନୈତିକତାକୁ ଆଘାତ ଦେବା ଭଳି ପ୍ରସ୍ତୁତି ସହ ଆଢୁଆଳରେ ରହିଥାଏ । ତେଣୁ ଚୁକ୍ତି ହେଉଛି ସବୁବେଳେ ସଂପର୍କକୁ ପରିଭାଷିତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଶବ୍ଦ ।
ଜଣେ ଇତିହାସର ଛାତ୍ର ଅର୍ଥାତ୍ ସମସ୍ତ ଘଟଣା ପଛରେ ନିହିତ ବିବର୍ତ୍ତନକୁ ବୁଝିବା ଭଳି ଆଗ୍ରହ ରଖୁଥିବା ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ ଦେଶ ,କାଳ ଆଉ ପାତ୍ର
ପ୍ରସଂଗରେ ଇତିହାସ ସଂପୃକ୍ତି କୁ ଏକ ସଂପର୍କ-ଚୁକ୍ତି ବୋଲି ବିଚାର କରିବା ସେମିତି ବଡ ଦୋଷାବହ କଥା ହେବ ନାହିଁ।
ଏମିତିରେ କହିଲେ ଇତିହାସ ର କାଳ ଆଉ ଘଟଣାକୁ କେହି ବଦଳାଇ ପାରିବ ନାହିଁ।ଯିଏ ଯେତେ ଶକ୍ତିଶାଳୀ ହେଉ ପଛକେ ସିଏ ନିଜ କାଳଖଣ୍ଡରେ ରାଜୁତି କରିପାରେ ନିଜ କ୍ଷମତାର ଝଲମଲ ଜରି ପୋଷାକ ପିନ୍ଧି,ଶହ ଶହ ଚୁଙ୍ଗା ଦେଶ ସାରା ଫିଟିଙ୍ଗ୍ କରି ନିଜ ମିଛକଥାକୁ ଶହ ଶହ ଥର ସେ ଏକା ପ୍ରଥମଥର ସତ କହୁଛି ବୋଲି କହି ପ୍ରଭାବୀ ବିଶ୍ୱାସ ଟିଏ ନିର୍ମାଣ କରି ଏବଂ ଅନୁଗତ ଲସ୍କର ମାନଙ୍କର ତଲବାର ର ଶାଣ ମାର୍ଫତରେ ନିଜ ବେଲୁନ୍ ରେ ସେ ଯେତେ ପବନ ଭର୍ତ୍ତି କରି ବାଆପାଣି ଖାଇ ଫୁଲୁଥାଉ ପଛକେ ସେ ଇତିହାସ ଆଗରେ ଅସହାୟ। ଅସହାୟ କହିବାର ଅର୍ଥ ହେଉଛି ସେହି ମହାମେଘବାହନ ଜଣକ ଇତିହାସ ର ଘଟିଯାଇଥିବା ଘଟଣା ପ୍ରବାହ କୁ ବଦଳେଇପାରିବା ଭଳି ତ୍ରିକାଳେଶ୍ୱର ନୁହଁ।ସେ କେବଳ ଇତିହାସକୁ ପୁନର୍ଲିଖନ କରିପାରେ।କିଛି ନିର୍ଦ୍ଦିଷ୍ଟ ବଛା ଘଟଣାକୁ ତାହାର ସାମଗ୍ରିକତାରୁ ତୋଳି ଆଣି ନିଜ ପାଇଁ ଆଗ ଐତିହାସିକ ଉତ୍ତରାଧିକାର ର ଯୋଗ୍ୟତମ ପ୍ରତିନିଧିତ୍ବ ର ଫୁଲହାର ଟିଏ ଗୁନ୍ଥି ବସେ।ନିଜ କାଳଖଣ୍ଡରେ ସେ "ମୁଁ"ଟିକୁ ସେହି ପୌରାଣିକ "ବାବେଲ ର ସ୍ତମ୍ଭ" ସଦୃଶ ଉଚ୍ଚତାକୁ ବା ତାହାଠାରୁ ବି ଅଧିକ ସ୍ତର କୁ ନେଇପାରେ।ଇତିହାସ ଆଉ ପୁରାଣକୁ ଏକାଠି କକଟେଲ୍ କି ମକଟେଲ୍ କରି ନିଜର ଯଥାର୍ଥକୁ ଆଉ ଗ୍ରହଣଯୋଗ୍ୟତାକୁ ସୁସ୍ୱାଦୁ ଇତିହାସ ହିସାବରେ ପରିବେଷଣ କରିପାରେ।