ବାଳକୃଷ୍ଣ ଦାଶ ଓ ଓଡିଶୀ ସଙ୍ଗୀତର ନବଯୁଗ

ବାଳକୃଷ୍ଣ ଦାଶ ଓ ଓଡିଶୀ ସଙ୍ଗୀତର ନବଯୁଗ

ଆଜି ବାଳକୃଷ୍ଣ ଦାଶ ବଞ୍ଚିଥିଲେ ତାଙ୍କୁ ଶହେ ବର୍ଷ ହୋଇଥାନ୍ତା । ବଞ୍ଚିଥିଲେ ବୋଲି କହିବା ଭୁଲ ହେବ । ସେ ଶହେ ବର୍ଷ ପରେ କି ପାଞ୍ଚ ଶହ ପରେ ବି ଥିବେ । ସେ ଗୀତ ହୋଇ, ଝଙ୍କାର ଓ ମୂର୍ଚ୍ଛନା ହୋଇ, ଫୁଲର ରସରେ ରସିଆ ହୋଇ, ସୁନୟନାର ନୟନରେ ସପନ ହୋଇ, ଓଡିଆର ପଖାଳ କଂସାରେ ସୁଆଦ ହୋଇ- ସେ ରହିଥିବେ ।

  ପୃଥିବୀର ସବୁଠୁ ମଧୁର ମୂର୍ଛନାର ଚେହେରା ଠିକ ତାଙ୍କ ପରି ମଣିଷ ଭାବରେ ନୁହଁ, ତାଙ୍କୁ ଆମେ ସବୁବେଳେ ଦେଖିଆସିଛୁ ଓଡିଆ ପ୍ରାଣର ସବୁଠୁ ସୁନ୍ଦର ଗୀତ ଭାବରେ । ଓଡିଆ ଏବଂ ଓଡିଶୀ ସଙ୍ଗୀତର ହଜାର ବର୍ଷର ପରମ୍ପରାରେ ସେ ଏକ କ୍ରାନ୍ତି । ସେ ଓଡିଶା ଓ ଓଡିଶୀକୁ ଆସିଥିଲେ ବୋଲି ଓଡିଶୀ ଗୋଟେ ନୂଆ ଜୀବନ ପାଇଥିଲା । କୋଣାର୍କ ମନ୍ଦିର କି ରାଜାରାଣୀ ମନ୍ଦିରରେ ପଥର ପାଲଟି ଯାଇଥିବା ଓଡିଶୀ ସଙ୍ଗୀତରେ ନୂଆ ପ୍ରାଣ ସଂଚାର କରିଥିଲେ ସେ ଶାସ୍ତ୍ରୀୟ ଓ ଲୋକ ପରମ୍ପରାର ଏକ ସଂଗମ ବିନ୍ଦୁ ତିଆରି କରିଥିଲେ ସେ ନିଜେ ସେ ନିଜେ ନିଜର ଇତିହାସ ଓଡିଆ ଜାତି ତାଙ୍କୁ କେତେ ମନେ ରଖିଛି, ସେ କଥା ଏ ଜାତି ନିଜେ ନିଜକୁ ପଚାରୁ ହେଲେ ଏ ଜାତିର ସବୁଠୁ ଅନ୍ଧାର ସମୟରେ ଆଲୋକର ନବନିର୍ମାଣ କରିଥିବା ସେ ନାୟକ, ଆଜି ବି ଆମକୁ ଗହନ ନିଦରୁ ଉଠେଇ ଶୁଣେଇ ଦିଅନ୍ତି- ଉତ୍କଳ ମଉଡମଣି ହେ ନୀଳାଦ୍ରି ସିଂହ ଗୋସାଇଁ

