ଚଉଥି ପାଶ ରାଜା, ଶିଶମହଲ ଓ ପ୍ରଧାନମନ୍ତ୍ରୀଙ୍କ ତିନି ବିଶ୍ଵସ୍ତ ଅଫିସର

ଚଉଥି ପାଶ ରାଜା, ଶିଶମହଲ ଓ ପ୍ରଧାନମନ୍ତ୍ରୀଙ୍କ ତିନି ବିଶ୍ଵସ୍ତ ଅଫିସର

କିଛି ଦିନ ପୂର୍ବେ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭାରେ ଏକ କାହାଣୀ କହିଥିଲେ। କାହାଣୀର ମୂଖ୍ୟ ଚରିତ୍ର ହେଉଛି ଚଉଥି ପାଶ୍ ରାଜା। ସେ ସବୁବେଳେ ଭ୍ରଷ୍ଟାଚାରୀ ଅଫିସରଙ୍କୁ  ନିଜର ପ୍ରତିଦ୍ବନ୍ଦିଙ୍କ ବିରୁଦ୍ଧରେ ବ୍ୟବହାର କରିଥାନ୍ତି ଏବଂ ସେହି ଅଫିସର ଓ ବଡ଼ କମ୍ପାନୀମାନଙ୍କ ସାହାଯ୍ୟରେ ଦେଶ ଓ ତାହାର ସମ୍ପଦ ବିକିଥାନ୍ତି । ବ୍ୟଙ୍ଗ ଓ ବିଦ୍ରୁପରେ ପରିପୂର୍ଣ୍ଣ ଏ କାହାଣୀଟି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା । 

ଏହିପରି ଦଶ ଦିନ ଚାଲିଲା । ଏହା ପରେ ଘଟଣାବଳୀରେ ପ୍ରବେଶ କଲେ ନାଭିକା କୁମାର। ଏ ମହିଳା ଜଣକ ହେଉଛନ୍ତି ଟାଇମ୍ସ ନାଓ ଟେଲିଭିଜନ ଚ୍ୟାନେଲର ମୂଖ୍ୟ ସମ୍ପାଦିକା ।‌ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଓ ଉଲ୍ଲେଖ ମାତ୍ରେ ତାଙ୍କ ମୁଖମଣ୍ଡଳରେ ସର୍ବଦା  ଏକ ସ୍ମିତହାସ୍ୟ ଖେଳି ଯାଏ । ତାଙ୍କ ପାରିବାରିକ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ଯୋଗ ଦିଅନ୍ତି ଏବଂ ନାଭିକା କୁମାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ତାଙ୍କର ପହୁଞ୍ଚକୁ ନେଇ ଗର୍ବ ଅନୁଭବ କରନ୍ତି ।‌ ଏହି ସମ୍ପର୍କ ହେତୁ ନାଭିକା କୁମାର ତାଙ୍କ ଚ୍ୟାନେଲରେ ମାରାଥନ ପ୍ରାଇମ୍ ଟାଇମ୍ ସୋ ଚଳାଇଲେ । ବିଷୟ ଥିଲା ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନ ।‌ ଏହାକୁ କୁହାଗଲା ଶିଶମହଲ । ତେବେ ଚାଲନ୍ତୁ ଆଗ ପ୍ରଧାନମନ୍ତ୍ରୀଙ୍କ ତିନି ବିଶ୍ବସ୍ତ ଅଫିସରଙ୍କ ବିଷୟକୁ । ଟାଇମ୍ସ ନାଓର ପ୍ରାଇମଟାଇମ୍ ଷ୍ଟୋରୀ ମଧ୍ୟକୁ ଏହି ତିନୋଟି ଚରିତ୍ର ଏବେ ପ୍ରବେଶ କରିଛନ୍ତି । 

 ମୋଦୀଙ୍କ ପ୍ରଥମ ପ୍ରିୟ ଅଫିସର :

