ଏକ ବିଚିତ୍ର ମୃତ୍ୟୁ

ଏକ ବିଚିତ୍ର ମୃତ୍ୟୁ

ଏଇଠି ଜଣେ ବିଶ୍ୱ ପ୍ରସିଦ୍ଧ ଡିଟେକ୍ଟିଭ୍ ବା ସତ୍ୟାନ୍ୱେଷୀର ଅକସ୍ମାତ୍ ମୃତ୍ୟୁ ଯେତେବେଳେ ଘଟିଛି ତେଣୁ ଆମ ସାମ୍ନାରେ ଘଟଣାଟି ପ୍ରଥମରୁ ସେମିତି ସହଜ ଲାଗିବ ନାହିଁ । ସେ ଯାହାହେଉ,ଏଠାରେ ପ୍ରସଙ୍ଗରେ  ଯେଉଁ  ଡିଟେକ୍ଟିଭ୍ ଜଣକ ଅଛନ୍ତି ସେ  ହେଉଛନ୍ତି ବିଶ୍ୱସାହିତ୍ୟର ଅନ୍ୟତମ ତଥା ନିର୍ବିବାଦୀୟ ଶ୍ରେଷ୍ଠ ଗୋଇନ୍ଦା ଜେ.ଶେରିନଫୋର୍ଡ ହୋମସ୍ ,ଯାହାଙ୍କୁ ଶ୍ରଦ୍ଧାରେ ଲୋକ ଶେରଲକ ହୋମସ୍ ନାମରେ ଜାଣନ୍ତି । 

ସେଦିନ ଥିଲା ୧୮୯୧ ମସିହାର ମଇ ମାସର ପାଞ୍ଚ ତାରିଖ । ସେତେବେଳକୁ ଲଣ୍ଡନ ନିବାସୀ ଶେରଲକ୍ ହୋମସ୍ ସ୍ୱିଜରଲାଣ୍ଡର ଗୋଟିଏ ଛୋଟ ଗାଆଁ ମେଇରିଜେନ୍ କୁ ବୁଲିବାକୁ ଯାଇଥାନ୍ତି । ମେଇରିଜେନ୍ ର ବସତି ଟି ଖୁବ୍ ଛୋଟ ,କହିବାକୁ ଗଲେ ଶହେ ଦେଢଶହ ଭିତରେ ଲୋକ ସେଇଠି ରହୁଥାନ୍ତି । ମେଇରିଜେନ୍ ଗାଆଁରୁ ପାଦରେ ଚାଲି ଚାଲି ଶେରଲକ୍ ହୋମସ୍ ଆଉ ଗୋଟିଏ ଛୋଟ ଗାଆଁ ରୋଜେନଲାଉଇ ରେ ପହଞ୍ଚିଥିଲେ । ସେଇଠୁ ସେ ଯିବେ ଦେଖିବାକୁ ଆଉ କିଛି ଦୂରରେ ଥିବା ଗୋଟିଏ ଜଳପ୍ରପାତର ମନୋରମ ଦୃଶ୍ୟ । ସେଇ ସ୍ଥାନର ନାଆଁ ହେଉଛି ରେଚେନବାଖ୍ । ସେତେବେଳେ ଗୋଟିଏ ଜରୁରୀ ଖବର ଆସିଥିଲା ଯେ ମେଇରିଜେନ୍ ଗାଁଆରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଅସୁସ୍ଥ । ତେଣୁ ତାହାର ସ୍ୱାସ୍ଥାବସ୍ଥା କଥା ବୁଝିବା ପାଇଁ ଶେରଲକ୍ ହୋମସ୍ ଙ୍କ ସବୁ ସମୟର ସାଥି ଡାଃ ୱାଟସନ୍ ଙ୍କୁ ସେଇଠୁ ମେଇରିଜେନ୍ ଗାଆଁକୁ ଫେରିଆସିବାକୁ ପଡିଥିଲା । ତାହା ଫଳରେ ତାହା ପରଦିନ ସକାଳେ ଶେରଲକ୍ ହୋମସ୍ ସ୍ୱିଜରଲାଣ୍ଡ ର ସେଇ ରେଚେନବାଖ୍ ଜଳପ୍ରପାତ କୁ ଦେଖିବା ପାଇଁ ଏକା ଯାତ୍ରା କରିଥିଲେ । 