ସେ ଓଡିଆ ଜାତିର ସର୍ବଶ୍ରେଷ୍ଠ ଓ ସଫଳତମ ସୁରକାର ବାଳକୃଷ୍ଣ ଦାଶ । ଓଡିଶାର ସଙ୍ଗୀତ ଇତିହାସରେ ସବୁଠୁ ଉଜ୍ଜଳ ନକ୍ଷତ୍ର ସିଏ ଶାସ୍ତ୍ରୀୟ, ଲୋକ, ସୁଗମ ଓ ଲୋକପ୍ରିୟ ସିନେମା- ଚାରୋଟି ଯାକ ସଙ୍ଗୀତଧାରାରେ ସେ ବିରଳତମ ନକ୍ଷତ୍ର ଆସନ୍ତା ବର୍ଷ ବାଳକୃଷ୍ଣ ଦାଶଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୧୫, ମଇ, ୧୯୨୩, ସାବିତ୍ରୀ ଅମାବାସ୍ୟାରେ ତାଙ୍କର ଜନ୍ମ । ତାରିଖ ଅପେକ୍ଷା ତିଥି କୁ ତାଙ୍କର ଜନ୍ମଦିନ ଭାବେ ସବୁବର୍ଷ ପାଳନ କରାଯାଏ । ଆଜିର ଓଡିଶୀ  ସଙ୍ଗୀତର ପ୍ରାୟ ସବୁ ଗୁରୁ ଓ ଗାୟକ ବାଳକୃଷ୍ଣ ଦାଶଙ୍କ ଦାୟାଦ । ତେଣୁ ଓଡିଶୀ ପରମ୍ପରାରେ ତାଙ୍କର ମାନ୍ୟତା ପ୍ରଶ୍ନାତୀତ । ଓଡିଶୀ ସଙ୍ଗୀତରେ ନୂଆ ପ୍ରୟୋଗ ଏବଂ ପରମ୍ପରାର ନବ କଳେବର ଲାଗି ତାଙ୍କୁ ବାରମ୍ବାର ଆମେ ଶ୍ରଦ୍ଧାଞ୍ଜଳି ଦେଇ ଆସୁଛୁ ହେଲେ ସେ କଣ କେବଳ ଶାସ୍ତ୍ରୀୟ ପରମ୍ପରାର ପ୍ରତିନିଧି ? ଓଡିଆ ସଙ୍ଗୀତ ଯଦି ଲୋକପ୍ରିୟତାର ଆଧାର ତିଆରି କରିଛି, ତା ମୂଳରେ ବାଳକୃଷ୍ଣ ଦାଶଙ୍କ ବ୍ୟତୀତ ଆଉ କିଏ ବା ଅଛି ?

