ବଜ୍ରବାହୁ ବ୍ରଜନାଥ ରଥ
ଓଡିଶାର ଯେଉଁ ସ୍ୱଳ୍ପ କେତେଜଣ ସୃଜନଶୀଳ କବିଙ୍କ ବ୍ୟକ୍ତିତ୍ୱ ଓ ସୃଷ୍ଟି କେବେହେଲେ କ୍ଷମତା, ଅର୍ଥବଳ, ବାହୁବଳ କିମ୍ବା ପ୍ରଲୋଭନ ନିକଟରେ ବଶ୍ୟତା ସ୍ୱୀକାର କରିନଥିଲା ସେମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ ଥିଲେ ଅନ୍ୟତମ । ୧୯୩୬ ମସିହା ଜାନୁୟାରୀ ୧୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ସୁନହଟ୍ ଠାରେ ଜନ୍ମଗ୍ରହଣ କରିଥିବା ବ୍ରଜବାବୁ ଛାତ୍ର ଅବସ୍ଥାରୁ ମାର୍କ୍ସବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ଦରିଦ୍ର, ନିଷ୍ପେସିତ ଓ ନିର୍ଯ୍ୟାତିତମାନଙ୍କ ସପକ୍ଷରେ ଲେଖନୀ ଚାଳନା କରି ଜଣେ ବିପ୍ଲବୀ କବି ଭାବରେ ନିଜକୁ ସୁପ୍ରତିଷ୍ଠିତ କରିପାରିଥିଲେ ।
ଦେଶର ସ୍ୱାଧୀନତାକୁ ସ୍ୱାଗତ ଜଣାଇ ୧୯୪୭ ମସିହାରେ ସେ ଲେଖିଥିବା କବିତାଟି ପ୍ରକାଶ ପାଇବା ପରଠାରୁ ସେ ଅନେକଗୁଡିଏ ପ୍ରଗତିଶୀଳ, ବ୍ୟଙ୍ଗାତ୍ମକ ଓ ଜୀବନ ଦର୍ଶନ ଭିତ୍ତିକ କାବ୍ୟ କବିତା ରଚନା କରିଥିଲେ । ବାଲେଶ୍ୱର ସହରର ‘ବିଶ୍ୱ ଶ୍ରୀ ପ୍ରେସ୍’ ଥିଲା ତାଙ୍କର ମୁଖ୍ୟ କାର୍ଯ୍ୟସ୍ଥଳୀ । ଯେଉଁଠାରେ କି ସେ ସାହିତ୍ୟ ସାଧନାରେ ଅନେକ ସମୟ କଟାଇବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲେଖକ ଲେଖିକାମାନଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥ୍ାପନ କରୁଥିଲେ ଏବଂ ଯୁବପିଢ଼ୀର ଲେଖକଲେଖିକାମାନଙ୍କୁ ଅକୁଣ୍ଠ ଚିତ୍ତରେ ଉତ୍ସାହିତ କରୁଥିଲେ ।
ଯଦିଓ ମୁଁ ବିଭିନ୍ନ ପତ୍ରପତ୍ରିକାରେ ବ୍ରଜବାବୁଙ୍କର ଅନେକଗୁଡିଏ ପ୍ରଗତିଶୀଳ କବିତା ପଢ଼ି ବିଶେଷ ଭାବରେ ପ୍ରଭାବିତ ହୋଇଥିଲି, ୧୯୬୧ ମସିହାରେ କଟକର ରେଭେନ୍ସା କଲେଜ୍ରେ ସ୍ନାତ୍ତକ ଶ୍ରେଣୀରେ ନାମ ଲେଖାଇବା ପରେ ତାଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା ପିଠାପୁର ସ୍ଥିତ ଡଗର ପ୍ରେସ୍ରେ । ହାସ୍ୟ ଓ ବ୍ୟଙ୍ଗ ଲେଖକ ଶ୍ରୀ ଫତୁରାନନ୍ଦ ସେତେବେଳେ ଏହି ପ୍ରେସ୍ରେ ଅଧିକାଂଶ ସମୟ କଟାଉଥିବାରୁ ଏହା କବି, ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନଙ୍କ ଏକ ମୁଖ୍ୟ ଆଡ୍ଡାରେ ପରିଣତ ହୋଇଥିଲା । ବ୍ରଜବାବୁ ଯେତେବେଳେ ବାଲେଶ୍ୱରରୁ କଟକ ଆସୁଥିଲେ ସେତେବେଳେ ସେହିଠାରେ ହିଁ ସେ କିଛି ସମୟ କଟାଉଥିଲେ । ବାଲେଶ୍ୱର ଜିଲ୍ଲାର ଅନ୍ୟତମ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ, ଚନ୍ଦ୍ର ମହାନ୍ତି ପ୍ରମୁଖ ମଧ୍ୟ ଡଗର ପ୍ରେସ୍କୁ ସୁବିଧା ସୁଯୋଗ ପାଇଲେ ଆସୁଥିଲେ ।
ମୋର ବାପା ରଘୁନାଥ ପଟ୍ଟନାୟକ ଓଡିଶାର କମ୍ୟୁନିଷ୍ଟ ଆନ୍ଦୋଳନ ସହ ଘନିଷ୍ଠ ଭାବରେ ଜଡିତ ଥିବାରୁ କବି ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ, ମନମୋହନ ମିଶ୍ର ପ୍ରମୁଖ ପିଲାଟି ଦିନରୁ ମୋତେ ଯଥେଷ୍ଟ ସ୍ନେହ କରୁଥିଲେ । ସେହି ଦୃଷ୍ଟିରୁ ଡଗର ପ୍ରେସ୍କୁ ଆସୁଥିବା ଅଧିକାଂଶ କବି ଓ ସାହିତ୍ୟିକମାନେ ମଧ୍ୟ ଶ୍ରଦ୍ଧା କରୁଥିଲେ ।
ବ୍ରଜବାବୁ ଥିଲେ ଅତ୍ୟନ୍ତ ନିଷ୍ଠାପର ଓ ଆଦର୍ଶବାଦୀ । ଗରିବ ଓ ଖଟିଖିଆମାନଙ୍କ ପାଇଁ ତାଙ୍କ ମନରେ ଥିଲା ଅପର୍ଯ୍ୟାପ୍ତ ସମବେଦନା । ତାଙ୍କର ସମସାମୟିକ ବହୁ ବାମପନ୍ଥୀ କବି ପରବର୍ତ୍ତୀ କାଳରେ ନିଜର ସ୍ୱାର୍ଥ ପାଇଁ ଆଦର୍ଶକୁ ବଳି ଦେଇଥିଲେ ମଧ୍ୟ ବ୍ରଜବାବୁ କେବେହେଲେ ସାମାନ୍ୟତମ ବିଚଳିତ ବା ବିଚ୍ୟୁତ ହୋଇନଥିଲେ ।
ବ୍ରଜବାବୁ ରଚନା କରିଥିବା କାବ୍ୟ କବିତାଗୁଡିକ ମଧ୍ୟରୁ ମରୁଗୋଲାପ (୧୯୬୦), ନିଜସ୍ୱ ସଂଳାପ (୧୯୬୯), ନିଶବ୍ଦ ପ୍ରତିବାଦ (୧୯୭୭), ସଭ୍ୟତାର ମୁହଁ (୧୯୭୯), ମନର ମଣିଷ (୧୯୮୪), ହେ ମହାଜୀବନ (୧୯୯୧), ଲଘୁ ଶତକ (୧୯୯୩), ହେ ମୋର ସ୍ୱଦେଶ (୧୯୯୭), ଗଡି ଗଡି ଗୋଲାବଲ୍ (୨୦୦୧), ସ୍ୱ ନିର୍ବାଚିତ କବିତା (୨୦୦୧), ସମୟର ଶବ୍ଦ ଲିପି (୨୦୦୭), ସମୟ ଅସମୟ (୨୦୦୭), ଏକା ଏକା ଏକପଦୀ (୨୦୦୯) ।
ଏହି ପୁସ୍ତକଗୁଡିକ ଓଡିଆ ସାହିତ୍ୟ ଭଣ୍ଡାରକୁ ଯଥେଷ୍ଟ ସମୃଦ୍ଧ କରିଛି ଏବଂ ଏହାର ପ୍ରକୃତ ମୂଲ୍ୟାୟନ ଯେ ଭବିଷ୍ୟତରେ ହେବ ଏଥିରେ ସନ୍ଦେହ ନାହିଁ ।