 ଭ୍ରଷ୍ଟାଚାର ଅଭିଯୋଗରେ ଘେରି ରହିଥିବା ପ୍ରଧାନମନ୍ତ୍ରୀଙ୍କର ଏହି ତିନି ଜଣ ଅଫିସର ଗତ କିଛି ମାସ ହେଲା ଅରବିନ୍ଦ କେଜରିୱାଲଙ୍କ ପଛରେ ପଡ଼ିଛନ୍ତି । ପ୍ରଥମ ଜଣକ କିଛି ଦିନ ଧରି ଗୋଟିଏ ସିମେଣ୍ଟ କାରଖାନାରେ ଜଣେ ତଳ ସ୍ତରର କର୍ମଚାରୀ ଭାବେ କାମ କରିଥିଲେ । ତାଙ୍କ ନାମ ହେଲା ବିନୟ କୁମାର ସେକ୍ସେନା । ପରେ ସେ ବଦନାମ ହୋଇଥିବା ଧୋଲେରା ଏୟାରପୋର୍ଟର ଦାୟିତ୍ଵରେ ଜଣେ ଜେନେରାଲ ମ୍ୟାନେଜର ପଦକୁ ଉନ୍ନୀତ ହେଲେ । ଧୋଲେରା ଏୟାରପୋର୍ଟ ହେଉଛି ଆଦାନୀ ଗୃପ୍ ଓ ଗୁଜୁରାଟ ରାଜ୍ୟ ସରକାରଙ୍କ ମିଳିତ ପ୍ରୋଜେକ୍ଟ । ପରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏହି ପ୍ରୋଜେକ୍ଟର ସିଇଓ ଏବଂ ଡାଇରେକ୍ଟର  ପଦରେ ଉପସ୍ଥାପିତ‌ କଲେ । ଗୋଟିଏ  ଫୌଜଦାରୀ ମକଦ୍ଦମାରେ ସକ୍ସେନା ଓ ଅନ୍ୟ ତିନି ଜଣଙ୍କ ନାମ ଆସିଥିଲା । ଏହି ଅନ୍ୟ ତିନି ଜଣଙ୍କ ମଧ୍ୟରେ ବିଜେପି ବିଧାୟକ ଅମିତ୍ ଶାହା ବି ଥିଲେ । ଅଭିଯୋଗ ଥିଲା ଯେ ଗୋଧ୍ରାକାଣ୍ଡ ପରବର୍ତ୍ତୀ ହିଂସାକୁ ନିନ୍ଦା କରି ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟେକର ଓ ଅନ୍ୟମାନେ ଗାନ୍ଧୀ ଆଶ୍ରମରେ ସଭା କରୁଥିବା ବେଳେ ଏମାନେ ସେଠାରେ ପଶି ମାରପିଟ୍ କରିଥିଲେ ।‌ ନିକଟରେ ସେହି ମୋକଦ୍ଦମାରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ସମନ ଆସିବା ପରେ ସେ କୋର୍ଟରେ ହାଜର ହେବାକୁ  ମନା କରିଥିଲେ । ତାଙ୍କ ଯୁକ୍ତି ଥିଲା ଯେ  ସେ ଏବେ ଦିଲ୍ଲୀର ଉପରାଜ୍ୟପାଳ ଅଛନ୍ତି। ତେଣୁ ଏତେ ବଡ଼ ମହତ୍ତ୍ୱପୂର୍ଣ୍ଣ ପଦବୀରେ ଥିବାରୁ ସେ କୋର୍ଟ ଡାକିଲେ ବି ଯିବେ ନାହିଁ । କୋର୍ଟ ଅବଶ୍ୟ ତାଙ୍କର ଏହି ଦଲିଲକୁ ଅଗ୍ରାହ୍ୟ କରି ଦେଇଛନ୍ତି । ତେବେ ସେ ଯାହା ହେଉ ଗାନ୍ଧୀ ଆଶ୍ରମରେ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁରସ୍କାର ସ୍ଵରୂପ ତାଙ୍କୁ ସେତେବେଳେ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଅଧ୍ୟକ୍ଷ କରା ଯାଇଥିଲା ।‌ ସେଠାରେ ବି ଦୁର୍ନୀତି ଅଭିଯୋଗ ତାଙ୍କ ପିଛା ଛାଡି ନଥିଲା । ଅଭିଯୋଗ ମୁତାବକ ମୁମ୍ବାଇ ସ୍ଥିତ ଖଦୀ ଭଣ୍ଡାର ବିଶ୍ରାମକକ୍ଷ ପାଇଁ ଆଭନ୍ତ୍ୟରିଣ ସୌନ୍ଦର୍ଯକରଣ କାମର ଠିକା ବେଆଇନ ଭାବେ ତାଙ୍କ ଝିଅକୁ ଦିଆ ଯାଇଥିଲା। ସେ ଯାହା ହେଉ ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ଆଣି ଦିଲ୍ଲୀର ଉପରାଜ୍ୟପାଳ କରି ରଖା ଯାଇଛି।‌ ଦିଲ୍ଲୀର ଏ ହେଉଛନ୍ତି ପ୍ରଥମ ଉପରାଜ୍ୟପାଳ ଯିଏ ପ୍ରଶାସନିକ ପୃଷ୍ଠଭୂମିରୁ ଆସି ନାହାନ୍ତି। ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜରିୱାଲ ଚଉଥି ପାଶ୍ ରାଜା କାହାଣୀ ଶୁଣାଇବା ପରେ ବିଜେପି ତରଫରୁ ତାଙ୍କ ସରକାରୀ ବାସଭବନ ସମ୍ବନ୍ଧୀୟ କେତେକ କାଗଜପତ୍ର ଓ ନକ୍ସା ଏକାଠି କରାଗଲା ଏବଂ ନାଭିକା କୁମାର ତାହାକୁ ନେଇ ଲଗାତର ଟିଭି ପ୍ରୋଗ୍ରାମ କଲେ । ଏବେ ଉପରାଜ୍ୟପାଳ ଏଥିନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । 

