ବର୍ଷାରମ୍ଭ:ଆତ୍ମବରଣ

ବର୍ଷାରମ୍ଭ:ଆତ୍ମବରଣ

ଆପଣ।

ଆପଣ ଆମ ସମସ୍ତଙ୍କର ଦୃଷ୍ଟିକୁ ନନ୍ଦିତ କରନ୍ତି।

ଆପଣ ଆମର ଅସୁଖକୁ ଦୂରକରି ହଳଦୀବସନ୍ତ ଭଳି ଗୋଟିଏ ପକ୍ଷୀବର୍ଣ୍ଣରେ ତାହାକୁ ସ୍ଥାପନା କରିଥାନ୍ତି।

ଆପଣ ଉପସ୍ଥିତ ଅଛନ୍ତି ମାନେ ଆଲୋକ ର ଉପସ୍ଥିତି ସର୍ବତ୍ର । ଆଲୋକର ଉପସ୍ଥିତି ମାନେ  ସାରା ଜଗତରେ ସନ୍ତୋଷ । ସନ୍ତୋଷ ଏଇଥିପାଇଁ ଯେ ଆପଣଙ୍କର ଆଲୋକଯାତ୍ରାରେ ସହାୟତା କରୁଛନ୍ତି ଯେଉଁ ସପ୍ତରଙ୍ଗର ଅଶ୍ୱ ସାତୋଟି ସେମାନେ ବସ୍ତୁତଃ ଆମର ଜୀବନର ପରିସରକୁ ପ୍ରବେଶ କରୁଛନ୍ତି। ଆମର ତେଣୁ ଆନନ୍ଦ। ଆନନ୍ଦଧାରା  ପ୍ରବାହିତ ଭବନେ,ଭୁବନେ ।

ଆପଣଙ୍କର ପୃଥିବୀର ଏକମାତ୍ର ସାର୍ଥକ ଗୁପ୍ତଚର। ଆପଣଙ୍କର ଦୃଷ୍ଟିକୁ କିଛି ଅଗୋଚର ନଥାଏ। ସେଇଥିପାଇଁ ତ ଆମେ ସତର୍କ ରହିଥାଉ। ପଥହୁଡି ଅବାଟରେ ଯିବାର ଆକର୍ଷଣରୁ ନିଜକୁ ସଂଜତ କରି ରଖିବା ଭଳି ପ୍ରୟାସରେ ଯତପରୋନାସ୍ତି ରହିଥାଉ।

ଆପଣଙ୍କ ସହିତ ଆମର ଗତିଶୀଳତା ସମାର୍ଥବାଚକ। ଅର୍ଥାତ୍ ଆପଣ ଅଛନ୍ତି ମାନେ ଆମେ ଗତିଶୀଳ,ଜୀବନ୍ତ,ମୃତ୍ୟୁର ନାଗଫାଶରୁ ମୁକ୍ତ ଅଥବା ଆମେ ଜୀବନ୍ତ ରହିଛୁ ମାନେ ଆପଣ ନିଶ୍ଚୟ ଆମର ଆଖପାଖରେ କେଉଁଠି ଉପସ୍ଥିତ ଅଛନ୍ତି । ଆମଠାରୁ ଟିକିଏ ଦୂରରେ ଆଉ ଉଚ୍ଚରେ ରହିଛନ୍ତି ବୋଲି ଆପଣ ତେଣୁ ଆମର ସମସ୍ତ ଗତିଶୀଳତାର ନିର୍ବିବାଦୀୟ ବିଚାରକ ଆଉ ଆମେ ଆମର ଗତିଶୀଳତାକୁ ନେଇ ଉଭୟ ପବିତ୍ର ଓ ପାପୀ ଏକତ୍ର,
ଜଜ-ପେନିଟେଣ୍ଟ ।

