ଚିଠା
ଚିଠାରେ ନାଁ ନାହିଁ ବୋଲି
ରାଗିଛି ଭୋବନି ସୋଇଁ
କାନ୍ଦୁଛି ଗୁରୁବାରୀ ନାହାକ
ଅଭିମାନ କରିଛି ବିମଳା ମାଇତି
ଛାଟି ବାଡେଇ ହେଉଛି ଦଇତାରୀ
ସରକାରଙ୍କ ପାଖରେ ସିଧା ନାଲିସ କରିବାକୁ
ବାହାରିଛି ଅନନ୍ତା ମହାନ୍ତି ।
କେତେ କେତେ ପ୍ରକାରର
ଚିଠା ଆଉ ତାଲିକା ଉଡ଼ୁଛି - ଛିଡ଼ୁଛି - ପଡୁଛି ଆମ ଭାଗ୍ୟରେ
କାହାର ନା କାହାର କଟିଛି ନାଁ
କାହାର ନା କାହାର ନାଁ ଉଠିଛି ଚିଠାକୁ,
କିଏ ନା କିଏ ସାପ ସିଡ଼ିର ପାଲିରେ ଚଢ଼ିଛି ଉପରକୁ
ତରତରରେ ତୋଳି ପକାଉଛି ପାରିଲାପଣର ଫଳ ।
ପାଞ୍ଚ ଟଙ୍କିଆ ମିଲ୍ ଖାଇବାକୁ ଛିଡ଼ା ଶହେ ଲୋକଙ୍କ
ଲମ୍ବା ଧାଡ଼ିର ଶେଷରେ ଠିଆ ହେଇଚି ଭୋକିଲା ପ୍ରଭାକର,
ଦଇତାରୀର ନାଁ ନାହିଁ ନୂଆ ଭୋଟର ତାଲିକାରେ
ରବି ବେହେରା ସରପଞ୍ଚକୁ ଟଙ୍କା ଦେଇ ବି
ନାଁ ଉଠେଇ ପାରିନି ଇନ୍ଦିରା ଆବାସ ଚିଠାରେ,
ବିଚରା ସାବିତିରି ଭୋଇର କଟିଯାଇଛି ଭତ୍ତା ଏଥର
କେରଳ ଇଟାଭାଟିରୁ ଫେରିଥିବା ଛଅ ମଲା ଦାଦନଙ୍କ
ତାଲିକା ପଢୁଛି ଅଶି ବର୍ଷର ଭରତିଆ ସଅର
ଖୋଜୁଛି ସାନପୁଅର ନାଁ ।
ସରକାରୀ ତାଲିକାରୁ ଧୀରେ ଉଭାନ୍ ହେଇ ଯାଉଛନ୍ତି
ଜଙ୍ଗଲ, ମଣିଷ, ନଈ ଆଉ ଗାଁ ।
ସରକାର ବହାଦୂର ତିଆରୁଛନ୍ତି ଚିଠା
କେତେ ଉପରକୁ ଉଠିଛି ଧନୀ
କେତେ ତଳକୁ ଖସିଛି ଗରିବ,
ଏଇ ଖଣ୍ଡ ମଣ୍ଡଳରେ
କେତେ ଲୋକପ୍ରିୟ ଆମ ମହାମହିମ
ଚାକିରୀରୁ ଅବସର ପରେ କୋଉଠି ଥଇଥାନ ହେବେ
ପୁରୁଣା ହାକିମ ।
କବି ଖୋଜୁଛି ସରକାରୀ ଚିଠାରେ ନିଜକୁ
ସରକାରୀ ସାହିତ୍ୟ ସଭାରେ ସତର ନମ୍ବର କବିତା ବହିର
ଅଠର ନମ୍ବର କବିତା ପଢୁଛି,
ସୁବଳ ବହିଦାରର ଖୁସି
ସରକାରୀ ନହେଲେ ନାହିଁ
ବଡ଼ କବିଙ୍କ ବେସରକାରୀ ଚିଠାରେ ନାଁ ଟା ବଂଚିଛି ।
ଉପରମୁହାଁ ସନାତନ ବିଶୋଇ
ତଳେଇ କରି ନଟେଇ ଧରିଛି
ଚିଠି - ଚିଠା ସବୁଗୁଡ଼ା ଗୁଡ଼ି ହେଇ
ଆକାଶରେ ଉଡ଼ୁଛି ।
ସବୁ ଆଡ଼େ ଚିଠା ଓ ତାଲିକା
ଚିଠା ତାଲିକାରେ ଚାଲିଛି ହିସାବ,
କେତେ ପ୍ରେମ କେତିକି ଉଦାସ
କେତେ ବଳିଛି ଦୁଃଖ
କେତିକି ଖର୍ଚ୍ଚ ହେଇଚି ହସ
ଆହାଃ ଚିଠା ଆଉ ତାଲିକା ପିଠିରେ ଚାଲିଛି ପୁରା ଦେଶ ।