ମୋଦୀଙ୍କ ଦ୍ବିତୀୟ ପ୍ରିୟ ଅଫିସର :

ଏହାଙ୍କ ନାମ ହେଉଛି ଓ୍ବାଇ.ଭି.ଭି.ଯେ ରାଜଶେଖର । ଏହାଙ୍କ ବିରୁଦ୍ଧରେ ଅଭିଯୋଗ ଅଛି ଯେ ଏ ହେଉଛନ୍ତି ନଗଦ ଟଙ୍କା ବଦଳରେ ଅନୁକମ୍ପାମୂଳକ ଚାକିରି  ଘୋଟାଲାର ମାଷ୍ଟର ମାଇଣ୍ଡ । ଏଥିରେ ପ୍ରାୟ ୧୫ କୋଟି ଟଙ୍କାର ଘୋଟାଲା ହୋଇଛି।ସିଏନଜି ଫିଟନେସ ଘୋଟାଲାରେ ମଧ୍ୟ ଏହାଙ୍କ ନାଁ ଥିବାର ଅଭିଯୋଗ ଅଛି । ଆହୁରି ଅନେକ କେଶ୍ ରେ ଏହାଙ୍କ ନାଁ ଅଛି । ମଜା କଥା ହେଲା ୨୦୧୩ ମସିହାରେ ଯେତେବେଳେ  ଅଳ୍ପ କିଛି ଦିନ ପାଇଁ  ଦିଲ୍ଲୀରେ ଆପ୍ ସରକାର ଥିଲା ଏବଂ ଅଫିସରଙ୍କ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଥିଲା , ସେତେବେଳେ ବିଜେପିର ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ କୀରଣ ବେଦି ଅଭିଯୋଗ କରିଥିଲେ ଯେ ଏହି ଭ୍ରଷ୍ଟାଚାରୀ ଅଫିସରଙ୍କୁ କେଜରିୱାଲ ସରକାର କାହିଁକି ରଖିଛନ୍ତି । କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦ୍ବାରା ଏହାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଥିବାର କୁହା ଯାଇଥିଲା । ଏଥିରେ ୧୦୦ କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ଅନୁମାନ କରାଯାଏ। ବର୍ତମାନ ଏଭଳି ଅଫିସରଙ୍କୁ ମୋଦୀ ସରକାର ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ଆଦେଶ ଦିଆଗଲା ସେ  ମୂଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିର୍ମାଣ ବିଷୟରେ ରିପୋର୍ଟ ଦାଖଲ କରିବେ । ସେ ଏହି ଆଦେଶ ପାଳନ କଲେ ।‌ ଏହି ସମୟରେ ସେ ଦିଲ୍ଲୀର ମନ୍ତ୍ରୀ ସୈାରଭ ଭରଦ୍ୱାଜଙ୍କୁ ହତ୍ୟା ଧମକ ଦେଇଛନ୍ତି ବୋଲି ମନ୍ତ୍ରୀ ଭରଦ୍ୱାଜ ଅଭିଯୋଗ କରିଛନ୍ତି। ଏହା ପରେ ତୁରନ୍ତ ନାଭିକା କୁମାର ତାଙ୍କ ଟାଇମ୍ସ ନାଓ ଚ୍ୟାନେଲରେ ତାଙ୍କୁ ଜଣେ ଉତ୍ପୀଡିତ ବୋଲି ଦେଖାଇଛନ୍ତି। 