ଆମ ସାମଗ୍ରିକ ଚେତନାରେ ପୌରାଣିକ କାହାଣୀ ଆଉ ଚରିତ୍ର ମାନେ ଆମର "ଖାଲି ସିଲଟ" ବା "ଟାବୁଲା ରସା" ସମୟରୁ ଆମ ମୁଣ୍ଡରେ ଖେଳା-ଲୀଳା କରି ଆସୁଛନ୍ତି।ପଛନ୍ତେ ଯଦି କୌଣସି ପ୍ରାପ୍ତ ବୟସ୍କ ବିଚାର ବୋଧ ସେହି ଚରିତ୍ରକୁ ସଂଦେହ କଲା ତେବେ ସେମାନଙ୍କର ବାମ-ରତି ହେଲା ବୋଲି ପ୍ରଚାରତନ୍ତ୍ରରେ କହିପାରେ। ଫଳରେ ସୃଜନଶୀଳ ସଂଦେହ ବନାମ ସଂପୂର୍ଣ୍ଣ ସମର୍ପଣ-ଭିତ୍ତିକ ବିଶ୍ୱାସ ଏକ ଆଇଡୋଲୋଜିକାଲ ୱାର୍ ରେ ପରିଣତ ହୋଇଯାଏ।ଏବଂ ସମର୍ପଣ ଭିତ୍ତିକ ବିଶ୍ବାସ କୁ ପ୍ରତିଷ୍ଠିତ କରିବାକୁ ହେଲେ ଇତିହାସର ପୁରାଣ-କରଣ ଓ ପୁରାଣର ଇତିହାସ-କରଣ ଜଣେ ଶାସକର ପ୍ରାଥମିକ ଅପରିହାର୍ଯ୍ଯ ଆବଶ୍ୟକତା। ଏହି ପ୍ରସଙ୍ଗ ରେ ପ୍ରସିଦ୍ଧ ପରୀ-କାହାଣୀର ଲେଖକ ହାନସ୍ ଆଣ୍ଡରସନ୍ ଙ୍କର ଗୋଟିଏ କଥା କୁ ନିଆଯାଇପାରେ।ସେ କହିଥିଲେ ,ପିଲାଟିଏ ଜନ୍ମ ହେଲାପରେ ତାହାର ପ୍ରଥମ ପାର୍ଥୀବ ହସଟି ହଜାର ଖଣ୍ଡର ଟୁକୁଡାରେ ବିଛାଡି ହୋଇ ପଡେ।ସେହି ହଜାର ଟୁକୁଡାରୁ ହଜାର ପରୀ ବାହାରି ଆସି ପିଲାଟିକୁ ଘେରି ବସିଥାନ୍ତି ସର୍ବଦା।ପରେ ପିଲାଟିର ବୟସ ବଢିବା ସହ ଯେତେବେଳେ ସେ ନିଜେ ସେହି ପରୀର ଅସ୍ତିତ୍ୱ କୁ ସଂଦେହ କରିବାକୁ ଆରମ୍ଭ କରେ ସେତେବେଳେ ଗୋଟିକ ପରେ ଗୋଟିଏ ପରୀ ଆମର ବତ୍ରିଶ-ସିଂହାସନର ପିତୁଳାଙ୍କ ଭଳି ଗୋଟିକ ପରେ ଗୋଟିଏ ମିଳାଇ ଯାଆନ୍ତି।ପରେ ଶରୀରର ଆବଶ୍ୟକତା ପାଇଁ ପରୀମାନେ ପ୍ରାପ୍ତବୟସ୍କ ହୋଇଯାଆନ୍ତି।ଏବେ ଆମଭଳି ବୃଦ୍ଧ ମାନଙ୍କ ପାଇଁ ପରୀମାନେ କେବଳ ଶ୍ୱେତାମ୍ବରୀ,ମୃତ୍ୟୁ। କହିବାକୁ ଗଲେ ପରୀ-କାହାଣୀର ଏଇଭଳି ବିବର୍ତ୍ତନ ର ଦୁର୍ଦ୍ଦଶା ଘଟିଛି କେବଳ ସନ୍ଦେହ ଯୋଗୁ।ତେଣୁ ପରୀ କି ପୁରାଣ କି ଇତିହାସ-ପୁରାଣ ସମସ୍ତଙ୍କ ଉପରେ ଗଭୀର ବିଶ୍ୱାସ ରାଜା ପ୍ରତି ଏକନିଷ୍ଠ ସମର୍ପଣ ର ପ୍ରାଥମିକ ପର୍ଯ୍ୟାୟ।ସେଇଥିପାଇଁ " ମହତୀ ଦେବତା" ମାନେ "ନର ରୂପେଣ ତିଷ୍ଠତି" ବୋଲି ରାଜା ମାନଙ୍କର ବିଷୟରେ କୁହାଯାଇଛି।କହିବା ବାହୁଲ୍ୟ ଦେବତା ମାନେ ସଂସ୍କୃତ ର ବ୍ୟାକରଣ ଦୃଷ୍ଟିରୁ ସ୍ତ୍ରୀ-ଲିଙ୍ଗ।ଦେବତା ମାନଙ୍କ ଭଳି ରାଜା ମାନେ ସନ୍ଦେହକୁ ପସନ୍ଦ କରନ୍ତି ନାହିଁ।ସାମାନ୍ଯତମ ସଂଦେହ ରେ ଜଣେ ଧର୍ମଦ୍ରୋହୀ ବା ରାଷ୍ଟ୍ରଦ୍ରୋହୀ ହୋଇ କକର୍ଥନା ଭୋଗିଥାଏ।