ଶାସ୍ତ୍ରୀୟ ବା ମାର୍ଗୀ ସହିତ ଦେଶୀ ବା ଲୋକଧାରାର ମହାସଙ୍ଗମ ସିଏ । ଷାଠିଏ ଦଶକରେ ଓଡିଆ ସିନେମା ସଙ୍ଗୀତର ସବୁଠୁ ଲୋକପ୍ରିୟ ଧାରାର ନିର୍ମାତା ଓ ନିର୍ଦ୍ଦେଶକ କେବଳ ସେ ହିଁ ଷାଠିଏ ଦଶକର ଓଡିଆ ସିନେମା ସଙ୍ଗୀତ କହିଲେ, କେବଳ ବାଳକୃଷ୍ଣ ଦାଶ । ଏହି ସମୟର ସବୁଠୁ କାଳଜୟୀ ଗୀତର ସୁରକାର ଓ ଗାୟକ ଭାବରେ କେବଳ ତାଙ୍କୁ ଇ ଆମେ ଦେଖିଛୁ ।   ୧୯୫୦ ମସିହାରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରେ ଶ୍ରୀଜଗନ୍ନାଥସିନେମାର ସଙ୍ଗୀତ ସେତେବେଳକୁ ତାଙ୍କ ବୟସ ୨୭ ସଙ୍ଗୀତ ଲାଗି ସଂଘର୍ଷ କରି କରି ସିନେମାରେ ପ୍ରଥମ କରି ପାଦ ଥାପୁଛନ୍ତି ସେ ଏହି ସିନେମାରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ କଣ୍ଠରେ ନୀଳସିନ୍ଧୁ ତୀରେ ନୀଳ ଅଚଳ, ନୀଳ ବନ ରାଜି ଘେରା ଦେଉଳର ସୁର ଆଜି ମଧ୍ୟ କୁହୁକ ଭଳି ପୁରୀକ୍ଷେତ୍ରର ମହିମା କହି ଚାଲିଛି । ଶ୍ରୀ ଜଗନ୍ନାଥସିନେମାରେ ଓଡିଶୀ ଛାନ୍ଦ ଓ ଜଣାଣ ସହିତ ଲୋକଗୀତର ମିଶ୍ରଣ କେବଳ ଘଟି ନଥିଲା, ଏଥିରେ ହିନ୍ଦୀ ଏବଂ ବଙ୍ଗଳା ସଙ୍ଗୀତର ମିଶ୍ରଣ ମଧ୍ୟ ଆରମ୍ଭ ହୋଇଥିଲା । ସିନେମା ସଙ୍ଗୀତ ସବୁବେଳେ ବହୁ ପରମ୍ପରାର ମିଶ୍ରଣ ମାଧୁରୀ ତିଆରି କରିଛି । ଓଡିଆ ସଙ୍ଗୀତରେ ଏହି ଧାରାର ପ୍ରଥମ ଦିଗପାଳ ବାଳକୃଷ୍ଣ ଦାଶ

୧୯୫୪ରେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସହିତ କେଦାର ଗୌରୀଓ ୧୯୫୬ରେ ଭାଇ ଭାଇସେତେବେଳର ସିନେମାରେ ଅନେକ ନୂଆ ଧାରା ତିଆରି କରିଥିଲା। ୧୯୬୦ରେ ପୁଣିଥରେ ବାଳକୃଷ୍ଣ ଦାଶ ଏକୁଟିଆ ସଙ୍ଗୀତ ନିର୍ଦ୍ଦେଶନାକୁ ଫେରିଥିଲେ ୧୯୬୦ରେ ଶ୍ରୀ ଲୋକନାଥ”,  ୧୯୬୧ରେ ଶ୍ରୀ ଜୟଦେବ”, ୧୯୬୨ରେ ଲକ୍ଷ୍ମୀ”, “ନୂଆବୋଉ”, “ଦସ୍ୟୁ ରତ୍ନାକର”, ୧୯୬୩ ରେ ମାଣିକଯୋଡି୧୯୬୪ରେ ଜୀବନସାଥୀ”, “ଅମଡାବାଟ”, “ସାଧନା”, ୧୯୬୫ରେ ନବଜନ୍ମ”, “ଅଭିନେତ୍ରୀ”, ୧୯୬୭ରେ ଭାଇ ଭାଉଜ”,ଇତ୍ୟାଦି ତାଙ୍କ ସଙ୍ଗୀତ ସାଧନାର ସର୍ବଶ୍ରେଷ୍ଠ କୃତି। ଏହି ସମୟକୁ ଓଡିଆ ସିନେମା ସଙ୍ଗୀତର ସ୍ଵର୍ଣ୍ଣିମ ସମୟବୋଲି ଆମେ କହିପାରିବା ଆଉ ଏହି ସ୍ଵର୍ଣ୍ଣିମ ସମୟର ମହାନାୟକ କେବଳ ସେଇ, ବାଳକୃଷ୍ଣ ଦାଶ । ପରବର୍ତ୍ତୀ ସମୟରେ ଯିଏ ବି ଓଡିଆ ସିନେମା ସଙ୍ଗୀତକୁ ଆସିଛନ୍ତି, ସେମାନେ ଦୀର୍ଘ ସମୟ ଧରି ସଙ୍ଗୀତ ସୁଧାକରଙ୍କ ଛାଇ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି । 

ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଶାସ୍ତ୍ରୀୟ ପରମ୍ପରା ଉପରେ ତାଙ୍କର ପକଡ ଯେତେ ଶକ୍ତିଶାଳୀ ଥିଲା, ଲୋକଙ୍କ ମନ ଜିଣିବାର କଳା ମଧ୍ୟ ସେ ସେତିକି ଜାଣିଥିଲେ ଆଜି ଓଡିଶୀ ବୋଲି ଆମେ ଯାହା ଶୁଣୁଛୁ, ତାର ନବେ ଭାଗ ସୁର ବାଳକୃଷ୍ଣ ଦାଶଙ୍କର । ଗୁରୁ ଗୋକୁଳ ଶ୍ରୀଚନ୍ଦନଙ୍କଠାରୁ ସେ ଓଡିଶୀ ଶିଖିଥିଲେ ସେହିପରି କ୍ଷିତିଶ ଚନ୍ଦ୍ର ମୈତ୍ର, ରାଇଚାନ୍ଦ ବରାଳ ଓ ବଡେ ଗୁଲାମ ଅଲି ଖାନଙ୍କ ଠାରୁ ଶିଖିଥିଲେ ହିନ୍ଦୁସ୍ତାନୀ । ପ୍ରାଚୀନ ଭାରତର ଦୁଇ ପ୍ରଭାବଶାଳୀ ସଙ୍ଗୀତଧାରା ଓଡିଶୀ ଓ ହିନ୍ଦୁସ୍ତାନୀର ରସାୟନ ପ୍ରସ୍ତୁତିରେ ବାଳକୃଷ୍ଣ ଦାଶଙ୍କର ସଫଳତା ଅନନ୍ୟ । କେହି କେହି କହନ୍ତି, ବାଳକୃଷ୍ଣଙ୍କ ସଙ୍ଗୀତରେ ହିନ୍ଦୁସ୍ତାନୀର ପ୍ରଭାବ ଅଧିକ । ବାସ୍ତବରେ ତାଙ୍କ ସମୟର ଆହ୍ଵାନ ଥିଲା ଓଡିଶୀରେ ନବ କଳେବରର ଆବଶ୍ୟକତା ସେହି ଆହ୍ଵାନକୁ ଗ୍ରହଣ କରି ସେ ଓଡିଆ ସଙ୍ଗୀତରେ ବହୁ ଧାରାକୁ ମିଶେଇଛନ୍ତି ଓ ସେହି ମିଶ୍ରଣରୁ ଓଡିଆ ସଙ୍ଗୀତ ନୂଆ ପ୍ରାଣଶକ୍ତି ପାଇଛି ।

ଓଡିଶୀ ସଙ୍ଗୀତର ବିକାଶ ଓ ପ୍ରତିଷ୍ଠାରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଐତିହାସିକ ଭୂମିକାକୁ ନେଇ ପ୍ରଶ୍ନବାଚୀ ଅବଶ୍ୟ ନାହିଁ ତେବେ ତାଙ୍କ ସଙ୍ଗୀତର ବାସ୍ତବ ଓ କଳାତ୍ମକ ମୂଲ୍ୟାୟନକୁ ନେଇ ଆଜି ମଧ୍ୟ ଆମ ପାଖରେ ବିଶେଷ କିଛି ବୌଦ୍ଧିକ ଉପାଦାନ ନାହିଁ ଓଡିଶୀ ସଙ୍ଗୀତରେ ତାଙ୍କର ମୌଳିକ ଅବଦାନଟି କଣ ଓ  ଓଡିଶୀ ପରମ୍ପରାରେ ତାଙ୍କର ନିଜ କ୍ଷେତ୍ର କେଉଁଟି , ସେ ବିଷୟରେ କ୍ଵଚିତ ଆଲୋଚନା ହୁଏ କେବେ କେମିତି ଅଭିଯୋଗ କଲା ଭଳି ଆମେ କହିଦେଉ, ବାଳକୃଷ୍ଣଙ୍କ ସଙ୍ଗୀତ ମାଧ୍ୟମରେ ଓଡିଶୀ ଗୀତକୁ ହିନ୍ଦୁସ୍ତାନୀ ଗାୟକୀ ଅନୁପ୍ରବେଶ କଲା!!  ଏ ଅଭିଯୋଗଟି ଏତେ ଅଧିକ ପିଲାଳିଆ ଯେ ୟାକୁ ନେଇ ବିଶେଷ ଆଲୋଚନାର ଆବଶ୍ୟକତା ନାହିଁ

