ପ୍ରିୟ ବାପୁଜି !

ପ୍ରିୟ ବାପୁଜି !

ଆପଣ ସିଲେଇ କରୁଥିଲେ ଚପଲ
ହାତରେ
ଆମେ ମଗେଇଆଣୁଚୁ ଆମାଜନ୍ କି ଫ୍ଲିପକାର୍ଟରେ,

ଆପଣ ଅରଟରେ ସୂତାକାଟି ତିଆରୁଥିଲେ ଲୁଗା
ଖଂଡେ ଦି'ଖଂଡ
ଆମେ ଖୋଜୁଚୁ ମଲ୍'ରେ ଜୋଡିଆକ୍ ସାର୍ଟ ପ୍ୟାଣ୍ଟ
ତା ଉପରେ ବ୍ଲେଜର୍ ବା ନେହେରୁ-ମୋଦି ଜାକେଟ୍,

ଆପଣ ଅଂଦିକଂଦି ବୁଲୁଥିଲେ ଦେଶର ପାଦରେ
କଥାବାର୍ତ୍ତା ହେଇହେଇ ଯାଉଥିଲେ ଲୋକଂକ ସ'
ଆମେ ଯାଉଚୁ କାର୍ ଆଉ କପ୍ଟରରେ ବିନା ଆଳାପରେ
ଫଉଜଂକ ଗୋଲେଇ ଭିତରେ କଲାର୍ ସଜାଡ଼ି
ଓହ୍ଲେଇପଡ଼ୁଚୁ ଲୋକ-ସଭାର ଅନତିଦୂରରେ,

ଆପଣ ମତେଇଦଉଥିଲେ ସାଦାକଥାରେ ଦେଶବାସୀଂକୁ
ଏକାଠି କରିଦେଉଥିଲେ ଯୋଉଠିନାଇଁସେଠି
ଆପଣ ନଥାଇ ବି ଥାଉଥିଲା ଆପଣଂକ ନାଆଁ ସବାଆଗରେ;
ଆମେ ତତେଇଦଉଚୁ ପେଟ୍ରୋଲବୋମା ଯୋଗେଇ
ଓ ଲୁଚି ଦେଖୁଚୁ ନିଆଁ,
ବେଳେବେଳେ କାଗଜରେ ତିଆରି ଆମ ଚିତ୍ର ବି
ପୋଡ଼ାଯାଉଚି କେବେ ଚିରାଫଡା କୁତୁକୁତା
ଆମର ଆଦତ୍ ହେଇଗଲାଣି ଏସବୁରେ
ବି ଶାଂତିରେ ହସିବା !

ଆପଣଂକୁ ଛୁଇଁପାରିଲାନି କେବେ ଅଂଧାର
ଆମେ ଆଲୁଅକୁ ପୋଡ଼ି କରିଦଉଚୁ ଅଂଗାର!
ଆପଣଂକ ହାତବାଡ଼ି ଦେଖି
ଲବଣ ସତ୍ୟାଗ୍ରହରେ ଏକଜୁଟ ହେଇଥିଲା ନିର୍ଭୟା ଭାରତ,
ପୋଲିସ୍ ଆଉ ପାଳିତକୁକୁରଂକ ହାତରେ
ବାଡ଼ିଧରେଇ ମଜାନଉଚୁ ଆମେ 
ବୈଷ୍ଣବ-ନାଗରିକଂକ ଦୌଡ଼ ଗଳି ଓ ରାସ୍ତାରେ !

ଖରାପ କହନା,ଶୁଣନା ଓ ଦେଖନାର ତିନି ମାଂକଡ଼ଂକୁ
ଆମେ ରଖିଦେଇଚୁ ସ୍ବତଂତ୍ର କାଚଘରେ
ସେମାନଂକ ବୋପାମାନଂକୁ ଏକାଠିକରୁଚୁ ବିଧାନସଭାରେ
ଆପଣଂକ ବିରାଟ ଫଟୋତଳେ
ଅବଶ୍ୟ, ଆପଣଂକୁ ବିଶେଷ ସମ୍ମାନଜଣେଇ;
ଗୋଟାଏ ଗାଲ ସ' ଦେଖେଇଦିଅଂତି ଆପଣ ଆର ଗାଲ
ଆମେ ଗାଲରୁ କାଢ଼ୁଚୁ ତେଲ
ବେଶି ଗାଲୁମାଲୁକଲେ ପଠେଇଦଉଚୁ ଜେଲ ।

ଦେଶକୁ ଆପଣ ମଣୁଥିଲେ ଶରୀର
ଆମେ କରିଚୁ କାଗଜର ଘର
ଆପଣ କରିଥିଲେ ଆଶ୍ରମ
ଯୋଉଠି କର୍ମ ଇ ଥିଲା ଧର୍ମ,
ଆମେ କରିଚୁ ଶୀତତାପ ନିୟଂତ୍ରିତ ହଲ୍
ଯୋଉଠି ଆରାମ ଇ ଆରାମ
ଚଷମା ଭିତରେ ଆପଣ ଦେଖିପାରୁଥିଲେ
କିଏ କେତେ ସ୍ବଚ୍ଛ
ଭଲପାଇ ତାକୁ ଇ ଆମେ କରିଚୁ ଅସ୍ତ୍ର
ଘର ଥାଉ ଘରେ ଦାଂଡରହୁ ପରିଷ୍କାର
କାଚକଢ଼ା ଫ୍ରେମ୍ ଇ ପ୍ରତୀକ ଆମର !

ଆପଣ ଏକାମାଧିଆ ବାଇଶିଫଳ
ଆମେ ବାଇଶିଫଳରେ ଗୋଟିଏ ଦଳ
ଆପଣ କ୍ଷମାକରଂତି ନାଇଁ ନିଜ ଭୁଲ୍'ରେ
ଆମର ଭୁଲ୍ ଇ ନାଇଁ ଜାତକରେ,
ଭୁଲ୍ ମାର୍ଜନା ପାଇଁ ଆମେ କରିପାରୁ ସହଜରେ
ନୂଆ ଆଇନ ବା ସଂବିଧାନ ସଂସ୍କାର;
ଲୋକଂକ ପାଇଁ ଆପଣ ଯେମିତି
ଆମର ସେମିତି ଆପଣ,କେବଳ ଆମର !

ଆପଣ ମହାନ,ଦେଶ ମହାନ,ଲୋକ ମହାନ-
ତଂଟିପଡ଼ିଗଲାଣି କହିକହି,
କିଏ ଆଜ୍ଞା ଦଉଚି କି ଟୋପାଏ ପାଣି?
ହାତରୁ ଖାଇ ଗୋଡ଼ରୁ ଖାଇ ଚାଲିଚୁ ଆମେ
ଦେଶକୁ ମୁଂଡେଇ,
କାର ଅଛି କି ଟିକେ ଦରଦ?
ସାକ୍ଷୀ ତ ଆପଣ,
କହୁନାହାଂତି ଏ ସାଧାରଣ ଜନସାଧାରଣଂକ ମୂଳରେ
ଆମେ ନଥିଲେ ଥାଆଂତେ ତ ଆପଣ??
**