କଥା ହେଉ ଥିଲା ଶାସକର ଇତିହାସ ପ୍ରସଙ୍ଗରେ ଅସହାୟତାବୋଧ ବିଷୟରେ।
ଶାସକ କେବଳ ନିଜ କାଳଖଣ୍ଡର ନିରଙ୍କୁଶ ଭୂମ୍ୟାଧୀପତି।ତାହାର ଆଗର ଘଟଣାକ୍ରମ ଓ ପଛର ଫଳଶ୍ରୁତି କେବେହେଲେ ତାହାର ନିୟନ୍ତ୍ରଣ ରେ ନଥାନ୍ତି ଯଦିଓ ସମସ୍ତ କାଳକୁ ନିଜର କବଳରେ ରଖିବା ପାଇଁ ତାହାର ଅନନ୍ତ ଲୋଭ। "ମୋ ପରେ ପ୍ରଳୟ ବୋଲି ଯେତେ ହୁଙ୍କାର ଛାଡିଲେ ବି ସେଇ ପ୍ରଳୟର ଚିହ୍ନ ବର୍ଣ୍ଣ ନଥାଏ କେଉଁଠି।
ସବୁ ରାଜା ମାନେ ଅଂକକଷା ଅଭିନେତା।
ରାଜା ଯେମିତି ଇତିହାସ ପଢେ, ପ୍ରଜାଙ୍କୁ ସେଇମିତି ଇତିହାସ ପଢାଇବାକୁ ଚାହେଁ।କିନ୍ତୁ ପ୍ରଜାଏ ନିଜ ବାଗରେ ଯେଉଁ ଇତିହାସ ପଢିବାକୁ ଆରମ୍ଭ କରନ୍ତି ତାହା ରାଜାର କେବେହେଲେ ପସନ୍ଦ ନୁହଁ।ଅବଶ୍ଯ ପ୍ରଜା ମାନଙ୍କର ଭିତରେ ଦଳେ ଚାରଣ କବି ଥାଆନ୍ତି।ସେମାନଙ୍କର ଇତିହାସ ପଢା ଭାରି ବିଚିତ୍ର।ସେମାନେ ରାଜାଟିଏ ଦେଖିଲେ ତାହାପାଖକୁ ଆଗ ଭିଡିଯିବେ।ଇତିହାସରୁ ବାଛି ବାଛି ସୁନ୍ଦର କଥାମାନଙ୍କୁ ପଦରେ ଫାନ୍ଦି ରଜାକୁ ଶୁଣାଇବା ଫିକରରେ ଥିବେ।ରଜା ଯଦି ଥରେ ଶୁଣିଗଲା ତ ସେମାନଙ୍କର କଚେ ପୁଅ ବାର।କୁଣ୍ଡଳ ଆଉ ପାଟଯଥା ଥୟ ବୋଲି ଜାଣ।
ସେ ଯାହା ହେଉ ରଜା ବା ପ୍ରଜା ଯେଉଁ ପ୍ରକାର ର ଇତିହାସ ପଢିଥାନ୍ତି ତାହାକୁ ସମସାମୟିକ ଇତିହାସ ବୋଲି କୁହାଯାଏ।ଏମିତିରେ ଇତିହାସବିତ୍ ମାନେ ଇତିହାସ କୁ ସମସାମୟିକ ଇତିହାସ ବୋଲି କହିଥାନ୍ତି।"ଅଲ୍ ହିଷ୍ଟୋରି ଇଜ୍ କଣ୍ଟେମ୍ପରାରି ହିଷ୍ଟୋରି"।ସବୁ ଇତିହାସକୁ ସମସାମୟିକ ଇତିହାସ ବୋଲି କହିବାର ଅର୍ଥ ହେଉଛି ଆମେ ଯେତେବେଳେ କୌଣସି ସମୟର ଇତିହାସ କୁ ପଢୁ ସେତେବେଳେ ଆମର ବର୍ତ୍ତମାନ ରେ ସେଇ ସମୟର ପ୍ରାସଂଗିକତା ଅଛି ବୋଲି ପଢିଥାଉ।ନହେଲେ ଆମର ଇତିହାସ ବା ବିତିଯାଇଥିବା ଘଟଣାବଳୀ କୁ ପଢିବାର ସେମିତି କ'ଣ ଆବଶ୍ଯକତା ଅଛି ? ଆମ ପାଖରେ ପଢିବା ପାଇଁ ଢେର୍ ଗପ କବିତା ଆଉ ପୁରାଣ ତ ରହିଛି,ତାହା ବାଦ୍ ଆଉ ଇତିହାସ କାହିଁକି ?ଇତିହାସ କୁ ନିଜର ପ୍ରାସଂଗିକତା କୁ ବୁଝିବା ପାଇଁ ପଢାଯାଏ।
