କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ : ଅଫିସରମାନେ ଡକାୟତ !!

କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ : ଅଫିସରମାନେ ଡକାୟତ !!

କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ବାରା ନିଯୁକ୍ତି ପାଉଥିବା ପ୍ରାୟ ସର୍ବ ଭାରତୀୟ ସେବାର ଅଧିକାରୀ ମାନେ ଜଣେ ଜଣେ ଡକାୟତ-ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ। ମନ୍ତ୍ରୀ ଯାହା କହୁଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ। ୟୁପିଏସସି ଦ୍ବାରା ନିଯୁକ୍ତି ପ୍ରାପ୍ତ ଅଧିକାରୀ ମାନେ ଦେଶର କାର୍ଯ୍ୟପାଳିକାର ମୁଖ୍ୟ କାର୍ଯ୍ୟନିର୍ବାହୀ । ଏମାନଙ୍କ ହାତରେ ଦେଶର ଆଇନ ଓ ସମ୍ବିଧାନ କାମ କରେ ।

 

  • ଏହି ଅଧିକାରୀ ମାନେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ଇତ୍ୟାଦି ବଡ଼ ପଦବୀରେ ବସନ୍ତି ।
  • ଏହା ବ୍ୟତୀତ ଦେଶର ରେଭେନ୍ୟୁ, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, ଅଡିଟ୍, ଆୟକର ଏବଂ ଅବକାରୀ ବିଭାଗ ଇତ୍ୟାଦିରେ ଏହି ଅଧିକାରୀମାନେ ନିଯୁକ୍ତି ପାଆନ୍ତି ।
  • ମୋଟାମୋଟି ୟୁପିଏସସି ଦ୍ବାରା ନିଯୁକ୍ତି ପ୍ରାପ୍ତ ଅଧିକାରୀ ମାନେ ହିଁ ଦେଶ ନିର୍ମାଣ କରିଥାନ୍ତି ।

 

ଏହି ସବୁ ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଡକାୟତ ବୋଲି ମନ୍ତ୍ରୀ କହିବା ପରେ, ସରକାର ପ୍ରତି ମନ୍ତ୍ରୀଙ୍କର ଆସ୍ଥା ନଥିବା ସ୍ପଷ୍ଟ ହୋଇଯାଇଛି। ମନ୍ତ୍ରୀଙ୍କ ସବୁ ଅଧିକାରୀ ଯଦି ଡକାୟତ ତା'ହେଲେ ସରକାର ସେମାନଙ୍କୁ ରଖିଛନ୍ତି କାହିଁକି? ଡକାୟତଙ୍କ ସହାୟତାରେ ସରକାର ଚାଲିଛି ବୋଲି ଖୋଦ୍ ମୋଦୀ ସରକାରର ମନ୍ତ୍ରୀ କହୁଛନ୍ତି । ଏହା ଏକପ୍ରକାର ସାମ୍ବିଧାନିକ ସଙ୍କଟ ନୁହେଁ କି ?

ମନ୍ତ୍ରୀଙ୍କ ଜିଭରୁ ଏକଥା ଭୁଲରେ ଖସିଯାଇଛି ବୋଲି କହିବା ଉଚିତ ହେବ ନାହିଁ। ମନ୍ତ୍ରୀ ଅତି ବିସ୍ତୃତ ଭାବରେ ସର୍ବଭାରତୀୟ ସେବାର ଅଧିକାରୀମାନେ କେମିତି ଡକାୟତି କରି ଲୋକଙ୍କୁ ଲୁଟୁଛନ୍ତି, ତାର ବର୍ଣ୍ଣନା କରିଛନ୍ତି । କୁକୁଡ଼ା ଚୋରୀ କଲେ ଲୋକ ଜେଲ୍ ଯାଉଛନ୍ତି, ହେଲେ ପାହାଡ଼ ଚୋରୀ କରି ଅଫିସରମାନେ ଆରାମରେ ଅଛନ୍ତି।‌ ବାଲିଆପାଳ ଠାରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ନିଜ ବିଭାଗର ଅଧିକାରୀମାନଙ୍କୁ ଯେଉଁ "ସମ୍ମାନ" ଦେଇଛନ୍ତି, ତାହା ବିଜେପିକୁ ବଡ ଅସୁବିଧାରେ ପକେଇବ।‌

 

ମନ୍ତ୍ରୀଙ୍କ ସିଧାସଳଖ ଇଙ୍ଗିତ ହେଉଛି –

  • ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ଅଧିକାରୀମାନେ ଚୋରୀ କରୁଛନ୍ତି
  • ସେମାନେ ବଡଲୋକ, ତେଣୁ ଆଇନ ତାଙ୍କ ପାଖରେ ପହଞ୍ଚି ପାରୁନାହିଁ
  • ସବୁ ଅଧିକାରୀ ଯଦିଓ ଡକାୟତ ନୁହନ୍ତି, ତେବେ ସଂଖ୍ୟାଧିକ ଅଧିକାରୀ ଏହି ଶ୍ରେଣୀର
  • ପାହାଡ ଚୋରୀ କଥା ଉଠାଇ ମନ୍ତ୍ରୀ ବୋଧହୁଏ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ଅଧିକାରୀମାନଙ୍କୁ ଖଣି ମାଫିଆ ବୋଲି କହିବାକୁ ଚାହୁଁଛନ୍ତି

ଏହି ଅଭିଯୋଗ କୌଣସି ବିରୋଧୀଦଳ ନେତା ବା ସାଧାରଣ ଜନତା କରୁନାହାନ୍ତି ଏ ଅଭିଯୋଗ ଆନୁଛନ୍ତି ନରେନ୍ଦ୍ର ମୋଦୀ ସରକାରର ଜଣେ ମନ୍ତ୍ରୀ ତେଣୁ ଏ କଥାକୁ ଆଦୌ ହାଲୁକା ଭାବରେ ନିଆଯାଇପାରିବା ନାଇଁ । ଏ ପ୍ରସଙ୍ଗରେ ଦେଶର ଅଧିକାରୀମାନଙ୍କର ଯେଉଁ ସଂଘ ରହିଛି, ସେମାନେ ଏହାର ଉତ୍ତର ରଖିବା ଉଚିତ ନଚେତ ସେମାନେ ମନ୍ତ୍ରୀଙ୍କ ଅଭିଯୋଗକୁ ମାନି ନିଜକୁ ଡକାୟତ ବୋଲି ଘୋଷଣା କରିବା ଉଚିତ ହେବ ।