ଜେଙ୍ଗାବୁରୁର ଅଭିଶାପ : ଓଟିଟିରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଶା ସିରିଜ

ଜେଙ୍ଗାବୁରୁର ଅଭିଶାପ : ଓଟିଟିରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଶା ସିରିଜ
  • ଦ ଜେଙ୍ଗାବୁରୁ କର୍ସ; ଓଡିଶାରେ ଶୁଟିଙ୍ଗ ହୋଇଥିବା ଓଡିଶାର କାହାଣୀ ।
  • ସୋନି ଲିଭରେ ଆସୁଛି ଆସନ୍ତା ଅଗଷ୍ଟ ୯ ତାରିଖ ।
  • ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଥମ କ୍ଲାଇ-ଫାଇ-ଥ୍ରୀଲର ।
  • ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଟିଟି ଅବଦାନ ।  

ଓଡ଼ିଶାର କାହାଣୀକୁ ନେଇ ଓଡ଼ିଆ ନିର୍ମାତା ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓ୍ବେବ୍ ସିରିଜ୍ "ଦ ଜେଙ୍ଗାବୁରୁ କର୍ସ" ଆସନ୍ତା ଅଗଷ୍ଟ ୯ ତାରିଖ ଦିନ "ସୋନି ଲିଭ୍" ରେ ମୁକ୍ତିଲାଭ କରିବାକୁ ଯାଉଛି। ଆଜି ଏହି ଓ୍ବେବ୍ ସିରିଜ୍ ର ଟିଜର୍ ଆସିବା ପରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଇଛି। ଭାରତୀୟ ଓଟିଟିରେ ଏହା ପ୍ରଥମ "କ୍ଲାଇ-ଫାଇ-ଥ୍ରିଲର୍" ବୋଲି କୁହାଯାଉଛି। ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ନୀଳମାଧବ ପଣ୍ଡାଙ୍କର ସବୁବେଳେ ଏକ ସ୍ବତନ୍ତ୍ର ଆଗ୍ରହ ରହିଛି। ତାଙ୍କର ପ୍ରଥମ ଚର୍ଚ୍ଚିତ ସିନେମା "ଆଇ ଆମ୍ କଲାମ୍" ପରେ "କଡ୍ବି ହାଓ୍ଵା", "ହାଲ୍କା" ଓ "କାଲିର ଅତୀତ"ରେ ସେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ମଣିଷ ଜୀବନ ଏହା ଦ୍ବାରା ସାମ୍ନା କରୁଥିବା ସଙ୍କଟର କାହାଣୀ କହିଛନ୍ତି। "ଦ ଜେଙ୍ଗାବୁରୁ କର୍ସ" ସେହି ଧାରାରେ ଆଉ ଏକ ନୂଆ ପ୍ରୟୋଗ।

 ଓଡ଼ିଶାରେ ବେଆଇନ ଖଣି ଖନନକୁ ଆଧାର କରି ଏହି ଓ୍ବେବ୍ ସିରିଜ୍ ର ପରିକଳ୍ପନା କରାଯାଇଛି। ଚୋରା ଖଣି କାରବାର, ଖଣି ମାଫିଆଙ୍କ ବିରୋଧରେ ଆଦିବାସୀ ଜୀବନର ସଙ୍ଘର୍ଷ ଏବଂ ସାମାଜିକ ନ୍ୟାୟର ଲଢେ଼ଇ ଏହାର ମୁଖ୍ୟ କଥାବସ୍ତୁ। ଓଡ଼ିଶାର କେନ୍ଦୁଝର, କୋଣାର୍କ, ଭୁବନେଶ୍ୱର ସମେତ ଇଂଲଣ୍ଡ ଓ ମିଆମାର୍ ରେ ଏହି ସିରିଜ୍ ର ସୁଟିଂ କରାଯାଇଛି।

 ଚର୍ଚ୍ଚିତ ହଲିଉଡ୍ ଓଟିଟି ତାରକା ମେଲାନି ଗ୍ରେ, ମକରନ୍ଦ ଦେଶପାଣ୍ଡେ, ନାସାର୍ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଓଡ଼ିଶାର ଆଦିବାସୀ ଜୀବନକୁ ନେଇ ଏହା ପ୍ରଥମ ଓ୍ବେବ୍ ସିରିଜ୍ ଏବଂ ଏହା ଲୋକଙ୍କୁ ଏକ ନୂଆ ଅନୁଭବ ଦେବ ବୋଲି ଏହାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି।‌