ଆମର ଇତିହାସ ବୋଧ ଟି ଆମର ପ୍ରାସଙ୍ଗିକତା ବୋଧ ସହ ଜଡିତ।
ପୁନେ ର ଗୋଟିଏ ବଂଦୀଶାଳା ର କଥା ଏଥର ।
ବର୍ତ୍ତମାନ ଯଦି ଭାରତର ଅଧିକାଂଶଙ୍କୁ ବିଶେଷ କରି ତରୁଣ ପ୍ରଜନ୍ମ କୁ ପଚରାଯାଏ ଯେ ପୁନେ ସହରକୁ ନେଇ ତମ ମନରେ ପ୍ରଥମେ ଯେଉଁ ଶବ୍ଦଟି ଆସୁଛି ତାହା କ'ଣ ହେବ? ଅଧିକାଂଶଙ୍କ ସ୍ୱତଃସ୍ଫୃର୍ତ୍ତ ଉତ୍ତର ହୁଏତ ମରାଠା(ଇତିହାସ) ବା ଶନିବାରୱାଡା(ସଂଜୟ ଲୀଳା ଙ୍କର "ବାଜିରାଓ ମସ୍ତାନୀ") ନହୋଇ ହେବ ୟେରୱାଡା।ୟେରୱାଡା ଏକ ବଂଦୀଶାଳ। ନିକଟରେ ଅଭିନେତା ସଂଜୟ ଦତ୍ତ ସେହି ବଂଦୀଶାଳକୁ ଯିବା ଆସିବାର ଧାରାବାହିକ ଧାରାବିବରଣୀ ଦେଖିବା ପରେ ସେ ସେଇଠୁ ମୁକୁଳିବା ର କଥା ଆମେ ଚର୍ମ-ଚକ୍ଷୁରେ ଦେଖିଛୁ।ତାହାପରଠାରୁ ୟେରୱାଡା ବୋଲି ସେଇ ବନ୍ଦୀଶାଳଟି ଆମ କଳ୍ପଲୋକ କୁ ଆବୋରି ବସିଛି।ତାହାପରେ ଆମେ ଇତିହାସରୁ ପଢିଲୁ ଯେ ସେଇଠେ ଆଗରୁ ଅଟକ ହୋଇ ରହିଥିଲେ ଆମର ପ୍ରିୟ ମହାତ୍ମା ଗାନ୍ଧୀ ,ଯେତେବେଳେ ଗୋରା ସରକାର ଅନୁଭବ କରୁଥିଲା ଯେ ମହାତ୍ମା ଗାନ୍ଧୀଙ୍କ ସ୍ୱାଭାବିକ ମୁକ୍ତ ବିଚରଣ ଭାରତସାରା ଦୁଷ୍ପ୍ରଭାବ ପକାଉଛି,ଠିକ୍ ସେତିକିବେଳେ।
ଏଠାରେ ୟେରୱାଡାର ସେହି ପ୍ରସିଦ୍ଧ ବଂଦୀଶାଳର କଥା କୁହାହେଉ ନାହିଁ।କୁହା ହେବ ପୁନେର ପ୍ରସିଦ୍ଧ ଆଉ ଏକ ପ୍ରସିଦ୍ଧ ଐତିହାସିକ ବଂଦୀଶାଳ ଆଗା ଖାନ୍ ପ୍ୟାଲେସ୍ ର କଥା।
ଆଗା ଖାନ୍ ପ୍ୟାଲେସ୍ ରେ ଅଟକ ହୋଇଥିଲେ ଗାନ୍ଧିଜୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି।ସନ ୧୯୪୨ ଖ୍ରୀ:ଅ: ରୁ ୧୯୪୪ ପର୍ଯ୍ୟନ୍ତ ଏଇଠାରେ ରହିବାକୁ ପଡିଥିଲା ଗାନ୍ଧିଜୀ,କସ୍ତୁରବା,ଭାରତର ନାଇଟିଙ୍ଗେଲ୍ ବୋଲି ଖ୍ୟାତ ସରୋଜିନୀ ନାଇଡୁ ଓ ଗାନ୍ଧିଜୀଙ୍କ ସଚୀବ ମହାଦେବ ଦେଶାଈ ଙ୍କୁ।
