ଶବ୍ଦ ବିପ୍ଳବ

ଶବ୍ଦ ବିପ୍ଳବ

ଶାଗୁଆ ପତ୍ରର ରସ ସ୍ୱାଦନ କରିବାକୁ ଯାଇ
ଧୀରେ ଧୀରେ ପତ୍ରକୁ ଉଦରସ୍ଥ କରିଦିଏ କୀଟ ।

କୀଟଟିଏ
ଦେଶଟିଏ
ମଝିରେ ସବୁଜ ରଙ୍ଗର ପତ୍ରଟିଏ ।

ଦେଶକୁ ଶାଗୁଆ କରେ ଗଛ ପତ୍ର
ଫୁଲ ଫୁଟେ, ଫଳ ଫଳେ, ପାଚେ,ମଞ୍ଜି ଧରେ
ବିକଶିତ ହୁଏ ଦେଶର ଡାଳପତ୍ର ।

କୀଟ ପେଟରେ ଦାଉ ଦାଉ ଭୋକ ।
କୀଟ ଆଁ କରେ 
ପତ୍ର ଉପରେ ବିଚ୍ଛୁରିତ 
ସୂର୍ଯ୍ୟର ବାଇଗଣୀ ରଶ୍ମିକୁ ବି ଉଦରସ୍ଥ କରିଦିଏ ।

ଶେଷ ହୋଇ ଆସୁଥିବା ପତ୍ରର
ଶିରାରେ ଶିରାରେ ବିକଶିତ ହେଉଥାଏ ଦେଶ ।

ଯୋଗୀଟିଏ ପରି କୀଟଟିଏ
କେତେ ସୁନ୍ଦର ସୁନ୍ଦର ବେଶଭୂଷାରେ!
ଅଥଚ କବିଟିଏ ଦିନ ଦ୍ୱିପହରରେ ସବୁଜିମାର କଥା କହେ
ସବୁଜ ବିପ୍ଳବର ନିଷିଦ୍ଧାଞ୍ଚଳରେ ।

ଆସ, ଆସ
ପତ୍ରମାନେ, ଡ଼ାଳମାନେ, ଗଛମାନେ, ଲତାମାନେ
କ୍ଷମତାନ୍ଧ କୀଟର ଚାରିପାଖରେ ପରିକ୍ରମଣ କର
ପକ୍ୱ ଶ୍ମଶ୍ରୁ ଭିତରକୁ ଗମନ କର
ମୁକ୍ତାରେ ପରିଣତ ହୋଇଯାଅ ସର୍ବଶ୍ରେଷ୍ଠ ବିଭବରେ ।

କାଳେ କାଳେ ଦେଶର ବିକଶିତ ଅର୍ଥନୀତିରେ 
ଜାଜ୍ଜ୍ୱଲ୍ୟମାନ ପତ୍ରର ସବୁଜତ୍ୱ
ଏ ପ୍ରାମାଣିକ ସବୁଜତ୍ୱକୁ ବିନାଶ କରେ କୀଟଟିଏ ।

ଅଳିଆ ଆବର୍ଜନା ଭର୍ତ୍ତି ଖପୁରୀର
ସରୁ ସରୁ ଡ୍ରେନ ଭିତର ପଚାତ୍ୱରୁ ପର୍ଦ୍ଦା ଉଠିଯାଏ
ସ୍ପଷ୍ଟ ହୋଇଯାଏ ଅର୍ଥନୀତିରୁ ପଚାତ୍ୱ
ଯାହା ଆମକୁ ସୁଦ୍ରାସ୍ଫୀତିର ଅର୍ଥ-ବିପ୍ଳବ ବୋଲି କୁହାଯାଏ.
ଅର୍ଥ-ବିପ୍ଳବର ବିସ୍ଫୋରଣ ବୋଲି କୁହାଯାଏ,
ସବୁଜ ବିପ୍ଳବକୁ କୀଟର ବିଷ୍ଠା ଖୁଆଇ
ଆମର ଉଦୀୟମାନ ଚିନ୍ତାକଳ୍ପକୁ ଚୁପ୍ କରି
ଶୋଇ ପକାଯାଏ ଗଭୀର ନିଦ୍ରାରେ ।

ସୂର୍ଯ୍ୟ ଏବେ ସବୁଠୁ କଳା ଦିନମାନଙ୍କୁ ପ୍ରେରଣ କରେ ଦେଶକୁ
କଳା ଦିନମାନେ ଆସନ୍ତି ପୁଣି ଯାଆନ୍ତି
ଗାଈପହ୍ନାରୁ ଉତୁରି ଆସୁଥିବା ସଫେଦ ଦିନଗୁଡ଼ିକୁ
ଖୁବ୍ ଶସ୍ତାରେ ବିକ୍ରି କରି ଦିଆଯାଏ କମ୍ପାନୀକୁ ।

ସବୁଜ ପତ୍ରମାନଙ୍କର ସବୁଠୁ ବଡ଼ ଶତ୍ରୁ କୀଟର ଗେରୁଆ ଆକ୍ରୋଶ
କୀଟ ପତ୍ରର ସବୁଜିମାକୁ ତ ଖାଏ ତା’ ସହିତ ଖାଇଦିଏ ଦେଶର ସବୁଜ ଅସ୍ତିତ୍ୱ ।

ଗଛର ଉଚ୍ଚତାକୁ ଡେଇଁ ପତ୍ରକୁ ଆହୁରି ଉର୍ଦ୍ଧ୍ୱମୁଖୀ ହବାକୁ ହବ
ଦେଶର ଅସ୍ତିତ୍ୱକୁ ଡେଇଁ ଚିନ୍ତାକଳ୍ପକୁ ଆହୁରି ପ୍ରସାରିତ କରିବାକୁ ହବ
ପତ୍ର ଉପରେ ବିଶ୍ରାମରତ କୀଟ
ପାକଚୁଲିରେ ହଜମ କରେ ରସ
ଦୁଇଟି  ପତ୍ର ଚାହିଁ ରହିଥାନ୍ତି ପରସ୍ପରକୁ
ଗଭୀର ଦୁଃଖରେ, ଶେଷ ହୋଇଯିବାର ଅନ୍ତିମ କ୍ଷଣରେ!

ଆସ ଆସ, 
ତରୁଣ କବିମାନେ ପତ୍ରମାନଙ୍କୁ ରକ୍ଷାକର
ଶାଗୁଆ ରସର ଶବ୍ଦ- ବିପ୍ଳବରେ ।