ସରକାର ହାତରୁ ଗଲା ନିର୍ବାଚନ କମିଶନ ନିଯୁକ୍ତିର ପୂର୍ଣ୍ଣାଙ୍ଗ କ୍ଷମତା
ଆଜି ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟା ରେ କେନ୍ଦ୍ର ସରକାର ହାତରେ ରହିଥିବା ପୂର୍ଣ୍ଣାଙ୍ଗ କ୍ଷମତାକୁ କାଢି ନେଇଛନ୍ତି। ଆଗକୁ ମୁଖ୍ୟ ନିର୍ବାଚନ କମିଶନର ଏବଂ କମିଶନରଙ୍କୁ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିରୋଧୀ ଦଳ ନେତା (କିମ୍ବା ଏକକ ବିରୋଧୀ ଦଳ ନେତା) ଏବଂ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ କ୍ରମେ ରାଷ୍ଟ୍ରପତି ନିଯୁକ୍ତ କରିବେ। ପୂର୍ବରୁ ସରକାର ସିଧାସଳଖ କମିଶନର ନିଯୁକ୍ତ କରୁଥିଲେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ କମିଶନ ସ୍ବଚ୍ଛ ଏବଂ ନିରପେକ୍ଷ ରହିବା ଜରୁରୀ ଏବଂ ଏ ସଙ୍କ୍ରାନ୍ତୀୟ ଏକ ଆଇନ ଏଯାଏଁ ସଂସଦରେ ଗୃହୀତ ନ ହେବା ପରିତାପର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂସଦ ଏ ପ୍ରସଙ୍ଗରେ ନୂଆ ଆଇନ ନ ଆଣିବା ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ କମିଟି ହିଁ ନିର୍ବାଚନ କମିଶନ ନିଯୁକ୍ତି କରିବାକୁ ଅଧିକୃତ ରହିବେ ।
ନିର୍ବାଚନ କମିଶନ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାର ମେରୁଦଣ୍ଡ ହୋଇଥିବାରୁ ତାଙ୍କ ନିଯୁକ୍ତି ସବୁବେଳେ ନିରପେକ୍ଷ ଏବଂ ସନ୍ଦେହମୁକ୍ତ ରହିବା ଉଚିତ । ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ସାଂସଦ ଏକ ସ୍ଵତନ୍ତ୍ର ଆଇନ କରିବା ଉଚିତ ବୋଲି ସମ୍ବିଧାନ ପ୍ରଣଯନ ସଭାରେ କୁହା ଯାଇଥିଲା । ଗତ ସତୁରୀ ବର୍ଷ ଭିତରେ କୌଣସି ସରକାର ଏଥିପାଇଁ ପଦକ୍ଷେପ ନନେବା ଚିନ୍ତାର ବିଷୟ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି ।