କ୍ରମଶଃ ମରି ଆସୁଥିବା ମାନବିକତା
ଏବେ ଦିନେ ପାରାଦ୍ଵୀପରୁ ଏକ ସାହିତ୍ୟ ସଭା ସାରି ଫେରୁଥିଲି ଭୁବନେଶ୍ୱର। ଫେରିବା ରାସ୍ତାରେ ଅନ୍ୟ ଜଣେ ସାହିତ୍ୟିକାଙ୍କୁ ତାଙ୍କ ଘରେ ଛାଡିବାକୁ ଯିବାବେଳେ ଟଙ୍କପାଣି ରୋଡ଼ ପାଖରେ ଏକ ମଣ୍ଡପରେ ବାହାଘର ରିସେପସନ୍ ଫଙ୍କସନ୍ ହେଉଥିବାରୁ ରାସ୍ତା ଭିଡ ଥାଏ ଠିକ୍ ସେଇ ମଣ୍ଡପ ସାମ୍ନାରେ।ଡ୍ରାଇଭର୍ ତାଙ୍କୁ ସେଇ ପାଖରେ ଛାଡ଼ି ଗାଡ଼ି ବୁଲଉ ବୁଲଉ ଏକ ମିନିଟ୍ ବିଳମ୍ବ ହେଇଥିବ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡିଚାଳକଙ୍କ ପାଇଁ। ସେଇ ଏକ ମିନିଟ ର ବିଳମ୍ବରେ ଦେଖିଲି ଜଣେ ଯୁବକ ବାଇକ୍ ରେ ଆମ ଗାଡ଼ିକୁ କ୍ରସ୍ କରି ଯାଉଯାଉ ଡ୍ରାଇଭର୍ କୁ ଚାହିଁ ଅଶ୍ଲୀଳ ଭାଷାରେ ଗାଳି କରୁଛି। ଠିକ୍ ତା ପରେ ପରେ ଆଉ ଜଣେ ବାଇକ୍ ଚାଳକଙ୍କ ସମାନ ଗାଳି। ସେ ବି ଆକ୍ରମଣାତ୍ମକ ଶୈଳୀରେ। ମୁହଁର ଭାବ ଏତେ ଭୟଙ୍କର ଥିଲା ଯେ ଯଦି ପ୍ରତ୍ୟୁତ୍ତରରେ ଡ୍ରାଇଭର୍ ଜଣକ କିଛି କହିଥା'ନ୍ତେ ତାହେଲେ ସେଇଠି ଅଘଟଣ ଘଟିଥା'ନ୍ତା। ବିଶ୍ୱାସ ହେଉନଥିଲା ଯେ ମାତ୍ର ଅଧ ମିନିଟ କି ଏକ ମିନିଟ ବିଳମ୍ୱ ସହିବାର ଧୈର୍ଯ୍ୟ ଲୋକଙ୍କଠାରେ ନାହିଁ ବରଂ ଅଭଦ୍ର ପ୍ରତିକ୍ରିୟା ପ୍ରକାଶ କଲାବେଳେ ଲାଜ କି ଦ୍ୱିଧା ନଥିଲା। ମନ ଖରାପ ଲାଗିଲା। ଆଖିରେ ନାଚିଗଲା ଯୁବକ ଦୁଇଜଣଙ୍କ ଉତ୍ତ୍ୟକ୍ତ ମୁହଁ।
ମନେପଡିଲା ଚର୍ଚ୍ଚଗେଟ୍- ନାଲାସୋପାରା ଫାଷ୍ଟ୍ ଲୋକାଲ୍ ଟ୍ରେନ୍ ର ପ୍ରଥମ ଶ୍ରେଣୀ ବଗିରେ ଯାତ୍ରା କରୁଥିବା ଏକୋଇଶି ବର୍ଷିୟ ମୟଙ୍କ ଲୋହାରଙ୍କ କଥା। ସେ କି ଅନ୍ୟ କେହି କ'ଣ ଭାବିପାରିବେ କେତୋଟି ମୁହୂର୍ତ୍ତ ପୂର୍ବରୁ ଯେତେବେଳେ ସେ ଟ୍ରେନ୍ ରେ ଚଢିଥିବେ, ସେଇ ହେବ ତାଙ୍କ ଶେଷ ଯାତ୍ରା। ସେଇଠି ଘଟିବ ମୃତ୍ୟୁ। ବର୍ଷା