ଆପଣ ଆକାଶର ଧାରକ। ଆପଣ ଥାଆନ୍ତି ବୋଲି ଆକାଶଟିଏ ଆମ ଆଗରେ ରହିଥାଏ।ଆଉ ଆକାଶଟିଏ ଥାଏ ବୋଲି ତ ଆମେ ସ୍ୱଚ୍ଛନ୍ଦରେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁ। ଆମର କଳ୍ପନାର ଅଲୌକିକ ପକ୍ଷୀ ର ଉଡାଣ ସେଇଥିପାଇଁ ତ ନିର୍ବିଘ୍ନ ।

ଆପଣ ସବୁବେଳେ ଅଗ୍ନିବେଶ। ରାତି ହେଲେ ଆପଣ ଅଗ୍ନିରେ ବାସ କରନ୍ତି, ଏଇ କଥାଟି ଯେବେ ଆମ ଆଗରେ ସ୍ପଷ୍ଟ ହୋଇଗଲା ତାହାପରେ ଆମେ ଜାଣିଗଲୁ ଯେ ଆପଣଙ୍କର ସବୁବେଳେ  ଦିବସ ରାତ୍ରୀ ହେଉଛି ଏକ ବିକଳ୍ପ ନିବାସ । ଅଗ୍ନି ରୂପରେ ଆପଣ ଆମକୁ ଖାଦ୍ୟ ଇତ୍ୟାଦିର ସୁରକ୍ଷା ପ୍ରଦାନ କରିବା ସହିତ ଆମର ସମସ୍ତ ଶେଷଟିକୁ ବି ଖୁବ୍ ସୁନ୍ଦର ଭାବରେ ସଂପାଦନ କରିଥାଆନ୍ତି ।

ସକାଳ ହେଲେ ଆପଣ ନିଜର ଅଗ୍ନିବେଶକୁ ଛାଡି ଆମ ସାମ୍ନାରେ ଆସି ଆଉ ଯେଉଁ ବେଶରେ ବିରାଜିତ ହେଉଥାନ୍ତି ତାହା ଦେଖିବାକୁ ଏକ ପ୍ରକାର ଧୂଆଁ ଭଳି ଅର୍ଥାତ ସ୍ୱାହା ।

ଆପଣ ସ୍ୱାହା ରୂପରେ ପୃଥିବୀର ସମସ୍ତ ସଂପ୍ରେଷଣ ର ପରିଚାଳକ,କମ୍ୟୁନିକେସନ୍ ମ୍ୟାନେଜର୍।

ଆପଣ।

ହେ ସୂର୍ଯ୍ୟ ହେ ସହସ୍ରାଂଶୁ ,
ନବବର୍ଷର ଏଇ ପ୍ରଥମଦିନ ଆପଣଙ୍କର ଆରାଧନାର ଦିନ। ସ୍ୱାହାରୂପରେ ଆପଣଙ୍କୁ ଏ ଅକିଙ୍କନ ପ୍ରଣିପାତ କରୁଅଛି ।

ନବବର୍ଷର ଆତ୍ମବରଣ। ଏଥର।

ଆତ୍ମବରଣର ଭାଷାରେ ନୂଆ କ'ଣ,ପୁରୁଣା କ'ଣ ?ଆରମ୍ଭ ଟି ସବୁବେଳେ ଚିର ପରିଚିତ ଆରମ୍ଭ ଭଳି ହିଁ ହେବ,ଯେଉଁ ପ୍ରକାର ଆରମ୍ଭ ଆମର ହାତରେ ସଂଭବ।ଆରଂଭ କଥାଟି ଭାରି ସହଜ କିନ୍ତୁ ଆରଂଭ ପରଟି ଭାରି ଜଟିଳ।ସେଇଥିପାଇଁ ଆମ ଭଳି ଅନେକ ଅପଦାର୍ଥ ଆରଂଭର  ଚାରିପଟେ ଖାଲି ଘିରିଘିରି ଚକକର କାଟୁଥାନ୍ତି,ଯେତେଯେତେ ମୁକୁଳିଯିବାକୁ ସ୍ୱପ୍ନ ଦେଖିଲେ ବି ଆମର ମେଢିଖୁଣ୍ଟ ସହ ଦୃଢ ବଂଧନ।