ଅଟକ ରହିଥିବା ଅବସ୍ଥାରେ ମହାଦେବ ଦେଶାଈ ଏଇଠାରେ ୧୫ ଅଗଷ୍ଟ ୧୯୪୨ ରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କରି ସମାଧୀ ଏଇଠେ ଅଛି।
ପରେ କସ୍ତୁରବା ଫେବୃଆରୀ ୨୨ ତାରିଖ ୧୯୪୪ ଏଇ ସ୍ଥାନରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କର ସମାଧୀ ବି ଏଇଠେ ଅଛି।
ଉଲ୍ଲେଖ ଯୋଗ୍ୟ କଥା ହେଲା ସଚିବ ମହାଦେବ ଦେଶାଇ ଓ କସ୍ତୁରବା ଙ୍କ ସମାଧି ଏକାଠି ରହିଛି। ଦେଖିବାକୁ ଆମର ତୁଳସୀ ଚଉଁରା ଭଳି ଆଉ ଦୁଇଟି ଯାକ ଚଉଁରା ସମାନ ଉଚ୍ଚ ଆଉ ସମାନ ରଂଗ।ଖାଲି ସେଥିରେ ଲେଖା ହୋଇଥିବା ନାଁଆଟି ମାନ ଅଲଗା। ଏହାଠାରୁ ଟିକିଏ ଦୂରରେ ଗାନ୍ଧିଜୀଙ୍କ ଦେହାବଶେଷ କୁ ରଖାଯାଇ ସେହିଭଳି ସମାନ ଉଚ୍ଚତାର ଚଉଁରା ଟି ରେ ତାଙ୍କର ସମାଧି ବି କରାଯାଇଛି।
ଏଇ ପ୍ରସଂଗରେ ମନକୁ ଆସିଲା ରାଜଘାଟରେ ଗାନ୍ଧିଜୀଙ୍କ ସୁଦୃଶ୍ୟ ଓ ବହୁ ପରିଚିତ ଅଭିଜାତ ସମାଧି ମଣ୍ଡପ ।ତାହା ତୁଳନା ରେ କସ୍ତୁରବା ଙ୍କ ସ୍ଵାତନ୍ତ୍ର୍ୟହୀନ ନୀରବ ଓ ମହାଦେବ ଦେଶାଇ ସହିତ ଭାଗ କରିଥିବା ସମାଧୀ।
ପ୍ରତ୍ଯେକ ବିଶିଷ୍ଟ ବ୍ୟକ୍ତିଟି ପଛରେ ଯେଉଁ ନାରୀଟି ଥାଏ ସେ ସବୁକାଳ ଅବହେଳିତା।ଇତିହାସ ସବୁ ସମୟରେ ବିଜୟୀର ପକ୍ଷଧର ଆଉ ପୁରୁଷର ବି।ପୁରୁଷ ଦୃଷ୍ଟିରେ ଲେଖା ଇତିହାସ ଆମକୁ ପରଷା ଯାଇଛି ସବୁବେଳେ।
ଏଇ ଦୁଇଟି ସମାଧିକୁ ତୁଳନା କରି ପରିବର୍ତ୍ତି ନିଷ୍କର୍ଷ ଆପଣ ମାନଙ୍କର ନିଜର।
ଆଗା ଖାଁ ପାଲେସ୍ କୁ ଦେଖିଲା ବେଳେ ବିଶେଷ ଭାବରେ ସେଇ ପ୍ରକୋଷ୍ଠ ଯେଉଁଠି କସ୍ତୁରବା ଙ୍କ ଦେହାବସାନ ଘଟିଥିଲା ସେଇ ପ୍ରକୋଷ୍ଠର ଜାଲି କବାଟ ବାହାରେ ଜଣେ ପର୍ଯ୍ୟଟକ ହିସାବରେ ଠିଆହୋଇଥିବା ବେଳେ ଉପସ୍ଥିତ ଲେଖକର କାନରେ ବାଜୁଥିଲା ସେଦିନର ସେଇ କଥାବାର୍ତ୍ତା।
- ନା,ନା,ତା'ପାଇଁ ପେନସିଲିନ୍ ,ଏହା ଠିକ୍ ନୁହଁ,ଏହାର ଖରାପ ପ୍ରଭାବ ଅଛି।
- ମାତ୍ର ସାର୍ ,ଏଇଟା ନିମୋନିଆ ? ବା' ଙ୍କ ଟେମ୍ପରେଚର୍ ଆଦୌ ତଳକୁ ଆସୁନି । ତାଙ୍କର ଶରୀର ଆଉ ଅଧିକ ଏହାକୁ ସହି ପାରିବ ନାହିଁ।ଏହା ଜୀବନନାଶକ ହୋଇପାରେ !