ମୋଦୀଙ୍କ ତୃତୀୟ ପ୍ରିୟ ଅଫିସର

ଗିରିଶ ଚନ୍ଦ୍ର ମୁର୍ମୁ । ମୋଦୀ ଗୁଜୁରାଟର ମୂଖ୍ୟମନ୍ତ୍ରୀ ଥିବା ବେଳେ ଇଏ ତାଙ୍କର ପ୍ରଧାନ ସଚିବ ଥିଲେ । ୨୦୦୨ ମସିହା ଗୁଜୁରାଟ ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କିତ ବିଭିନ୍ନ ମୋକଦ୍ଦମାରେ ଏହାଙ୍କ ନାମ ଆସିଥିଲା । ଏହା ସହିତ ଇସ୍ରତ୍ ଜାହାନଙ୍କ ବିବାଦାସ୍ପଦ ହତ୍ୟା ଘଟଣାରେ ମଧ୍ୟ ଏହାଙ୍କ ନାମ ଥିଲା ।  ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ସୁପ୍ରିମକୋର୍ଟଙ୍କ ଠାରେ ଦାଖଲ ଆଫିଡେଭିଟରେ ରେକର୍ଡ ହୋଇଥିଲା । ୨୦୦୨ ମସିହାରେ ଗୁଜୁରାଟ ରାଜ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋର ମୂଖ୍ୟ ଭାବେ ଦାୟିତ୍ଵରେ ଥିବା ପୂର୍ବତନ ଡିଜିପି ଶ୍ରୀକୁମାର ଅଭିଯୋଗ ଆଣିଥିଲେ ଯେ ୨୦୦୪ରେ ଦଙ୍ଗାର ଯାଞ୍ଚ କରୁଥିବା ନାନାବତୀ କମିଶନ ଆଗରେ ସାକ୍ଷ ଦେଉଥିବା ବ୍ୟକ୍ତିମାନଙ୍କୁ ପ୍ରଭାବିତ କରିବା ପାଇଁ ଏ ମହାଶୟଙ୍କୁ ପଠା ଯାଇଥିଲା । ଶ୍ରୀକୁମାର ଏ ଅଭିଯୋଗ ମଧ୍ୟ ଆଣିଥିଲେ ଯେ ବିଭିନ୍ନ ତଥ୍ୟ ଦବାଇବା ପାଇଁ ମୁର୍ମୁ ତାଙ୍କୁ ବାଧ୍ୟ କରୁଥିଲେ । ଏପରିକି ୨୦୧୩ ମସିହାରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା । ତାଙ୍କର ଏହିସବୁ କାମ ପାଇଁ ପୁରସ୍କାର ସ୍ଵରୂପ ୨୦୧୯ ମସିହାରେ ତାଙ୍କୁ ଜାମ୍ମୁ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ପଦରେ ବସାଗଲା । ଏହାର ତୁରନ୍ତ ବାଦ ତାଙ୍କୁ ଭାରତର ନୂଆ ସିଏଜି କରାଗଲା । ଆଗରୁ ୟୁପିଏ ସମୟରେ ସିଏଜି ଅନେକ ଗୁଡ଼ିଏ ଭ୍ରଷ୍ଟାଚାରର  ଉଜାଗର କରିଥିଲା । କିନ୍ତୁ ମୁର୍ମୁଙ୍କୁ ସିଏଜି ଭାବେ ନିଯୁକ୍ତ କରି ସାରିବା ପରେ ମୋଦୀ ଏକ ସଭାରେ କହିଲେ ଆଉ ସିଏଜି ଏବଂ ସରକାରଙ୍କ ମଧ୍ୟରେ କୈାଣସି ବିବାଦ ରହିବ ନାହିଁ । ବର୍ତମାନ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ସୁପାରିଶ କ୍ରମେ ମୋଦୀ ସରକାର ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ପୁନରୁଦ୍ଧାର କାମରେ ହୋଇଥିବା କଥିତ  ଅନିୟମିତତା ପାଇଁ ଏକ ସ୍ବତନ୍ତ୍ର ଅଡିଟ୍ କରିବା ପାଇଁ ସିଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଶିଶମହଲ :

ଷାଠିଏ ଓ ସତୁରୀ ଦଶକରେ ତିଆରି ହୋଇଥିବା  କୃଷି ଭବନ , ଉଦ୍ୟୋଗ ଭବନ ଓ ଶାସ୍ତ୍ରୀଭବନ ଭଳି ସୁଦୃଶ୍ୟ କୋଠାଘର ଭଙ୍ଗା ଯାଇ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅରଖ ନୂଆ ବାସଭବନ ଓ ସଂଯୁକ୍ତ ସେକ୍ରେଟାରିଏଟ୍ ତିଆରି ଚାଲିଛି । ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ପାଇଁ ଏବେ ଯେଉଁ ବାସଭବନ ତିଆରି ହୋଇଛି, ତାହା ୧୯୪୨ରେ ବ୍ରିଟିଶମାନଙ୍କ ଦ୍ବାରା ତିଆରି ବାସଭବନ ଜାଗାରେ ତିଆରି ହୋଇଛି । ପୁରୁଣା ବାସଭବନର ଆୟୁ ୧୯୯୭ ମସିହାରେ ଶେଷ ହୋଇ ସାରିଥିଲା । ସେଭେନ୍ ରେସକୋର୍ଷରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ କିନ୍ତୁ ୧୯୮୦ ମସିହାରେ ତିଆରି ହୋଇଥିଲା ଯେଉଁଥିରେ ତାଙ୍କ ରହିବା ପାଇଁ  ଜାଗା ସହିତ ଅତିଥିମାନଙ୍କ ପାଇଁ ଘର, ସଭାଗୃହ, ଥିଏଟର ଓ ହେଲିପ୍ୟାଡ୍ ରହିଛି । କିଛି ବର୍ଷ ପୂର୍ବେ ତାଙ୍କ ବାସଭବନକୁ ନିକଟସ୍ଥ ସଫଦରଗଞ୍ଜ ବିମାନବନ୍ଦର ସହ ଯୋଡିବା ପାଇଁ ଏକ ଭୁତଳ ସୁଡ଼ଙ୍ଗ ମଧ୍ୟ ତିଆରି ହୋଇଥିଲା । ଆର୍କିଟେକ୍ଟ ଗୈାତମ ଭାଟିଆଙ୍କ କହିବା ଅନୁସାରେ ଏହି ନୂଆ ନିର୍ମାଣକୁ ଚମକାଇବା ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା । ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ଏବେ ଯେଉଁଠାରେ ରହୁଛନ୍ତି ତାହାକୁ  ଚମକାଇବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । 

