ଭଣ୍ଡବାବା ନିତ୍ୟାନନ୍ଦଙ୍କ ସାର୍ବଭୌମ ଦେଶ : କୈଳାସ

ଭଣ୍ଡବାବା ନିତ୍ୟାନନ୍ଦଙ୍କ ସାର୍ବଭୌମ ଦେଶ : କୈଳାସ

କି ଦେଖିଲା ଆଜ ନେତ୍ର !! 

ପ୍ରାଚୀନ ଓଡିଆ କବିତାର ଏ ଧାଡିଟି ଆଜି ଅଧିକ ପ୍ରାସଙ୍ଗିକ ଲାଗୁଛି । ମିଳିତ ଜାତିସଂଘର ଏକ ବୈଠକରେ ଧର୍ଷଣ ଅଭିଯୋଗରେ ଫେରାର ଅଭିଯୁକ୍ତ ବାବା ନିତ୍ୟାନନ୍ଦର ପ୍ରତିନିଧି ଭାଷଣ ଦେଇଛନ୍ତି । ନିଜକୁ ଏକ ସାର୍ବଭୌମ ଦେଶର ସର୍ବମୟ କର୍ତ୍ତା ବୋଲାଉଥିବା ନିତ୍ୟାନନ୍ଦ ନାମରେ ଅନେକ ଅପରାଧିକ ମାମଲା ରହିଛି । ଭାରତୀୟ ଆଇନ ଓ ପୁଲିସ ବ୍ୟବସ୍ଥାକୁ ଚକମା ଦେଇ ଫେରାର ହୋଇ ଯାଇଥିବା ଏହି ଅପରାଧୀ ଏବେ "କୈଳାସ" ନାମକ ଏକ ସାର୍ବଭୌମ ରାଷ୍ଟ୍ରର ପ୍ରତିଷ୍ଠାତା ଭାବରେ ନିଜକୁ ଜାହିର କରୁଛି । ଏକ ବିଚିତ୍ର ଘଟଣାକ୍ରମରେ ଗତ ୨୪ ଫେବୃଆରୀ ଦିନ ଜେନେଭା ଠାରେ ମିଳିତ ଜାତିସଂଘର ଅର୍ଥନୀତି,ସାମାଜିକ ଓ ସାଂସ୍କୃତିକ ଅଧିକାର(CESCR) କମିଟିର ବୈଠକରେ ତଥାକଥିତ "ହିନ୍ଦୁ ରାଷ୍ଟ୍ର କୈଳାସ"ର ପ୍ରତିନିଧି ବିଜୟା ନିତ୍ୟାନନ୍ଦ ନିଜର ମତ ରଖିଥିଲେ । 

ସବୁଠୁ ଆଶ୍ଚର୍ୟର କଥା ହେଉଛି ମିଳିତ ଜାତିସଙ୍ଘରେ ଏ ପ୍ରକାର ଅପରାଧୀ ଚରିତ୍ରର ବ୍ୟକ୍ତିଙ୍କ ଲାଗି ଦୁଆର ଖୋଲୁଛି କେମିତି ? ମିଳିତ ଜାତିସଂଘ ତାଲିକାରେ "କୈଳାସ" ବୋଲି କୌଣସି ଦେଶର ନାଁ ନଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ବୈଠକରେ ସ୍ଵାମୀ ନିତ୍ୟାନନ୍ଦର ପ୍ରତିନିଧି ଅଂଶଗ୍ରହଣ କରିବାର ସୁଯୋଗ ପାଇଲେ କେମିତି ? ବିଶ୍ଵର କୂଟନୈତିକ ଇତିହାସରେ ଏହା ବୋଧହୁଏ ସବୁଠୁ ଲଜ୍ଜାଜନକ ଘଟଣା । ଏହି ବୈଠକରେ ନିଜକୁ ମିଳିତ ଜାତିସଙ୍ଘରେ ଯୁକ୍ତରାଷ୍ଟ୍ର କୈଳାସ ର ସ୍ଥାୟୀ ପ୍ରତିନିଧିର ପରିଚୟ ଦେଇ ଭାଷଣ ଦେଇଥିବା ବିଜୟା ନିତ୍ୟାନନ୍ଦ ଭାରତ ସରକାର ବିରୋଧରେ ମନ୍ତବ୍ୟ ଦେଇଥିଲେ । 

ନିତ୍ୟାନନ୍ଦ ଭଳି ଅପରାଧୀକୁ ଦେଶ ଛାଡି ଚାଲିଯିବାରେ ସହାୟତା କରିଥିବା ଆମ ସରକାର ଏ ପ୍ରସଙ୍ଗରେ ଚୁପ ହୋଇ ବସିବା ଆଶ୍ଚର୍ୟର କଥା ଅବଶ୍ୟ ନୁହେଁ !!