- ସେ ବରଂ ଚାଲିଯାଉ । ଏତେ କଷ୍ଟ ନ ସହୁ। ପ୍ରକୃତି ତାହାର ନିଜର ବାଟରେ ଯାଉ ।
ଏହା ମହାତ୍ମା ଗାନ୍ଧୀ ଆଉ କସ୍ତୁରବାଙ୍କ ଚିକିତ୍ସକଙ୍କ ଭିତରେ ଏଇଭଳି ବାର୍ତ୍ତାଳାପ ହୁଏତ ହୋଇଥିଲା। ଏଇଟି ହେଉଛି ସେଇସମୟର କଥା ଯେତେବେଳେ ପେନସିଲିନ୍ ଆଉ ତାହାର ବ୍ୟବହାରକୁ ନେଇ ଜନତା ଭିତରେ ଯଥେଷ୍ଟ ଆଶଙ୍କା ରହିଥିଲା।ଗାନ୍ଧିଜୀ ସେଇଭଳି ଜଣେ ଥିଲେ ଯାହାଙ୍କ ଧାରଣାରେ ପେନସିଲିନ୍ ରୋଗୀର ଯନ୍ତ୍ରଣାକୁ ବହୁଗୁଣିତ କରିଦିଏ ବୋଲି ଦୃଢ ଧାରଣା ଥିଲା। କସ୍ତୁରବା ଅନେକ ଦିନ ହେଲା କଷ୍ଟ ଭୋଗୁଥିଲେ ତେଣୁ ଗାନ୍ଧିଜୀ ମନେ କରୁଥିଲେ ଯେ,ସ୍ୱାଭାବିକ ଭାବରେ ଯାହା ଘଟିବାକୁ ଯାଉଛି ତାହା ଘଟୁ ,ପେନସିଲିନ୍ ର ପ୍ରୟୋଗରେ ବା'ଙ୍କର ଯନ୍ତ୍ରଣାକୁ ଅସ୍ୱାଭାବିକ ଭାବରେ ଦୀର୍ଘତର କରିବାର ପକ୍ଷରେ ନଥିଲେ ବାପୁ।
ସେ ସମୟର ବିଶ୍ୱାସକୁ ଆଜିର ମାପକାଠିରେ ଦେଖିବା ଆଦୌ ଉଚିତ ହେବନାହିଁ ।
ଚିକିତ୍ସକ ଜଣକ ଯେତେବେଳେ ଆଉ କିଛି କହିପାରିଲେ ନାହିଁ,ବିଶେଷ ଭାବରେ ଗାନ୍ଧିଜୀଙ୍କ ଭଳି ଏକ ସମକାଳ ର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଙ୍କ ସହିତ ତାଙ୍କର ସାମ୍ନାରେ ତାଙ୍କର ପସନ୍ଦ ହେଉ ନଥିବା କଥା କହିବା ଭଳି ସାମର୍ଥ୍ୟ କାହାର ଥିଲା ଯେ ସେ ନିଜ କଥାକୁ ଜୋର୍ ଦେଇ କହିପାରିଥାନ୍ତେ ! ସେତେବେଳେ ସାମ୍ନାକୁ ଆସେ ପୁଅ ଦେବଦାସ । ଦେବଦାସ ଅନୁନୟ କରି କହେ,ମାଆର ଏଇଟି ହେଉଛି ଶେଷ ଭରସା ।
ବାପୁ ତାହାକୁ ବୁଝାଇବା ଭଳି ଗଳାରେ ଦୃଢ ଭାବରେ କହନ୍ତି,ନା ନା,ଏହା ତାହାର କଷ୍ଟକୁ କେବଳ ବଢେଇ ଚାଲିବ। ଆଉ ତାହାକୁ ଅଧିକ କଷ୍ଟ ଦିଅନାହିଁ । ତାହାକୁ ଏଥର ଶାନ୍ତିରେ ଯିବାକୁ ଦିଅ ।
