ବିଛଣାରେ ସ୍ଵପ୍ନଦୀପ୍
ଅସଜଡ଼ା ବିଛଣା ଉପରେ
ଶୋଇ ଶୋଇ ଅଭ୍ୟସ୍ତ ହୋଇ ଉଠିଥିବା ଦେହ
ବେଳେବେଳେ ହଠାତ୍ ଇଚ୍ଛା କରେ
ଶେଯରେ ମାପଚୁପ କରି
ବିଛାଇ ଦେବାକୁ ଫୁଲପକା ନୂଆ ବେଡସିଟ୍
ବଦଳାଇଦେବାକୁ ପୁରୁଣା ତକିଆର ଖୋଳ
ଚିରାଚରିତ ନିସଂଗତାକୁ ଏଡି
କଳ୍ପନାରେ ହେଉ ପଛକେ
ତମକୁ ଯେ ଥରେ ଡାକିବାକୁ ପଡ଼େ ସ୍ବପ୍ନଦୀପ୍
ମୋର ଏ ଦେହ ଉପରକୁ!
ତୁମ ଦେହ ଆଉ ମୋ ଦେହ ଭିତରେ
ତଫlତ୍ କିଛି ନଥାଏ
ସମାନ ଛାତି,ସମାନ ଲିଙ୍ଗ
ତଥାପି ତୁମ ଦେହ
ମାଗ୍ନୋଲିଆ ପରି ବାସେ;
ସ୍ୱପ୍ନରେ ହେଉ ପଛେ
ତୁମ ଓଠର ନରମ ଛୁଆଁରେ
ଝରିଆସେ ବର୍ଷ ବର୍ଷର ଲାଭାସ୍ରୋତ
ଗଛର ବକ୍କଳ ପରି
ମନ ଆଉ ଦେହର ପରଦା ଯେତେ
ଖୋଲିଯାଏ ପରସ୍ତ ପରସ୍ତ ,
ଥୋପା ଥୋପା ତୁମ ସ୍ଵେଦରେ
ମୋ ବିଛଣାରେ
ଭରିଯାଏ ନାଆଁ ଅଜଣା
କେତେକେତେ ଫୁଲଙ୍କ ମହକ।।
ବ୍ରୀଡ଼ାବର୍ଜିତ ଏ ଅନ୍ଧାର ଭିତରେ
ସ୍ବପ୍ନଦୀପ୍,ତୁମ ଛାତିର ଅରଣ୍ୟେ
ଅନେକ ଦିନ ହେଲା ଆଲୁଅରେ
ଭେଟି ପାରିନଥିବା ସୂର୍ଯ୍ୟକୁ ଭେଟେ
ସାରା ରାତି ଆମେ ଘୋଡ଼ି ହୋଇଥିବା
ପାପର ଚାଦରକୁ ଶୁଖାଇ ଦିଏ
ସେ ବେବାକ୍ ସୂର୍ଯ୍ୟାଲୋକରେ;
ହେଲେ ଅଜାଣତରେ
କଣ ଗୋଟେ ପୁଣି ଥରେ
ବହି ଆସୁଥାଏ କଦୁଷ୍ଣ ଧାରାରେ
ମୋର ଏ ବିଛଣା ଉପରେ।