ଷ୍ଟାନ୍ କଲ୍ଚର: ଅନ୍ଧ ପ୍ରଶଂସକଙ୍କ ବିଚିତ୍ର ଦୁନିଆ

୧୯୬୯ରୁ ୧୯୭୧ ଭିତରେ ରାଜେଶ ଖନ୍ନା ଲଗାତାର ୧୫ଟି ହିଟ୍ ଫିଲ୍ମ ଦେଇ ହିନ୍ଦୀ ଫିଲ୍ମ ଜଗତର ପ୍ରଥମ ସୁପରଷ୍ଟାରର ଆଖ୍ୟା ପାଇଥିଲେ। ସେତେବେଳେ ସେ ଯୁବତୀ ମାନଙ୍କ ସ୍ପପ୍ନର ରାଜକୁମାର ପାଲଟି ଯାଇଥିଲେ। କଲେଜରେ ପଢୁଥିବା ଝିଅ ମାନେ ତାଙ୍କ ନାଁର ସିନ୍ଦୂର ପିନ୍ଧୁଥିଲେ। ଯୁଗ ଯୁଗ ଧରି ଫିଲ୍ମ ତାରକା, ଖେଳାଳି, ଗାୟକ, ଚିତ୍ରକର, ଲେଖକ ଆଦିଙ୍କର ଏମିତି ପ୍ରଶଂସକ ବା ଫ୍ୟାନଙ୍କ ବିଷୟରେ ଆମେ ଶୁଣି ଆସିଛେ। କିଶୋର କିମ୍ବା ଆଦ୍ୟ ଯୌବନାବସ୍ଥାରେ ନିଜ ରୁମ୍ କାନ୍ଥରେ ନିଜ ପସନ୍ଦର ତାରକା ମାନଙ୍କ ଫଟୋ- ପୋଷ୍ଟର ଲଗାଇବା, ସେମାନଙ୍କ ଉପରେ ତଥ୍ୟ ସ°ଗ୍ରହ କରିବା, ସେମାନଙ୍କ ସହ ଜଡ଼ିତ ଖବରକୁ ସମ୍ବାଦପତ୍ରରୁ କାଟି ସାଇତି ରଖିବା ପ୍ରାୟତଃ ଆମ ଭିତରୁ ସମସ୍ତେ ଦେଖିଥିବେ। ଯେକୌଣସି କଳା କ୍ଷେତ୍ରରେ ପ୍ରସିଦ୍ଧ ଏବଂ ଉଦୟମାନ ବ୍ୟକ୍ତିତ୍ବଙ୍କର ଏମିତି ଫ୍ୟାନ୍-ଫଲୋଓ୍ବର ରହିବା ଅତି ସାଧାରଣ କଥା। କିନ୍ତୁ ଆଜି ଏହି ଫ୍ୟାନ୍-ଫଲୋଓ୍ବର, ପ୍ରଶଂସକ ହେବା ସହ ଆଉ ଗୋଟିଏ ‘ଗୋଷ୍ଠୀ’ରେ ପରିଣତ ହେବାର ଭାବନା ମଧ୍ୟ ତୀବ୍ର ଭାବରେ ସମାଜରେ ଜୋର୍ ଧରିଛି ତାହା ହେଉଛି “ଷ୍ଟାନ୍” ବା ଷ୍ଟାନ୍ କଲ୍ଚର୍!