ଛିଟକା ଟ୍ରେନ୍ ଭିତରକୁ ପଡୁଥିବାରୁ ଡୋର୍ ବନ୍ଦ କରିବା ପାଇଁ ପକ୍ଷ ପ୍ରତିପକ୍ଷ ଭିତରେ ସାମାନ୍ୟ ବଚସାରୁ ହଠାତ ଘଟିଲା ଏକ ଅଘଟଣ। ସଚିନ୍ ରମେଶ ସୁବର୍ଣା ନାମକ ତିରିଶ ବର୍ଷିୟ ଯୁବକ ତତକ୍ଷଣାତ୍ ଛୁରୀ ଭୁଷିଦେଲେ ମୟଙ୍କ'ଙ୍କ ପେଟକୁ। ଅବିଶ୍ୱସନୀୟ ନା ! ଏମିତି କ'ଣ ଘଟିପାରେ ସତରେ ! ଇୟେ ଏକ ବଡ ଘଟଣା କି ସେଭଳି ବଚସା ଆଦୌ ନୁହଁ ଯାହା ପାଇଁ ଜଣେ ଅନ୍ୟଜଣକୁ ମରଣାନ୍ତକ ଆକ୍ରମଣ କରିବ ଏବଂ ସେଥିରେ ମୃତ୍ୟୁ ଘଟିବ। ଏଠି କେହି କାହାକୁ ଜାଣନ୍ତି ନାହିଁ କି ଚିହ୍ନନ୍ତି ନାହିଁ। ଟ୍ରେନରେ ଚଢ଼ିବା ପୂର୍ବରୁ କେହି କାହାକୁ ଦେଖି ନଥିବେ। ପରସ୍ପର କେହି କାହାର ଶତ୍ରୁ ମଧ୍ୟ ନୁହଁନ୍ତି କିମ୍ବା ଅଭିଯୁକ୍ତ ଯୁବକ ଜଣେ ପେଶାଦାର ହତ୍ୟାକାରୀ ନୁହଁନ୍ତି। ତେବେ କାହିଁକି ଘଟିଲା ଏ ଅଘଟଣ ! କାହିଁକି ଟ୍ରେନ୍ ର ସେଇ ବଗିଟି ରକ୍ତ ରଞ୍ଜିତ ହେଲା ! କାହିଁକି ଅସମୟରେ ଲିଭିଗଲା ଜଣେ ଯୁବକର ଜୀବନଦୀପ !
ଏଇ କିଛି ଦିନ ତଳେ ଅନ୍ୟ ଏକ ସାହିତ୍ୟ ସଭା ଯାଇଥିଲି। ମୋ ସହ ଦୁଇଜଣ ବରିଷ୍ଠ ଲେଖକ ମଧ୍ୟ ଥିଲେ। କଥା ହେଉ ହେଉ କହିଲେ, ପ୍ରତୀକ୍ଷା ! ଲାଗୁନି ହଠାତ ଯେମିତି ଆମ ମଣିଷମାନଙ୍କ ଭିତରୁ ମଣିଷପଣିଆ ଓ ସେଇ ସମ୍ବେଦନଶୀଳ ଗୁଣଟି ମରି ମରି ଯାଉଛି ! ଏଇ କଥାଟି କହୁ କହୁ କିଛି ଦିନ ତଳେ କିପରି କିଟ୍ ସାମ୍ନାରେ ତାଙ୍କ ସହ ସମାନ ବ୍ୟବହାର ଦେଖେଇଥିଲେ ଜଣେ ଯୁବକ, ତା'ର ଉଦାହରଣ ଦେଲେ। ବଡ଼ ଆଶ୍ଚର୍ଯ୍ୟ ଭାବରେ ଆମର ସାମାଜିକ ଓ ମାନବିକ ଅଧୋପତନ ଘଟୁଛି। ମଣିଷ ଭିତରର କୋମଳତା, ଦୟା, କରୁଣା, କ୍ଷମା ଯେପରି ଡାଇନୋସର ଭଳି ସ୍ୱପ୍ନ ହେବାରେ ଲାଗିଛି। କେମିତି ଗୋଟେ ସମ୍ବେଦନହୀନ ପୃଥିବୀ ଆଡକୁ ଆମେ ସମସ୍ତେ ମୁହେଁଇଛେ। କ'ଣ ହେଇପାରେ ୟା'ର କାରଣ ?
