କଣ ଫେରେଇ ହେବ

କଣ ଫେରେଇ ହେବ

ଯଦି ତତେ ଦିନେ ମୁଁ ଫେରାଇବାକୁ ଚାହେଁ

ତେବେ କଣ ଫେରେଇ ହେବ ଆଗ?

 

ଗୋଟେ ଜହ୍ନରାତିର ପାଦ ଚୁମିଲା ବେଳେ

ଶୂନ୍ୟରେ ଶୂନ୍ୟରେ ନାଇ ଦେଇଥିଲୁ

ଯେଉଁ କାନ୍ଦକାନ୍ଦ ପାଉଁଜି ହଳକ

ତାକୁ ଇଁ ଫେରେଇ ଦିଅନ୍ତି

ହେଲେ ତା ସାଥିରେ ସରିଯାଇପାରେ

ଜୀବନର ଯେତେ ଛମ୍ ଛମ୍ ସକାଳ।

 

କୋହକୋହ ପଶାପାଲିରେ ବୁଣା

ଆଲିଙ୍ଗନର ଶାଢ଼ୀଟିଏ

ପିନ୍ଧେଇଲା ବେଳେ

କେମିତି ଦିଶେ ମୁଁ ?

ତୋ ଚାହାଣୀ ଛଡ଼ା ଆଜିଯାଏଁ

କହିପାରିନି ଦର୍ପଣ,

ତାକୁ ଯଦି ଉତ୍ତାରି ଦେବାକୁହୁଏ

ଆଉ କେଉଁଥିରେ ଦେଖି ହେବ ନିଜକୁ

କହ?

 

ଚକା ଆଖିରେ ଆଖି ଥୋଇଲା ବେଳେ

ଯେମିତି ଉଛୁଳି ପଡ଼େ ମୁଁ

କେବେକେବେ ତତେ ଦେଖୁ ଦେଖୁ ସେଇମିତି

ଲୁହଲହୁ ଏକାକାର,

 

ତୋ ଛାତିର ବଡ଼ ଦାଣ୍ଡରେ

ଢଳଢଳ ଆବେଗରେ ଆଙ୍କିଥିବା

ମୋର ଅସହାୟ ପାଦ ଚିହ୍ନକୁ ଲିଭେଇ ହୁଅନ୍ତା,

ହେଲେ ତା ସହ ଲିଭି ଯାଇପରେ

ମୋର ଲୁହମାନଙ୍କର ଦେହ

ବିନା ଲୁହରେ କେଉଁଠି ଦେଖିଛୁ

ଟୋପାଏ ଜୀବନ ?

 

ମୋର ହଳଦି ରଙ୍ଗରେ ଲୋଭ ବୋଲି

ତୁ ଯୋଉ ହଳଦୀବସନ୍ତ ହେଇ ଥଣ୍ଟ ଘଷୁଥିଲୁ

ଗୋଟେ ଖାରବେଳର ପିଠିରେ

ପୁଣି ସୋରିଷଫୁଲ ହେଇ ବୁଣି ହେଉଥିଲୁ

ଗୋଟେ ଲୁହ ବତୁରା ଛାତିରେ,

 

ତୋର ମହୁ ମହୁ ଅବସୋସର ନଈରେ ଦେହ ପଖାଳି

ଭସେଇ ହୁଅନ୍ତା

ଯେତେ ସବୁ ହଳଦୀ ରଙ୍ଗ ଜୀବନର

କିନ୍ତୁ ମତେ ନଈ, ଆଉ ନଈକୁ ମୁଁ ବୋଲି

କହିବୁନି ପ୍ରେମିକ।

 

କଣ ଫେରେଇ ହେବ ତତେ?

ଫେରେଇଲା ଭଳି ଯାହା କିଛି ଏକାନ୍ତ ଦୁଃଖ

ତୁ ଚୁମ୍ବନ କରି ଆଙ୍କି ଦେଇଛୁ କପାଳରେ

ତାକୁ ବି ପଞ୍ଜୁରୀରେ ପକ୍ଷୀ ପରି ପାଳିହୁଏ କେବଳ

ଉଡ଼େଇ ହୁଏନି କେବେ।

 

୮୦୧୮୨୫୧୬୦୮

ବଡ଼ ବାନସ୍ତା/ ଭଣ୍ଡାରି ପୋଖରୀ/ ଭଦ୍ରକ