“ଷ୍ଟାନ୍” ଶବ୍ଦଟି, “ଷ୍ଟକର୍” ଏବଂ “ଫ୍ୟାନ୍” ଏହି ଦୁଇଟି ଶବ୍ଦରୁ ଆସିଛି। ଏହି ଶବ୍ଦର ପ୍ରଚଳନ ପ୍ରଥମେ ୨୦୦୦ ମସିହାରେ ଆମେରିକାନ୍ ରାପର୍ ଏମିନେମଙ୍କ “ଷ୍ଟାନ୍” ନାମଧାରୀ ଗୋଟିଏ ମ୍ୟୁଜିକ ଭିଡିଓରୁ ହୋଇଥିଲା। ଏଥିରେ ଷ୍ଟାନଲୀ (ଭୂମିକାରେ ଡେଓ୍ବୋନ୍ ସାଓ୍ବା) ନାମକ ଜଣେ ଯୁବକ, ଯିଏକି ଏମିନେମଙ୍କ ଖୁବ୍ ବଡ ପ୍ରଶଂସକ ହେବା ସହ ଠିକ୍ ତାଙ୍କ ପରି ଚୁଟି କାଟିବା, ଟାଟ୍ବୁ ବନାଇବା ତଥା ଆଚରଣ କରିବା ସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଟିକିନିଖି ଖବର ରଖୁଛି। ସେ ଲଗାତାର ଚିଠି ଲେଖିବା ସତ୍ତ୍ୱେ ଏମିନେମଙ୍କ ଠାରୁ କୌଣସି ଉତ୍ତର ପାଉନି। ତା’ ଗର୍ଭବତୀ ଗର୍ଲଫ୍ରେଣ୍ଡ (ଭୂମିକାରେ ବ୍ରିଟିଶ୍ ଗାୟିକା ଡିଡୋ) ତାକୁ ଷ୍ଟାନଲୀ ସମ୍ବୋଧନ କଲେ ବିରକ୍ତ ହେଉଛି, ଏବଂ ତାକୁ ‘ଷ୍ଟାନ୍’ ଡାକିବା ପାଇଁ କହୁଛି। ଦିନେ ରାତିରେ ଷ୍ଟାନର ଗର୍ଲଫ୍ରେଣ୍ଡ୍ ତା’ ଘରର ବେସମେଣ୍ଟରେ ଥିବା କୋଠରୀକୁ ଯାଇ ଦେଖିଛି ଯେ ସେଠି ଏମିନେମଙ୍କ ଶହ ଶହ ଫଟୋ, ଛବି ଏସବୁ ରଖା ଯାଇଛି। ଷ୍ଟାନ୍ କୁ ନିଜ ଗର୍ଲଫ୍ରେଣ୍ଡର ଏ ବ୍ୟବହାର, ତା’ର ଏବଂ ଏମିନେମଙ୍କ ଦୁନିଆ ଭିତରକୁ ଅନୁପ୍ରବେଶ ପରି ଲାଗିଛି। ସେ ରାଗିଯାଇ ଝିଅଟିକୁ ଗୋଟିଏ ବକ୍ସ ଭିତରେ ବନ୍ଦକରି, ଗାଡ଼ିରେ ରଖି ଫିଙ୍ଗିବାକୁ ନେଉଛି। ବର୍ଷା- ଘଡଘଡି ରାତି, ଯେତେବେଳେ ଷ୍ଟାନ୍ ନିଶାସକ୍ତ ଅବସ୍ଥାରେ ଗୋଟିଏ ବ୍ରିଜ୍ ଉପରେ କାର୍ ଚଲାଇ ଯାଉଛି, ଏମିନେମଙ୍କ ଉଦ୍ଦେଶ୍ୟରେ ଗୋଟିଏ ଭଏସ୍ ରେକର୍ଡ କରୁଛି। ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜରୁ ପାଣି ଭିତରକୁ ଖସି ପଡୁଛି। ଏସବୁ ଭିତରେ ଏମିନେମ୍, ଷ୍ଟାନର ଗୋଟିଏ ଚିଠି ପାଇ ତାକୁ ଉତ୍ତର ଦେଉଛନ୍ତି ଏବଂ ତାକୁ ନିଜ କାମ ତଥା ପରିବାର ଉପରେ ଧ୍ୟାନ ଦେବାକୁ କହୁଛନ୍ତି। ତାଙ୍କ ଗୀତକୁ ପସନ୍ଦ କରିବା ଭିତରେ ନିଜ ଜୀବନକୁ ନଷ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ନିକଟରେ ବ୍ରିଜ୍ ଉପରୁ ଖସି ପଡିଥିବା ଜଣେ ଯୁବକ ପରି ତା’ ଜୀବନ ନହେଉ ବୋଲି କହିଛନ୍ତି। ଖୁବ୍ ଶେଷରେ ଏମିନେମ୍, ଷ୍ଟାନଲୀ ହିଁ ଷ୍ଟାନ୍ ବୋଲି ଜାଣି ପାରିଛନ୍ତି। ୨୦୦୦ ମସିହାରେ ଏହି ଗୀତଟି “ବିଲବୋର୍ଡ ହଟ୍ ୧୦୦”ରେ ୫୧ ତମ ସ୍ଥାନରେ ଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଛଡା ବ୍ରିଟେନ୍, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ ଆର୍ୟଲ୍ୟାଣ୍ଡ ପରି ୧୨ଟି ଦେଶରେ ଶୀର୍ଷରେ ରହିଥିଲା। ଏହି ଗୀତ ପରେ, ନିଜ ପସନ୍ଦର ସେଲିବ୍ରିଟି ମାନଙ୍କ ପାଇଁ ଏମିତି ଅତ୍ୟଧିକ ପ୍ରଶଂସା, ଭଲପାଇବା ଏବଂ ଅବାନ୍ତର ବ୍ୟବହାର ପୋଷଣ କରୁଥିବା ମଣିଷ ମାନଙ୍କ ପାଇଁ ଏହି ‘ଷ୍ଟାନ୍’ ଶବ୍ଦର ବ୍ୟବହାର ଆରମ୍ଭ ହେଲା। ୨୦୦୦ ମସିହାରେ ଏକ ପ୍ରକାର ଅବାନ୍ତର, ଅବାସ୍ତବ, ନିର୍ବୋଧ ଏବଂ ମାନସିକ ବିକାରଗ୍ରସ୍ତ ବ୍ୟବହାର ପାଇଁ ଆରମ୍ଭ ହୋଇଥିବା ଶବ୍ଦ କିନ୍ତୁ ଆଜି ସୋସିଆଲ୍ ମିଡିଆ ଯୁଗରେ ଗୋଟିଏ କଲ୍ଚର୍ ଏବଂ ସେହି ଗୋଷ୍ଠୀରେ ସାମିଲ ହୋଇଥିବା ଯୁବକ-ଯୁବତୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି। ଆଜି ଅନେକ ଗାୟକ, ଖେଳାଳି, ସେଲିବ୍ରିଟି ରହିଛନ୍ତି ଯେଉ ମାନଙ୍କ ପ୍ରଶଂସକମାନେ ନିଜେ ନିଜେ ଗୋଟିଏ ଗୋଷ୍ଠୀ ବନାଇ, ନିଜକୁ ସେଇ ଷ୍ଟାନ୍ କଲ୍ଚରର ଗୋଟିଏ ମେମ୍ବର ହିସାବରେ ଗଣା ହେବାକୁ ସବୁଠାରୁ ଗୌରବମୟ କଥା ଭାବୁଛନ୍ତି। ଲୋକପ୍ରିୟ ଦକ୍ଷିଣ-କୋରିଆ ପପ୍ ବ୍ୟାଣ୍ଡର ପ୍ରଶଂସକ ନିଜକୁ “ବିଟିଏସ୍ ଆର୍ମି” କୁହନ୍ତି। ସେମିତି ଜଷ୍ଟିନ୍ ବିବରଙ୍କ ପ୍ରଶଂସକ ‘ବେଲିବର୍ସ’; ଆରିନା ଗ୍ରାଣ୍ଡେଙ୍କ ଫ୍ୟାନ୍ ‘ଆରିଆନେଟର୍ସ’; ଟାଇଲର୍ ସ୍ବିଫ୍ଟଙ୍କ ଫ୍ୟାନ୍ ‘ସ୍ବିଫ୍ଟିଜ୍’; ସେଲେନା ଗୋମ୍ଜଙ୍କ ଫ୍ୟାନ୍ ‘ସେଲେନେଟର୍ସ’; ଏଡ୍ ସିରାନଙ୍କ ଫ୍ୟାନ୍ ‘ସିରିଓସ୍’, ଲେଡି ଗାଗାଙ୍କ ଫ୍ୟାନ୍ ‘ଲିଟିଲ୍ ମୋନଷ୍ଟର’, ନିକି ମିନାଜଙ୍କ ଫ୍ୟାନ୍ ‘ବାର୍ବଜ୍’ ଏବଂ ଦୁଆ ଲିପାଙ୍କ ଫ୍ୟାନ୍ ‘ଲଭ୍ସ’!
