ନବୀନ ମନ୍ତ୍ରୀମଣ୍ଡଳ: ମୁଖବିହୀନ ମୁଖା କେବଳ

ନବୀନ ମନ୍ତ୍ରୀମଣ୍ଡଳ: ମୁଖବିହୀନ ମୁଖା କେବଳ

ଆଜି ହଠାତ ଖବର ଆସିଲା, ରୋହିତ ପୂଜାରୀଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦା କରିଦେଲେ । ଏ ଖବର ଶୁଣି ମୋ ପାଖରେ ଥିବା ଜଣେ ବନ୍ଧୁ କହିଲେ- ରୋହିତ ପୂଜାରୀ ମନ୍ତ୍ରୀ ଥିଲେ କି ?

ବାସ୍ତବରେ ଆମ ରାଜ୍ୟର ଅଧିକାଂଶ ଲୋକ ଜାଣନ୍ତି ନାହିଁ, ଆମ ରାଜ୍ୟର ମନ୍ତ୍ରୀ ସବୁ କିଏ !

  

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଥିଲେ। ତିନି ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହିତ ଦୁଇ ଜଣ ପୁରୁଣା ମନ୍ତ୍ରୀଙ୍କୁ ବିଦା କରାଯାଇଥିଲା। ସମ୍ପ୍ରସାରଣ ପ୍ରକ୍ରିୟାର ଅଳ୍ପ ଦିନ ପରେ ଆଜି ପୁଣି ମନ୍ତ୍ରୀ ମଣ୍ଡଳରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବାଦ୍ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କର କାମକୁ ସମୀକ୍ଷା କରି ସବୁଠୁ ଦୁର୍ବଳ ପ୍ରଦର୍ଶନ କରିଥିବା ରୋହିତ ପୂଜାରୀଙ୍କୁ ବିଦା କରିଛନ୍ତି ବୋଲି କୁହାଯାଉଛି।

 

ଯଦି ଏ‌ହା ସତ ହୋଇଥାଏ ଏହା ସାଙ୍ଘାତିକ ଭାବରେ ଏକ ଅସାମ୍ବିଧାନିକ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ମନ୍ତ୍ରୀ ମଣ୍ଡଳ ଗଠନ କରିବାର କ୍ଷମତା ପାଇଛନ୍ତି। ହେଲେ ମନ୍ତ୍ରୀ ମଣ୍ଡଳର ସାମୁହିକ ଦାୟିତ୍ଵ ରହିଛି। ମନ୍ତ୍ରୀ କୌଣସି ବିଭାଗୀୟ ନିଯୁକ୍ତି ପ୍ରାପ୍ତ ଅଧିକାରୀ ନୁହନ୍ତି। ଜଣେ ମନ୍ତ୍ରୀ ବିଫଳ ହେଲେ, ଏହା ତାଙ୍କର ବ୍ୟକ୍ତିଗତ ବିଫଳତା ନୁହେଁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା ମନ୍ତ୍ରୀମଣ୍ଡଳ ଉତ୍ତରଦାୟୀ ହେବାକୁ ବାଧ୍ୟ। ଦୁର୍ବଳ କାମ ପାଇଁ ଯଦି ସତରେ ମନ୍ତ୍ରୀଙ୍କୁ ବିଦା କରାଯାଇଥାଏ, ଏହା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବିଫଳତା ଭାବରେ ପରିଗଣିତ ହେବ!!

ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଂରଚନା ଏବଂ ଉତ୍ତର ଦାୟିତ୍ଵର ଏକ ସାମ୍ବିଧାନିକ ପ୍ରକ୍ରିୟା ରହିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀ ମଣ୍ଡଳର ସାମୁହିକ ଦାୟିତ୍ଵ ବା କଲେକ୍ଟିଭ୍ ରେସପନ୍ସିବିଲିଟି ରହିଛି। ମନ୍ତ୍ରୀମଣ୍ଡଳରେ କେହି କାହାର ଅଧସ୍ତନ ନୁହନ୍ତି। ତେବେ ସାମ୍ବିଧାନିକ ପ୍ରକ୍ରିୟା ଓ ବାସ୍ତବତା ଭିତରେ ଏବେ ଦୂରତା ବଢ଼ି ଚାଲିଛି। ସଂସଦୀୟ ଗଣତନ୍ତ୍ର ବଦଳରେ ଆମେ ରାଷ୍ଟ୍ରମୁଖ୍ୟ ଭିତ୍ତିକ ଗଣତନ୍ତ୍ର ଭାବରେ କାମ କରିବା ଆରମ୍ଭ କରି ସାରିଛୁ। ଏବେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ହାତରେ ସବୁ କ୍ଷମତା ଠୁଳ ହୋଇ ରହୁଛି। ମନ୍ତ୍ରୀମଣ୍ଡଳ ଆସ୍ତେ ଆସ୍ତେ ପ୍ରାସଙ୍ଗିକତା ହରାଇବା ଆରମ୍ଭ କଲାଣି। ମନ୍ତ୍ରୀ ମାନେ ଏବେ ଆଉ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସମକକ୍ଷ ଏବଂ ସହଯୋଗୀ ନୁହନ୍ତି, ସେମାନେ ସାଧାରଣ ଅମଲାଙ୍କ ପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୟା ଉପରେ ନିର୍ଭର କରନ୍ତି। ଓଡ଼ିଶା କ୍ଷେତ୍ରରେ ଏହା ଅଧିକ ସତ୍ୟ।

ଓଡ଼ିଶାରେ ମନ୍ତ୍ରୀ ମଣ୍ଡଳ କେବଳ ଏକ ଆଳଙ୍କାରିକ ଅନୁଷ୍ଠାନ। ମନ୍ତ୍ରୀ ମାନେ ଏଠି ନାମକୁ ମାତ୍ର ରହିଛନ୍ତି। ସରକାର ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ଚଳାଉଛନ୍ତି। ବାକି ମନ୍ତ୍ରୀ ଓ ତାଙ୍କ ବିଭାଗ କେବଳ ମୁଖ୍ୟମନ୍ତ୍ରୀଙ୍କ କା' ରେ ବା ଛାୟାରେ ଚାଲିଛି। ନିଜ ବିଭାଗର ନିଷ୍ପତ୍ତି ନେବାର ଅଧିକାର ମନ୍ତ୍ରୀମାନଙ୍କର ଅଛି କି-ଏ ପ୍ରଶ୍ନ ପଚାରିଲେ ଆମ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ହାତ ଯୋଡ଼ି କହିବେ, ଆପଣ ଆମକୁ ଅସୁବିଧାରେ କାଇଁ ପକାଉଛନ୍ତି ଆଜ୍ଞା!! ମନ୍ତ୍ରୀଙ୍କ ହାତରେ କ୍ଷମତା ନାହିଁ କି କାମ କରିବାର ସ୍ବାଧିନତା ମଧ୍ୟ ନାହିଁ।‌ ତେଣୁ ଦକ୍ଷତାର ସମୀକ୍ଷା କରି ବେଚାରା ମନ୍ତ୍ରୀଙ୍କୁ ଦଣ୍ଡିତ କରିବା, ଏକ ପ୍ରକାର ହାସ୍ୟାସ୍ପଦ ବ୍ୟାପାର।‌

ଗତ ୨୩ ବର୍ଷ ଭିତରେ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନକୁ ନିଜ ଭାବମୂର୍ତ୍ତି ସୁଧାରିବାର ଏକ ମାଧ୍ୟମ ଭାବରେ ବ୍ୟବହାର କରି ଆସୁଛନ୍ତି। ସରକାର ସ୍ବଛ ଓ ଦକ୍ଷ ବୋଲି ପ୍ରମାଣ ଦେବାକୁ ଯାଇ ନିଜ ରାଜନୈତିକ ସହଯୋଗୀ ମାନଙ୍କୁ ଝଟକା ଦେବାର କଳାରେ ନବୀନ ବେଶ୍ ପାରଙ୍ଗମ। କାମ କରିବାର ଦକ୍ଷତା ଆଧାରରେ ନୁହଁ ବରଂ ରାଜନୈତିକ ଆବଶ୍ୟକତା ଅନୁଯାୟୀ ଅନେକ ପୁରୁଖା ବିଜେଡି ନେତାଙ୍କୁ ନବୀନ ପଟ୍ଟନାୟକ ଅତ୍ୟନ୍ତ ଅପମାନଜନକ ସ୍ଥିତିରେ ବିଦା କରିଛନ୍ତି।

ମନ୍ତ୍ରୀ ମଣ୍ଡଳ ମୂଳତଃ ସମକକ୍ଷ ରାଜନେତାଙ୍କ ଅନୁଷ୍ଠାନ, ହେଲେ ସେ ତତ୍ତ୍ଵ ଏବେ ପୁରୁଣା ହୋଇ ଗଲାଣି। ଆଜିର ମନ୍ତ୍ରୀ ମଣ୍ଡଳ କେବଳ "ୟେସ୍ ମିନିଷ୍ଟର୍" ମାନଙ୍କର ଏକ ଅମେରୁଦଣ୍ଡୀ ଅନୁଷ୍ଠାନ। ତେଣୁ ଏଥିରେ କିଏ ଆସିଲେ ବା ଗଲେ, କାହାର କିଛି ଭାବିବାର ନାହିଁ!!!