ଆମକୁ ମନେ ରଖିବାକୁ ହେବ ଯେ,ଜଣେ ସ୍ୱାମୀ ଏମିତି କହୁଛି। ନିଜର ଦୀର୍ଘଦିନର ଅନ୍ତରଂଗ ସହଯାତ୍ରିଣୀକୁ ଏଇଭଳି ବିଦାୟ ଦେବା ପାଇଁ ଏକ ପ୍ରସ୍ତୁତ ହୋଇଯାଇଥିବା ପତିର ଦେଖାଯାଉଥିବା ସମସ୍ତ ଆପାତ ଦୃଢତାର ପଛରେ ଯେଉଁ ଅକୁହା କାରୁଣ୍ୟଟି ରହିଥିଲା ତାହାକୁ ଆମର ଦେଖିବା ର ପ୍ରୟୋଜନ ରହିଅଛି।
ଦେବଦାସ ଙ୍କ ପରେ କାହାର ଆଉ କିଛି କହିବାର ନଥିଲା । କେବଳ ଅପେକ୍ଷା କହିବାକୁ ହୋଇଥିଲା,ସେଇ ଅଘଟଣକୁ।
ସେଦିନ ଥାଏ ପବିତ୍ର ମହାଶିବରାତ୍ରୀ। ୨୨ ଫେବ୍ରୁଆରି ୧୯୪୪ ମସିହା। ସଂଧ୍ୟା ଛଅଟା।
କସ୍ତୁରବାଙ୍କର ସେତିକିବେଳେ ଦେହାବସାନ ଘଟିଥିଲା ।
ଏକଥା ଆଜିକାର ସମସ୍ତ ଗାନ୍ଧୀଦ୍ରୋହି ମାନଙ୍କର ମୁଖରୋଚକ ତଥ୍ୟ ହୋଇପାରେ ଯେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ତୃତୀୟ ପତ୍ନୀ ଥିଲେ କସ୍ତୁରବା। କସ୍ତୁରବା କାପାଡିଆଙ୍କୁ ବିବାହ କରିବା ପୂର୍ବରୁ ମୋହନଦାସଙ୍କର ଲାଗ ଲାଗ ଦୁଇଟି ପତ୍ନୀ ସ୍ୱର୍ଗ ବାସୀ ହୋଇଥିଲେ। ସେହି ଦୁଇ ସ୍ୱର୍ଗବାସୀ ଙ୍କର ବୟସ ସେତେବେଳକୁ ଛ'ମାସରୁ କମ୍। କେହି ଗୁରୁଣ୍ଡି ଜାଣିନଥିଲେ ।
କସ୍ତୁରବା ଙ୍କ ସହିତ ଗାନ୍ଧିଜୀଙ୍କ ଦାମ୍ପତ୍ୟ ସଂପର୍କ ର କାଳ ଛଅ ଦଶନ୍ଧିର ।
ବିଦାୟ ବା, ପ୍ରିୟତମା ମୋର ।
ଗାନ୍ଧିଜୀଙ୍କ କଂଠରୁ ଏହିଭଳି ଗୋଟିଏ ସଦ୍ୟ ପତ୍ନୀହରା ସ୍ୱାମୀର ଗଳା ସହିତ ଆମେ ମାନେ ଅନେକ ପରିମାଣରେ ଅପରିଚିତ । ଏଇ ଭଳି ଅପରିଚିତ ହୋଇ ରହିବା ଆମର ଏକ ଐତିହାସିକ ଦୁର୍ଭାଗ୍ୟ । ଜଣେ ନାୟକର ସାଧାରଣପଣକୁ ତାହାର ଇତିହାସର ଆଟୋପ ଭିତରୁ ଖୋଜିବା ଲୋଡିବାରେ ଆମର ଚିରକାଳ ଅନାଗ୍ରହ। ଆମର ବିଚାରରେ ସେମିତି କରିପାରିଲେ ହୁଏତ ଆମର ନାୟକର ଯେଉଁ ଇତିହାସ-ସ୍ଥାପିତ ପ୍ରତିମାନଟି ରହିଛି ତାହା ଯେମିତି ଘଡିକରେ ଚୁରମାର ହୋଇଯିବ।