ଯେକୌଣସି କ୍ଷେତ୍ରରେ ପ୍ରସିଦ୍ଧ ଏବଂ ଭଲ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କର ପ୍ରଶ°ସକ ରହିବା କୌଣସି ନୂଆ କଥା ନୁହେଁ। ସେଲିବ୍ରିଟି ତିଆରି ହିଁ ଜନତାଙ୍କ ପ୍ରଶଂସାରୁ ହୁଅନ୍ତି। ଯୁଗ ଯୁଗ ଧରି ପ୍ରଶଂସକ ମାନେ ନିଜ ମନପସନ୍ଦର ତାରକା ବା ସେଲିବ୍ରିଟି ମାନଙ୍କୁ ଏକତରଫା ଚିଠି ଲେଖିବା, ତାଙ୍କ ବିଷୟରେ ବନ୍ଧୁଗହଣରେ ଆଲୋଚନା କରି ଆସିଛନ୍ତି। କିନ୍ତୁ ଆଜି ଇଣ୍ଟରନେଟ ଏବଂ ସୋସିଆଲ୍ ମିଡିଆ କାରଣରୁ ସେଲିବ୍ରିଟି ମାନଙ୍କ ବିଷୟରେ ଜାଣିବା, ସେମାନଙ୍କ ସହ ବାର୍ତ୍ତାଳାପ (ଭର୍ଚୁଆଲ୍) କରିବା, ଯୋଗାଯୋଗ କରିବା ଫ୍ୟାନ୍ ମାନଙ୍କ ପାଇଁ ସହଜ ହୋଇ ଯାଉଛି। ସ୍ମାର୍ଟଫୋନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଏବେ ଜଣେ ଫ୍ୟାନ୍ ନିଜ ମନପସନ୍ଦର ସେଲିବ୍ରିଟି ସହ ଦିନର ଯେକୌଣସି ସମୟ କିମ୍ବା ମୁହୂର୍ତ୍ତରେ ଯୋଡି ହୋଇ ପାରୁଛି। ନିଜ ମନ୍ତବ୍ୟ (କମେଣ୍ଟ) ଦେବା ସହ ପୃଥିବୀର ଆଉ ଗୋଟିଏ କୋଣରେ ନିଜ ସମ ଚିନ୍ତାଧାରାର ମଣିଷ ସହ ଯୋଡି ହୋଇ ପାରୁଛି। ଏହି ଲଗାତାର ଭାବର ଆଦାନପ୍ରଦାନ ସେମାନଙ୍କ ମଧ୍ୟରେ ଗୋଟିଏ ଭର୍ଚୁଆଲ୍ ସମଗୋଷ୍ଠୀ ଭାବନା ସୃଷ୍ଟି କରୁଛି। ସେମାନେ ଏହି “ସେଲିବ୍ରିଟି ଓ୍ବର୍ସିପ୍” ବା ନିଜ ପସନ୍ଦର ତାରକାଙ୍କ ପ୍ରଶଂସାକୁ ହିଁ ଜୀବନର ଲକ୍ଷ୍ୟ ଓ ସତ ମାନି ନେଉଛନ୍ତି। ଏମାନେ ଚାହିଁଲେ ରାତାରାତି ନିଜ ପସନ୍ଦର ସେଲିବ୍ରିଟିଙ୍କ ଗୀତକୁ ନମ୍ବର ଓ୍ବାନ୍ ବନାଇ ଦେଉଛନ୍ତି ତ ଆଉ କେତେବେଳେ ରାତାରାତି ନିଜ ତାରକା ମାନଙ୍କ ପାଇଁ ମିଲିୟନ- ମିଲିୟନ ଡଲାର ଅର୍ଥ ସ°ଗ୍ରହ କରି ଦେଉଛନ୍ତି।
ହେଲେ ଏହି ଷ୍ଟାନ୍ କଲ୍ଚରର ପରିଣତି କେବଳ ନିଜ ପସନ୍ଦର ସେଲିବ୍ରିଟି ମାନଙ୍କ ପ୍ରଶଂସା ମଧ୍ୟରେ ସୀମିତ ରହି ନାହିଁ। ଏହି ଷ୍ଟାନ୍ ମାନଙ୍କ ମଧ୍ୟରେ ସେଲିବ୍ରିଟି ମାନଙ୍କ ସମାଲୋଚନାକୁ ନେଇ ତୀବ୍ର ମାତ୍ରାରେ ଅସହିଷ୍ଣୁତା ରହିଛି। ଗତବର୍ଷ ଅଗଷ୍ଟ ମାସରେ ଜଣେ ରିପୋର୍ଟର ଯେତେବେଳେ ଟାଇଲର୍ ସ୍ବିଫ୍ଟଙ୍କ “ଦ ଏରାସ୍ ଟୁଉର୍” କନ୍ସର୍ଟ ଫିଲ୍ମକୁ ନେଇ ସମାଲୋଚନା କରି ଆଲେଖ୍ୟ ପ୍ରକାଶ କଲେ, ସେତେବେଳେ ତାଙ୍କୁ ଅକଥନୀୟ ଅନଲାଇନ ଓ ଅଫଲାଇନ୍ ଭର୍ତ୍ସନାର ସାମ୍ନା କରିବାକୁ ପଡିଥିଲା। ସ୍ବିଫ୍ଟିଜ୍ ମାନେ ତାଙ୍କୁ ଧମକଭରା ମେଲ୍, କମେଣ୍ଟସ, ମେସେଜ ପଠାଇବା ସହ, ତାଙ୍କ ଆତ୍ମୀୟ ମାନଙ୍କୁ ନେଇ ମଧ୍ୟ ଅସଭ୍ୟ ମନ୍ତବ୍ୟ ଏବଂ ହତ୍ୟାର ଧମକ ଦେଇଥିଲେ। ଏମିତିକି ଉକ୍ତ ରିପୋର୍ଟରଙ୍କ ମାଲିକଙ୍କୁ ସାମୂହିକ ମେଲ୍ କରି ତାଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ କହିବା ସହ, ତାଙ୍କୁ “ପେଡୋଫେଲିକ୍” କହି ବଦନାମ ମଧ୍ୟ କରିଥିଲେ। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସାମୂହିକ ଭାବେ ତାଙ୍କ ମୃତ୍ୟୁର କାମନା, କଳ୍ପନାଜଳ୍ପନା କରିଥିଲେ। ଏସବୁ ଜଣେ ମଣିଷର ମାନସିକ ଏବଂ ସାମାଜିକ ସ୍ଥିତି ଉପରେ କେମିତି ଚାପ ସୃଷ୍ଟି କରିଥିବ ଆପଣ ନିଶ୍ଚୟ ଅନୁଭବ କରିପାରୁଥିବେ। କେବଳ ଏଇ ଗୋଟିଏ ଘଟଣା ନୁହେଁ, ନିକଟରେ ଜଣେ ଭାରତୀୟ ଶିକ୍ଷକଙ୍କୁ ମଧ୍ୟ ବିଟିଏସ୍ ଆର୍ମି ଦ୍ବାରା ଇଣ୍ଟରନେଟରେ ଏମିତି ଅକଥନୀୟ ସମାଲୋଚନାର ଶିକାର ହେବାକୁ ପଡିଥିଲା। କାରଣ ସେ ନିଜର ଜଣେ ଛାତ୍ରୀଙ୍କୁ ଶ୍ରେଣୀରେ ପାଠପଢ଼ା ସମୟରେ ବିଟିଏସ୍ ବ୍ୟାଣ୍ଡକୁ ନେଇ ଆଲୋଚନା କରିବାରୁ ବାରଣ କରିଥିଲେ।
ଷ୍ଟାନ୍ କଲ୍ଚର୍ ପ୍ରଭାବରେ ଯେ ଏହି ଅନ୍ଧ ପ୍ରଶଂସକମାନେ ଖାଲି ସେଲିବ୍ରିଟି ଓ୍ବର୍ସିପ୍ ଏବଂ ସେମାନଙ୍କ ସମାଲୋଚକ ମାନଙ୍କୁ କଦର୍ଯ୍ୟ ବ୍ୟବହାର ଦେଖାଉଛନ୍ତି ତା’ନୁହେଁ, ଏହା ପ୍ରଭାବରେ ଅନେକ କିଶୋର- କିଶୋରୀ ନିଜ ପାଇଁ ମଧ୍ୟ କ୍ଷତି ଏବଂ କୁପରିଣାମ ଡାକି ଆଣୁଛନ୍ତି। ଏଇ କିଛିଦିନ ତଳେ ତାମିଲନାଡୁର ଦୁଇ କିଶୋରୀ ଭଉଣୀ ଚଉଦ ହଜାର ଟଙ୍କା ଚୋରି କରି ବିଟିଏସ୍ ବ୍ୟାଣ୍ଡକୁ ଦେଖା କରିବା ପାଇଁ ଘରୁ ପଳାଉଥିବା ଅବସ୍ଥାରେ ପୁଲିସ୍ ଦ୍ବାରା ଉଦ୍ଧାର ହୋଇଥିଲେ। ନିଜ ପସନ୍ଦର ସେଲିବ୍ରିଟିଙ୍କ ପରି ଦେଖାଯିବା ପାଇଁ ତାଙ୍କପରି ପୋଷାକ ପିନ୍ଧିବା, ଚୁଟି କାଟିବାଠୁ ଆରମ୍ଭ କରି କସ୍ମେଟିକ୍ ସର୍ଜରୀ ବା ଅସ୍ତ୍ରୋପଚାର ପାଇଁ ମଧ୍ୟ ଏହି ଫ୍ୟାନ୍ ମନେ ପଛାଉ ନାହାଁନ୍ତି। ସେମାନଙ୍କ ଦ୍ବାରା କରାଯାଇଥିବା ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇ ଅନାବଶ୍ୟକ ଏବଂ ମହଙ୍ଗା ପଦାର୍ଥ କିଣିବା, ଅର୍ଥାଭାବ ସତ୍ତ୍ୱେ ଚାରିଟି ବା ଦାନ କରିବା ପାଇଁ ଘରେ ଜିଦ୍ କରୁଛନ୍ତି। ଏସବୁ କରିବା ପାଇଁ ସେମାନେ ଚୋରି, ରାହାଜାନି, ନିଶାଦ୍ରବ୍ୟ କାରବାର, ଗୁଣ୍ଡାଗର୍ଦି କରିବାରୁ ମଧ୍ୟ ପଛାଉ ନାହାନ୍ତି। ଲକ୍ଷ୍ୟ କେବଳ ଗୋଟିଏ, ନିଜକୁ ସବୁଠୁ ବଡ ବା ସୁପର-ଫ୍ୟାନ୍ ପ୍ରମାଣିତ କରିବା। ବିଶେଷଜ୍ଞଙ୍କ ମତରେ ଏଥିପାଇଁ ଏହି ଷ୍ଟାନ୍ ମାନଙ୍କୁ ଅନେକ ମାନସିକ ଏବଂ ଶାରୀରିକ ପୀଡା ମଧ୍ୟ ସହିବାକୁ ପଡୁଛି।
ମାନସିକରୋଗ ବିଶେଷଜ୍ଞ ଏବଂ ମନସ୍ତତ୍ତ୍ବବିତଙ୍କ ମତରେ ମଣିଷ ନିଜକୁ ପସନ୍ଦ ଆସୁଥିବା ମଣିଷ ବିଷୟରେ ଅଧିକରୁ ଅଧିକ ଜାଣିବା ଏବଂ ତା’ ସହ ସମ୍ପର୍କ ବଢାଇବା ପାଇଁ ଚେଷ୍ଟା କରିବା ସହଜାତ। ଏହା ଦ୍ବାରା ମଣିଷର ଆତ୍ମୀୟଙ୍କ ସହ ଆଟାଚମେଣ୍ଟ ବଢେ। ତେଣୁ ନିଜର ପସନ୍ଦର ସେଲିବ୍ରିଟିଙ୍କ ବିଷୟରେ ଜାଣିବାର ଇଚ୍ଛା ମଧ୍ୟ ମଣିଷର ସହଜାତ। ଆଉ ଏହି ଇଚ୍ଛା ଇଣ୍ଟରନେଟ ତଥା ସୋସିଆଲ ମିଡିଆ ବ୍ୟବହାର କାରଣରୁ ଆହୁରି ସହଜ ହୋଇ ଯାଇଛି। ଏହି କାରଣରୁ ହିଁ ପ୍ରଶଂସକମାନେ ନିଜକୁ ସେଲିବ୍ରିଟିଙ୍କ ଜୀବନର ଗୋଟିଏ ଅ°ଶ ଭାବିନେବା ସହ ସେମାନଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ଦେଖାଉଥିବା ଚିତ୍ର ଓ ଚରିତ୍ରକୁ ହିଁ ସତ ମାନି ନେଉଛନ୍ତି। ଅନେକ ପ୍ରଶଂସକ ତ ସେଲିବ୍ରିଟିଙ୍କୁ ନିଜର ଭାଇ- ଭଉଣୀ, ସୋଲ୍-ମେଟ୍, ଅବତାର କିମ୍ବା ଭଗବାନ ମଧ୍ୟ ଭାବି ନେଉଛନ୍ତି, ଯାହାକୁ “ପାରାସୋସିଆଲ୍ ରିଲେସନସିପ୍” କୁହାଯାଏ। ଅନେକ ଷ୍ଟାନ୍ ନିଜ ଭାବନାରେ ସେଲିବ୍ରିଟିଙ୍କ ସହ ଗୋଟିଏ ଅଲଗା ଭର୍ଚୁଆଲ୍ ଦୁନିଆରେ ବଞ୍ଚୁଛନ୍ତି, ଯାହା ସେମାନଙ୍କ ପାରିବାରିକ, କର୍ମ ଏବଂ ସାମାଜିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ଅନେକ ସମୟରେ ମୋହଭଙ୍ଗ ଏବଂ ତା’ ପରେ ମାନସିକ ଅବସାଦ ତଥା ଆତ୍ମହତ୍ୟାର କାରଣ ମଧ୍ୟ ସାବ୍ୟସ୍ତ ହେଉଛି।
ଯଦିଓ ଏହି ଆଚରଣ ଏବଂ ପବୃତ୍ତି ମଣିଷର ସଭ୍ୟତା ଆରମ୍ଭରୁ ରହି ଆସିଛି କିନ୍ତୁ ୨୦୦୦ ମସିହାରେ ଗୋଟିଏ ମ୍ୟୁଜିକ ଭିଡିଓରୁ ପ୍ରସିଦ୍ଧି ଓ ପ୍ରଚଳନ ଅର୍ଜନ କରିଥିବା ତଥା ୨୦୧୭ ମସିହାରେ ନିଜ ପାଇଁ ଅକ୍ସଫୋର୍ଡ ଡିକ୍ସନରୀରେ ସ୍ଥାନ ସୁରକ୍ଷିତ କରିଥିବା ଶବ୍ଦ “ଷ୍ଟାନ୍” ଆଜି ଗୋଟିଏ ସାମାଜିକ ବ୍ୟାଧିରେ ପରିଣତ ହୋଇ ସାରିଛି। ଆଜିର କିଶୋରାମାନେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରିତ ଏବଂ ପ୍ରସାରିତ ଗୋଟିଏ ନକାରାତ୍ମକ ଭାବନାକୁ ମୋହରେ ପଡି ଗର୍ବ ଓ ଗୌରବର ବିଷୟ ଭାବୁଛନ୍ତି। ଯେକୌଣସି ଗୋଟାଏ ଷ୍ଟାନ୍ ସୋସାଇଟିର ମେମ୍ବର ନହେବା ଦ୍ବାରା ସେମାନେ ପଛରେ ପଡିଯିବେ ବୋଲି ଭାବି ନେଉଛନ୍ତି। ତେଣୁ ଏ ଦାୟିତ୍ୱ ଏବେ ଆମର ଯେ, ଆମେ କିଭଳି ଆମ ଉତ୍ତର ପିଢିକୁ ଏଭଳି ଗୋଟିଏ ସାମାଜିକ-ମାନସିକ ବ୍ୟାଧିରେ ଗ୍ରସ୍ତ ହେବାରୁ ଅଟକାଇବା! ସାମାଜିକ ଗଣମାଧ୍ୟମ ଓ ସେଥିରେ ବ୍ୟାପୁଥିବା ଅପସଂସ୍କୃତି ଓ ପରିଣାମ ବିଷୟରେ ଅଧିକରୁ ଅଧିକ ଖୋଲିକି ଆଲୋଚନା କରିବା ଦ୍ବାରା ହିଁ ଉତ୍ତର ପିଢିକୁ ଗୋଟିଏ ବିକାରଗ୍ରସ୍ତ ଭର୍ଚୁଆଲ୍ ଦୁନିଆ ଭିତରେ ପଥଭ୍ରଷ୍ଟ ହେବାରୁ ରକ୍ଷା କରାଯାଇ ପାରିବ।