ଡବଲ୍ ଇଞ୍ଜିନ ସରକାର: ମୋଦୀ ସରକାରର ଆଉ ଏକ ବିଭ୍ରାନ୍ତି

ଡବଲ୍ ଇଞ୍ଜିନ ସରକାର: ମୋଦୀ ସରକାରର ଆଉ ଏକ ବିଭ୍ରାନ୍ତି

ଗତ କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସବୁ ନିର୍ବାଚନରେ ଗୋଟେ ସ୍ଳୋଗାନ ଦେଇ ଆସୁଛନ୍ତି:ଡବଲ୍ ଇଞ୍ଜିନ ସରକାର। ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ସମାନ ଦଳର ସରକାର। ସଂଖ୍ୟାଧିକ ରାଜ୍ୟ ବିଜେପିର ଡବଲ୍ ଇଞ୍ଜିନ ମୋଡେଲକୁ ପ୍ରତ୍ୟାଖ୍ୟାନ କରିଥିବା ସତ୍ତ୍ୱେ ଏହାକୁ ବାରମ୍ବାର ନିଜର ସ୍ଲୋଗାନ ଭାବରେ ବିଜେପି ବ୍ୟବହାର କରିଚାଲିଛି। ଗତ ୧୮ ତାରିଖ ବନ୍ଦେ ଭାରତ ରେଳ ଉଦ୍ଘାଟନ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ସେଇ ଡବଲ୍ ଇଞ୍ଜିନ ସରକାର କଥା କହିଛନ୍ତି। ଓଡ଼ିଶାରେ ଗତ ୨୫ ବର୍ଷ ଧରି ସିଙ୍ଗଲ୍ ଇଞ୍ଜିନ ସରକାର ଚାଲିଛି। ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିର ସରକାର (୨୦୦୦-୨୦୦୪)କୁ ବାଦ ଦେଲେ ବାକି ସବୁ ସମୟରେ କେନ୍ଦ୍ରକୁ ବିରୋଧ କରୁଥିବା ସରକାର ଓଡ଼ିଶାରେ ରହିଛି। ୧୯୯୫-୨୦୦୦ କଂଗ୍ରେସ ସରକାର ଓଡ଼ିଶାରେ ଥିବା ବେଳେ କେନ୍ଦ୍ରରେ ଅଣ କଂଗ୍ରେସ ସରକାର ରହିଥିଲା। ତା ପୂର୍ବରୁ ବିଜୁ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ କେନ୍ଦ୍ରରେ ନରସିଂହ ରାଓ ସରକାର ଥିଲା। ତେଣୁ ଓଡ଼ିଶା ରାଜନୀତିରେ ଡବଲ୍ ଇଞ୍ଜିନ ସରକାରର ବିଶେଷ ଗ୍ରହଣୀୟତା ନାହିଁ।

ଡବଲ୍ ଇଞ୍ଜିନ ସରକାର ପ୍ରଥମତଃ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ଏକ ଧାରଣା। ସଙ୍ଘୀୟ ଢାଞ୍ଚାରେ ରାଜ୍ୟ ଓ କେନ୍ଦ୍ରର ନିଜସ୍ବ ଦାୟିତ୍ଵ ରହିଛି। ଯେଉଁ ଦଳ ସରକାରରେ ରହିଲେ ମଧ୍ୟ ସଙ୍ଘୀୟ ଢାଞ୍ଚାରେ କାମ ହେଉଛି ଓ ହୋଇ ଚାଲିବ। ତେଣୁ ବିଜେପିର ଡବଲ୍ ଇଞ୍ଜିନ ସରକାର ଗୋଟେ ପ୍ରକାର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ସ୍ଳୋଗାନ। ଏହା ସହିତ, ଏହି ମୋଡେଲ ଗୋଟେ ଭୟଙ୍କର ମିଛ ଉପରେ ପ୍ରତିଷ୍ଠିତ। ଡବଲ୍ ଇଞ୍ଜିନ ସରକାର ଶାସନ କ୍ଷେତ୍ରରେ ଯେ ଭୟଙ୍କର ଭାବରେ ବିଫଳ ତାର ଏକ ବଡ଼ ଉଦାହରଣ ଆମେ ମଣିପୁରରେ ଦେଖିଛୁ।‌ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ବିଜେପି ସରକାର ରହିଥିବା ସତ୍ତ୍ବେ ମଣିପୁରରେ ହିଂସା, ଭୟ ଓ ଆତଙ୍କର ବାତାବରଣ ଜାରି ରହିଛି। ଡବଲ୍ ଇଞ୍ଜିନ ସରକାର ଯଦି ଶାସନର ଏକ ସଫଳ ମୋଡେଲ ତା ହେଲେ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ କେଉଁ ମୋଡେଲ ଥିଲା?