ବ୍ରଜବାବୁଙ୍କ ସାହିତ୍ୟିକ କୃତୀକୁ ସ୍ୱୀକୃତି ଦେଇ ୧୯୭୪ ମସିହାରେ ପ୍ରଜାତନ୍ତ୍ରର ରଜତ ଜୟନ୍ତୀ ଉତ୍ସବରେ କବିତା ସମ୍ମାନ ୧୯୮୪ ମସିହାରେ ତାଙ୍କ ରଚିତ ମନର ମାନଚିତ୍ର ପାଇଁ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, ୧୯୯୫ ମସିହାରେ କବିଶେଖର ଚିନ୍ତାମଣି ସମ୍ମାନ, ୧୯୯୬ ମସିହାରେ ଜଷ୍ଟିସ୍ ହରିହର ମହାପାତ୍ର ସ୍ମାରକ ସମ୍ମାନ, ୧୯୯୭ରେ ବିଷୁଭ ସମ୍ମାନ, ୧୯୯୯ରେ ଗୋକର୍ଣ୍ଣୀକା ସମ୍ମାନ, ୨୦୦୨ରେ ପୂର୍ଣ୍ଣନବ ଅନାଦି ଅନନ୍ତ କବିତା ସମ୍ମାନ, ୨୦୦୯ରେ ପ୍ରଥମ ଶୂଦ୍ରମୁନି ସମ୍ମାନ ଏବଂ ୨୦୧୦ରେ ପ୍ରଥମ ଟାଗୋର୍ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ଦକ୍ଷିଣ କୋରିଆର ଗ୍ଲୋବାଲ୍ କୋଅପ୍ରେସନ୍ ସୋସାଇଟି ଇଣ୍ଟର୍ନ୍ୟାସ୍ନାଲ୍, ସିଓଲ୍ ତରଫରୁ ବିଶ୍ୱ ସମୂଦାୟର ସହଯୋଗ ଓ ସେବା ପାଇଁ ମଧ୍ୟ ସେ ସମ୍ମାନିତ ହୋଇଥିଲେ ।
ଓଡିଶାର ଜନସାଧାରଣ ତଥା ସାହିତ୍ୟିକମାନଙ୍କ ପାଇଁ ବ୍ରଜବାବୁଙ୍କର ସବୁଠାରୁ ଶ୍ରେଷ୍ଠ ଅବଦାନ ହେଲା ତାଙ୍କର ବ୍ୟକ୍ତିଗତ ପାଠାଗାର ଏବଂ ସଂଗ୍ରହାଳୟ । ବାଲେଶ୍ୱରର ସୁନହଟ୍ ଠାରେ କୌଣସି ସରକାରୀ ବା ବେସରକାରୀ ସଂସ୍ଥାର ବିନା ସହାୟତାରେ ବ୍ରଜବାବୁ ପ୍ରତିଷ୍ଠା କରିଥିଲେ ଏକ ଅମୂଲ୍ୟ ପାଠାଗାର ଓ ସଂଗ୍ରହାଳୟ । ଯେଉଁଥିରେ କି ଓଡିଆ ଭାଷାର ବହୁ ଦୂର୍ଲଭ ପତ୍ରପତ୍ରିକା ଓ ପୁସ୍ତକମାନ ସଂରକ୍ଷିତ ହୋଇ ରହିଛି । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ବମ୍ବେରୁ ପ୍ରକାଶିତ ହେଉଥିବା ହାତଲେଖା ପତ୍ରିକା ‘କୁଙ୍କୁମ’ ସମେତ ଓଡିଶାର ସମସ୍ତ ସାହିତ୍ୟ ଓ ସମ୍ବାଦପତ୍ରିକା ସେ ସଂଗ୍ରହ କରି ଯତ୍ନର ସହ ସାଇତି ରଖିଥିଲେ ଏବଂ ଲେଖକ ଓ ଗବେଷକମାନଙ୍କୁ ଆବଶ୍ୟକ ସମୟରେ ସହଯୋଗ ଓ ସାହାଯ୍ୟ କରୁଥିଲେ ।
ଓଡିଆ ସାହିତ୍ୟ, ସଂସ୍କୃତି, ରାଜନୀତି, ସମାଜ ପ୍ରଭୃତି କ୍ଷେତ୍ରରେ ବ୍ରଜବାବୁଙ୍କ ଅବଦାନ ଭବିଷ୍ୟତରେ ଉଚିତ୍ ମୂଲ୍ୟାୟନ କରିବ କି ନାହିଁ ମୁଁ ଜାଣେନା କିନ୍ତୁ ଜଣେ ସାମ୍ବାଦିକ ଓ ଲେଖକ ଭାବରେ ବ୍ରଜବାବୁଙ୍କ ଠାରୁ ଯେଉଁ ସ୍ନେହ, ଶ୍ରଦ୍ଧା ଓ ଉପକାର ପାଇଛି ତାହା ଏଠାରେ ଉଲ୍ଲେଖ ନକଲେ ତାଙ୍କ ପ୍ରତି ଘୋର୍ ଅବମାନନା ଓ ଅବିଚାର କରିବି ବୋଲି ମନେ କରି ଏଠାରେ ତାହା ଉଲ୍ଲେଖ କରୁଛି ।
୧୯୭୫ ମସିହା ଠାରୁ ‘ଆସନ୍ତା କାଲି’ରେ ନିୟମିତ ପ୍ରକାଶ ପାଉଥିବା ମୋର ଫିଚର୍ଗୁଡିକ ଏକତ୍ର କରି ଗୋଟିଏ ସଙ୍କଳନ ପ୍ରକାଶ କରିବା ପାଇଁ ବହୁ ସୁହୃଦୟ ବନ୍ଧୁ ଓ ପାଠକମାନଙ୍କ ଅନୁରୋଧ ସତ୍ତ୍ୱେ ପୁରୁଣା ‘ଆସନ୍ତାକାଲି’ଗୁଡିକ ସଂଗ୍ରହ କରିବା ପାଇଁ ଏହାର ତତ୍କାଳୀନ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ ପଣ୍ଡାଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ଏହି ସଙ୍କଳନ ପ୍ରକାଶ ଲାଗି ସର୍ବଦା ମୋ ଉପରେ ଚାପ ପ୍ରୟୋଗ କରୁଥିବା କବି ଓ ସାମ୍ବାଦିକ ବନ୍ଧୁ ଶ୍ରୀ କେଦାର ମିଶ୍ର ମୋତେ ଖବର ଦେଇଥିଲେ ଯେ ବ୍ରଜବାବୁଙ୍କ ବ୍ୟକ୍ତିଗତ ପାଠାଗାର ଓ ସଂଗ୍ରହାଳୟରେ ବହୁ ପୁରୁଣା ପତ୍ରପତ୍ରିକା ସହ ‘ଆସନ୍ତାକାଲି’ର ପ୍ରତିଟି ସଂଖ୍ୟା ଯତ୍ନ ସହକାରେ ଗଚ୍ଛିତ ରହିଛି ଏବଂ ବ୍ରଜବାବୁଙ୍କ ସହ ଯୋଗାଯୋଗ କଲେ ତାହା ମିଳିବା ନିଶ୍ଚିତ ହୋଇପାରିବ ।
ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ବ୍ରଜବାବୁଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲି । ସେ ଅସୁସ୍ଥ ଥିବା ସତ୍ତ୍ୱେ ମୋ ପ୍ରସ୍ତାବକୁ ଆନ୍ତରିକତା ସହିତ ସ୍ୱାଗତ କରିଥିଲେ ଏବଂ ମୋତେ ଏ ଦିଗରେ ସହଯୋଗ କରିବା ପାଇଁ ଗୋଟିଏ ସର୍ତ୍ତ ରଖିଥିଲେ । ସର୍ତ୍ତଟି ଥିଲା କେଦାର ଓ ମୁଁ ପ୍ରଥମେ ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବୁ ଏବଂ ତାଙ୍କ ଧର୍ମପତ୍ନୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇସାରିବା ପରେ ସେ ଆମକୁ ସବୁପ୍ରକାର ସହଯୋଗ କରିବେ । ବ୍ରଜବାବୁଙ୍କ ଏହି ସର୍ତ୍ତ ଥିଲା ମୋ ପାଇଁ ସବୁଠାରୁ ବଡ ସୌଭାଗ୍ୟ । ତେଣୁ ମୁଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲି ଏବଂ ୨୦୧୩ ମସିହା ମାର୍ଚ୍ଚ ମାସ ୧୬ ତାରିଖ ଦିନ କେଦାର ଓ ମୁଁ ଭୁବନେଶ୍ୱରରୁ ଯାଇ ତାଙ୍କ ଘରେ ପହଞ୍ଚିଥିଲୁ । ଆମ ଦୁହିଁଙ୍କୁ ସେ ଆନନ୍ଦରେ କୁଣ୍ଡାଇ ପକାଇଥିଲେ ଏବଂ ସଙ୍ଗେ ସଙ୍ଗେ ଖାଇବା ଲାଗି ନିମନ୍ତ୍ରଣ କରିଥିଲେ । ବ୍ରଜବାବୁଙ୍କ ଆନ୍ତରିକ ଓ ଅନାବିଳ ସ୍ନେହର ପ୍ରମାଣ ବହୁବାର ପୂର୍ବରୁ ପାଇଥିଲି । କିନ୍ତୁ ସେ ଦିନ ଥିଲା ମୋ ପାଇଁ ସମ୍ପୂର୍ଣ୍ଣ ପୃଥକ ଓ ଏକାନ୍ତ ହୃଦୟସ୍ପର୍ଶୀ । ଅସୁସ୍ଥତା ଯୋଗୁଁ ବମ୍ବେ ଓ ଭୁବନେଶ୍ୱର ଠାରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିବା ବ୍ରଜବାବୁ ଶରୀରରେ ଦୁର୍ବଳ ହୋଇପଡିଥିଲେ ମଧ୍ୟ ତାଙ୍କ ମନୋବଳ ଥିଲା ପୂର୍ବଭଳି ସମ୍ପୂର୍ଣ୍ଣ ଅତୁଟ । ସେ ପତ୍ନୀ ପୁଷ୍ପଲତା ଦେବୀଙ୍କୁ ଡାକି ଆମ ସହ ପରିଚିତ କରାଇ ଦେବା ସହ ଖାଇବା ପାଇଁ ବ୍ୟବସ୍ଥା କରିବା ଲାଗି କହିଥିଲେ ।
ସ୍ୱାମୀଙ୍କ ନିର୍ଦ୍ଦେଶରେ ପୁଷ୍ପଲତା ଦେବୀ ତୁରନ୍ତ ଆମ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ । ଗୋଟିଏ ଟେବୁଲ୍ରେ ବ୍ରଜବାବୁ, ମୁଁ ଓ କେଦାର ଖାଇବାକୁ ବସିଥିଲୁ । ପୁଷ୍ପଲତା ଦେବୀ ନିଜ ହାତରେ ଆମକୁ ଖାଦ୍ୟ ପରିବେଷଣ କରିଥିଲେ । ମୁଁ ବ୍ରଜବାବୁଙ୍କୁ ଓ ପୁଷ୍ପଲତାଦେବୀଙ୍କୁ ନିରୀକ୍ଷଣ କରୁଥିଲି । ବ୍ରଜବାବୁଙ୍କ ମୁହଁରେ ଥିଲା ପରମତୃପ୍ତିର ହସ । ପୁଷ୍ପଲତା ଦେବୀ ବୟସର ଅପରାହ୍ନରେ ମଧ୍ୟ ଥିଲେ ଅତ୍ୟନ୍ତ ସୁନ୍ଦରୀ । ତାଙ୍କର ହାତର ଲାଲ୍ ରଙ୍ଗର ଚୁଡି ଏବଂ କପାଳରେ ଦାଉ ଦାଉ ହୋଇ ଜଳୁଥିବା ସିନ୍ଦୁର ଟୋପାଟି ଦେଖି ମୁଁ ଆଖିବନ୍ଦ କରି ଭଗବାନଙ୍କୁ ପ୍ରାର୍ଥନା କରିଥିଲି ବ୍ରଜବାବୁ ଯେ କୌଣସି ମତେ ଶୀଘ୍ର ଆରୋଗ୍ୟ ହୋଇଯାନ୍ତୁ ଏବଂ ପୁଷ୍ପଲତା ସୌଭାଗ୍ୟବତୀ ହୋଇ ତାଙ୍କ ସୁଖଦୁଃଖରେ ଭାଗୀଦାର ହୋଇ ରହିଥାନ୍ତୁ ।
ଖାଇସାରିବା ପରେ ପୁରୁଣା ଆସନ୍ତାକାଲି ଓ ଆଉ କେତେକ ଦରକାରି ପତ୍ରପତ୍ରିକା ସାଙ୍ଗରେ ନେଇ କେଦାର ଓ ମୁଁ ନିକଟବର୍ତ୍ତୀ ଏକ ଜେରକ୍ସ ଦୋକାନରେ ଜେରକ୍ସ କରାଇ ଫେରିଥିଲୁ । ସେତେବେଳେ ବ୍ରଜବାବୁଙ୍କ ପ୍ରତି କୃତଜ୍ଞତାରେ ମୋର ମୁଣ୍ଡ ଆପେ ଆପେ ନଇଁଯାଉଥାଏ । ତାଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ପୁଷ୍ପଲତା ଦେବୀ ମଧ୍ୟ ଆମକୁ ହସି ହସି ବିଦାୟ ଜଣାଇଥିଲେ । ବ୍ରଜବାବୁ କହିଥିଲେ ଯେ ମୋ ଫିଚର୍ ସଂଗ୍ରହ ‘ମରୁତୀର୍ଥର ଜଳ’ ପ୍ରକାଶନ ଅବସରରେ ଯୋଗ ଦେବା ହୁଏତ ତାଙ୍କ ପକ୍ଷରେ ସମ୍ଭବ ହୋଇନପାରେ ମାତ୍ର ଏହା ପ୍ରକାଶିତ ହେଲେ ସେ ନିଶ୍ଚିତ ଭାବରେ ଅଧିକ ଖୁସି ହେବେ ।
