ସାମ୍ରାଜ୍ୟବାଦର ନୂଆ ଶବ୍ଦକୋଷ

ସାମ୍ରାଜ୍ୟବାଦର ନୂଆ ଶବ୍ଦକୋଷ

କୌଣସି ଦେଶର ସେନା ଆସି ଭୂମି ଦଖଲ କଲେ ତାକୁ ଉପନିବେଶ କୁହାଯାଏ। କିନ୍ତୁ ଯଦି କୌଣସି କମ୍ପାନୀ ଆସି ଜମି, ଜଙ୍ଗଲ, ପାହାଡ଼, ନଦୀ ଓ ଭବିଷ୍ୟତକୁ ଦଖଲ କରେ, ତାକୁ ଆମେ କ'ଣ କହିବା?

ବିକାଶ?

ଉନ୍ନତି? 

ପ୍ରଶ୍ନଟି ସେହିଠିରେ ରହିଯାଏ— ଆମେ ସତରେ ବିକାଶର କାହାଣୀ ଲେଖୁଛୁ, ନା କି ଏକ ନୂଆ ସାମ୍ରାଜ୍ୟବାଦର ଶବ୍ଦକୋଷ? 

ଆଜିକାଲି ଉପନିବେଶବାଦ ବନ୍ଧୁକ ଧରି ଆସେ ନାହିଁ। ସେ ଏମ୍ଓୟୁ ଧରି ଆସେ। ଷ୍ଟକ ମାର୍କେଟର ଶେୟାର ଓ ବିଶ୍ଵବ୍ୟାଙ୍କର ନିର୍ଦ୍ଦେଶ ନେଇ ଆସେ। ମେକ ଇନ ଇଣ୍ଡିଆର ଆଲୋକରେ ଆସେ। ବିଜ୍ଞାପନ-ଖବର-କାଗଜର ପ୍ରଥମ ପୃଷ୍ଠାରେ ଆସେ। 
ନୂଆ ସାମ୍ରାଜ୍ୟବାଦ ନୂଆ ଶବ୍ଦ ବ୍ୟବହାର କରେ - ଏ ରେ ଏଗ୍ରିମେଣ୍ଟ, ବି ରେ ବିଲିଅନ ଡଲାର, ସି ରେ କ୍ୟାପିଟାଲ, ଡି ରେ ଡେଭେଲପମେଣ୍ଟ , ଇ ରେ ଏମ୍ପ୍ଲୋଏମେଣ୍ଟ.। 

ଓଡ଼ିଶାର ଯୁବକ ଚାକିରି ପାଇବେ। କିନ୍ତୁ ଚାକିରି ପତ୍ର (Appointment Letter) ଆସିବ ଅହମଦାବାଦରୁ, ମୁମ୍ବାଇରୁ ଅଥବା ବହୁରାଷ୍ଟ୍ରୀୟ କମ୍ପାନୀର କୌଣସି ଠିକା କମ୍ପାନୀ ମୁଖ୍ୟାଳୟରୁ “ନିଯୁକ୍ତି ଓ ତୁରନ୍ତ ନିଲମ୍ବନ“ ବା Hire and Fire“ ର ସର୍ତ୍ତରେ। ସେଥିରେ ନା ସମ୍ବିଧାନର ସୁରକ୍ଷା ରହିଥିବ ନା ଶ୍ରମକୋର୍ଟକୁ କେବେ ବି ଯିବାର ସୁଯୋଗ ଥିବ। 

ଏଠିର ପାହାଡ଼ କଟିବ। ଜଙ୍ଗଲ ଅଦୃଶ୍ୟ ହେବ। ନଦୀର ପାଣି ଦୂଷିତ ହେବ। ଭୂତଳ ଜଳ ଶୁଖିଯିବ। ଧୂଳି ଓ ଧୂଆଁ ରହିଯିବ ଓଡ଼ିଶାର ଜମିରେ ଓ ଆକାଶରେ। କିନ୍ତୁ ଲାଭ, ଡିଭିଡେଣ୍ଡ, ବାଲାନ୍ସ ସିଟ୍ ଓ ବୋର୍ଡ ଅଫ ଡ଼ିରେକ୍ଟର୍ଷ ରୁମର ନିଷ୍ପତ୍ତି ହେବ ଦୂର ସହରମାନଙ୍କରେ। 

