କାଫକାଙ୍କ ସହର -୨
କଫି ପିଇସାରି, ବତିଶ ନମ୍ବର ଟ୍ରାମ୍ ଧରି ଆମେ ଗଲୁ ଓଲଡ ଟାଉନ | ସେଠି ପହଂଚୁ ପହଂଚୁ ପ୍ରଥମେ ମୋ ଆଖିରେ ପଡିଲା ପ୍ରସିଦ୍ଧ ଆଷ୍ଟ୍ରୋନମିକାଲ କ୍ଲକ୍ । ଶହେ ପାଖାପାଖି ବିଦେଶୀ ପର୍ଯ୍ୟଟକ ଜମା ହେଇଥିଲେ ତା’ ସାମ୍ନାରେ ସେତେବେଳକୁ । ଦିନ ବାରଟା ବାଜିବାକୁ ଅଳ୍ପ କିଛି ସମୟ ବାକିଥାଏ । ଜୁନ୍ ସହିତ କାଫ୍କାଙ୍କୁ ଭେଟିବାର ତୀର୍ଥାଟନରେ ବାହାରି ନଥିଲେ ମୁଁ ବି ହୁଏତ କିଛି ସମୟ ଅଟକିଥାନ୍ତି ସେମାନଙ୍କ ସହିତ, ଓ ଠିକ ବାରଟା ବେଳେ କ୍ଲକ୍ ଟାୱାରର ଝରକା ଭିତରେ ଛୋଟ ଛୋଟ ପ୍ରତିମୂର୍ତ୍ତି ସବୁ ବୃତ୍ତାକାର ପଥରେ ଘୁରିବାର ଦୃଶ୍ୟକୁ ଉପଭୋଗ କରିଥାନ୍ତି । ସେଦିନ କିନ୍ତୁ ଏସବୁ ପାଇଁ ଆଗ୍ରହ ନଥିଲା । ଆମେ ଆଗକୁ ବଢ଼ିଗଲୁ । କିଛି ସମୟ ପରେ, ସେନ୍ଟ ନିକୋଲାସ ଚର୍ଚ୍ଚ ପାଖରେ ପହଂଚି ଜୁନ୍ କହିଲା, ଆଖି ବନ୍ଦ କର ଏଥର । ମୁଁ ଆଖି ବନ୍ଦ କଲି । ମୋ ହାତ ଧରି ସେ ନେଇଗଲା ମତେ କିଛି ଦୂର । କହିଲା, ଏବେ ଆଖି ଖୋଲ । ମୁଁ ଆଖି ଖୋଲିଲି । ମୋ ସାମ୍ନାରେ ପୁରୁଣା କବାଟଟିଏର ସୁନ୍ଦର ଅବଶେଷ, ଯାହା ପାଖରେ ଲାଗିଥିଲା ଫଳକଟିଏ । ସେ ଫଳକଟିରେ ଲେଖାଥିଲା 'ଏଇଠି ୩ ଜୁଲାଇ ୧୮୮୩ରେ କାଫ୍କା ଜନ୍ମ ହେଇଥିଲେ' । ଏ ଧାଡ଼ିଟି ପଢ଼ିସାରିବା ବେଳକୁ ହଠାତ ମୋ ଭିତରେ ବିଜୁଳିଖିଏ ଦୌଡ଼ିଗଲା । ମୁଁ ଅଚାନକ ସ୍ଥାଣୁ ପାଲଟିଗଲା ଭଳି ଅନୁଭବ କଲି, ଯେମିତି ମୋ ପାଦତଳ ମାଟିରୁ ଦୁଇଟି ଅଦୃଶ୍ୟ ହାତ ବାହାରି ମୋ ଦୁଇଗୋଡ଼କୁ ଜାବୁଡି ଧରିଛନ୍ତି । ମନେପଡ଼ିଲା, ଯେ କାଫ୍କା ନିଜେ ମଧ୍ୟ ଠାଏ ଲେଖିଥିଲେ, ଯେ ପ୍ରାଗ୍ ସହରର ଦୁଇଟି ଅଦୃଶ୍ୟ ପଞ୍ଝା ଅଛି, ଯାହା କବଳରୁ ମୁକୁଳି ପାରିବା କଷ୍ଟ । 'ମୋ ଗୋଡ଼କୁ କ’ଣ ତେବେ ସେଇ ପଞ୍ଝା ଦୁଇଟି ଜାବୁଡି ଧରିଛନ୍ତି ଏବେ ?' ଏ ପ୍ରଶ୍ନଟି ଆନ୍ଦୋଳିତ କଲା ମତେ ମୁହୂର୍ତ୍ତକ ପାଇଁ । ଠିକ ଏତିକିବେଳେ, ଜୁନ୍ କହିଲା, 'ଏଇଠି ଆଉ କିଛି ସମୟ ରହିବ, ନା ଅଲଗା ଗୋଟେ ଜାଗାକୁ ଯିବା ?' 'ଏଇଠି ରହିବା ଆଉ କିଛି ସମୟ', ଏତିକି କହିଲି ମୁଁ, ଓ କାନ୍ଥକୁ ଆଉଜି ବସିପଡ଼ିଲି ରାସ୍ତାକଡ଼ରେ । କିଛି ସମୟ ପରେ, ଜୁନ୍ ବି ଆସି ବସିପଡିଲା ମୋ ପାଖକୁ ଲାଗି । ମୁଣ୍ଡରେ ମୁଣ୍ଡ ଡେରି ଆମେ ଦୁହେଁ ଅନେକ ଡେରି ଯାଏଁ ଚାହିଁରହିଲୁ ସେଇ ଭଙ୍ଗାକବାଟଟିର ଅବଶେଷକୁ, ଯାହା ଦିନେ ଫିଟୁଥିଲା ଗୋଟେ ଘର ଭିତରକୁ - ସେଇ ଘର, ଯୋଉଠି ଜନ୍ମ ନେଇଥିଲେ ଆମ ଦୁହିଁଙ୍କର ପ୍ରିୟ ଲେଖକ କାଫ୍କା !
କିଛି ସମୟ ପରେ, ଜୁନ୍ ମତେ ନେଇଗଲା ସେ ଘରଟି ପାଖକୁ, ଟ୍ୟୁବରକ୍ୟୁଲୋସିସରେ ପୀଡିତ ହେବାପରେ ଯେଉଁଠି କାଫ୍କା ନିଜ ପରିବାର ସହିତ ରହୁଥିଲେ । ଘରଟିକୁ ଦେଖି, ମୋର ମନେପଡ଼ିଲା କାଫକା ନିଜ ଶେଷ ଜୀବନରେ ଲେଖିଥିବା ଗପ 'ଏ ହଙ୍ଗର ଆର୍ଟିଷ୍ଟ' । ଗପଟିରେ ନାୟକ ନିଜକୁ ଏକ ଯନ୍ତା ଭିତରେ ବନ୍ଦ କରି ଭୋକରେ ରହିଥିଲା ଦୀର୍ଘ ଦିନ ଧରି, ଏବଂ ଲୋକେ ତା'ର ଏ ଉପବାସକୁ ଏକ କଳା ପ୍ରଦର୍ଶନୀ ଭଳି ଦେଖିବାକୁ ଆସୁଥିଲେ । ନାୟକଟିର ଶେଷ ପରିଣତି ଦୁଃଖଦ ଓ ଯନ୍ତ୍ରଣାସିକ୍ତ ଥିଲା । କୁହାଯାଏ, ଏ କାହାଣୀ ଭିତରେ କେଉଁଠି ନା କେଉଁଠି କାଫକାଙ୍କ ଶେଷ ସମୟର ଦୁଃଖ ଓ କୋହ ବି ଲୁଚିରହିଥିଲା । ମୋ ସାମ୍ନାରେ ଏବେ ସେ ଘରଟି ଥିଲା, ଯେଉଁଠି କାଫକା ନିଜର ସେ ସମସ୍ତ ଭୟ, ସମସ୍ତ ଉତ୍କଣ୍ଠା ଓ ସମସ୍ତ ମାନସିକ ଯନ୍ତ୍ରଣା ଭୋଗିଥିଲେ । ମୋ ଆଖିରେ ସହସା ଲୁହ ଜକେଇ ଆସିଲା । ମୋର ଏ ଭାବପ୍ରବଣତା ମୋ ଆଖପାଖରେ ଠିଆ ହେଇଥିବା କିଛି ଦର୍ଶକଙ୍କ ଭିତରେ ଆମୋଦ ଓ କୌତୁହଳ ସୃଷ୍ଟି କଲା । ସଂକୋଚ ବୋଧ କରି ମୁଁ ସେଠୁ ବାହାରି ଆସିଲି । ମୋ ପଛେ ପଛେ ବାହାରିଆସିଲା ଜୁନ୍ । ସେ ଜାଗାରୁ ପାଦଚଲା ବାଟରେ ଥିଲା କାଫ୍କା ମେମୋରିଆଲ, ସେଇଠିକି ନେଇଗଲା ସେ ମତେ । ମେମୋରିଆଲ ବାହାରେ ଫଳକଟିଏ ଥିଲା, ଯେଉଁଥିରେ ଲେଖାଥିଲା - '୧୯୧୧ରୁ ୧୨ ମସିହା ଭିତରେ, ପ୍ରାଗ୍ ୟୁନିଭର୍ସିଟିରେ ପ୍ରଫେସର ଥିଲା ବେଳେ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ, ଶ୍ରୀମତୀ ବର୍ଟା ଫାଣ୍ଟାଙ୍କର ଏହି ପାର୍ଲରରେ ଭାଓଲିନ ବଜାଇଥିଲେ, ଏବଂ ଏଇଠି ହିଁ ସେ ତାଙ୍କର ପ୍ରିୟ ବନ୍ଧୁ କାଫ୍କା ଓ ମ୍ୟାକ୍ସ ବ୍ରଡ଼ଙ୍କୁ ଭେଟିଥିଲେ' । ଫଳକଟି ପଢି ମୁଁ ଆଶ୍ଚର୍ଯ୍ୟ ହେଲି, କାରଣ ଆଇନଷ୍ଟାଇନ ଓ କାଫକାଙ୍କ ବନ୍ଧୁତ୍ବ ତ ଦୂରର କଥା, ସେମାନେ କେବେ ପରସ୍ପରକୁ ଭେଟିଥିବା କଥା ବି ମୁଁ ଜାଣିନଥିଲି । ମନେ ମନେ ଭାବିଲି, ଏମିତି ଦୁଇଜଣ ବିଚକ୍ଷଣ ଓ ଅସଧାରଣ ମଣିଷ ଯେତେବେଳେ ପରସ୍ପରକୁ ଭେଟୁଥିବେ, ସେମାନେ କେଉଁ ବିଷୟରେ କଥା ହେଉଥିବେ ? ସେ ସାକ୍ଷାତ ସମୟରେ କ’ଣ ଆଇନଷ୍ଟାଇନଙ୍କର ଧ୍ୟାନ ଥିବ, ଯେ ସମୟ ଆପେକ୍ଷିକ ବୋଲି ! କାଫ୍କା କ’ଣ ସେତେବେଳେ ଭାବୁଥିବେ, ସରୀସୃପଟିଏ ହେଇଥିଲେ ଆଇନଷ୍ଟାଇନ ଭାଓଲିନ ବଜେଇ ପାରିଥାନ୍ତେ କି ନାହିଁ ବୋଲି ! ଏମିତି ଉଦ୍ଭଟ ଚିନ୍ତାରେ ମୁଁ ବୁଡିଥିବାବେଳେ, କଳାପଥରର ଏମିତି ଏକ ଅଦ୍ଭୁତ ପ୍ରତିମୂର୍ତ୍ତି ଆଡକୁ ଜୁନ୍ ମୋ ଧ୍ୟାନ ଆକର୍ଷିତ କଲା, ଯାହାକୁ ଦୂରରୁ ଦେଖିଲେ ଲାଗୁଥିଲା, ଯେମିତି ଛୋଟିଆ ଲୋକଟିଏ କୋର୍ଟ-ପ୍ୟାଂଟ ପିନ୍ଧା ଏକ ବିରାଟ ମଣିଷର କାନ୍ଧରେ ବସିଛି । ପାଖକୁ ଯିବାରୁ ଜାଣିଲି, ଯେ ଦୂରରୁ କୋର୍ଟ-ପ୍ୟାଂଟ ପିନ୍ଧା ମଣିଷଟି ଭଳି ଦିଶୁଥିବା ଆକୃତିଟିରେ କେବଳ କୋର୍ଟ ଆଉ ପ୍ୟାଂଟ ହଳକ ଅଛି, ସେସବୁକୁ ପିନ୍ଧିଥିବା ମଣିଷଟି କିନ୍ତୁ ନାହିଁ, ଏବଂ ମଣିଷ ଆକୃତିର ଶୂନ୍ୟତାକୁ ଆବୋରି ରହିଥିବା ପୋଷାକର କାନ୍ଧରେ ହିଁ ବସିରହିଛି ଅନ୍ୟଲୋକଟି । ଜୁନ୍ କହିଲା, ଏ ପ୍ରତିମୂର୍ତ୍ତିଟି କାଫ୍କାଙ୍କ 'ଡେସକ୍ରିପସନ ଅଫ ଏ ଷ୍ଟ୍ରଗଲ' ଗଳ୍ପର ଛାୟାରେ ଜରୋସ୍ଲାଭ ରୋନାଙ୍କ ଦ୍ୱାରା ନିର୍ମିତ । ଏ ଗପଟି ମୁଁ ବହୁତ ଦିନ ତଳେ ପଢ଼ିଥିଲି, ତେଣୁ ହଠାତ ମନେପକେଇ ପାରିଲିନି । ମୋ ମୁହଁର ହାବଭାବ ଦେଖି ଜୁନ୍ ହୁଏତ ଏକଥା ଠଉରେଇ ନେଲା । ପ୍ରତିମୂର୍ତ୍ତିକୁ ଦେଖି ଦେଖି ଚୁମ୍ବକରେ ଗପଟି ଶୁଣେଇଲା ମତେ ସେ । ଶୁଣେଇଲା, କେମିତି ଗପଟିରେ ନାୟକ ନିଜର ଜଣେ ସହଯାତ୍ରୀକୁ ଘୋଡା ବୋଲି ଭାବି ତା' କାନ୍ଧରେ ବସି ଏକ କଳ୍ପିତ ଭୂଖଣ୍ଡକୁ ଯାଏ, ଯେଉଁଠି ତା' ମର୍ଜିରେ ସେ ବଦଳେଇପାରେ ନିଜ ଚାରିପଟର ପରିବେଶକୁ । ସେଇ ଅଦ୍ଭୁତ ଭୂଖଣ୍ଡରେ, ଗପର ନାୟକ ଆହୁରି ମଧ୍ୟ ଭେଟେ ଏକ ଅଳିଆବୁହା ଗାଡିରେ ଯାତ୍ରା କରୁଥିବା ଜଣେ ମେଦବହୁଳ ମଣିଷକୁ, ଯିଏ ତା'କୁ ମାଟିରେ ମୁଣ୍ଡ ପିଟି ପିଟି ପ୍ରାର୍ଥନା କରୁଥିବା ଜଣେ ଆସ୍ତିକର କାହାଣୀ ଶୁଣାଏ । ଜୁନ୍ ର ଗପ ଶୁଣେଇବା ଶୈଳୀ ଏତେ ଚମତ୍କାର ଥିଲା ଯେ, ମତେ ଲାଗିଲା ମୁଁ ଯେମିତି ସେ ଚରିତ୍ରମାନଙ୍କୁ ମୋ ସାମ୍ନାରେ ଦେଖିପାରୁଛି । ଗପ ଶୁଣେଇବା ବନ୍ଦ କରି ଜୁନ୍ ମୋ ପାଖକୁ ଆସିଲା, ଓ କହିଲା, ତୁମେ ଯଦି ମୋ ପାଇଁ ଏମିତି ଘୋଡାଟିଏ ପାଲଟି ଯାଆନ୍ତ କେବେ, ମୁଁ ତୁମ ଉପରେ ବସି ଏ ଜୀବନରୁ ବହୁତ ଦୁରକୁ ଚାଲିଯା'ନ୍ତି ! ମୁଁ ଏ କଥାର କ’ଣ ଉତ୍ତର ଦେବି ହଠାତ କିଛି ଭାବି ପାରିଲିନି, ଏବଂ ବୋକାଙ୍କ ଭଳି ତା’ ମୁହଁକୁ ଚାହିଁରହିଲି ଅପଲକ ହେଇ । ମୋ ଆଖିରେ ଆଖି ମିଶେଇ ସେ ଦେଖିଲା ମତେ କିଛି ସମୟ, ଓ ପରମୁହୂର୍ତ୍ତରେ, ଠୋ ଠୋ ହେଇ ହସିଉଠିଲା । ଏ ହସ ମାଧ୍ୟମରେ ସେ ମତେ ଜଣେଇବାକୁ ଚାହୁଁଥିଲା, ଯେ ସେ ମଜା କରୁଥିଲା ବୋଲି । ମତେ କିନ୍ତୁ ସ୍ପଷ୍ଟ ଦିଶୁଥିଲା, ତା’ ହସ ପଛର ଚରମ ଅସହାୟତା !
ସେଠୁ ବାହାରିବା ପରେ, ଆମେ ଗଲୁ ଓଲଡ-ନ୍ୟୁ ସିନାଗଗ୍ ପାଖକୁ, ଯେଉଁଠି କାଫ୍କାଙ୍କର ‘ବା-ମିତ୍ସଭା’ ଅନୁଷ୍ଠିତ ହେଇଥିଲା । ହିନ୍ଦୁଧର୍ମର ବିଭିନ୍ନ ସଂସ୍କାର ଭଳି ‘ବା-ମିତ୍ସଭା’ ଯ୍ୟୁଇସ୍ ପନ୍ଥାବଲମ୍ବୀମାନଙ୍କର ଏକ ବିଶେଷ ଉତ୍ସବ, ଯାହା କୌଣସି କିଶୋର ୧୩ ବର୍ଷ ବୟସରେ ପହଂଚିବା ପରେ ପାଳିତ ହେଇଥାଏ । ଏହି ଉତ୍ସବ ପରେ, ସଂପୃକ୍ତ କିଶୋରଟିକୁ ସାଧାରଣ ପ୍ରାର୍ଥନାସଭାରେ ଯୋଗଦେବା ପାଇଁ ଏବଂ ଧାର୍ମିକ ଉପଦେଶ ପାଳିବା ପାଇଁ ଅନୁମତି ମିଳେ । ଜୁନ୍ ପାଖରୁ ଶୁଣିବା ପୂର୍ବରୁ, ଏ ବିଷୟରେ ମୁଁ ଆଦୌ ଅବଗତ ନଥିଲି । କିନ୍ତୁ ଏସବୁ ଜାଣିବା ପରେ, ସେ ସ୍ଥାନଟି ମତେ ଖୁବ୍ ଜୀବନ୍ତ ମନେହେଲା । ମତେ ଲାଗିଲା, ମୁଁ ଯେମିତି ଦେଖିପାରୁଛି ୧୩ ବର୍ଷୀୟ ନିରୀହ କାଫ୍କାଙ୍କୁ ମୋ ସାମ୍ନାରେ, ଯିଏ ନିଜ ମହାନତା ବିଷୟରେ ତିଳେ ମାତ୍ର ସଚେତନ ନୁହନ୍ତି । ମୋ କଳ୍ପନାରେ, କାଫ୍କାଙ୍କ ପିଲାବେଳର ମୁହଁ ମତେ ମୋ ନିଜ ମୁହଁ ଭଳି ଦିଶିଲା । ତାଙ୍କ ହାତ ଦୁଇଟି ଠିକ ମୋରି ହାତ ଭଳି ପତଳା ଥିଲା, ତାଙ୍କ ବାଁ ଗୋଡ଼ର ଆଣ୍ଠୁ ପାଖରେ ଠିକ ମୋ ଗୋଡ଼ ଭଳି କ୍ଷତଚିହ୍ନଟିଏ ବି ଥିଲା । ସେ ଭୟାଳୁ ଦିଶୁଥିଲେ ମତେ । ଅନେକ କିଛି କହିବାକୁ ଚାହୁଁଥିଲେ ସେ, ଅଥଚ ତାଙ୍କ କଥା ଶୁଣିବା ପାଇଁ ସେଠି କେହି ନଥିଲେ । ତାଙ୍କ ପକେଟରେ କଲମଟିଏ ଥିଲା, ମାତ୍ର କାଗଜ ନଥିଲା । ତାଙ୍କ ପାଦରୁ କଣ୍ଟାବାଜି ରକ୍ତ ଝରୁଥିଲା । ତାଙ୍କ ଓଠ ତଳେ ପୁରୁଣା କଟାଦାଗଟିଏ ଥିଲା । ମୁଁ ହାତ ବଢ଼େଇ ସେ ଦାଗଟିକୁ ଛୁଇଁବାକୁ ଚେଷ୍ଟାକଲି । ଏମିତିରେ, ମୋ ଆଙ୍ଗୁଠି ଆସି ମୋ'ରି ଓଠରେ ବାଜିଲା । ମୁଁ ପ୍ରକୃତିସ୍ଥ ହେଲି । ଜୁନ୍ ସେତେବେଳକୁ ସିନାଗଗ୍ ବାହାରେ ଠିଆହେଇ ସିଗାରେଟ ଟାଣୁଥାଏ । ମୁଁ ତା’ ପାଖରେ ଯାଇ ଠିଆହେଲି ନୀରବରେ । ପରମୁହୂର୍ତ୍ତରେ, ପଦୁଟିଏ ବି ନକହି, ସିଗାରେଟଟିକୁ ସେ ମୋ ଆଡକୁ ବଢ଼େଇ ଦେଲା । ମୁଁ ବି ତା’ ହାତରୁ ସିଗାରେଟଟିକୁ ନେଇ ଓଠରେ ଲଗେଇଲି, ଯଦିଓ ମୁଁ ଜୀବନରେ ଆଗରୁ କେବେ ବି ସିଗାରେଟ ଟାଣିନଥିଲି । ତଣ୍ଟିରେ ସିଗାରେଟ ଧୂଆଁ ବାଜିବାର ଯନ୍ତ୍ରଣା ଖୁବ ସାଧାରଣ ମନେହେଲା ମତେ ସେଦିନ । ହୁଏତ, ଅନ୍ୟ କିଛି ଯନ୍ତ୍ରଣାର ପ୍ରଭାବରେ ମୋ ସ୍ନାୟୁସବୁ ଜଡ଼ ପାଲଟିଯାଇଥିଲେ ସେତେବେଳକୁ । ସେଇ ଅବସ୍ଥାରେ, କେହି ଜଣେ ଆମ ଦୁହିଁଙ୍କ ଉପରେ ଘୋଡେଇ ଦେଇଗଲା ଅନ୍ୟମନସ୍କତାର ଏକ ନିରବ, ଅଥଚ ଖୁବ୍ ନିବିଡ଼ ଚାଦର । ପ୍ରାୟ ପନ୍ଦର ମିନିଟ ପରେ ଅପ୍ରତ୍ୟାଶିତ ଭାବରେ ସେ ଚାଦର ଭିତରୁ ମୁହଁ କାଢି ଜୁନ୍ କହିଲା, ‘କେତେ ଆଶ୍ଚର୍ଯ୍ୟ କଥା ନା, କାଫ୍କା ବଂଚିଥିବା ଯାଏଁ, ଜଣେ ଲେଖକ ଭାବେ ସେ ଖୁବ କମ ସ୍ୱୀକୃତି ଓ ଭଲପାଇବା ପାଇଥିଲେ ! ଆଉ ଏବେ, ସେ ମରିଯିବା ପରେ, ଲୋକ ତାଙ୍କୁ ପାଗଳଙ୍କ ଭଳି ଭଲ ପାଉଛନ୍ତି ! କ’ଣ ଲାଭ ଏ ଭଲପାଇବାର ?’
କ୍ରମଶଃ