‘ମରୁତୀର୍ଥର ଜଳ’ ୨୦୧୩ ମସିହା ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବା ପରେ ମୁଁ ବାଲେଶ୍ୱର ଯାଇ ବ୍ୟକ୍ତିଗତ ଭାବରେ ତାଙ୍କୁ ବହିଟି ଦେଇ ଆସିବା ପାଇଁ ଫୋନ୍ କରିଥିଲି । ସେ କହିଥିଲେ ସେ ଅତିମାତ୍ରାରେ ଅସୁସ୍ଥ । ତେଣୁ ବହିଟି ଡାକ ଯୋଗେ ପଠାଇ ଦେଲେ ସେ ଅତ୍ୟନ୍ତ ସେଇଟି ଦେଖି ଆନନ୍ଦିତ ହୋଇପାରିବେ । ତାଙ୍କରି ନିର୍ଦ୍ଦେଶ ମୁତାବକ ମୁଁ ବହିଟିର ଦୁଇ ଖଣ୍ଡି ନକଲ ତାଙ୍କ ଠିକଣାରେ ପଠାଇ ଦେଇଥିଲି ଏବଂ ସେ ପାଇବା ପରେ ତାଙ୍କର ଖୁସି ବ୍ୟକ୍ତ କରି ମୋତେ ଫୋନ୍ରେ ଶୁଭେଚ୍ଛା ଜଣାଇଥିଲେ ।
ବ୍ରଜବାବୁ ଥିଲେ ମୋ ପାଇଁ ଜଣେ ମାଟିର ମଣିଷ । ଯାହାଙ୍କ ମନରେ ଭରି ରହିଥିଲା ଅସରନ୍ତି ସ୍ନେହ ଓ ଶ୍ରଦ୍ଧା । ଦୁଃଖ, ଦୈନ୍ୟ ଓ ନିର୍ଯ୍ୟାତନାରୁ ମଣିଷମାନଙ୍କୁ ମୁକ୍ତି ଦେବା ପାଇଁ ତାଙ୍କ ମନରେ ଥିଲା ପ୍ରଚଣ୍ଡ ବ୍ୟାକୁଳତା ।
ବ୍ରଜବାବୁଙ୍କ ଜୀବଦ୍ଦଶାରେ ତାଙ୍କ ପାଠାଗାର ଓ ସଂଗ୍ରହାଳୟର ସଦୂପଯୋଗ ପାଇଁ ସେଠାରେ କମ୍ପୁଟର୍, ସ୍କାନର୍ ଓ ଜେରକ୍ସ ମେସିନ୍ ଲଗାଯାଇ ଗବେଷକମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରଚଣ୍ଡ ଇଛା ଥିଲେ ବି ଆବଶ୍ୟକୀୟ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ତାହା କରିପାରିନଥିଲେ । ତାଙ୍କର ଦେହାନ୍ତ ପରେ ସେ ଛାଡି ଯାଇଥିବା ଅମୂଲ୍ୟ ସମ୍ପଦର ରକ୍ଷଣାବେକ୍ଷଣ ଦାୟିତ୍ୱ କିଏ ସେ ସୁଚାରୁରୂପେ ତୁଲାଇ ତାଙ୍କ ସ୍ୱପ୍ନକୁ ସଫଳ କରିପାରିବେ ସେ ବିଷୟରେ ପ୍ରତ୍ୟେକ ଓଡିଆ ଚିନ୍ତା କରି ଗଠନମୂଳକ ନିଶ୍ଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବ୍ରଜବାବୁଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିଟି ଅନୁଷ୍ଠାନକୁ ବଞ୍ଚାଇ ରଖିବା ପ୍ରତ୍ୟେକ ଓଡିଶାବାସୀର କର୍ତ୍ତବ୍ୟ ହେବା ଉଚିତ୍ ।