ରେଚେନବାଖ ର ଜଳପ୍ରପାତ ନିକଟବର୍ତ୍ତୀ ଅଂଚଳ ବା ଘଟଣା ସ୍ଥଳରୁ ଯାହା ପ୍ରମାଣ ଆକାରରେ ମିଳିଥିଲା ତାହା ହେଉଛି,ସେହି ନିହାତି ଅଣଓସାରିଆ ରାସ୍ତାରେ ଦୁଇ ହଳ ପାଦ ଚିହ୍ନ,ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର କିଛି  ଚିହ୍ନ ଏବଂ ମୋଟାମୋଟି ଭାବରେ ଘଟଣାସ୍ଥଳକୁ ଦେଖି କୁହାଯାଇପାରିବ ଯେ ଦୁଇଜଣ ବ୍ୟକ୍ତି ପରସ୍ପର ସହ ଲଢାଲଢି ହୋଇ ଜଳପ୍ରପାତର ସେହି ବିଶାଳ ଖାଇ ତଳକୁ ଖସିପଡିଛନ୍ତି ଆଉ ସେହି ଜଳପ୍ରପାତର ଗଭୀରତା ଏବଂ ବିସ୍ତୃତି ଭିତରୁ ଆଉ କୌଣସି ଶବଦେହ କୁ ଖୋଜି ପାଇବା କଦାପି ସମ୍ଭବ ନୁହଁ । ଏହି ଘଟଣାର ଅନୁସନ୍ଧାନ ସ୍ଥାନୀୟ ପୁଲିସ ଏବଂ ଶେରଲକ୍ ହୋମସ୍ ଙ୍କ ସହଯୋଗୀ ଡାଃ ୱାଟସନ୍ କରିଥିଲେ । ସେମାନଙ୍କୁ ସ୍ପଷ୍ଟ ହେବାରେ ଲାଗିଲା ଯେ,ଶେରଲକ୍ ହୋମସ୍ ଆଉ ତାଙ୍କର ପ୍ରତିପକ୍ଷ ପରସ୍ପର ଭିତରେ ଧସ୍ତାଧସ୍ତି ହୋଇ ଜଳପ୍ରପାତ ତଳକୁ ଖସି ପଡିଛନ୍ତି । ତେଣୁ ଶେରଲକ୍  ହୋମସ୍ ଏବଂ ତାଙ୍କର ପ୍ରତିପକ୍ଷ ଏବେ ମୃତ । ଏହା ବ୍ୟତୀତ  ଅନ୍ୟ କୌଣସି ସମ୍ଭାବନା ନାହିଁ । ରେଚେନବାଖ୍ ର ସେହି ଘଟଣା ସ୍ଥଳରୁ ଶେରଲକ୍ ହୋମସ୍ ଙ୍କ ବ୍ୟବହୃତ ସିଲଭର୍ ସିଗାରେଟ୍ କେଶ୍ ,ପାହାଡଚଢିବା ପାଇଁ ଲୁହାଗୁଜ ଥିବା ତାଙ୍କର ଲାଠି ଏବଂ ତାଙ୍କର ନୋଟଖାତା । ଶେରଲକ୍ ହୋମସ୍ ଙ୍କ ସେହି ନୋଟଖାତା ସର୍ବଶେଷ ଲିପିବଦ୍ଧ ଟି ସହଯୋଗୀ ଡାଃ ୱାଟସନ୍ ଙ୍କ ଉଦ୍ଦେଶ୍ୟରେ ଥିଲା। ସେଇଠି ଲେଖାଥିଲା ଯେ,ସେ ଏବଂ ମୋରିଆର୍ଟି ନିଜ ଭିତରେ କିଛି ସମସ୍ୟା ବିଷୟରେ ଖୁବ୍ ଶିଘ୍ର  ଏକ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଶେରଲକ୍ ହୋମସ୍ ଙ୍କ ଏହି ନୋଟ୍ ରୁ ଜଣାଗଲା ଯେ,ତାଙ୍କର ପ୍ରତିପକ୍ଷ ଅଥବା ତାଙ୍କ ସହିତ ଏକାଠି ମୃତ୍ୟବରଣ କରିଥିବା ଚରିତ୍ର ଟି ହେଉଛି ପ୍ରଫେସର୍  ଜେମସ୍ ମୋରିଆର୍ଟି । ପ୍ରତ୍ୟେକ ଗୋଇନ୍ଦାର ବିଚକ୍ଷଣତା ଏବଂ ତାହାର ଦକ୍ଷତା ଜଣାପଡେ ଯେତେବେଳେ ତାହାର ସାମ୍ନାରେ ଥାଏ ଗୋଟିଏ ଅତ୍ୟନ୍ତ ଧୂର୍ତ୍ତ ବିଚକ୍ଷଣ ଅପରାଧି ଯିଏ ଅପରାଧର ସାମାନ୍ୟତମ ପ୍ରମାଣ ଛାଡି ଯିବନାହିଁ । ତେଣୁ ଗୋଇନ୍ଦାର ବିଚକ୍ଷଣତାକୁ ସବୁବେଳେ ମୁକାବିଲା କରିବା ଭଳି ଆହ୍ୱାନ ପ୍ରସ୍ତୁତ କରୁଥିବା କାରଣରୁ ସେହି ପ୍ରତିପକ୍ଷ ଅପରାଧି ବି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଶେରଲକ୍ ହୋମସ୍ ଙ୍କ ସେହି ଭଳି ଉଲ୍ଲେଖ ଯୋଗ୍ୟ ପ୍ରତିପକ୍ଷ ହେଉଛି ପ୍ରଫେସର୍ ଜେମସ୍ ମୋରିଆର୍ଟି ।ସେଦିନ  ସମସ୍ତ ପ୍ରମାଣ  ନିଷ୍କର୍ଷ ରେ ଉପନୀତ ହୋଇଥିଲା ଉଭୟେ ଶେରଲକ୍ ହୋମସ୍ ଆଉ  ପ୍ରଫେସର୍ ମୋରିଆର୍ଟି ଏବେ ମୃତ ।