ସଙ୍ଗୀତ ଓ ନୃତ୍ୟରେ ବିଭିନ୍ନ ଧାରା ପରଷ୍ପର ସହିତ ସମାବିଷ୍ଟ ହେବା ଓ ନିଜ ନିଜ ଭିତରେ ମିଶିଯିବା ଏକ ସାଧାରଣ ପ୍ରକ୍ରିୟା । ଭାରତର ତିନୋଟି ପ୍ରମୁଖ ମାର୍ଗୀ ବା ଶାସ୍ତ୍ରୀୟ ଗାୟନ ଶୈଳୀ- କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଓ ଓଡିଶୀ ମଧ୍ୟରେ ଅନେକ ସାଧାରଣ ସାମଞ୍ଜସ୍ୟ ରହି ଆସିଛି । ଅନେକ ରାଗ ଏହି ତିନୋଟି ଧାରାରେ ସାଧାରଣ ଓ ସେମାନଙ୍କ ଗତି ଓ ପ୍ରକୃତି ମଧ୍ୟ ସମାନ । ତେଣୁ କେହି କାହା ଦ୍ଵାରା ପ୍ରଭାବିତ ହେବା ଅପେକ୍ଷା ଏହାକୁ ଏକ ପ୍ରକାର କଳାତ୍ମକ ରସାୟନ ବୋଲି ଆମେ କହିପାରିବା । ଓଡିଶୀ ବା ହିନ୍ଦୁସ୍ତାନୀ ମଧ୍ୟରେ ସେମିତି କିଛି ଲୁହାବାଡ ନାହିଁ । ଅନେକ ସମୟରେ ଏମାନେ ପରଷ୍ପରର ସମାଗୋତ୍ରୀୟ ବା ସହଯୋଗୀ ।

 ଓଡିଶୀ-ହିନ୍ଦୁସ୍ତାନୀର ମେଳକ ପୃଷ୍ଠଭୂମିରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଗୀତଟି ହେଉଛି – “ବିତିଲା ତ ଯାମିନୀ, ମଉଳିଲା କାମିନୀ, ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି” । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଏହି ଚର୍ଚ୍ଚିତ ଗୀତଟିକୁ ବଡେ ଗୁଲାମ ଅଲି ଖାନ ସାହେବଙ୍କ “କା କରୁ ସଜନୀ ଆୟେ ନା ବାଲମ” ସହିତ ବାରମ୍ବାର ତୁଳନା କରା ଯାଇଛି । ନିକଟରେ ସଙ୍ଗୀତ ସୁଧାକରଙ୍କ ନାଁରେ ତିଆରି ହୋଇଥିବା ୱିକିପିଡିଆ ପୃଷ୍ଠାରେ କୁହା ଯାଇଛି-  ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ  ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ ପଲ୍ଲୀଗୀତର ସଙ୍ଗୀତ ସଂଯୋଜନା କରିଥିଲେ ବାସ୍ତବରେ ଏ ଦୁହି ଗୀତର ଆଧାର ସମାନ ହୋଇଥିବା ବେଳେ ଗାୟକୀର ଠାଣି, ଗୀତର ଗତି ଓ ଭାବ ଦୃଷ୍ଟିରୁ ଦୁହି ଗୀତ ପରଷ୍ପର ଠାରୁ ଅନେକାଂଶରେ ଭିନ୍ନ । “କା କରୁ ସଜନୀ” ସିନ୍ଧୁ ଭୈରବୀ ରାଗ ଆଧାରିତ ଠୁମରି ହୋଇଥିବା ବେଳେ “ବିତିଲା ତ ଯାମିନୀ” ପ୍ରାୟ ସେହି ସମାନ ଅଙ୍ଗ ବା ଶୈଳୀର ରାଗ । ବଡେ ଗୁଲାମ ଅଲି ଓ ବାଳକୃଷ୍ଣଙ୍କ ଭିତରେ ଗୁରୁଶିଷ୍ୟର ସମ୍ପର୍କ ରହିଥିଲା । ହୁଏତ ପରୋକ୍ଷରେ ଗୁରୁଙ୍କ ପ୍ରଭାବ ଶିଷ୍ୟଙ୍କ ଉପରେ ଥାଇପାରେ । ହେଲେ “ବିତିଲା ତ ଯାମିନୀ” ର ଠାଣି ବିଶୁଦ୍ଧ ଓଡିଶୀ ।

