ଇତିରେ ଜହ୍ନରାତି

ଇତିରେ ଜହ୍ନରାତି

କାହାକୁ ଲେଖନ୍ତି ଗୋଟେ ଚିଠି

ଲେଖନ୍ତି .. ଆଶା ଆକାଶ ପରି କୁଶଳରେ ଥିବ ,

 ମୁଁ କୁହୁଡି ପରିକା ଭଲ ଅଛି ।

 

ନେଳିନେଳି ସମୁଦ୍ର ଭାବୁଥିଲା ତୁମକଥା ,

କହୁଥିଲା ତୁମକୁ କହିବାକୁ ଆସିବାକୁ ଆଉଥରେ ,

ଓଦା ଅଗଣା ଲେଖନ୍ତି

ଲେଖନ୍ତି ଆମ୍ବ ପତ୍ର

ଶୁଖିଲା ବଉଳ ଫୁଲ ,

ବିସ୍ତୀର୍ଣ୍ଣ ଧାନ ବିଲ,

ତା ପଛର କଳାମେଘି ଆକାଶ,

ଛୋଟିଆ କଲଭର୍ଟ ଉପରେ

ଜୀବନକୁ ଆଫ୍ସା ମାରି ବସିଥିବା ବୁଢା

ଲେଖନ୍ତି ତା ପରଳ ମାଡି ଆସୁଥିବା ଆଖିରେ

ତାକୁ ଏଯାଏଁ ବଞ୍ଚେଇ ରଖିଥିବା ଜଣକ ନାଁ ,

ତା ଦୂରକୁ ଚାହିଁବାରେ ଲେଖନ୍ତି ଗୋଟେ

ପରାସ୍ତ ସୂର୍ଯ୍ୟାସ୍ତ ..

ଯାହାର କଅଁଳ ପ୍ରାକସଞ୍ଜରେ ଲୋଟିପଡୁଛି

ସହସ୍ର ବର୍ଷର ଅପେକ୍ଷା ।

 

ଲେଖନ୍ତି ଗୋଟେ ପବନ..

ଯାହା ଖୋଜୁଥାଏ ତା ଆରମ୍ଭ

 

ଯେଉଁଠୁ ସେ ଖସି ଆସି ଓହଳି ପଡିଲା

ମନ୍ଦିର ପାଖ ଚମ୍ପା ଗଛରେ ,

ଲେଖନ୍ତି ସେ ଚମ୍ପା ଗଛ କାନ୍ଦ ..

କାଳେ ପବନ ଫେରିଯିବ ସେଇଠିକୁ

ଯୋଉଠୁ ସେ ଆସିଥିଲା ଦିନେ ।

 

ଲେଖନ୍ତି ଗୋଟେ ଜରାଜୀର୍ଣ୍ଣ ମାଟି ଘର ,

ଲେଖନ୍ତି କାହାକୁ ମୁଁ ବୁଝେଇ

କେମିତି ମାଟି କାନ୍ଥ ଠଣାରେ

କାହିଁ କେତେ ବର୍ଷ ତଳେ ଯେତିକି ଜଳି

ଲିଭିଗଲା ଗୋଟେ ଟିଣ ଡିବି କାହାର ବାସର ରାତିରେ ,

ଠଣା ରେ ଲାଗିରହିଲା ଯେତିକି କଳା ଡିବିର ,

ସେତିକି କଜ୍ଜ୍ୱଳ ରେ ଉଜ୍ଜ୍ବଳି ଗଲା 

କେତେ ଲାଜ କେତେ ରାତିର ଅନ୍ଧାର ।

 

ଲେଖନ୍ତି ଗୋଟେ ବିଦାୟୀ ବାହା କନିଆଁ କାନ୍ଦଣା ,

ଛାତି କୋରିଦେଇ ଯାଉଥିବା ସେ କାନ୍ଦଣା

ଯାହା ମୋ ସବୁ ଗୀତକୁ ଉଡେଇ ଦିଏ ପବନରେ ,

ଲେଖନ୍ତି ଗୋଟେ ନୂଆବୋଉର ଆଖି

 ମନର ମଣିଷ ଦୂରରେ ବୋଲି

ଖରାବେଳେ ଭାତ ସହ ଫୁଟୁଥିବା ତା କୋହ ,

ଲେଖନ୍ତି ଗୋଟେ ଚିଠି

ଯେ ବାସ୍ନା ଥାଏ ସବୁ ଖରାବେଳର , ସଞ୍ଜର

ବାସ୍ନା ଥାଏ ଭଲପାଇବାର

ମିଛ ଅଭିମାନର

ଲେଖନ୍ତି କାହାକୁ

 

ଫୁଲର ଠିକଣାରେ ପ୍ରଜାପତିର ଚିଠି

ଇତି ?

ଇତି ରେ ଆଉ କଣ ଲେଖିବି ?

ଇତିରେ ଜହ୍ନରାତି ।