ସେଇ ଘଟଣା ପରେ ରେଚେନବାଖ୍ ର ସେହି ଜଳପ୍ରପାତ ଆଉ ସେହି ସ୍ଥାନ ବିଶେଷ ପୃଥିବୀରେ ଅତ୍ୟନ୍ତ ଚର୍ଚ୍ଚିତ ହୋଇ ପଡିଲା । ସେଇଠି ଏବେ ବି ଗୋଟିଏ ଫଳକ ଅଛି ଆଉ ସେଥିରେ ଲେଖା ଅଛି : ଏହି ଭୟଙ୍କର ସ୍ଥାନରେ ଶେରଲକ୍ ହୋମସ୍ ପ୍ରଫେସର୍ ମୋରିଆର୍ଟି କୁ ୪ ମଇ ୧୮୯୧ ଦିନ ପରାସ୍ତ କରିଥିଲେ ।

ସେଦିନ ଉଭୟେ ଶେରଲକ୍ ହୋମସ୍ ଆଉ ପ୍ରଫେସର୍ ମୋରିଆର୍ଟି ସେଇଠି ମୃତ୍ୟୁବରଣ କରିଥିଲେ,ତେବେ ସେହି ଫଳକ ଅନୁସାରେ ଶେରଲକ୍ ହୋମସ୍ ବିଜୟୀ କାହିଁକି ?

ଶେରଲକ୍ ହୋମସ୍ ହେଉଛନ୍ତି ଗୋଇନ୍ଦା ଜଗତରେ ଶୀର୍ଷ ବୌଦ୍ଧିକ ବ୍ୟକ୍ତିତ୍ୱ । ତାଙ୍କ ପାଖରେ ସବୁବେଳେ ଥିଲା ଏକ ତ୍ରୁଟିହୀନ ତର୍କ ଏବଂ ଉପସ୍ଥିତ ସାମଗ୍ରିକତାର ଅସାଧାରଣ ପର୍ଯ୍ୟବେକ୍ଷଣ କ୍ଷମତା ଯାହାର ବୌଦ୍ଧିକ ପ୍ରୟୋଗରେ ସେ ସମସ୍ତ ଅପରାଧକୁ ଅବରୋହୀ ବା ଡିଡକ୍ଟିଭ୍ ପଦ୍ଧତିରେ ସମାଧାନ କରିପାରୁଥିଲେ ।ଶେରଲକ୍ ହୋମସ୍ ଙ୍କର ଏହିପରି ବିଜ୍ଞାନସମ୍ମତ ଏବଂ ତର୍କସମ୍ମତ ପ୍ରୟୋଗ  ଭବିଷ୍ୟତ ପାଇଁ ପ୍ରତ୍ୟେକ ଅପରାଧକୁ ତର୍ଜମା କରିବାର ଏକ ଦିଶା ନିର୍ଦ୍ଦେଶ କରିଥିଲା । ସେହି କାରଣରୁ ସମସ୍ତେ ମନେ କରୁଥିଲେ ଶେରଲକ୍ ହୋମସ୍ ଙ୍କର ମୃତ୍ୟୁ ହେବାର ନୁହଁ ।

