ଇତିରେ ଜହ୍ନରାତି
କାହାକୁ ଲେଖନ୍ତି ଗୋଟେ ଚିଠି
ଲେଖନ୍ତି .. ଆଶା ଆକାଶ ପରି କୁଶଳରେ ଥିବ ,
ମୁଁ କୁହୁଡି ପରିକା ଭଲ ଅଛି ।
ନେଳିନେଳି ସମୁଦ୍ର ଭାବୁଥିଲା ତୁମକଥା ,
କହୁଥିଲା ତୁମକୁ କହିବାକୁ ଆସିବାକୁ ଆଉଥରେ ,
ଓଦା ଅଗଣା ଲେଖନ୍ତି
ଲେଖନ୍ତି ଆମ୍ବ ପତ୍ର
ଶୁଖିଲା ବଉଳ ଫୁଲ ,
ବିସ୍ତୀର୍ଣ୍ଣ ଧାନ ବିଲ,
ତା ପଛର କଳାମେଘି ଆକାଶ,
ଛୋଟିଆ କଲଭର୍ଟ ଉପରେ
ଜୀବନକୁ ଆଫ୍ସା ମାରି ବସିଥିବା ବୁଢା
ଲେଖନ୍ତି ତା ପରଳ ମାଡି ଆସୁଥିବା ଆଖିରେ
ତାକୁ ଏଯାଏଁ ବଞ୍ଚେଇ ରଖିଥିବା ଜଣକ ନାଁ ,
ତା ଦୂରକୁ ଚାହିଁବାରେ ଲେଖନ୍ତି ଗୋଟେ
ପରାସ୍ତ ସୂର୍ଯ୍ୟାସ୍ତ ..
ଯାହାର କଅଁଳ ପ୍ରାକସଞ୍ଜରେ ଲୋଟିପଡୁଛି
ସହସ୍ର ବର୍ଷର ଅପେକ୍ଷା ।
ଲେଖନ୍ତି ଗୋଟେ ପବନ..
ଯାହା ଖୋଜୁଥାଏ ତା ଆରମ୍ଭ
ଯେଉଁଠୁ ସେ ଖସି ଆସି ଓହଳି ପଡିଲା
ମନ୍ଦିର ପାଖ ଚମ୍ପା ଗଛରେ ,
ଲେଖନ୍ତି ସେ ଚମ୍ପା ଗଛ କାନ୍ଦ ..
କାଳେ ପବନ ଫେରିଯିବ ସେଇଠିକୁ
ଯୋଉଠୁ ସେ ଆସିଥିଲା ଦିନେ ।
ଲେଖନ୍ତି ଗୋଟେ ଜରାଜୀର୍ଣ୍ଣ ମାଟି ଘର ,
ଲେଖନ୍ତି କାହାକୁ ମୁଁ ବୁଝେଇ
କେମିତି ମାଟି କାନ୍ଥ ଠଣାରେ
କାହିଁ କେତେ ବର୍ଷ ତଳେ ଯେତିକି ଜଳି
ଲିଭିଗଲା ଗୋଟେ ଟିଣ ଡିବି କାହାର ବାସର ରାତିରେ ,
ଠଣା ରେ ଲାଗିରହିଲା ଯେତିକି କଳା ଡିବିର ,
ସେତିକି କଜ୍ଜ୍ୱଳ ରେ ଉଜ୍ଜ୍ବଳି ଗଲା
କେତେ ଲାଜ କେତେ ରାତିର ଅନ୍ଧାର ।
ଲେଖନ୍ତି ଗୋଟେ ବିଦାୟୀ ବାହା କନିଆଁ କାନ୍ଦଣା ,
ଛାତି କୋରିଦେଇ ଯାଉଥିବା ସେ କାନ୍ଦଣା
ଯାହା ମୋ ସବୁ ଗୀତକୁ ଉଡେଇ ଦିଏ ପବନରେ ,
ଲେଖନ୍ତି ଗୋଟେ ନୂଆବୋଉର ଆଖି
ମନର ମଣିଷ ଦୂରରେ ବୋଲି
ଖରାବେଳେ ଭାତ ସହ ଫୁଟୁଥିବା ତା କୋହ ,
ଲେଖନ୍ତି ଗୋଟେ ଚିଠି
ଯେ ବାସ୍ନା ଥାଏ ସବୁ ଖରାବେଳର , ସଞ୍ଜର
ବାସ୍ନା ଥାଏ ଭଲପାଇବାର
ମିଛ ଅଭିମାନର
ଲେଖନ୍ତି କାହାକୁ
ଫୁଲର ଠିକଣାରେ ପ୍ରଜାପତିର ଚିଠି
ଇତି ?
ଇତି ରେ ଆଉ କଣ ଲେଖିବି ?
ଇତିରେ ଜହ୍ନରାତି ।