ହିନ୍ଦୁସ୍ତାନୀରେ ପଦଲାଳିତ୍ୟ ଓ ଭାବସିଦ୍ଧି ପ୍ରାୟ ବିରଳ । ରାଗର ଗତି ସହିତ ହିନ୍ଦୁସ୍ତାନୀର ଭାବ ପ୍ରକଟ ହୋଇଥାଏ । ଓଡିଶୀ କିନ୍ତୁ ଶବ୍ଦ-ଅର୍ଥ ଓ ଭାବ ଭିତରେ ରାଗକୁ ବାନ୍ଧିଥାଏ । ଶବ୍ଦ-ଅର୍ଥ-ଭାବକୁ ଗୋଟିଏ ସୂତ୍ରରେ ଗୁନ୍ଥିବାରେ ଓଡିଶୀ ଗାୟନର ସାର୍ଥକତା । ବାଳକୃଷ୍ଣ ଦାସଙ୍କ ଗାୟକିରେ ପ୍ରତିଟି ଶବ୍ଦର ଉଚ୍ଚାରଣ, ଭବବିନ୍ୟାସ, ରାଗବିନ୍ୟାସ ଓ ଅର୍ଥ ସଂଯୋଗ ହିନ୍ଦୁସ୍ତାନୀ ଠାରୁ ସ୍ଵତନ୍ତ୍ର । ତାଙ୍କର ଆଳାପ ଓ ତାନକାରୀ, ଲୟ ପ୍ରଧାନ ନୁହେଁ, ବରଂ ଭାବ ପ୍ରଧାନ। ତେଣୁ ଓଡିଶୀର ଏକ ମୌଳିକ ଗୀତକୁ ଉପର ଠାଉରିଆ ଭାବେ ଠୁମରିର ପ୍ରଭାବ ବୋଲି କହିବା ଅସଙ୍ଗତ ।