ଯେଉଁ ଭୂମି ସମ୍ପଦ ସୃଷ୍ଟି କରେ, ସେ ଯଦି ନିଷ୍ପତ୍ତି ନେଇପାରେ ନାହିଁ; ଯେଉଁ ଲୋକ କ୍ଷତି ସହ୍ୟ କରନ୍ତି, ସେମାନଙ୍କ ମତକୁ ଶୁଣାଯାଏ ନାହିଁ  —ତେବେ ଏହା ବିକାଶ ନୁହେଁ। ଏହା କେବଳ ଶାସନର ଏକ ନୂଆ ବ୍ୟାକରଣ। ଉପନିବେଶର ନୂଆ ଭୂଗୋଳ। 

ଇତିହାସ କେବଳ ପୋଷାକ ବଦଳାଏ। କେବେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା, ଆଜି ସେ ମିଳିତ-କର୍ପୋରେଟ୍ ସାମ୍ରାଜ୍ୟ ।  
ସେହି ଇଷ୍ଟ ଇଣ୍ଡିଆ କମ୍ପାନୀ ଲାଗି କେବେ ମିରଜାଫର ଥିଲେ ଆଜି କର୍ପୋରେଟ୍ ସାମ୍ରାଜ୍ୟର ପଥ ସୁଗମ କରିବା ଲାଗି ଅଛନ୍ତି କ୍ଷମତାଲିପ୍ସୁ ରାଜନେତା। 
କେବେ ଲର୍ଡ କ୍ଲାଇଭ ଥିଲେ, ଆଜି ସେହି ସାମ୍ରାଜ୍ୟ ଲାଗି ଠିଆ ହୋଇଛି ନୂଆ କର୍ପୋରେଟ ଓ ନୂଆ ପ୍ରଶାସନର ମିଳିତ ଶକ୍ତି। 
ପ୍ରତ୍ୟେକ ଯୁଗ ନିଜର ଜେନେରାଲ ଡାୟାର ସୃଷ୍ଟି କରେ— ଧଳା ହେଉ କି ସବୁଜ ହେଉ କି ଗେରୁଆ - ଯିଏ ପ୍ରଶ୍ନକୁ ଶତ୍ରୁ, ଜିଜ୍ଞାସାକୁ ବିଦ୍ରୋହ ଏବଂ ପ୍ରତିବାଦକୁ ଅପରାଧ ବୋଲି ଭାବେ।

ସାମ୍ରାଜ୍ୟବାଦର ସବୁଠାରୁ ବଡ଼ ବିଜୟ ଭୂମି ଦଖଲ ନୁହେଁ; ଲୋକଙ୍କ ମନକୁ ଅକ୍ତିଆର କରିବା, ସମାଜକୁ ଗୋଟିଏ ବ୍ୟକ୍ତିରେ ଭାଙ୍ଗିଦେବା, ବିଜ୍ଞାନକୁ ଜାଳି ପାଉଁଶ କରିଦେବା, ସରକାରଙ୍କୁ ସମ୍ରାଟ ଭାବରେ ସଜାଇବା ଓ ସଂଗଠିତ ପ୍ରତିବାଦକୁ ବଳେ କୌଶଳେ ଲିଭାଇ ଦେବା।

ଆମେ ସାମ୍ରାଜ୍ୟବାଦ ବିରୋଧୀ ଶବ୍ଦକୋଷରେ ନୂଆ ନୂଆ ଶବ୍ଦ ଯୋଡୁଛୁ - ବି ରେ ବାଲଦା, ଡି ରେ ଢିଙ୍କିଆ  କେ ରେ କଣ୍ଟାମାଳ , ଏଲ ରେ ଲାଞ୍ଜିବେର୍ଣ୍ଣା, ଏନ ରେ ନିୟମଗିରି    ....