ରମେଶ ପାଣିଗ୍ରାହୀ ଓ ଗୀତାଞ୍ଜଳିଶ୍ରୀଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର

ରମେଶ ପାଣିଗ୍ରାହୀ ଓ ଗୀତାଞ୍ଜଳିଶ୍ରୀଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର

ଆନ୍ତର୍ଜାତିକ ବୁକର ପୁରସ୍କାର ବିଜୟିନୀ ବିଶିଷ୍ଟ ହିନ୍ଦୀ କଥାକାର ଗୀତାଞ୍ଜଳିଶ୍ରୀ ଏବଂ ଓଡିଆ ନାଟକର କିମ୍ବଦନ୍ତୀ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ଚଳିତ ବର୍ଷ ପାଇଁ ଯଥାକ୍ରମେ କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର ଏବଂ କଳିଙ୍ଗ ସାହିତ୍ୟ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି । ଏହି ପୁରସ୍କାର ବାବଦରେ ଗୀତାଞ୍ଜଳିଶ୍ରୀଙ୍କୁ ଏକ ଲକ୍ଷ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଆସନ୍ତା ୨୪ ଫେବୃଆରୀ  ରୁ ୨୬ ପର୍ଯନ୍ତ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା କଳିଙ୍ଗ ସାହିତ୍ୟ ମହୋତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହା ଛଡା ପେଙ୍ଗୁଇନ ରାଣ୍ଡମ ହାଉସ ଏବଂ ରାଜକମଳ ପ୍ରକାଶନକୁ ଏହି ଅବସରରେ ସମ୍ମାନୀତ କରାଯିବ । ତିନିଦିନ ବ୍ୟାପୀ କଳିଙ୍ଗ ସାହିତ୍ୟ ଉତ୍ସବରେ ସାରା ପୃଥିବୀରୁ ପ୍ରାୟ ୫୦୦ କବି ଓ ଲେଖକ ଯୋଗଦାନ କରୁଛନ୍ତି। ନେପାଳରୁ ପ୍ରସିଦ୍ଧ ଲେଖକ ତୁଳସୀ ଦୀୱାସାଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ଏଥିରେ ଭାଗ ନେବେ । ଓଡିଶାରେ ଆୟୋଜିତ ହେଉଥିବା ସବୁଠୁ ବଡ ସାହିତ୍ୟ ଉତ୍ସବ ଭାବରେ ପରିଗଣିତ କଳିଙ୍ଗ ସାହିତ୍ୟ ଉତ୍ସବର ମୁଖ୍ୟ ପ୍ରସଙ୍ଗ "ଭାରତ ଓ ବିଶ୍ଵ" ରହିଛି ବୋଲି ଏହି ଉତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା କହିଛନ୍ତି ।