ଅନ୍ୟ ପକ୍ଷରେ କେଜରିୱାଲ ରହୁଥିବା ୧୯୪୨ରେ ତିଆରି ବାସଭବନରେ କେବଳ ଗ୍ରାଉଣ୍ଡଫ୍ଲୋର‌୍ ଥିଲା ଯେଉଁଥିରେ ଗୋଟିଏ ବୈଠକଖାନାକୁ କେଜରିୱାଲ ଏକ ଅଣଆନୁଷ୍ଠାନିକ ସଭାଗୃହରେ ପରିଣତ କରିଥିଲେ । ଏହା ସହିତ ସେଥିରେ ଗୋଟିଏ ଲିଭିଂରୁମ/ଡାଇନିଂ ରୁମ ଏବଂ ତିନୋଟି ବେଡରୁମ୍‌ ଥିଲା । ମୂଖ୍ୟମନ୍ତ୍ରୀଙ୍କ ପାଇଁ ଏଥିରେ ସ୍ବତନ୍ତ୍ର ଅଫିସ ଘର ନଥିଲା । ବାହାର ଫାଟକ ଓ ଘରର ପ୍ରବେଶ ଦ୍ଵାର ମଧ୍ୟରେ ତିନୋଟି ଅସ୍ଥାୟୀ ଘର ତିଆରି ହୋଇଥିଲା । 

 ୨୦୨୦ ମସିହା ପର୍ଯ୍ୟନ୍ତ ଏସବୁ ଏହି ଭଳି ଥିଲା । ସେତେବେଳେ କୋଭିଡ-୧୯ ପାଇଁ ଲକଡାଉନ୍ ଲାଗୁ ହେଲା । ମହାମାରୀ ଆରମ୍ଭ ହେବା ପରେ ଆପ୍ ଭଲେଣ୍ଟିଅରମାନେ ଏହି ଅସ୍ଥାୟୀ ଓ ଛୋଟ ଛୋଟ ଘରେ ରହୁଥିଲେ ଏବଂ ମୂଖ୍ୟମନ୍ତ୍ରୀଙ୍କ ଘରେ ସମସ୍ତ ବୈଠକ ହେଉଥିଲା ।‌ ଯେତେବେଳେ କୋଭିଡ ମହାମାରୀର ପ୍ରକୋପ ଚରମ ଅବସ୍ଥାରେ ପହଞ୍ଚିଥିଲା ସେତେବେଳେ ମୂଖ୍ୟମନ୍ତ୍ରୀଙ୍କ ବାସଭବନରେ ଗହଳି ବଢିଲା ଏବଂ ଭଲେଣ୍ଟିଅରମାନେ ସେହିଠାରେ ରହି ଅକ୍ସିଜେନ ଅଭାବ ଓ ଆଇସିୟୁ ବେଡ୍ ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ ରାତି ଦିନ ଲାଗିଥିଲେ । 