ତେବେ ଓଡିଶୀର ଆଧୁନିକ ପର୍ବରେ ବାଳକୃଷ୍ଣ ଦାଶଙ୍କ ନିଜସ୍ଵ ଗାୟନ ଓ ସ୍ଵର ରଚନାର ସଂଖ୍ୟା ଶତାଧିକ । ଏହା ଗୋଟିଏ କି ପାଞ୍ଚୋଟି ଗୀତରେ ସୀମିତ ନୁହେଁ । ଛାନ୍ଦ, ଚଉପଦି, ଚମ୍ପୁ, ଜଣାଣ, ପ୍ରବନ୍ଧ ଗାୟନ ଓ ଓଡିଶୀର ଲଘୁଶୈଳୀରେ ଶହ ଶହ ଗୀତ ସେ ଗାଇଛନ୍ତି ଓ ସେସବୁର ସ୍ଵର ରଚନା କରିଛନ୍ତି । ସବୁ ଗୀତର ନିରୋଳା ଓଡିଶୀ ଠାଣି ଓ ଠାସ ଅଲଗା । ପାରମ୍ପରିକ ଗାୟନ ସହିତ ନୂଆ ସ୍ବରଗ୍ରାମର ସଂଯୋଜନା ତାଙ୍କ ଗୀତର ଆଉ ଏକ ବଡ ଅବଦାନ । ଓଡିଶୀ ଗୀତର ଅର୍କେଷ୍ଟ୍ରା କୁ ସଂପୂର୍ଣ୍ଣ ବଦଳାଇ ଦେବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । କଟକ ରେଡିଓ ଷ୍ଟେସନରେ ସେ ରେକର୍ଡ କରିଥିବା ଅସଂଖ୍ୟ ଓଡିଶୀ ଗୀତ ଆଜି ମଧ୍ୟ ସେହି ସମାନ ସ୍ଵର ଓ  ମୂର୍ଚ୍ଛନାରେ ଜୀବିତ ଅଛନ୍ତି ।

ବାଳକୃଷ୍ଣ ଦାସଙ୍କ ଗଳାରେ ଗୀତର ପଦ ବା ଶବ୍ଦ ଅପେକ୍ଷା ଭାବର ପ୍ରାଧାନ୍ୟ ଅଧିକ “ବସି କାନ୍ଦୁଥିବ ମାନୀନୀ” ଗାଇଲା ବେଳେ କେଉଁଠି ନା କେଉଁଠି ଗୋଟେ ବିରହୀ କରୁଣ ମୂର୍ଛନା, ଶ୍ରୋତାର ଛାତିକୁ  ଚିରି ପକାଉଥିବ । ଉପେନ୍ଦ୍ର ଭଞ୍ଜଙ୍କୁ ଗାଇଲା ବେଳେ ଛାନ୍ଦର ଯତିପାତକୁ ନେଇ ସେ ଅତ୍ୟନ୍ତ ସଚେତନ । ଓଡିଆ ଛାନ୍ଦ ଗାୟନରେ ଯତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେତୋଟି ଅକ୍ଷର ପରେ ସ୍ଵରର ବିରାମ ଘଟିବ ତାର ଏକ ନିର୍ଦ୍ଦିଷ୍ଟ ନିୟମ ରହି ଆସିଛି । ବାଳକୃଷ୍ଣ ଦାଶଙ୍କ ଗାୟକୀ ସେ ଦୃଷ୍ଟିରୁ “ଯତିର ଗତି” ବୋଲି ଆମେ କହିପାରିବା ।

ବାଳକୃଷ୍ଣ ଦାଶଙ୍କ ଓଡିଶୀ ଗାୟନର ଏକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ମଧ୍ୟ ରହିଛି । ତାଙ୍କ ପୂର୍ବରୁ ଓଡିଶୀ ଗାୟନର ଧାରାଟି ମୂଳତଃ ଉଦାତ୍ତ ଓ ଏକସ୍ତରୀୟ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ସେ ଶୈଳୀର ମହାନାୟକ । ବାଳକୃଷ୍ଣ ଦାଶଙ୍କ ଗାୟକୀରେ ଏହାର ରୂପାନ୍ତରଣ ଘଟୁଛି । ଉଦାତ୍ତ, ଅନୁଦାତ୍ତ ଓ ସ୍ଵରିତର ସମାଗମ ସହିତ ଗୀତର ଆବେଦନ ବହୁସ୍ତରୀୟ ହେବା ଆରମ୍ଭ କରିଛି ।

ବାଳକୃଷ୍ଣଙ୍କ ସଙ୍ଗୀତରେ ଓଡିଶୀର ଏହି ନବଜନ୍ମକୁ ନେଇ ଆହୁରି ଅନେକ ଅନୁଶୀଳନର ଆବଶ୍ୟକତା ରହିଛି ।