ଝରକା ଖୋଲା ରଖିବି
ଏଇଆ ହିଁ ଭାଗ୍ୟ ମୋ'ର
ବାରବାର ଫେରିଯିବି ଭିଡ଼ ଭିତରକୁ,
ଖୋଜିହେବି ନିଜର ଜଣକୁ,
ବାରବାର ପଚାରିବି ଠିକଣା ଜହ୍ନର,
ବାରବାର ଭାଳିହେବି ନିଜେ ନିଜେ
କୋଉଠି ହଜେଇ ଦେଲି ପ୍ରେମପତ୍ର
ସାରିବାକୁ ମନେମନେ ସଞ୍ଚିଥିବା ଶବ୍ଦତକ,
କୋଉଠି ଛାଡ଼ି ଆସିଲି ସନ୍ତକ
ତିନିବର୍ଷ ତଳେ
ଶେଷଥର ପାଇଁ ଆସିଥିବା ବସନ୍ତର...
ଦୁନିଆ କହିଲେ କଣ, ଖାଲି ଗୋଟେ ସବୁଜ
କମଳା-ଲେମ୍ବୁ ଯାହାକୁ ଗୋଇଠା ମାରି
ସୂର୍ଯ୍ୟ ଆଡ଼େ ଉଡ଼େଇ ସାରିଲା ପରେ
ବନେଇବି ଗୁଜୁରାତି ଦେଇ ଚା' ଦି' କପ୍,
ଦି' କପ୍ ଯାକ ନିଜେ ହିଁ ପିଇବି -
ଏମିତିକା ଦୁଃସ୍ବପ୍ନଟେ ଦେଖିହେବି ବାରବାର,
ବାରବାର ଚମକି ଉଠିବି ନିଦରୁ,
ଖୋଜିବି ନଥିବା ହାତର ଆଉଁସା ।
ଝରକା ଖୋଲା ରଖିବି ଖରା ହଉ ବର୍ଷା ହଉ ।