ରାମଣ
ଏ ଯେଉଁ ନିଆ଼ଁ ଜଳୁଛି ଦେହର ଦେଶରେ
ଏ ଯେଉଁ ନିଆଁ ଜଳୁଛି ରାସ୍ତା ଘାଟ
ଘର, ଦୋକାନ ଓ ହୋଟେଲରେ
ଏ ଯେଉଁ ନିଆଁ ଜାଳୁଛି
ନିଜର ଓ ପଡୋଶୀର ସଂସାର
ଜାଳୁଛି କୋମଳ ଶିଶୁ
ଓ ଉଲଗ୍ନ ନାରୀର ଦେହ
ଏ ନିଆଁ ଜମା ଲିଭିବ ନାହିଁ
ନିରବ ସହାନୁଭୂତିର ଝିପିଝିପି ବର୍ଷାରେ
ଅଥବା ମୁଖର ପ୍ରତିବାଦର ଫୁଆରରେ
ଏ ନିଆଁ ଜମା ଲିଭିବ ନାହିଁ
ଯାହା ଖୋଦ୍ ମଣିଷ ଲଗେଇଛି
ନିଜ ରକ୍ତ ଧୁଆ ହାତରେ
ଯାହାର ଭୃଣକୁ ସେ ପାଳି ସାଇତି
ଲୁଚାଇ ରଖିଛି ଭୋକରେ ଗର୍ଭଗୃହରେ
କେବଳ ପାଟି ଓ ଦୁଇ ହାତକୁ ଛାଡି
ଆମେ ପ୍ରାୟ ଲିଭେଇ ଦେଇଛୁ
ଅନ୍ୟ ସବୁ ଇନ୍ଦ୍ରିୟର ଦ୍ବାର ଦେଇ
ଯିବା ଆସିବା କରୁଥିବା ଆଲୁଅକୁ,
ଆମେ ମଣିଷ ବୋଇଲେ
ଭୋକର ଖୁଣ୍ଟରେ ବନ୍ଧା ହୋଇଥିବା
କେବଳ ଗୋଟେ ଭୋକିଲା ଜନ୍ତୁର
ଦୁଇଟି ଲୋମଶ ହାତ
ଭୋକ ତ କେବଳ ପେଟରେ ନଥାଏ
ଜଙ୍ଘ ସନ୍ଧିର ହୋମକୁଣ୍ଡରୁ ମୁଣ୍ଡ ଟେକେ
ତାର ଲହ ଲହ ଶିଖା
ଚରେ ରକ୍ତ ମାଉଁସ ହାଡ଼ ଓ ହୃଦୟ
ମୁକୁଟ ହୋଇ ବସିପଡେ ମୁଣ୍ଡରେ,
ଭୂଇଁ ଜଙ୍ଗଲ ସମୁଦ୍ର
ଯେଉଁଠି ଯେତେ ରୂପରେ
ଫୁଟିଥାଏ ଜୀବନ
ସବୁ ଯେମିତି ପୃଥିବୀର ଥାଳିରେ
ବଢା ହୋଇଥିବା ତାର ଆହାର
ଭୋକର ଆଖି ନଥାଏ,
ଖାଦ୍ୟର ବାସ୍ନାରେ କେବଳ
ନାକର ନିଦ ଭାଙ୍ଗେ
ଯେଉଁଠୁ ସ୍ବାଦର ଡାକ ଶୁଭେ
କେବଳ ସେଇ ଦିଗକୁ ଲମ୍ବିଯାଏ ହାତ
ଜାତି ଧର୍ମ ଦେଶ ଗାଦି
ଭୋକ ସବୁକୁ କରିଦିଏ
ଗୋଟେ ଗୋଟେ ହୋମକୁଣ୍ଡ
ଯେଉଁଠି ହୁ ହୁ ନିଆଁ
ମାଗେ ରକ୍ତର ଆହୂତି
ଅଧାରାମ ଅଧାରାବଣ ଏ ମଣିଷ
ଯିଏ ମଣିଷାସୁର, ନାଁ ଯାର ରାମଣ
ମନର ହେଉ ବା ଦେହର
ଭୋକ ଓ ଭୋଗର ନିଆଁରେ
ସୀତା ହିଁ ଜଳୁଥିବା ଏଠି ଚିରକାଳ।