ସେଇମିତି ଏକ ବଂଧନର ଦଶାକୁ ବୁଝିନେଇଛୁ ବୋଲି ବର୍ଷାରମ୍ଭଟି ଆହୁରି ଭଲ ହେବାର ଇଚ୍ଛା ଥିଲା କିନ୍ତୁ ହୋଇ ପାରିଲା ନାହିଁ।ଆର ବର୍ଷକୁ ଦେଖିବା।

ତେଣୁ ନୂଆପୁରୁଣା ଆଉ ଶୁଦ୍ଧ ଅଶୁଦ୍ଧ ରେ ଆରଂଭ ହେଉଛି ଆମର ନବବର୍ଷ।ଦୋଷ ଘେନିବେ ନାହିଁ ସମସ୍ତ ଉଦାରବାରିଧି  ବଂଧୁଗଣ।

ତାହାପରେ ଆଲମିତ୍ରା କହିଲେ, ତୁମେ ପ୍ରେମ ବିଷୟରେ କିଛି କହିବ ଆମକୁ।

ସେ ମୁଣ୍ଡ ଟେକି ସମସ୍ତଙ୍କୁ ଘଡିଟିଏ ଚାହିଁଲେ।ସମସ୍ତେ ନୀରବ।ଚାରିଆଡ ନିସ୍ତବ୍ଧ ।ଏବଂ ସେ ଉଦାର କଂଠରେ କହିବାକୁ ଆରମ୍ଭ କଲେ,

ପ୍ରେମ ଯେତେବେଳେ ତମକୁ ଈଶାରା କରେ,ସେତେବେଳେ ତାହା ସହିତ ଚାଲିବାର ବାଟ ଯେତେ  କଠିନ ଆଉ ବନ୍ଧୁର ହେଲେ, ତୁମେ ତାହାକୁ ଅନୁସରଣ କର।

ଯେତେବେଳେ ନିଜର ଡେଣାରେ ସେ ତୁମକୁ ଗାଢ ଆଲିଙ୍ଗନ ରେ ଧରିଥାଏ ସେତେବେଳେ ତାହାର ନିଜ ଡେଣାରେ ଆଗରୁ ଲୁଚାଇ ରଖିଥିବା ତରବାରୀରେ ସେ ତମକୁ ଆଘାତ କରୁଥିଲେ ବି ତୁମେ ତାହାର ଆଲିଙ୍ଗନ ରେ ଆତ୍ମସମର୍ପଣ କର।

ସେ ଯେତେବେଳେ କିଛି କହୁଥାଏ ତାହାର କଂଠସ୍ୱରରେ ତୁମର ସ୍ୱପ୍ନ ହୁଏତ କେଉଁ ଉତ୍ତରର ବତାସୀ ପବନରେ ଯତ୍ନରେ ସଜଡା ବଗିଚା ଟି ଛିନଛତ୍ର ହେଲା ଭଳି ହେଉଥିଲେ ବି ତାହାକୁ ବିଶ୍ୱାସ କର।

କାରଣ ପ୍ରେମ ତୁମକୁ ଯେମିତି ରାଜମୁକୁଟ ପିନ୍ଧାଏ,ସେମିତି କ୍ରୁଶବିଦ୍ଧ ବି କରିପାରେ।ସେ ତୁମକୁ ବଢାଏ,ସେମିତି ଛିଣ୍ଡାଏ।

ସେ ଯେମିତି ତୁମର ଶୀର୍ଷ କୁ ଆରୋହଣ କରି ତୁମର ଅଙ୍ଗପ୍ରତ୍ୟଙ୍ଗ ର ସଂବେଦନଶୀଳ ଏବଂ ସୂର୍ଯ୍ୟାଲୋକରେ ଶିହରିତ ଶାଖା ପ୍ରଶାଖାରେ ସୁଆଗ ପରଶ ଦେଉଥାଏ,

ସେମିତି ସେ ତୁମର ମାଟି ସମୂହକୁ ଦୃଢ କରି ଧରିଥିବା ଚେର ଗୁଡିକର ଗାଢ ଅଂଧାରକୁ ଭେଦି ସେହି ପୁରୁଣା ବଂଧନରୁ ମୁକୁଳାଇବାରେ ଲାଗିଥାଏ ତମକୁ।

ଅମଳକ୍ଷମ ଶସ୍ୟ ଗୁଚ୍ଛ ଭଳି ସେ ତୁମକୁ ଏକାଠି  ଅନ୍ତରଂଗ କରେ।

ତୁମକୁ  ସମସ୍ତ ଆବରଣ ରୁ ମୁକ୍ତ କରେ,ପରିଷ୍କାର କରେ ।

ସେ ତୁମକୁ ପେଷଣ କରି ଶ୍ୱେତଶୁଭ୍ର କରେ।ଏବଂ ତୁମେ ନମନୀୟ ନ ହେବାପର୍ଯ୍ୟନ୍ତ ସେ ତମକୁ ଚକଟି ଚାଲେ।ତାହାପରେ ସେ ତୁମକୁ ତାହାର ପବିତ୍ର ଅଗ୍ନିରେ ସମର୍ପଣ କରେ,ସେଠାରେ ତୁମେ ପରିଣତ ହୋଇଯାଅ ବିଧାତାର ପବିତ୍ର ଭୋଜିସଭାର ପବିତ୍ର ଖାଦ୍ୟ।

ପ୍ରେମ ତୁମକୁ ନେଇ ଏତେ କାଣ୍ଡ କରେ ଯାହାଫଳରେ ତୁମେ ତୁମର ହୃଦୟର ରହସ୍ଯ ଜାଣିପାର ଆଉ ସେହି ଜ୍ଞାନରେ ତୁମେ ମହାଜୀବନର ହୃଦୟର ଏକ କ୍ଷୁଦ୍ର ଅଂଶ ହୋଇଯାଅ।

କିନ୍ତୁ ତୁମେ ଯଦି ଭୀତସଂତ୍ରସ୍ତ ହୋଇ ତୁମର ପ୍ରେମରେ କେବଳ ଶାନ୍ତି ଏବଂ ସୁଖର ସଂଧାନ କର,

ତାହାହେଲେ ତୁମ ପାଇଁ ଶ୍ରେୟ ତୁମର ନଗ୍ନତା କୁ ଆବରଣରେ ଢାଙ୍କି ଏଇ ଫସଲ-ଅମଳ ର ପ୍ରାଙ୍ଗଣକୁ ପରିତ୍ୟାଗ କରିବା 

ଏବଂ ତାହାପରେ ଏମିତି ଏକ ଋତୁ-ବୈଚିତ୍ର୍ୟହୀନ ଭୂବନ ରେ ତୁମେ  ପ୍ରବେଶ କରିବ,ଯେଉଁଠି ତୁମେ ହୁଏତ ହସିବ ସେଇ ହସ  ଯେଉଁ ହସ ପ୍ରାଣ ଖୋଲା ନୁହଁ,ତୁମେ ହୁଏତ କାନ୍ଦିବ କିନ୍ତୁ ପ୍ରାଣଖୋଲା କାନ୍ଦ ତାହା ନୁହଁ।

ପ୍ରେମ କେବଳ ନିଜକୁ ଦେଇଥାଏ ଏବଂ ନିଜ ଠାରୁ ଗ୍ରହଣ କରେ।

ପ୍ରେମର ନିଜର ଯେମିତି କିଛି ନାହିଁ,ସେମିତି ସେ କାହାର ନୁହଁ।

କାରଣ ପ୍ରେମ ପାଇଁ ପ୍ରେମ ହିଁ ଯଥେଷ୍ଟ ।

ତୁମେ ଯେତେବେଳେ ପ୍ରେମ କର ସେତେବେଳେ,"ବିଧାତା ମୋହର ହୃଦୟରେ ଆସୀନ" ଏଇକଥା ନକହି ତୁମେ ବଂର କୁହ,"ମୁଁ ବିଧାତାର ହୃଦୟରେ ଆସୀନ"।

ତୁମେ ପ୍ରେମର ପଥ ନିର୍ଦ୍ଦେଶ କରିବ ଏମିତି ଚିନ୍ତା  କରନାହିଁ;ବରଂ ପ୍ରେମ ଯଦି ତୁମକୁ ତାହାର ଯୋଗ୍ୟ ମନେ କରେ ତେବେ ସେ ହିଁ ତୁମର ପଥ ନିର୍ଦ୍ଦେଶ କରୁଥିବ।

ନିଜକୁ ପରିପୂର୍ଣ୍ଣ କରିବା ଛଡା ପ୍ରେମର ଆଉ କୌଣସି କାମନା ନାହିଁ।ତେବେ ତୁମେ ଯଦି ପ୍ରେମ କର ଏବଂ ପ୍ରେମରେ ଅନିବାର୍ଯ୍ୟ ହୋଇଉଠେ କାମନା ତେବେ ତୁମର କାମନା ହେଉ,

କଠିନରୁ ତରଳି ଯିବା ଏକ ରୂପ ଏବଂ ନିଶୀଥରେ କଳତାନରେ ବହିଯାଉଥିବା ଏକ ନିର୍ଝରିଣୀର ରୂପ।

ଅତ୍ଯଧିକ  କୋମଳତା ର ଯନ୍ତ୍ରଣାକୁ ଭୋଗିବା।

ତୁମର ନିଜର ଉପଲବ୍ଧିରେ ପ୍ରେମକୁ ଜାଣି ନେଇ ଆଘାତ ପାଇବା,ଏବଂ ସ୍ବଇଚ୍ଛାରେ ଓ ସାନନ୍ଦରେ ରକ୍ତାକ୍ତ ହେବା।

ପ୍ରଭାତରେ ଡେଣା ମେଲାଇ ହୃଦୟ ସହ ଜାଗି ଉଠିବା ଏବଂ 
ପ୍ରଣୟ- ମଧୁର  ଦିନଟିଏ ପାଇଁ ଧନ୍ୟବାଦ ଦେବା।

ମଧ୍ୟାହ୍ନରେ ବିଶ୍ରାମ ଓ ପ୍ରେମର ସୁଧାବେଶ ନେଇ ସ୍ୱପ୍ନମଗ୍ନ ହେବା।

ସଂଧ୍ୟାରେ କୃତଜ୍ଞଚିତ୍ତରେ ଘରକୁ ଫେରି ଆସିବା,
ଏବଂ ପ୍ରିୟତମ ପାଇଁ ଅନ୍ତରରେ ପ୍ରାର୍ଥନା ଓ କଂଠରେ ବନ୍ଦନା ନେଇ ଶୋଇ ପଡିବା।

ପ୍ରେମ,ଦି ପ୍ରଫେଟ୍,
କାହଲିଲ୍ ଜୀବ୍ରାନ୍

ପାଂଚଜଣ ଚିରଜୀବୀଙ୍କ ମଧ୍ୟରୁ ଆପଣ ଜଣେ,ହନୁମାନ ଆଜ୍ଞା।

ଚିରଜୀବୀର ନଥାଏ ଜନ୍ମ ଆଉ ନଥାଏ ବି ମରଣ। ଚିରଜୀବୀ ମାନଙ୍କର ଜନ୍ମ ଦିନ ପାଳିବା ଅର୍ଥ ହେଉଛି ସେମାନଙ୍କୁ ଅତି ନିକଟରେ ପାଇବା।ନୁହଁ ?

ଏହି ନ୍ୟାୟରେ ତେଣୁ ଆଛି ଆପଣ ଆମ ନିକଟରେ ।

ଶୁଭ ଜନ୍ମଦିନ ପ୍ରଭୂ।

ଆମର ସୁଖ ସଂତୋଷ ଆମର ସବୁଜିମା ସବୁ ଆପଣଙ୍କର କୃପାରୁ ଚିରଜୀବୀ ହୋଇ ରହିଥାଉ ଠିକ୍ ଆପଣଙ୍କର ଭଳି। 