ଆଗା ଖାଁ ପାଲେସ୍ ର ପରିସରରେ ତାହାପରଦିନ ଅର୍ଥାତ୍ ୨୩ ଫେବ୍ରୁଆରୀ ୧୯୪୪ ଦିନ କସ୍ତୁରବାଙ୍କ ଚିତା ପ୍ରସ୍ତୁତ ହୋଇଥିଲା। ଚନ୍ଦନ କାଠ ଆଉ ଘିଅର ନିଆଁରେ ପ୍ରଜ୍ଜଳିତ ଏଇ ଚିତାରୁ ଯେଉଁ ଗନ୍ଧ ଆସୁଥାଏ ତାହା ଗାନ୍ଧିଜୀଙ୍କ ଶ୍ୱାସରୋଗ ପାଇଁ ସେମିତି ଭଲ ନୁହଁ ବୋଲି ସମସ୍ତେ ବିଚାର କରି ଗାନ୍ଧିଜୀଙ୍କୁ ସେଇ ଜଳନ୍ତା ନିଆଁଠାରୁ ଅଧିକ ଦୂରକୁ ଯାଇ ବସିବା ପାଇଁ ଅନୁରୋଧ କରୁଥାନ୍ତି। ଗାନ୍ଧିଜୀ କିନ୍ତୁ କସ୍ତୁରବାଙ୍କ ଚିତାର ଅତି ନିକଟରେ ବସିଥିଲେ ।
"ତମେ ସବୁ କହୁଚ ଯେ,ମୁଁ ତାହାକୁ ଛାଡି ଏଇଠୁ ଯିବି କେମିତି ? ସେ ମୋତେ କେବେ ମାଫ୍ କରିବ ନାହିଁ ?"
ତାହାପରେ ଗାନ୍ଧିଜୀଙ୍କର ସେଇଠି ପ୍ରଥମଥର ହାଉଁ ହାଉଁ କରି ଉଚ୍ଚସ୍ୱରରେ କାନ୍ଦିବା ଭଳି କଥା ହୁଏତ ଆମମାନଙ୍କର ବିଶ୍ୱାସ ଯୋଗ୍ୟ ହେବନାହିଁ । ଠିକ୍ ସେହିପରି କସ୍ତୁରବାଙ୍କର ଚିତା ଜଳିବାର ଚବିଶ ଘଣ୍ଟା ପରେ ରଇ ଶିତଳ କରିବା ବେଳେ ସେଇ ଚିତାଭସ୍ମ ଭିତରୁ ବାହାରି ଥିବା ଛ'ପଟ ଲାଲ ଶଂଖା ଗାନ୍ଧିଜୀଙ୍କ ପ୍ରିୟତମ ବସ୍ତୁ ର ତାଲିକାରେ ଆଦୌ ରହିବ ନାହିଁ ।
କସ୍ତୁର ବିନା ମୋର ସ୍ଥିତି ନାହିଁ ।
ଏମିତି କହିଥିଲେ ସେ।
ଇତିହାସର ଜିଜ୍ଞାଷୁ ଏଇ ଛାତ୍ର,ଏଇ ଉପସ୍ଥିତ ଲେଖକ ଆଗା ଖାଁ ପାଲେସ୍ ର ପରିସରରେ କାହିଁକି କେଜାଣି ସେଦିନ ସେ ଚିହ୍ନା ଜଣା ଆଉ କାହାକୁ ଆଦୌ ଦେଖିପାରି ନଥିଲା। ସେ ଦେଖିଥିଲା ସେଇଠି କେବଳ ରହିଛି ଗୋଟିଏ ଜେଲଖାନା ଆଉ ସେଇ ଜେଲଖାନାର ଭିତରେ ବସିଛନ୍ତି ଜଣେ ବୁଢା । ପାଖରେ ତାଙ୍କର ରହିଛି ଖଣ୍ଡିଏ ବାଡି ଆଉ ହାତରେ ସେ ଧରିଛନ୍ତି ଲାଲ୍ ରଙ୍ଗର ଛ'ପଟ ଶଂଖା।
ଇତିହାସର ଗାନ୍ଧୀମାନେ କ'ଣ ଏମିତି ଦିଶନ୍ତି ? ଦିଶିପାରନ୍ତି ?