୨୦୧୫ରେ ଦିଲ୍ଲୀର ଜନସାଧାରଣଙ୍କ ଠାରୁ ଐତିହାସିକ ଜନାଦେଶ ପାଇବା ପରେ ଅରବିନ୍ଦ କେଜରିୱାଲ ପରିସ୍କାର ଭାବେ ମନା କରି ଦେଇଥିଲେ ଯେ ସେ ରାଜନିବାସରେ ରହିବେ ନାହିଁ । ବ୍ରିଟିଶ ସମୟରେ ଦିଲ୍ଲୀର ମୂଖ୍ୟ ପ୍ରଶାସକମାନେ ଯେଉଁ ଠାରେ ରହୁଥିଲେ ତାହାକୁ ରାଜନିବାସରେ କୁହାଯାଏ । ଦିଲ୍ଲୀକୁ ଏକ ରାଜ୍ୟ ଘୋଷଣା କରାଯିବା ପରେ ପ୍ରତ୍ୟେକ ମୂଖ୍ୟମନ୍ତ୍ରୀ ରାଜନିବାସକୁ ନିଜର ସରକାରୀ ବାସଭବନ କରିଛନ୍ତି । ଛଅ ଏକର ଜମି ଉପରେ ଠିଆ ହୋଇଥିବା ଏହି ନିବାସ ତାଙ୍କ ପାଇଁ ବଡ଼ ହୋଇଯିବ କହି ମୂଖ୍ୟମନ୍ତ୍ରୀ କେଜରିୱାଲ ସେଠାରେ ରହିଲେ ନାହିଁ । ତାହା ବଦଳରେ ସେ ଆଗରୁ ଦିଲ୍ଲୀ ବାଚସ୍ପତିମାନେ ରହୁଥିବା ୬ ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ବାସଭବନରେ ରହିଲେ । 

ସାଉଥ୍ ବ୍ଲକରେ ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀଙ୍କ  ବାସଭବନ ୫.୨ ଏକର ଜମି ଉପରେ ଠିଆ ହେବ । କେଜରିୱାଲ ଯେଉଁଠାରେ ଏବେ ରହୁଛନ୍ତି ତାହା ୧ ଏକର ଠାରୁ କମ୍ ଜମିରେ ଅବସ୍ଥିତ । ତାହାରି ଭିତରେ ତାଙ୍କ ନିରାପତ୍ତାରକ୍ଷୀଙ୍କ ପାଇଁ ମଧ୍ୟ ଜାଗା ରହିଛି । ସବୁଠାରୁ କମ୍ ଜାଗାରେ ଥିବା ଭାରତର ଯେତେ ମୁଖ୍ୟମନ୍ତ୍ରୀ ବାସଭବନ ଅଛି ତାହା ମଧ୍ୟରେ ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନ ହେଉଛି ଗୋଟିଏ । ମନେ ରଖନ୍ତୁ, ଗୋଟିଏ ଜାତୀୟ ଦଳର ମୂଖ୍ୟ ଭାବେ ସେ ଗୋଟିଏ ବଡ଼ ବାସଭବନ ପାଇଁ ଦାବି କରି ପାରିବେ । ମାତ୍ର ତାହା ସେ କରି ନାହାନ୍ତି । 

ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନ ଓ ବ୍ୟକ୍ତିଗତ ଅଫିସରେ ୧୦ଟି ଚାରି ମହଲା ବିଶିଷ୍ଠ କୋଠାଘର ରହିବ । ସେଥିରେ ତାଙ୍କ ଅଫିସଗୃହ ସହିତ ବିଭିନ୍ନ ଇନଡୋର ଖେଳ ପାଇଁ ମଧ୍ୟ ସୁବିଧା ରହିବ ।  ଅଫିସ ପହଞ୍ଚିବା ପାଇଁ ଗୋଟିଏ  ଭିଆଇପି ଭୂତଳ ସୁଡ଼ଙ୍ଗ ରହିବ । ଅନ୍ୟ ପକ୍ଷରେ ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନରେ ଗ୍ରାଉଣ୍ଡ ଫ୍ଲୋର ଉପରେ କେବଳ ଆଉ   ଗୋଟିଏ ମହଲା ତିଆରି ହୋଇଛି । ସମୁଦାୟ ବାସଭବନରେ ମୋଟ ୪ଟି ବେଡ଼ରୁମ ରହିଛି । ନିଶ୍ଚିତ ଭାବେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ତିଆରି ହେଉଥିବା ଶିଶମହଲ ଆଗରେ ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନ ଗୋଟିଏ କୁଡିଆ ଭଳି ଦେଖାଯିବ । 

୨୦୧୮ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଇଁ କେନ୍ଦ୍ର ସରକାର ଯେତେବେଳେ ଟେଣ୍ଡର ଜାରି କରିଥିଲେ ତାହାର ମୂଲ୍ୟ ଥିଲା ୩୬୦ କୋଟି ଟଙ୍କା । ମାତ୍ର ପ୍ରଶାସନିକ କାରଣ ଦର୍ଶାଇ ଏହି ଟେଣ୍ଡରକୁ ୨୦୨୨ ଜୁଲାଇରେ ପ୍ରତ୍ୟାହାର କରି ଦିଆଗଲା । ପରେ ନୂଆ ଟେଣ୍ଡରରେ ଏହାର ମୂଲ୍ୟ ହେଲା ୪୬୭ କୋଟି ଟଙ୍କା ହୋଇଗଲା । ସେଥିରେ ଅଧିକ କ'ଣ ଯୋଡାଯିବା ପରେ ତାହାର ମୂଲ୍ୟ ୧୦୦ କୋଟି ଟଙ୍କା ବଢ଼ିଗଲା ତାହା ଜାଣିବାର କୈାଣସି ଉପାୟ ନାହିଁ । କିନ୍ତୁ ଗୋଟିଏ କଥା ଆମେ ନିଶ୍ଚିତ ଭାବରେ କହି ପାରିବା ଯେ କେନ୍ଦ୍ର ସରକାରଙ୍କ ଅନ୍ୟ ସମସ୍ତ ପ୍ରକଳ୍ପ ଭଳି ଏହି ଶିଶମହଲ ତିଆରି ସରିବା ବେଳକୁ ଏଥିରେ ୫୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇ ସାରିଥିବ । ସାଉଥବ୍ଲକର ଯେଉଁ ଏକଜିକ୍ୟୁଟିଭ୍ ଏନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ତିଆରି ହେଉଛି ସେହି ଜାଗାର‌ ମୂଲ୍ୟ ପ୍ରାୟ ୧୨୦୦ କୋଟି ଟଙ୍କା  ବୋଲି କଳନା କରା ଯାଇଛି । ତେଣୁ ଏଥିରେ ମୋଟ ୧୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ  । ଅନ୍ୟ ପକ୍ଷରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆଦେଶ କ୍ରମେ ହୋଇଥିବା ଭିଜିଲାନ୍ସ ରିପୋର୍ଟରେ ଲେଖା ଯାଇଛି ଯେ ମୂଖ୍ୟମନ୍ତ୍ରୀଙ୍କ ବାସଭବନ ଓ ନିରାପତ୍ତାରକ୍ଷୀଙ୍କ ବାସସ୍ଥାନ ପାଇଁ ମିଶି ମୋଟ ୩୩.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ବ୍ୟତୀତ ଗୋଟିଏ କ୍ୟାମ୍ପ ଅଫିସ ତିଆରିରେ ୧୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କଣ ଅପରାଧ ହୋଇଛି ଏବଂ କ'ଣ ଅନିୟମିତତା ହୋଇଛି ଭିଜିଲାନ୍ସ ରିପୋର୍ଟରେ ସେ ବିଷୟରେ କିଛି ନାହିଁ । ତଥାପି ଟିଭି ଚ୍ୟାନେଲମାନେ ଏ ବିଷୟରେ ଲଗାତର‌ ପ୍ରୋଗ୍ରାମ କରି କେଜରିୱାଲ ଓ ଆପ୍ ପଛରେ ପଡ଼ିଛନ୍ତି । 

ଯେତିକି ଜାଗାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିଶମହଲ ଓ ସଚିବାଳୟ ତିଆରି ହେଉଛି ସେଠାରେ ଆଗରୁ ୪୬୪୨ଟି ଗଛ ଥିଲା । ସେଥିରୁ ୧୪୧୨ଟି ରହିଲା ଓ ବାକିସବୁ କଟାଗଲା । କିନ୍ତୁ ବିଡମ୍ବନାକୁ ଦେଖନ୍ତୁ, ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନ ପାଇଁ ୯ଟି ଗଛ କଟା ଯାଇ କଥିତ ଭାବେ ନିୟମ ଭଙ୍ଗ ହୋଇଥିବା ଅଭିଯୋଗରେ ବିଜେପି ସରକାର ତରଫରୁ ନ୍ୟାସନାଲ ଗ୍ରୀକ୍ ଟ୍ରିବୁନାଲକୁ  ତାହାର ତଦନ୍ତ କରିବା ପାଇଁ କୁହାଯାଇଛି । 

ପ୍ରଧାନମନ୍ତ୍ରୀଙ୍କ ଶିଶମହଲର ପ୍ରୋଜେକ୍ଟ ଆର୍କିଟେକ୍ଟ ବିମଲ ପଟେଲଙ୍କ ଅଫିସ ତରଫରୁ ବିବିସିକୁ କୁହାଯାଇଥିଲା ସୁରକ୍ଷା କାରଣରୁ ଶିଶମହଲ ବିଷୟରେ ସବୁ ସୁଚନା ଓ ବ୍ଲୁ ପ୍ରିଣ୍ଟ ପ୍ରକାଶ କରାଯାଇ ପାରିବ ନାହିଁ ଓ କେତେ ଖର୍ଚ୍ଚ ହେଉଛି ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ଅଥଚ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନର ବ୍ଲୁ ପ୍ରିଣ୍ଟ ସମସ୍ତଙ୍କୁ ଦେଖାଉଛନ୍ତି ଏବଂ କେଉଁ ପ୍ରକାର ମାର୍ବଲ ସେଥିରେ ଲାଗିଛି ଓ ଦେଓର୍ ପର୍ଲ୍ ମାର୍ବଲର ଦାମ କେତେ ତାହା ବଖାଣୁଛନ୍ତି । ଏଠାରେ ଜାଣି ରଖନ୍ତୁ, ୨୦୧୮ ରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଥିଲା ଯେ ଦିଲ୍ଲୀ ସରକାରୀ ସ୍କୁଲରେ ମହଙ୍ଗା ଗ୍ରାନାଇଟ୍ ପଥର ଲାଗିବା  ମଧ୍ୟ ଗୋଟିଏ ଘୋଟାଲା ଥିଲା । 

ପ୍ରଧାନମନ୍ତ୍ରୀଙ୍କ ଶିଶମହଲ ତିଆରିକୁ ଏକ  ଅତ୍ୟାବଶ୍ୟକୀୟ ସେବା ବୋଲି ଘୋଷଣା କରାଯାଇଥିଲା, ଯାହା ଫଳରେ କି କୋଭିଡଗ୍ରସ୍ତ ଦିଲ୍ଲୀରେ ଲକଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାମ ଯେମିତି ସେତେବେଳେ ବନ୍ଦ‌ ହେବନାହିଁ ।  ମୂଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ତିଆରି ପାଇଁ ସେମିତି କୈାଣସି ନିୟମର ଆଶ୍ରୟ ନିଆ ଯାଇ ନଥିଲା କି ତାହାର ପ୍ରୟୋଜନ ମଧ୍ୟ ନଥିଲା । ତଥାପି ନାଭିକା କୁମାର ଓ ତାଙ୍କ ପ୍ରୋଗ୍ରାମର ବିଜେପି ପ୍ରତିନିଧିମାନେ ଚିତ୍କାର କରନ୍ତି ଯେ ମୂଖ୍ୟମନ୍ତ୍ରୀଙ୍କ ଘର ତିଆରିରେ କୋଭିଡ ଲକଡାଉନ ନିୟମ ଭଙ୍ଗ ହୋଇଛି । 

ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ନିୟମ ଅନୁସାରେ କୈାଣସି ନୂଆ ନିର୍ମାଣ ହେଲେ ନିକଟରେ ଥିବା କୌଣସି ଐତିହ୍ୟ ସୈାଧ ଠାରୁ ତାହାର ସର୍ବନିମ୍ନ ଦୂରତା ୩୦୦ ମିଟର ରହିବା ଦରକାର । ମାତ୍ର ପ୍ରଧାନମନ୍ତ୍ରୀଙ୍କ ନୂଆ ଶିଶମହଲ ମାତ୍ର ୩୦ ମିଟର ଦୁରରେ ତିଆରି ହେଉଛି । ଏବେ ବିଲେଇକୁ କିଏ ଘଣ୍ଟି ପିନ୍ଧାଇବ ? 

କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ଓ ସେଣ୍ଟ୍ରାଲ ଭିଷ୍ଟା ତିଆରି ସରିଲେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଯିବ । ହୁଏତ ଏଇଥିପାଇଁ ଯେ ଦିଲ୍ଲୀ ମୂଖ୍ୟମନ୍ତ୍ରୀଙ୍କ ବାସଭବନ ଓ ଅଫିସରେ  ଯେତିକି ଖର୍ଚ୍ଚ ହୋଇଛି ତାହାର ୩୦/୪୦ ଗୁଣ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଖର୍ଚ୍ଚ ହେଉଛି । ସେତେବେଳେ ନାଭିକା କୁମାର ଗର୍ବର ସହିତ ଟିଭି ସୋ କରିବେ ଯେତେବେଳେ ମୋଦୀ ପୁଜା କରୁଥିବେ । ନାଭିକା କହୁଥିବେ, ଓ୍ବାହ୍ ବ୍ରିଟିଶ ଉପନିବେଶବାଦ ସମୟରେ ତିଆରି ରାଷ୍ଟ୍ରପତି ଭବନ ଆଗରେ  ଏହି ପ୍ରାସାଦଟି କେଡେ ଚମତ୍କାର ହୋଇଛି ସତେ ! ଆଉ ସମସ୍ତ ଭାରତୀୟଙ୍କୁ କୁହାଯିବ ଏହି ଅମୃତମୟ ସମୟରେ ଉତ୍ସବ ମନାଅ ।‌