କଲ୍ୟାଣ କରନ୍ତୁ।

ଆମେ ସଭିଏଁ ସମୟର ନିର୍ମାଣ।

ଏକାଠି ଆମେ ସମୟର ପାଦ ଆଉ ତାହାର ସ୍ୱର।

ସମୟର ପାଦ ପାହୁଣ୍ଡ ପକାଇ ଚାଲିଥାଏ ଆମ ଚପଲରେ।

ଆମେ ଜାଣିଛୁ ଟିକିଏ ପରେ ସମୟର ପବନ ଉଡେଇନେବ ଆମର ପାହୁଣ୍ଡର ଯେତେଯେତେ ଚିହ୍ନ ସବୁତକ।

କିଛି ନରହିବାର ଏଇ ଅଭିଯାନ,ନା କାହାର ପଦପାତର ଚିହ୍ନବର୍ଣ୍ଣ?ସମୟର ସ୍ୱରରେ ଏଇମିତି ଏକ ଯାତ୍ରା ବିବରଣୀ।

ଏଦୁଆର୍ଦୋ ଗାଲେଆନୋ,
ସମୟର ସ୍ୱର

ଓରିଅଲ୍ ଭଲ୍ ବୋଲି ବାର୍ସିଲୋନାର ଏକ ହାସପାତାଳର ପ୍ରସୂତି କେନ୍ଦ୍ରରେ କାମ କରୁଥିବା ଜଣେ ବିଶେଷଜ୍ଞ କହନ୍ତି,ମଣିଷର ପ୍ରଥମ ଭଂଗୀ ହେଉଛି ଆଲିଙ୍ଗନ।ପୃଥିବୀକୁ ଆସିବା ପରେ ଆରମ୍ଭ ଦିନମାନଙ୍କରେ ଶିଶୁଟିଏ ସାଧାରଣତଃ ଅଧିକାଂଶ ସମୟରେ ଦୁଇବାହୁ ପ୍ରସାରି  ରଖୁଥାଏ ଯେମିତି ସେ କାହାକୁ ଖୋଜୁଛି।

ଅନ୍ୟ ଡାକ୍ତର ମାନେ ଯେଉଁମାନେ ଢେର୍ ଦିନ ଜୀବନ ବଂଚିଥିବା ସେଇ ଲୋକମାନଙ୍କ ସହ କାମ କରିଛନ୍ତି କହନ୍ତି,ବୁଢାଟିଏ ନିଜର ପ୍ରାଣ ଉତ୍କ୍ରାନ୍ତ କାଳରେ ନିଜ ଦୁଇବାହୁକୁ ମେଲାଇଧରିବାକୁ ଚେଷ୍ଟା କରିଥାଏ।

ଏବଂ ଏହିକଥାଟି,ବଡ କଥା,ଆମେ ଯେତେ ଯେତେ ଚେଷ୍ଟା କରୁଥିଲେ କି ଆଉ ଯେତେ ଯେତେ ଶବ୍ଦ ଆମର ଅକ୍ତିଆର୍ ରେ ସଂଚୟ କରି ରଖିଥିଲେ ବି।ସବୁ କଥାର ଏଇମିତି ହେବ ଶେଷତମ ଉପସଂହାର:ଡେଣା ଝପଟାଇବାର ଏଇ ଦୁଇଟି ବିଶେଷ ଦୃଶ୍ୟ,ଯାହାର କହିବାକୁ ଗଲେ କିଛି ବିଶେଷ ବ୍ୟାଖ୍ୟାରେ ପ୍ରୟୋଜନ ନାହିଁ ଆଉ ତାହା ଭିତରେ ହିଁ ସମାହିତ ହୋଇଥାଏ ଏକ ବିଚିତ୍ର ଉଡାଣ।

ଏଦୁଆର୍ଦୋ ଗାଲେଆନୋ
ସମୟର ସ୍ୱର

ଆଜି ଓଡିଆ ନବବର୍ଷ।
ଆମକୁ ସ୍ୱଚ୍ଛ ପାଣି ମିଳୁ।
ପଣାର ମଧୁରତାରେ ଆମ ରାଜ୍ଯ ମଧୁମୟ ହେଉ।
ସମସ୍ତଙ୍କୁ ନବବର୍ଷ ର ଅଭିନନ୍ଦନ।

•••••