ବର୍ଷା ପବ୍ଲିକେଶନ୍ସ ର ବର୍ଷା ଉତ୍ସବ : ପରମ୍ପରା ଓ ସମକାଳୀନ ସାହିତ୍ୟର ମିଳନୀ

ବର୍ଷା ପବ୍ଲିକେଶନ୍ସ ର ବର୍ଷା ଉତ୍ସବ : ପରମ୍ପରା ଓ ସମକାଳୀନ ସାହିତ୍ୟର ମିଳନୀ

ଭୁବନେଶ୍ଵରସ୍ଥ ଗୀତଗୋବିନ୍ଦ ସଦନରେ ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରଥମ ବର୍ଷା ଉତ୍ସବ। ଉକ୍ତ ଉତ୍ସବରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ କବି ଦେବବ୍ରତ ଜେନାଙ୍କ କବିତା ପୁସ୍ତକ ‘ଏଡ଼ୱାର୍ଡ଼ର ମୁହଁ', କବି ସତ୍ୟ ସାହୁଙ୍କ କବିତା ପୁସ୍ତକ ‘ମାଟି ଘୁଙ୍ଗୁର’, କବି ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କ ‘ କିଛି କଥା କହିହୁଏ ଆଉ କିଛି ବାକି ରହେ’, କଥାଶିଳ୍ପୀ ସୁସ୍ମିତା ପଟେଲଙ୍କ ଉପନ୍ୟାସ ‘ ଅନ୍ତହୀନ ପ୍ରତୀକ୍ଷା’, ଗଳ୍ପ ପୁସ୍ତକ ‘ଡାଏରୀ, ଚିନ୍ମୟୀ ପଣ୍ଡାଙ୍କ ଗଛ ପୁସ୍ତକ ‘ଜୀବନ ହଜିବା ପାଇବା ଭିତରେ’ କବି ବାଦଲ ମହାନ୍ତିଙ୍କ ସ୍ମୃତିଲେଖ ‘କଲମର କୁହୁ’, ‘ମୋ ମନର ଯେତେକଥା’ ଉପନ୍ୟାସ ‘ ମାଇଚିଆ’ ଓ ‘ମାୟାମଞ୍ଚ’ ଏବଂ ସମୀର କରଙ୍କ ଆତ୍ମ ଅନୁଶୀଳନଭିଭିକ ପୁସ୍ତକ ‘ଏକ ଭିନ୍ନ ଚିନ୍ତନ’ ଉନ୍ମୋଚିତ ହୋଇଥିଲା। ଉପରୋକ୍ତ ପୁସ୍ତକଗୁଡ଼ିକୁ ଉତ୍ସବରେ ଉପସ୍ଥିତ ଓଡ଼ିଶାର ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ, ଶ୍ରୀଦେବ, କେଦାର ମିଶ୍ର, ସ୍ଵପ୍ନା ମିଶ୍ର, ପବିତ୍ରମୋହନ କର ଏବଂ ଶରତଚନ୍ଦ୍ର କର ଉନ୍ମୋଚନ ଓ ସମୀକ୍ଷା କରିଥିଲେ। ଏହାପରେ ବର୍ଷା ପବ୍ଲିକେସନ ପକ୍ଷରୁ ପ୍ରଥମ ‘ବର୍ଷା ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା। ‘ବର୍ଷା କଥା ସମ୍ମାନ’ ପାଇଁ କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ଛଦ୍ମଘଟ’, ବର୍ଷା କବିତା ସମ୍ମାନ ପାଇଁ କବି ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ ‘ମୁଁ ନଥୁବି ଏ ନଈ ଥିବ’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ‘କେଇ ଫର୍ଦ ଜହ୍ନରାତି’କୁ ପୁରସ୍କୃତ କରାଯାଇଥିଲା ।

ଦ୍ଵିତୀୟ ଅଧୂବେଶନରେ ପାରମ୍ପରିକ ସାହିତ୍ୟକୁ ନେଇ ଏକ ତାତ୍ତ୍ଵିକ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନାରେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ଉପରେ ବିଶିଷ୍ଟ ଆଲୋଚକ ଅସିତ ମହାନ୍ତି, କବିସୂର୍ଯ୍ୟ ବଳଦେବଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’ ଉପରେ ଆଲୋଚକ ଅଜୟ ସ୍ଵାଇଁ, ବଳରାମ ଦାସଙ୍କ ‘ଭାବ ସମୁଦ୍ର’ ଉପରେ ଆଲୋଚକ ସନ୍ତୋଷ ରଥ, ଭକ୍ତ ଦାସଙ୍କ ‘ମଥୁରା ମଙ୍ଗଳ’ ଉପରେ ଆଲୋଚକ କେଦାର ମିଶ୍ର ଏବଂ ଦୀନକୃଷ୍ଣ ଦାସଙ୍କ ‘ରସ କଲ୍ଲୋଳ’ ଉପରେ ଯୁବ ଆଲୋଚକ ଆଲୋକ ରଂଜନ ଷଡ଼ଙ୍ଗୀ ଗଭୀର ଆଲୋଚନା କରିଥିଲେ, ଯାହାକି ଉପସ୍ଥିତ ସଭାସଦ୍‌ଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

ଏହି ମୂଲ୍ୟବାନ ପାରମ୍ପରିକ ସାହିତ୍ୟକୁ ସଙ୍ଗୀତରେ ସଜେଇ ଥିଲେ କଣ୍ଠଶିଳ୍ପୀ ମହାପାତ୍ର ମିନତି ରଂଜ, ଗୁରୁ ନିମାକାନ୍ତ ରାଉତରାୟ, ସଂଜୟ କୁମାର ରାଉତ, ଜବାହର ମିଶ୍ର, ଜୟଗୁରୁ ପ୍ରଧାନ, ବିଜୟଲକ୍ଷ୍ମୀ ରାଉତରାୟ, ସ୍ନେହଲତା ଦାସଲେଙ୍କା। ସଙ୍ଗୀତ ପରିଚାଳନା କରିଥିଲେ ଗୁରୁ ଜଗନ୍ନାଥ କୁଅଁର । ଅଭିନେତ୍ରୀ ମଧୁମିତା ମହାନ୍ତି ସଭାଟିକୁ ପରିଚାଳନା କରିଥିବା ବେଳେ ଯୁବ କବି ଓ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀ ସ୍ଵାତ ଭାଷଣ ପ୍ରଦାନ କରିଥିଲେ।

ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ବର୍ଷା ପବ୍ଲିକେସନ୍‌ର ନିର୍ଦ୍ଦେଶକ ବାଦଲ ମହାନ୍ତି।