ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ  ପାଳିତ

ଆଜି ପୂର୍ବାହ୍ନ ୧୧ ଘଂଟା ସମୟରେ ରାଜ୍ୟସ୍ତରୀୟ ହେମାନନ୍ଦ ବିଶ୍ୱାଳ ସ୍ମୃତି ସଂସଦ ପକ୍ଷରୁ ଜୟଦେବ ଭବନ, ଭୁବନେଶ୍ୱର ଠାରେ ସଂସଦର ସଭାପତି ଶ୍ରୀ ଜୟଦେବା ଜେନାଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି ।  ଏହି ଶ୍ରାଦ୍ଧସଭାରେ ଅଧ୍ୟକ୍ଷତା କରି ଜୟଦେବା ଜେନା କହିଥିଲେ ଯେ ସ୍ୱର୍ଗତ ବିଶ୍ୱାଳ ଓଡ଼ିଶାର ରାଜନୀତି ଓ ସମାଜ ସେବା କ୍ଷେତ୍ରରେ ଗତ ଅର୍ଦ୍ଧଶତାବ୍ଦୀର ଅଗ୍ରଣୀ
ନାୟକ ଥିଲେ ।  ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ହେମାନନ୍ଦ ବିଶ୍ୱାଳ ଓଡ଼ିଶା କଂଗ୍ରେସର ଅମୂଲ୍ୟ ରତ୍ନଥିଲେ ।
ସ୍ୱର୍ଗତ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଦୀ ଓ ରାହୁଲ ଗାନ୍ଧୀ ସ୍ୱର୍ଗତ ବିଶ୍ୱାଳଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ସାଧାରଣ ଜନତାଙ୍କ ପାଖରେ ହେମାନନ୍ଦ ବିଶ୍ୱାଳଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ହେମାନନ୍ଦ ବିଶ୍ୱାଳ ନିଜକୁ କେବେ ଜଣେ ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଭାବୁ ନଥିଲେ । ସେ ନିଜକୁ ସାଧାରଣ ଜନତାର ସେବକ ଭାବରେ ଗ୍ରହଣ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ହେମାନନ୍ଦ ବିଶ୍ୱାଳ ସମାଜର ଅବହେଳିତ ବର୍ଗର ଜନତାଙ୍କର ଶାଣିତ ସ୍ୱର । ବରିଷ୍ଠ ସାମ୍ବାଦିକ ରବିଦାସ କହିଥିଲେ ଯେ ୧୯୯୫ରେ କଂଗ୍ରେସର ପ୍ରତ୍ୟାବର୍ତନ ପଛରେ ହେମାନନ୍ଦ ବିଶ୍ୱାଳଙ୍କ ପ୍ରଭାବ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ରହିଥିଲେ । କେବଳ ହେମାନନ୍ଦ ବିଶ୍ୱାଳଙ୍କ ଉପରେ ଆସ୍ତା ପ୍ରକଟ କରି ଓଡ଼ିଶାର ଦଳିତ ଆଦିବାସୀ ଓ ପଛୁଆବର୍ଗ କଂଗ୍ରେସକୁ ସମର୍ଥନ କରୁଥିଲେ ।  ପ୍ରସାଦ ହରିଚନ୍ଦନ କହିଥିଲେ ଯେ ହେମାନନ୍ଦ ବିଶ୍ୱାଳ ନୂତନ ପ୍ରତିଭାକୁ ପ୍ରତିଷ୍ଠିତ ହେବାପାଇଁ ସୁଯୋଗ ଦେଉଥିଲେ । ସେଥିଲେ ଏକ ନିଷ୍କଳଙ୍କ, ନିଷ୍ଠାପର ଓ କର୍ମନିଷ୍ଠ ନେତୃତ୍ୱ । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ
ବିଶ୍ୱାଳ ଥିଲେ ଓଡ଼ିଶାରେ ସାମାଜିକ ଆନ୍ଦୋଳନର କ୍ୟାପଟେନ । ଶାସନ କ୍ଷେତ୍ରରେ ସ୍ୱଚ୍ଛତା, ନିରପେକ୍ଷତା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ । କ୍ଷମତାରେ ଅନ୍ଧ ହେବାଭଳି ଲୋକ ସେ ନଥିଲେ । 

ଏହି କାର୍ଯ୍ୟକ୍ରମରେ ସାଂସଦ ସୁଲତା ଦେଓ, ଶିବାନନ୍ଦ ରାୟ, ଚିରଞ୍ଜିବ ବିଶ୍ୱାଳ, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଭଜମନ ବେହେରା, ଜନାର୍ଦ୍ଦନ ପତି, ରବି ବେହେରା, ମହମ୍ମମଦ ମୋକିମ ପ୍ରମୁଖ ଯୋଗଦାନ କରିଥିଲେ । 

ହେମାନନ୍ଦ ବିଶ୍ୱାଳଙ୍କର କନ୍ୟା ଅମିତା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।