ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା
ଏଇ ଗତ ସପ୍ତାହର କଥା, ଗୋଟିଏ କାମରେ କଟକ ବାହାରି ଥାଉ। ନନ୍ଦନକାନନ ପାର କରି ଠିକ୍ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମାନେ ବଟାନିକାଲ୍ ଗାର୍ଡେନ୍ ପାଖ ହେଲା ବେଳକୁ ଡିଭାଇଡର ଉପରେ ଓଡିଶା ସରକାରଙ୍କ ନିର୍ମାଣ ବିଭାଗ ଦ୍ବାରା ଲଗାଯାଇଥିବା ଗୋଟିଏ ବିଶାଳ ବୋର୍ଡ ଉପରେ ନଜର ପଡିଲା। ବୋର୍ଡରେ ଲେଖାଯାଇଥିବା ବାକ୍ୟଟି ଭାରି ମନକୁ ପାଇଲା। ଗାଡି ଅଟକେଇ ଫଟୋଟେ ନେଲି। ଅନେକ ଥର ସେଇ ରାସ୍ତାରେ ଯିବା ଆସିବା ସତ୍ତ୍ୱେ କେବେ ବୋଧେ ଧ୍ୟାନ ଯାଇ ନଥିଲା ସେଇ ବୋର୍ଡ ଉପରକୁ କିମ୍ବା ଦେଖି ଭୁଲି ଯାଇଥିଲି। ଆପଣମାନେ ବି ନିହାତି ପଢିଥିବେ ସେ ବୋର୍ଡରେ ଲେଖା ଯାଇଥିବା ବାକ୍ୟଟିକୁ……ଜଙ୍ଗଲ ବଞ୍ଚିଲେ, ଆମେ ବଞ୍ଚିବା। ଆଃ! କେଡେ ତୃପ୍ତିକର ବାକ୍ୟଟେ। ଓ୍ବାନ୍ ଲାଇନରଟି ଭାବିଥିବା ବ୍ୟକ୍ତିଙ୍କୁ ସତରେ ହୃଦୟରୁ ସାଧୁବାଦ ଏବଂ ଶୁଭେଚ୍ଛା। ହେଲେ ଯିଏ ବୋର୍ଡଟି ସେଠି ଲଗାଇଛନ୍ତି ସେ ସରକାର, ତାଙ୍କ ମନ୍ତ୍ରଣାଳୟ ଏବଂ ତାଙ୍କ ଅଧିନସ୍ଥ ବିଭାଗ, ଅଧିକାରୀ, କର୍ମଚାରୀ ଆଉ ସବୁପରେ ଆମେ ସେଇ ଧାଡ଼ିଟିକୁ ସତରେ ବୁଝିଚେ ତ?
ଆମ ଦେଶର ସମୁଦାୟ ଆୟତନର ୨୪.୬୨% ବା ୮୦.୯ ମିଲିୟନ ହେକ୍ଟେୟର ଭାଗ ଜଙ୍ଗଲ ଭୂମି ଅଟେ। ଯଦି ଆମେ ସବୁଠାରୁ ଅଧିକ ଜଙ୍ଗଲ ଥିବା ରାଜ୍ୟ କଥା କହିବା ତାହେଲେ ମଧ୍ୟପ୍ରଦେଶ, ଅରୁଆଚଳପ୍ରଦେଶ ଏବଂ ଛତିଶଗଡ଼ ପରେ ଆମ ଓଡିଶା ଚତୁର୍ଥ ସ୍ଥାନରେ ଅଛି। ଓଡିଶା ସରକାରଙ୍କ ରେକର୍ଡ ଅନୁସାରେ ଓଡ଼ିଶାର ୧୫୫,୭୦୭ ବର୍ଗ କିଲୋମିଟରର ସମୁଦାୟ ଆୟତନର ୪୦% ବା ୫୨,୪୭୨ ବର୍ଗ କିଲୋମିଟର ଜଙ୍ଗଲ ଦ୍ବାରା ଆଚ୍ଛାଦିତ ବା ଜଙ୍ଗଲ ଭୂମି। କିନ୍ତୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (FSI) ଅନୁସାରେ ଓଡିଶାର ସମୁଦାୟ ଜଙ୍ଗଲ ଭୂମି ରାଜ୍ୟର ସମୁଦାୟ ଆୟତନର ୩୩%। ଆମ ଜଙ୍ଗଲ ଗୁଡିକରେ ସମୁଦାୟ ୩୦୦୦ ପ୍ରକାରର ଗଛ, ୧୨୦ ପ୍ରକାର ଅର୍କିଡ୍ (ଚିତ୍ରା) ଏବଂ ୬୩ ପ୍ରକାରର ମ୍ୟା°ଗୃଭ୍ (ଭାରତର ଦ୍ୱିତୀୟ ବୃହତ୍ତମ ମ୍ୟା°ଗୃଭ୍ ଇକୋସିଷ୍ଟମର ଘର ହେଉଛି ଆମ ଓଡ଼ିଶା) ରହିଛି। ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକ ମଧ୍ୟରୁ କନ୍ଧମାଳ ୬୫% ସହ ସର୍ବାଧିକ ଜଙ୍ଗଲ ଆଚ୍ଛାଦିତ ଜିଲ୍ଲା ହୋଇଥିବା ବେଳେ ଭଦ୍ରକ ୧.୩୪% ସହ ସର୍ବନିମ୍ନ ଜଙ୍ଗଲ ଆଚ୍ଛାଦିତ ଜିଲ୍ଲା (ଜିଲ୍ଲାର ସମୁଦାୟ ଆୟତନର)। ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ୨ଟି ଜାତୀୟ ଉଦ୍ୟାନ ସହ ଓଡ଼ିଶା ସରକାର ସମସ୍ତ ଜଙ୍ଗଲ ଭୂମିର ୧୦.୩୭% ଏବଂ ରାଜ୍ୟର ସମୁଦାୟ ଆୟତନର ୫.୧୯% ସ°ରକ୍ଷିତ ଜଙ୍ଗଲ ଭାବରେ ଘୋଷିତ କରିଛନ୍ତି (ଅଭ୍ୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ ଉପରେ ଆଲୋଚନା ଆଉ ଥରକୁ)। FSI ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୭-୨୦୧୯ ମଧ୍ୟରେ ସମୁଦାୟ ଜଙ୍ଗଲ ଆୟତନରେ ୨୪୭ ବର୍ଗ କିଲୋମିଟରର ବୃଦ୍ଧି ଘଟିଛି, ଯାହାକି ଓଡିଶା ପରି ପ୍ରାକୃତିକ ଦୁର୍ବିପାକ ବହୁଳ ରାଜ୍ୟ ପାଇଁ ନିହାତି ଖୁସିର ଖବର। କିନ୍ତୁ ନିକଟ ଅତିତରେ ବଲାଙ୍ଗୀରର ଜଙ୍ଗଲ କ୍ଷୟକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଆତଙ୍କିତ କଲାପରି! ରିପୋର୍ଟ ଅନୁସାରେ ଗତ ୫୦ ବର୍ଷରୁ କମ ସମୟ ମଧ୍ୟରେ ବଲାଙ୍ଗୀରର ଜଙ୍ଗଲର ଆୟତନ ଭୟଙ୍କର ଭାବରେ ହ୍ରାସ ପାଇଛି। ଯଦିଓ ଜିଲ୍ଲାର ଫରେଷ୍ଟ ଡିପାର୍ଟମେଣ୍ଟ ଅନୁସାରେ ଜିଲ୍ଲାର ମମୁଦାୟ ଆୟତନର ୨୩% ଜଙ୍ଗଲ ଭୂମି କିନ୍ତୁ ସ୍ୟାଟେଲାଇଟ୍ ଡାଟା ଅନୁଧ୍ୟାନରୁ ଏହା ୧୯୮୯ ମସିହା ବେଳକୁ ୧୨% ହୋଇଥିବା ବେଳେ ଏବେକୁ ଏହା ଏକଅଙ୍କ ବିଶିଷ୍ଟ ହେବାକୁ ବସିଲାଣି, ଯାହାକି ଭୟଙ୍କର ଜଙ୍ଗଲ କ୍ଷୟର ସୂଚନା ଦିଏ। ସ୍ଥାନୀୟ ଫରେଷ୍ଟ ଡିପାର୍ଟମେଣ୍ଟ, ପରିବେଷବିତ ତଥା ଆକ୍ଟିଭିଷ୍ଟଙ୍କ ମତରେ ଏହିସବୁ ଅଞ୍ଚଳରେ ଚୋରା କାଠ ଚାଲାଣ ହିଁ ଏପରି ଦୃତ ଜଙ୍ଗଲ କ୍ଷୟ ହେବାର ମୂଖ୍ୟ କାରଣ। ବଲାଙ୍ଗୀର ଏବଂ ନୂଆପଡା ଅଞ୍ଚଳରୁ କାଠ ମାଫିଆ ମାନେ ଟ୍ରେନ୍ ଦ୍ବାରା ମଧ୍ୟ ଚୋରା କାଠ ଚାଲାଣ କରୁଥିବା ସମୟରେ ଅନେକଥର ନଜରକୁ ଆସିଛି ।
ସେହିପରି କାଠ ମାଫିଆ ମାନେ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଜଙ୍ଗଲରୁ କାଠ କାଟି ଚାଲାଣ କରିଥାନ୍ତି। ଏହା ଯେ କେବଳ ଜଙ୍ଗଲ ହ୍ରାସ, ପରିବେଶ କିମ୍ବା ଜଳବାୟୁ ପରିବର୍ତ୍ତନ ପରି ଆମେ ହୃଦୟଙ୍ଗମ କରିପାରୁନଥିବା ସମସ୍ୟା ସୃଷ୍ଟି କରୁଛି ତା' ନୁହେଁ ବର° ସ୍ଥାନୀୟ ଆଦିବାସୀ ଯେଉଁମାନଙ୍କ ଜୀବିକା ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରେ, ତାହା ମଧ୍ୟ ପ୍ରଭାବିତ ହେଉଛି। ଯୁଗଯୁଗ ଧରି ସେଠିକାର ଆଦିବାସୀ ମାନେ ସ୍ଥାନୀୟ ଜଙ୍ଗଲୀ ଫଳ, କନ୍ଦା, ଗଜା-ପତ୍ର ତଥା ମଞ୍ଜି ସେମାନଙ୍କ ଖାଦ୍ୟର ମୂଖ୍ୟ ସ୍ରୋତ ହୋଇଥିବା ବେଳେ ମହୁଲ ଫୁଲ, କୁସୁମ, ତୁଳସୀ, ଔଷଧୀୟ ବୃକ୍ଷ, କେନ୍ଦୁପତ୍ର, କାଠ, ଫାଇବର ସେମାନଙ୍କ ଜୀବିକା ଏବଂ ଆମଦାନୀର ମଧ୍ୟ ସ୍ରୋତ। ଏବଂ ଲଗାତାର ଜଙ୍ଗଲ କ୍ଷୟ ଦ୍ବାରା ଏହି ପାକୃତିକ ଉପାଦାନ ଗୁଡିକ ନଷ୍ଟ ହେବାରେ ଲାଗିଛି ଏବଂ ସ୍ଥାନୀୟ ଲୋକ ରୋଜଗାର ପାଇଁ ପଳାୟନ କରୁଛନ୍ତି। କେବଳ ଯେ ଚୋରା କାଠ ଚାଲାଣ ପାଇଁ ବଲାଙ୍ଗୀର ଜଙ୍ଗଲ ଅବକ୍ଷୟର ଶୀକାର ହୋଇଛି ତା' ନୁହେଁ। ମଣିଷ ଏବଂ ସରକାରଙ୍କ ଅନିୟନ୍ତ୍ରିତ ଖଣି କାରବାର ପାଇଁ ଓଡ଼ିଶାର ଅନ୍ୟ ଅନେକ ଜିଲ୍ଲାର ଜଙ୍ଗଲ ସମ୍ପଦ ମଧ୍ୟ ଭୟଙ୍କର ଭାବରେ ନଷ୍ଟ ହୋଇଛି। ଅନିୟନ୍ତ୍ରିତ ଖଣି କାରବାର ପାଇଁ ନବରଙ୍ଗପୁର, ପୁରୀ, କେନ୍ଦ୍ରାପଡା ଏବଂ କଳାହାଣ୍ଡିର ୨୦% ରୁ ଅଧିକ ଜଙ୍ଗଲ କ୍ଷୟ ହୋଇଛି। ସେହିପରି କୋରାପୁଟ, ରାୟଗଡା, କେଉଁଝର, କନ୍ଧମାଳ, ଗଜପତି ଏବଂ ମାଲକାନଗିରିରେ ଏହି ଜଙ୍ଗଲ କ୍ଷୟର ମାତ୍ରା ୧୦ -୨୦% ରହିଛି। ବର୍ତ୍ତମାନ କନ୍ଧମାଳ, ରାୟଗଡା, କଳାହାଣ୍ଡି, ଗଜପତି, କୋରାପୁଟ, କେଉଁଝର, ମାଲକାନଗିରି, ଗଞ୍ଜାମ ଏବଂ ନବରଙ୍ଗପୁର ସବୁଠାରୁ ଦୃତ ଗତିରେ ନିଜର ଜଙ୍ଗଲ ହରାଉଥିବା ଜିଲ୍ଲା ମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ବାର୍ଷିକ ସର୍ବାଧିକ କନ୍ଧମାଳରେ ୨୪.୨୧ ବର୍ଗ କିଲୋମିଟର ଏବଂ ତାପରେ ରାୟଗଡାରେ ୧୩.୮୧ ବର୍ଗ କିଲୋମିଟରର ଜଙ୍ଗଲାବୃତ ଅଞ୍ଚଳ ହ୍ରାସ ପାଇବାରେ ଲାଗିଛି। ଓଡିଶା ସରକାରଙ୍କ ଦ୍ବାରା ୩୧ ମାର୍ଚ୍ଚ, ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ରାଜ୍ୟରେ ସମଦାୟ ୫୭,୪୧୦ ହେକ୍ଟେୟର ଜଙ୍ଗଲ ଜମିକୁ ବିଭିନ୍ନ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ବିନିଯୋଗ କରାଯାଇଛି ।
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ବିଭାଗ (ପୂର୍ବରୁ ଜଙ୍ଗଲ ଏବଂ ପରିବେଶ ବିଭାଗ) ଦ୍ଵାରା ମାର୍ଚ୍ଚ, ୨୦୨୧ରେ ପରିବେଶଣ କରା ଯାଇଥିବା ଏକ ରିପୋର୍ଟ ଅନୁସାରେ ୨୦୧୯-୨୦୨୦ ସୁଦ୍ଧା ଓଡ଼ିଶାରେ ଡାଇଭର୍ଟେଡ୍ ସମୁଦାୟ ଜଙ୍ଗଲ ଜମିରୁ ୨୮,୪୦୯ ହେକ୍ଟେୟର ୧୮୬ଟି ଖଣି-ଖାଦାନ ପ୍ରୋଜେକ୍ଟ ପାଇଁ; ୧୦,୬୫୨ ହେକ୍ଟେୟର ୮୪ଟି ଜଳସେଚନ ପ୍ରକଳ୍ପ ପାଇଁ; ୪,୪୦୫ ହେକ୍ଟେୟର ୨୯ଟି ଉଦ୍ୟୋଗୀକରଣ ପ୍ରୋଜେକ୍ଟ ପାଇଁ; ୪,୩୩୯ ହେକ୍ଟେୟର ୭୦ଟି ଟ୍ରନ୍ସମିସନ୍ ପ୍ରୋଜେକ୍ଟ; ୩,୮୬୫ ହେକ୍ଟେୟର ୪ଟି ସୁରକ୍ଷା ପ୍ରୋଜେକ୍ଟ ପାଇଁ; ୨,୪୩୩ ହେକ୍ଟେୟର ୨୦ଟି ରେଳ ପ୍ରୋଜେକ୍ଟ ପାଇଁ; ୧୦୧ ହେକ୍ଟେୟର ଜଙ୍ଗଲରେ ମିନେରାଲ୍ ଷ୍ଟଡି ପାଇଁ; ୮୪୬ ହେକ୍ଟେୟର ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ (ପବ୍ଲିକ ୟୁଟିଲିଟି) କାର୍ଯ୍ୟ ପାଇଁ ଜଙ୍ଗଲରୁ ଅଣ-ଜଙ୍ଗଲରେ ପରିଣତ କରା ଯାଇଛି। ମାର୍ଚ୍ଚ ୩୦, ୨୦୨୧ ବିଧାନସଭାରେ ରାଜ୍ୟର ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ଏକ ବିବୃତି ଅନୁସାରେ, "ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୦୧୦-୧୧ ଏବଂ ୨୦୨୦-୨୧ରେ ସଡକ ନିର୍ମାଣ ଏବଂ ଚଉଡା କରିବା ପାଇଁ ପାଖାପାଖି ୧୮,୫୦୦,୭୪୮ଟି ବୃକ୍ଷ କଟା ଯାଇଥିଲା। ଏବଂ ଏହି କ୍ଷତିକୁ ଭରଣା କରିବା ପାଇଁ ଅନ୍ୟୁନ୍ୟ ୨,୯୮୩,୫୭୩ ଟି ଚାରା ରୋପଣ କରାଯାଇଥିଲା।" କିନ୍ତୁ ପରିବେଶବିତ ଏବଂ ବିଶେଷଜ୍ଞଙ୍କ ମତରେ ଏହା କୌଣସିମତେ ହୋଇଥିବା କ୍ଷତିକୁ ଭରି ପାରିଲା ପରି ନୁହେଁ। ନିୟମ ଅନୁସାରେ ସରକାର କଟା ଯାଇଥିବା ଗଛର ସମୁଦାୟ ସ°ଖ୍ୟାର ଦୁଇ-ତିନି ଗୁଣ ଅଧିକ ଚାରା ରୋପଣ କରିବା ଆବଶ୍ୟକ ଥିଲା। ବିଶେଷଜ୍ଞଙ୍କ ମତରେ ଏହା ଯେ କେବଳ ରାଜ୍ୟର ପରିବେଶ କିମ୍ବା ପ୍ରଦୂଷଣ କିମ୍ବା ଜଳବାୟୁ ପରିବର୍ତ୍ତନ କିମ୍ବା କମ୍ ବର୍ଷା ପାଇଁ ଦାୟୀ ତା' ନୁହେଁ ବର° ଏହା ରାଜ୍ୟରେ ବନ୍ୟା, ବାତ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ଦୁର୍ବିପାକର ମାତ୍ରା ମଧ୍ୟ ବଢିବାରେ ଲାଗିଛି।
ଓଡ଼ିଶାର ଜଙ୍ଗଲ ଉପରେ ଏସବୁ ପଢିଲା ଏବଂ ଲେଖିଲା ବେଳକୁ ମୋର ଗତବର୍ଷ ମାଡାଗାସ୍କର୍ ଦ୍ବୀପ ଉପରେ ଦେଖିଥିବା ଗୋଟିଏ ଭିଡିଓ ବାରମ୍ବାର ମନେ ପଡୁଥିଲା।