ଜଗନ୍ନାଥ ପ୍ରସାଦ ଦାସ ; ଏକ ସ୍ମୃତିଲେଖା
ଗତ ରାତିରେ ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଲେଖକ, କବି, ନାଟ୍ୟକାର ଓ ପ୍ରାବନ୍ଧିକ ଜଗନ୍ନାଥ ପ୍ରସାଦ ଦାସ (ଜେ.ପି. ଦାସ) ନବେ ବର୍ଷ ରେ ଅମରଲୋକକୁ ପ୍ରସ୍ଥାନ କରିଛନ୍ତି।
ଓଡ଼ିଆ ସାହିତ୍ୟ ଜଗତର ଏହି ଅପୂର୍ବ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଓଡ଼ିଶା ଗଭୀର ଶୋକାକୁଳ ହୋଇଛି। ଜଣେ ଆଇଏଏସ ଅଧିକାରୀ ଭାବରେ ରାଜ୍ୟ ଓ ଦେଶର ସେବା କରିଥିବା ଏହି ମହାନ ବ୍ୟକ୍ତି ସାହିତ୍ୟ ଓ କଳା କ୍ଷେତ୍ରରେ ଅବିସ୍ମରଣୀୟ ଯୋଗଦାନ ରଖିଛନ୍ତି।
ଜଗନ୍ନାଥ ପ୍ରସାଦ ଦାସ ୧୯୩୬ ମସିହା ଏପ୍ରିଲ ୨୬ ତାରିଖରେ ପୁରୀ ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ରୀଧର ଦାସ ଜଣେ ପ୍ରସିଦ୍ଧ ସାହିତ୍ୟିକ ଓ ଶିକ୍ଷକ ଥିଲେ। ପ୍ରାଥମିକ ଶିକ୍ଷା ବା ଣ ପୁରରେ ସମାପ୍ତ କରି କଟକର ମିଶନ ସ୍କୁଲ ରେ ପଢ଼ି ୧୯୫୧ରେ ମ୍ୟାଟ୍ରିକ ପାଶ କରିଥିଲେ। ସେ ମାଟ୍ରିକ ରେ ବେଷ୍ଟ ଟେନ୍ ରେ ଦ୍ୱିତୀୟ ହୋଇଥିଲେ।ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ପରେ କଳା ଇତିହାସରେ ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ।
ଏଲାହାବାଦ ବିଶ୍ୱବିଦ୍ୟାଳୟରେ ସ୍ୱଳ୍ପ ସମୟ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ପରେ ୧୯୫୮ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ। ଓଡ଼ିଶା କ୍ୟାଡରରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାପାଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଙ୍କୃତ କରିଥିଲେ। କଳାହାଣ୍ଡିରେ ଦୁର୍ଭିକ୍ଷ ସମୟରେ ଜନସେବା କରି ପ୍ରଶଂସା ଲାଭ କରିଥିଲେ। କେନ୍ଦ୍ର ସରକାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରି ଶେଷରେ ଉଚ୍ଚ ପଦବୀରୁ ସ୍ୱେଚ୍ଛାପ୍ରଣୋଦିତ ଅବସର ଗ୍ରହଣ କରିଥିଲେ। ତାଙ୍କର ପ୍ରଶାସନିକ ଜୀବନ ସରଳତା, ନିଷ୍ଠା ଓ ଜନକଲ୍ୟାଣମୂଳକ କାର୍ଯ୍ୟର ଉଦାହରଣ ଥିଲା।
କିଶୋର ବୟସରୁ ସାହିତ୍ୟ ପ୍ରତି ଆକର୍ଷିତ ହୋଇ ଜେ.ପି. ଦାସ ଓଡ଼ିଆ ସାହିତ୍ୟରେ ଅନନ୍ୟ ଯୋଗଦାନ ଦେଇଛନ୍ତି। ତାଙ୍କର କବିତା, ନାଟକ, ଉପନ୍ୟାସ, ଛୋଟଗଳ୍ପ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।
ପ୍ରସିଦ୍ଧ ଉପନ୍ୟାସ ‘ଦେଶ କାଳ ପାତ୍ର’ (ଇଂରାଜୀରେ A Time Elsewhere) ତାଙ୍କର ସର୍ବଶ୍ରେଷ୍ଠ ରଚନା ମଧ୍ୟରୁ ଗୋଟିଏ। ଓଡ଼ିଶାର କଳା ଓ ପୁରୀ ଚିତ୍ରକଳା ଉପରେ ତାଙ୍କର ଗବେଷଣାମୂଳକ ପୁସ୍ତକ ଅତ୍ୟନ୍ତ ମୂଲ୍ୟବାନ୍।
ସାରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର (ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ), ନନ୍ଦିକର ପୁରସ୍କାର, ସାରଳା ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ, ଇଂରାଜୀ ସହିତ ଅନ୍ୟ ଭାଷାରେ ଅନୁବାଦ କରି ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି। ସେ ଚିତ୍ରକର, ଅଭିନେତା ଓ ସାମାଜିକ କର୍ମୀ ଭାବରେ ମଧ୍ୟ ପରିଚିତ ଥିଲେ।
ଜେ.ପି. ଦାସଙ୍କ ଜୀବନ ଓ କୃତି ଓଡ଼ିଆ ସଂସ୍କୃତିର ଗର୍ବ। ତାଙ୍କ ଆତ୍ମା ସଦା ଶାନ୍ତିରେ ରହୁ ଏବଂ ତାଙ୍କ କୃତି ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେଉ। ଓଡ଼ିଶା ସାହିତ୍ୟ ଜଗତ ତାଙ୍କୁ ଚିରକାଳ ସ୍ମରଣ କରିବ।