୨୦୦୨ ରେ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ  ହେବା ସମୟରେ ସେଠି ଡବଲ୍ ଇଞ୍ଜିନ ସରକାର ଥିଲା। ଡବଲ୍ ଇଞ୍ଜିନ ସରକାର ସମୟରେ ଗୁଜରାଟ ଦଙ୍ଗାର ଭୟଙ୍କର ସ୍ମୃତି ଆମର ମନେ ଅଛି ନିଶ୍ଚୟ।୨୦୦୪ରେ ବାଜପେୟୀ ସରକାର କେନ୍ଦ୍ରରେ ନିର୍ବାଚନ ହାରିବା ପରେ ଗୁଜରାଟ ସରକାର ଏକ ପ୍ରକାର ସିଙ୍ଗଲ ଇଞ୍ଜିନରେ ଚାଲିଥିଲା। ଏହି ସିଙ୍ଗଲ ଇଞ୍ଜିନ ମୋଡେଲକୁ ଦେଖାଇ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେଦିନର ସିଙ୍ଗଲ୍ ଇଞ୍ଜିନ ସରକାର ଆଜି ହଠାତ୍ ବିଜେପିକୁ ଭଲ ନ ଲାଗିବାର କାରଣ କ'? ମୋଦୀଙ୍କ ଗୁଜରାଟ ମୋଡେଲ ସିଙ୍ଗଲ୍ ଇଞ୍ଜିନ ରେ ଯଦି ସଫଳ ହୋଇଥିଲା ଆଜି ଡବଲ୍ ଇଞ୍ଜିନର ମିଛ ପ୍ରଚାର କରିବାର କାରଣ କଣ?

ଭାରତର ଅର୍ଥନୈତିକ ଇତିହାସ ଅଧ୍ୟୟନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, ଯେଉଁ ରାଜ୍ୟ ନିଜସ୍ବ ବିକାଶର ରାସ୍ତା ତିଆରି କରିଛି, ସେ ରାଜ୍ୟ ଆଗକୁ ବଢିଛି। କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ପ୍ରଥମ କମ୍ୟୁନିଷ୍ଟ ସରକାର କେରଳରେ ଗଠିତ ହୋଇଥିଲା। ସେଠି କମ୍ୟୁନିଷ୍ଟ ଏବଂ କଂଗ୍ରେସ ସରକାର ନିୟମିତ ବ୍ୟବଧାନରେ ଆସିଛନ୍ତି ଓ ଯାଇଛନ୍ତି। ହେଲେ ରାଜ୍ୟର ସାମୁହିକ ବିକାଶ ସେଠି କୌଣସି ଇଞ୍ଜିନ ଉପରେ ନିର୍ଭର କରିନାହିଁ। ଆଜି ବିଜେପି କେରଳକୁ ଯେତେ ମିଛ କହି ବଦନାମ କଲେ ମଧ୍ୟ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ କେରଳ ସବୁ ବେଳେ ଆଗୁଆ ରହିଆସିଛି। ଅନ୍ୟ ଏକ ଉଦାହରଣ ଭାବରେ ଆମେ ତାମିଲନାଡୁକୁ ଆଲୋଚନା କରିପାରିବା। ୧୯୬୯ ରୁ ତାମିଲନାଡୁରେ ଡବଲ୍ ଇଞ୍ଜିନ ବୋଲି କିଛି ନାହିଁ। ଦ୍ରାବିଡ଼ ରାଜନୀତିର ଅଭ୍ୟୁଦୟ ପରେ ସେଠାରେ ସବୁ ବେଳେ ଅଣ କଂଗ୍ରେସ ଓ ଅଣ ବିଜେପି ସରକାର ରହିଆସିଛି। ତା ସତ୍ତ୍ୱେ ତାମିଲନାଡୁର ବିକାଶ ବ୍ୟାହତ ହୋଇନାହିଁ।

ଡବଲ୍ ଇଞ୍ଜିନର ବିଫଳତା ବିଷୟରେ କେବଳ ମଣିପୁରର ଉଦାହରଣ ହୁଏତ ଯଥେଷ୍ଟ ହୋଇ ନପାରେ। ବିଜେପିର ଡବଲ୍ ଇଞ୍ଜିନ ଶାସନର ଆଦର୍ଶ ଯଦି ଉତ୍ତର ପ୍ରଦେଶ ହୁଏ, ତା ହେଲେ ଏହା ଅର୍ଥନୈତିକ ଭାବରେ ଦେଶର ଅନ୍ୟତମ ପଛୁଆ ରାଜ୍ୟ। ପୁଲିସ୍ ଏନକାଉଣ୍ଟରକୁ ଡବଲ୍ ଇଞ୍ଜିନର ସଫଳତା ବୋଲି କହିଲେ ଉତ୍ତର ପ୍ରଦେଶ ହୁଏତ ଆଗରେ ରହିବ। ହେଲେ ଅର୍ଥନୈତିକ ଭାବରେ ଏହା ଦେଶର ସବୁଠାରୁ ଦୁର୍ବଳ ରାଜ୍ୟ। ଦେଶର ମୁଣ୍ଡ ପିଛା ଆୟ ୧,୪୫,୬୭୯ ଟଙ୍କା ହୋଇଥିଲା ବେଳେ ଉତ୍ତର ପ୍ରଦେଶର ମୁଣ୍ଡ ପିଛା ୬୧, ୬୬୬ ଟଙ୍କା। ଏହା ବୋଧହୁଏ ଡବଲ୍ ଇଞ୍ଜିନ ସଫଳତାର ଏକ ନମୂନା!!

ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସରକାର ବାଛିବା ଲୋକଙ୍କ ଅଧିକାର। ସେମାନଙ୍କ ପସନ୍ଦକୁ ବିଭ୍ରାନ୍ତ କରିବା ଅନୈତିକ ରାଜନୀତି। ସୌଭାଗ୍ୟ କ୍ରମେ ବିଜେପିର ଏ‌ ପ୍ରକାର ଅନୈତିକ ରାଜନୀତି ଅନେକ ରାଜ୍ୟରେ ପ୍ରତ୍ୟାଖ୍ୟାତ ହେଉଛି। ଏହି ପ୍ରତ୍ୟାଖ୍ୟାନର ଶେଷ ଉଦାହରଣ ହେଉଛି କର୍ଣାଟକ।