ରାଜ୍ୟପାଳ ନା ଲାଟ ସାହେବ ?

ରାଜ୍ୟପାଳ ନା ଲାଟ ସାହେବ ?

ମୋଦୀ ସରକାର ଅମଳରେ ସବୁ ଗଣତାନ୍ତ୍ରିକ ଅନୁଷ୍ଠାନ ନିଜର ମର୍ଯାଦା ଭୁଲି ସରକାରୀ ଭାଟ ବା ଗୁଣ୍ଡା ହେବାର ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି । ଏହି ପ୍ରକ୍ରିୟାର ସବୁଠୁ ବଡ ଶିକାର ହୋଇଛି ରାଜ୍ୟପାଳ ଅନୁଷ୍ଠାନ । ଭାରତୀୟ ସମ୍ବିଧାନର ଧାରା ୧୫୩ ଏବଂ ୧୬୩ରେ ରାଜ୍ୟପାଳମାନଙ୍କୁ ସମ୍ବିଧାନର ରକ୍ଷକ ଭାବରେ ପ୍ରଚୁର କ୍ଷମତା ଦିଆଯାଇଛି । ତେବେ ରାଜ୍ୟପାଳମାନଙ୍କର କାର୍ୟକାରୀ କ୍ଷମତା ସ୍ପଷ୍ଟ ଭାବରେ ଆଳଙ୍କାରିକ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ମନ୍ତ୍ରୀମଣ୍ଡଳର ପରାମର୍ଶ ବିନା କିଛି ବି କରିପାରିବେ ନାଇଁ । ଗତ ୯ ବର୍ଷ ଭିତରେ ତେବେ ସାମ୍ବିଧାନିକ ବିଧାନକୁ ଅଣଦେଖା କରି ବିଭିନ୍ନ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକର ରାଜ୍ୟପାଳମାନେ ଏକପ୍ରକାର ଲାଟସାହେବ ଭଳି ବ୍ୟବହାର କରୁଛନ୍ତି । ସେମାନେ ଲୋକଙ୍କ ଦ୍ଵାରା ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ନିଜର ଅଧସ୍ତନ ଭଳି ବ୍ୟବହାର ଜରିବା ସହିତ ରାଜ୍ୟମୁଖ୍ୟ ଭାବରେ ସମ୍ବିଧାନ ଦେଇଥିବା ଅଧିକାରର ବ୍ୟାପକ ଦୁରୁପଯୋଗ କରୁଛନ୍ତି । ପଶିମବଙ୍ଗ ରାଜ୍ୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ନିରନ୍ତର ଝମେଲା ଏବେ ଦେହସୁହା ଖବର ହୋଇସାରିଛି । ନିର୍ବାଚିତ ରାଜ୍ୟ ସରକାରମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ଲାଗି ଆସିମ୍ବାଧିନିକ ଭାବରେ କାମ କରୁଥିବା ରାଜ୍ୟପାଳମାନଙ୍କ ତାଲିକାରେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ସବୁ ସୀମା ଟପି ଯାଇଛନ୍ତି ।

ସମ୍ବିଧାନ ଓ ଆଇନର ସୀମା ଟପି ରାଜ୍ୟପାଳ ଆରଏନ ରବି ନିଜ ଇଚ୍ଛାରେ ତାମିଲନାଡୁ ମନ୍ତ୍ରୀମଣ୍ଡଳରୁ ମନ୍ତ୍ରୀ ଏସ ବାଲାଜୀଙ୍କୁ ବରଖାସ୍ତ କରିବା ପରେ, ନିଜ ଆଦେଶକୁ ଅଟକ ରଖିବାକୁ ବାଧ୍ୟ ହୋଇଛନ୍ତି । ମନ୍ତ୍ରୀମଣ୍ଡଳ ଗଠନ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଅଧିକାର ହୋଇଥିବା ବେଳେ ଶପଥପାଠ କରାଇବାର ଅଧିକାରକୁ ରାଜ୍ୟପାଳ ନିଜର ପୂର୍ଣ୍ଣାଙ୍ଗ ରାଜ୍ୟ କ୍ଷମତା ବୋଲି ଭାବିବା ହାସ୍ୟାସ୍ପଦ । ବେଆଇନ ଭାବରେ ମନ୍ତ୍ରୀଙ୍କୁ ବରଖାସ୍ତ କରିବାର ପାଞ୍ଚ ଘଣ୍ଟା ଭିତରେ ରାଜ୍ୟପାଳ ଏହି ଆଦେଶ ବର୍ତ୍ତମାନ ପାଇଁ କାର୍ଯକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟପାଳଙ୍କ କାର୍ଯକଳାପ ଦେଖି ଲାଗୁଛି, ସେ ବୋଧେ ନିଜକୁ ଲାଟସାହେବ ବୋଲି ଭାବୁଛନ୍ତି । ରାଜ୍ୟପାଳ ନିଜ ନିର୍ଦ୍ଦେଶନାମାକୁ ଅଟକ ରଖିବାକୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ଗୃହ ମନ୍ତ୍ରଣାଳୟ ଏହାକୁ ଅଟକ ରଖିବାର ପରାମର୍ଶ ଦେଇଥିବା ସ୍ଵୀକାର କରିଛନ୍ତି । ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ରାଜ୍ୟପାଳ ନିଜ ମସ୍ତିସ୍କ ଲଗାଇ ଓ ସମ୍ବିଧାନର ନିର୍ଦ୍ଦେଶରେ କାମ କରୁନାହାନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟ ପରିଚାଳନା ଜଣେ ବ୍ୟକ୍ତିର ଇଚ୍ଛା ଉପରେ ନିର୍ଭର କରେନାଇଁ ।

ରାଷ୍ଟ୍ରପତି ଦେଶର ନିର୍ବାଚିତ ରାଷ୍ଟ୍ରମୁଖ୍ୟ ହୋଇଥିଲେ ମଧ୍ୟ ସେ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିରେ ଆଦୌ ହସ୍ତକ୍ଷେପ କରନ୍ତି ନାହିଁ । ସେହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ମନୋନୀତ ରାଜ୍ୟପାଳ ରାଜ୍ୟ ଗୁଡିକର  ସଙ୍ଘୀୟ ଅଧିକାରକୁ କ୍ଷୁଣ୍ଣ କରିପାରିବେ ନାହିଁ । ଏ କ୍ଷେତ୍ରରେ ସମ୍ବିଧାନର ରକ୍ଷକ ସ୍ଵୟଂ ସମ୍ବିଧାନ ବିରୋଧୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଇନ ଓ ସମ୍ବିଧାନ ବିରୋଧରେ କାମ କରୁଥିବା ବ୍ୟକ୍ତି ରାଜ୍ୟପାଳ ଭାବରେ ରହିବା ଦେଶ ଓ ଗଣତନ୍ତ୍ର ପ୍ରତି ବଡ ବିପଦ ସୃଷ୍ଟି କରିବ । ତେଣୁ ରାଷ୍ଟ୍ରପତି ତୁରନ୍ତ ତାମିଲନାଡୁ ରାଜ୍ୟପାଳଙ୍କୁ ବରଖାସ୍ତ କରିବା ଉଚିତ ହେବ ।

ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେ ସେମିତି କିଛି କରିବେ ସେ ବିଶ୍ଵାସ କାହାର ନାହିଁ ।