ସାମ୍ବାଦିକଙ୍କୁ ମନା ଓଡିଶା ସରକାରଙ୍କ ଦୁଆର
ସାମ୍ବାଦିକଙ୍କ ସମାଲୋଚନାକୁ ଡରୁଥିବା ଗୋଟେ ଦୀର୍ଘସ୍ଥାୟୀ ସରକାର କେଉଁ ସାମ୍ବିଧାନିକ ଅଧିକାର ବଳରେ ଲୋକଙ୍କ ଅନୁଷ୍ଠାନ ଭିତରକୁ ସାମ୍ବାଦିକଙ୍କ ପ୍ରବେଶ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି?

ଓଡ଼ିଶା ସରକାର ବୋଧହୁଏ ଗଣତନ୍ତ୍ରରେ ବିଶ୍ବାସ କରନ୍ତି ନାହିଁ ! ଗତ କିଛି ବର୍ଷ ହେଲା ଓଡ଼ିଶା ସରକାରଙ୍କର ଅନେକ ଅନୁଷ୍ଠାନ ଭିତରକୁ ସାମ୍ବାଦିକମାନଙ୍କର ପ୍ରବେଶ ନିଷେଧ ଘୋଷଣା କରାଯାଇଛି ।
* କୋଭିଡ କଟକଣା ଆଳରେ ପ୍ରାୟ ଦୁଇ ବର୍ଷରୁ ଅଧିକ ସାମ୍ବାଦିକଙ୍କୁ ଲୋକସେବା ଭବନ ବା ସଚିବାଳୟକୁ ପ୍ରବେଶ ପାଇଁ ନିଷେଧାଦେଶ ଜାରି କରାଯାଇଥିଲା । ସେହିପରି ବିଧାସଭା ଭିତରକୁ ମଧ୍ୟ ସାମ୍ବାଦିକଙ୍କ ପ୍ରବେଶ ଅଧିକାରକୁ ସଙ୍କୁଚିତ କରି ଦିଆଯାଇଛି ।
*କଟକ-ଭୁବନେଶ୍ବର ପୁଲିସ କମିସନରଙ୍କ ଅଫିସ ପରିସରରେ ସାମ୍ବାଦିକ ପ୍ରବେଶ କରିପାରିବେ ନାହିଁ ବୋଲି ଏବେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଫିସ ପରିସରକୁ ସାମ୍ବାଦିକ ପଶିଲେ ସୁରକ୍ଷା କର୍ମୀଙ୍କ ଚାକିରୀ ଯିବ ବୋଲି କୁହାଯାଇଛି ।
*ବିନା ଅନୁମତିରେ ସରକାରୀ କର୍ମଚାରୀ ସାମ୍ବାଦିକଙ୍କୁ ବୟାନ ନ ଦେବାର ବନ୍ଦୋବସ୍ତ ରହିଛି ।
*ସରକାରୀ ସ୍କୁଲରେ ସାମ୍ବାଦିକଙ୍କ ପ୍ରବେଶ ଅଧିକାରକୁ ମନା କରାଯାଇଛି ।
*ଆସନ୍ତାକାଲି ରମାଦେବୀ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାରତର ରାଷ୍ଟ୍ରପତି ଯୋଗ ଦେଉଥିବା ବେଳେ ଏହି ସଭାରେ ସାମ୍ବାଦିକଙ୍କ ଉପସ୍ଥିତିକୁ ବାରଣ କରାଯାଇଛି ।
ସାମ୍ବାଦିକଙ୍କୁ ସରକାରୀ ଅନୁଷ୍ଠାନରେ ଓ ସରକାରୀ ଉତ୍ସବରେ ପୂରେଇ ନ ଦେବା ପାଇଁ ଓଡ଼ିଶା ସରକାର ଏତେ ତତ୍ପର ହେବାର କାରଣ କ'ଣ?
ସରକାରର ସାମ୍ବାଦିକଙ୍କ ଆଖି ଓ କ୍ୟାମେରାରୁ କାହାକୁ ବଞ୍ଚାଇବାକୁ ଏ ପ୍ରକାର ଅଗଣତାନ୍ତ୍ରିକ ଆଦେଶ ଦେଉଛନ୍ତି?
ସାମ୍ବାଦିକଙ୍କ ସମାଲୋଚନାକୁ ଡରୁଥିବା ଗୋଟେ ଦୀର୍ଘସ୍ଥାୟୀ ସରକାର କେଉଁ ସାମ୍ବିଧାନିକ ଅଧିକାର ବଳରେ ଲୋକଙ୍କ ଅନୁଷ୍ଠାନ ଭିତରକୁ ସାମ୍ବାଦିକଙ୍କ ପ୍ରବେଶ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି?
ଏ କ୍ଷେତ୍ରରେ ସାମ୍ବାଦିକମାନେ ଏକାଠି ହୋଇ ସରକାରଙ୍କ ମନମୁଖୀ ନିଷ୍ପତ୍ତିର ବିରୋଧ କରିବା ସହିତ ସବୁ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରିବା ଜରୁରୀ।
ସେମିତି ନିଷ୍ପତ୍ତି ଆମ ସାମ୍ବାଦିକମାନେ ନେଇ ପାରିବେ କି?
ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ମାଲିକମାନେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଅଧିକାର ଓ ନାଗରିକର ସୂଚନା ଜାଣିବାର ଅଧିକାର ପାଇଁ ମିଳିତ ଉଦ୍ୟମ କରିବେ କି?
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ପ୍ରବେଶ କ୍ଷୁର୍ଣ୍ଣ କରିବା ପାଇଁ ଓଡ଼ିଶା ସରକାରଙ୍କ ବେଆଇନ ନିର୍ଦ୍ଦେଶ ବିରୋଧରେ ରାଷ୍ଟ୍ରପତିଙ୍କ ସହକାରୀ ପ୍ରେସ୍ ସଚିବ ବାବୁ ବିଜୟ ନାୟକ ରାଷ୍ଟ୍ରପତିଙ୍କୁ ଅବଗତ କରାଇବା ଜରୁରୀ।
ସାମ୍ବାଦିକଙ୍କୁ ସରକାରୀ ଅନୁଷ୍ଠାନରେ ପ୍ରବେଶ ଅଧିକାର ନ ଦେଇ ଓଡ଼ିଶା ସରକାର ସାଧାରଣ ନାଗରିକଙ୍କର ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଛନ୍ତି।