ଅନ୍ୟ ପକ୍ଷରେ ସାହିତ୍ୟ କ୍ଷେତ୍ରରେ ଶେରଲକ୍ ହୋମସ୍ ଙ୍କ ଭଳି ଗୋଟିଏ ଚରିତ୍ରର ମୃତ୍ୟୁକୁ ଆଦୌ ଗ୍ରହଣ କରାଯାଇ ନଥିଲା । ଶେରଲକ୍ ହୋମସ୍ ଙ୍କୁ ପୁନର୍ବାର ଜୀବନଯାପନ ପ୍ରଦାନ କରିବା  ଦାବୀରେ ବିଭିନ୍ନ ସଭା ଶୋଭାଯାତ୍ରା ମାନ ହେଲା । ଶେରଲକ୍ ସୋମରସ ଙ୍କ କାହାଣୀ ଧାରାବାହିକ ଭାବରେ ପ୍ରକାଶ କରୁଥିବା ଲଣ୍ଡନର ପତ୍ରିକା ଦି ଷ୍ଟ୍ରାଣ୍ଡ  ହଠାତ୍ ପ୍ରାୟ ୨୦,୦୦୦  ଗ୍ରାହକ ହରାଇ ବସିଲା । ଜଣେ ବୟସ୍କା ମହିଳା ଦିନେ ଏକେଲା ଥିବା ବେଳେ ଦୌଡିଆସି ନିଜର ଛତାରେ ଆଘାତ କରିଥିଲା ଏହି ଶେରଲକ୍ ହୋମସ୍ କାହାଣୀର ପ୍ରଖ୍ୟାତ  ଲେଖକ ସାର୍ ଆର୍ଥର କୋନାଣ୍ଡାଏଲ୍ ଙ୍କୁ । ଏବଂ ଏହି ସବୁ ଚାପ ଫଳରେ ପୁଣି ଗୋଟିଏ କାହାଣୀ ଲେଖି ସେ ଶେରଲକ୍ ହୋମସ୍ କୁ ଏଇ ଘଟଣାର ତିନି ବର୍ଷ ଅର୍ଥାତ୍ ଏପ୍ରିଲ ୧୮୯୪ ମସିହାରେ ପୁନର୍ଜନ୍ମ ପ୍ରଦାନ କରିବାକୁ ପଡିଥିଲା । 

ରେଚେନବାଖ୍ ଜଳପ୍ରପାତ ନିକଟରେ ଲାଗିଥିବା ଫଳକରେ ତେଣୁ ପ୍ରଫେସର ମୋରିଆର୍ଟିର ପରାଜୟ କଥା ରହିଛି ଆଉ ଏହା ସହିତ ରହିଛି ଲେଖକ ସାର୍ ଆର୍ଥର କୋନାଣ୍ଡାଏଲ୍ ଙ୍କ ବି ଏକ ପରାଜୟ,ଦୀର୍ଘକାଳ ଧରି ଶେରଲକ୍ ହୋମସ୍ ବିପକ୍ଷରେ ପ୍ରଫେସର୍ ମୋରିଆର୍ଟି ସାଜି ନିଜର ସମସ୍ତ ଅନ୍ଧାର ପକ୍ଷକୁ  ଉଜାଗର କରିଆସୁଥିବା ପ୍ରକ୍ରିୟାରୁ ମୁକ୍ତି କାମନା କରୁଥିବା ସମୟର ଗ୍ଳାନିକର ବିଫଳତା ।

ଏକଥା ଆମର ସ୍ମରଣ ରେ ରହୁ ଯେ ସାର୍ ଆର୍ଥର କୋନାଣ୍ଡାଏଲ୍ ତାଙ୍କର ଶିକ୍ଷାଗୁରୁ ଏଡିନବରା ସ୍କୁଲ୍ ଅଫ୍ ମେଡିସିନ୍ ର ପ୍ରଫେସର୍ ଜୋସେଫ୍ ବେଲ୍ ଙ୍କ ଚରିତ୍ରର ଛାଞ୍ଚରେ ଏହି ବିଶ୍ୱ ବିଖ୍ୟାତ  ଗୋଇନ୍ଦାଙ୍କ ଚରିତ୍ର ନିର୍ମାଣ କରିଥିଲେ ।