କାହିଁକି ବର୍ତ୍ତମାନର ଯୁବସମାଜ ଏତେ ଉତକ୍ଷିପ୍ତ ! ଏତେ ହିଂସ୍ର ! ସବୁ ଜିନିଷ ଡିଜିଟାଲ୍ ହେବାରେ ଲାଗିଛି। ଆମେ ଗର୍ବରେ ଡିଜିଟାଲ୍ ଯୁଗର ମଣିଷ ବୋଲି ଅହଂକାରରେ ମତ୍ତ। ପିଲାଟିଏ କାନ୍ଦିଲେ ଆଉ ଜହ୍ନକୁ ଦେଖେଇ, ତାକୁ ମାମୁଁ କହି ମା' ମାନେ ତୁନି କରି ଦେଉନାହାନ୍ତି। ସ୍ମାର୍ଟ୍ ଫୋନ୍ ରେ ବିଭିନ୍ନ ଭିଡ଼ିଓ ଗେମ୍ ଏବଂ କାର୍ଟୁନ୍ ଯଥେଷ୍ଟ କୋମଳମତି ଶିଶୁଙ୍କୁ ବୋଧ ଦେବାକୁ। ଟେକ୍ନୋଲୋଜି ହେଉଛି ମଣିଷର ସବୁଠୁ ବଡ ଉଦ୍ଭାବନ। ସେଇ ପିଲମାନେ ଏଇ ଟେକ୍ନୋଲୋଜି ସହ ବଡ଼ ହେଲେ। ଟେକ୍ନୋଲୋଜିର ଭାଷା ବୁଝିଲେ। ହରର୍, କ୍ରାଇମ୍ , କମେଡି....ଯାହା ଚାହିଁଲେ ସବୁ ଆଙ୍ଗୁଠି ଟିପରେ ଉପଲବ୍ଧ। ପିଲାଏ ବୁଝିଲେନି ମା ଛାତିରେ ଧରି କୋଳେଇ କାଖେଇ, କେତେ ବାଗରେ ଖୁଏଇ ଦିଏ ଜହ୍ନ ଦେଖେଇ। ଫୋନ୍ ସ୍କ୍ରିନ୍ କୁ ଚାହିଁ ପାଟି ମେଲେଇ ଦେଲେ ଗଲା। ମା' ମାନେ ଖୁସ୍ ଓ ଛୁଆମାନେ ବି ଖୁସ୍। ଫଳରେ ଧୀରେ ଧୀରେ ଏଇ ଜେନ୍ ଜି ପିଲାମାନେ କେଉଁଠି ନା କେଉଁଠି ଇମୋସନ୍ ଠୁ ଦୂରେଇ ଯାଇନାହାନ୍ତି ତ ! ଯେଉଁ ସମ୍ବେଦନଶୀଳତା ବା ମାନବିକତାର ଦ୍ୱାହି ଦେଇ ଆଜି ଆମେ କେହି କେହି ଦୁଃଖରେ ମ୍ରିୟମାଣ ହେଉଛେ ସେଇ ସବୁ ଏଇ ପିଲାମାନଙ୍କ ଦେହରେ ଅମୃତ ଭଳି ସିଞ୍ଚିବା ଦାଇତ୍ୱ କ'ଣ ବାପା ମା'ଙ୍କର ନ ଥିଲା !
ଆଜିର ଏଇ ନିଷ୍ଠୁର ପିଢ଼ି ପାଇଁ ତାଙ୍କ ବାପା ମା' ଦାୟୀ ନୁହଁନ୍ତି ତ ! ସତ କହିବାକୁ ଗଲେ କେଉଁଠି ନା କେଉଁଠି ମଣିଷ ମେସିନ୍ ପାଲଟି ସାରିଛି। ତାର ମନ, ମସ୍ତିଷ୍କରେ ଭାବପ୍ରବଣତା ନାହିଁ, ଯାନ୍ତ୍ରିକ ପାଲଟି ସାରିଛି ଯେପରି। ସେଠୁ ପ୍ରେମ, କ୍ଷମା, କରୁଣା ଆସିବ କେଉଁଠି ? କେବଳ ଟେକ୍ନୋଲୋଜିର କଥା ନୁହେଁ, ମୁଁ କହିବି ସାମ୍ପ୍ରତିକ ସମୟର ଅନିଶ୍ଚିତ ଭବିଷ୍ୟତ, ପ୍ରତିଯୋଗିତା ମୂଳକ ଜୀବନର ଚାପ, ଅସଙ୍ଗତ ଜୀବନଶୈଳୀ ବା ଦିନଚର୍ଯାରେ ଅନିୟମିତତା ଏବଂ ଏକ ସ୍ୱାର୍ଥପର ସମୟ ହିଁ ବର୍ତ୍ତମାନର ପିଢ଼ିକୁ ପଥର ସଜେଇ ଦେଇଛି। ସେମାନେ ଧୈର୍ଯ୍ୟ କ'ଣ ଜାଣନ୍ତି ନାହିଁ। ମଣିଷ ମଣିଷକୁ ଭଲପାଏ କିପରି ଓ ଏ ଭଲପାଇବାରେ ଶୀତଳତା କେତେ, ତା ବି ଜାଣନ୍ତି ନାହିଁ। ତେବେ ସେଥିପାଇଁ ଆମେମାନେ ଦାୟୀ ନୁହଁନ୍ତି ତ ! ଭାବିବେ ଆପଣମାନେ।