ବିକ୍ରି ହେଉଥିବା ଘୋଡ଼ା ଓ ଭାରତର ଗଣତନ୍ତ୍ର

ବିକ୍ରି ହେଉଥିବା ଘୋଡ଼ା ଓ ଭାରତର ଗଣତନ୍ତ୍ର

ରାଜ୍ୟସଭା ନିର୍ବାଚନରେ ବିଧାୟକ କିଣି ନିର୍ବାଚନ ଜିଣିବା ଭାରତୀୟ ରାଜନୀତିର ଏକ ସାଧାରଣ ଘଟଣା। ପ୍ରତିଟି ରାଜ୍ୟସଭା ନିର୍ବାଚନ ସମୟରେ କିଛି ବିଧାୟକ ଅନ୍ୟ ଦଳଠୁ ପଇସା ନେଇ କ୍ରସ୍ ଭୋଟିଂ କରନ୍ତି। ବିଶେଷ କରି ଭାରତୀୟ ଜନତା ପାର୍ଟି ବିଧାୟକଙ୍କ କିଣାବିକା କାରବାରରେ ଏ ଦେଶର ସବୁଠୁ ସମର୍ଥ ଗରାଖ ଭାବରେ ରେକର୍ଡ ସୃଷ୍ଟି କରିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ଶହ ଶହ ବିଧାୟକଙ୍କୁ କିଣି ଅନେକ ସରକାର ଭାଙ୍ଗିଛି ଓ ଗଢିଛି। ଗଣତନ୍ତ୍ରର ଏହି ଜଘନ୍ୟ କାରବାରକୁ ରୋକିବା ଦିଗରେ ଦେଶର ନିର୍ବାଚନ କମିଶନ କିମ୍ବା ଅଦାଲତ କୌଣସି ଭୂମିକା ନେବାକୁ ପ୍ରସ୍ତୁତ ନୁହନ୍ତି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ଭାଙ୍ଗି ବିଜେପି ଯେଉଁ ସରକାର ଗଠନ କଲା ତାହା ସମ୍ପୂର୍ଣ୍ଣ ଅବୈଧ ଥିଲେ ମଧ୍ଯ ସେହି ସରକାରଙ୍କୁ କ୍ଷମତାରେ ରହିବାର ସୁଯୋଗ ସୁପ୍ରିମକୋର୍ଟ ଦେଇଦେଲେ। ଯାହାର ପରିଣାମ ସ୍ବରୂପ ଦେଶରେ ନିର୍ବାଚିତ ସରକାର ଭାଙ୍ଗି କେନ୍ଦ୍ର ଶାସନରେ ଥିବା ଦଳକୁ ସବୁ ପ୍ରକାର ମନୋମୁଖୀ କାରବାର କରିବାର ଅଧିକାର ମିଳିଗଲା। 

ଗତକାଲିର ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର କଂଗ୍ରେସ ବିଧାୟକମାନେ ନିଜ ଦଳର ପ୍ରାର୍ଥୀଙ୍କୁ ହରାଇଦେଲେ। ସେହିପରି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର କିଛି ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଲେ। ସ୍ପଷ୍ଟ ଭାବରେ କହିଲେ, ଲୋକଙ୍କ ଭୋଟରେ ଏକ ନିର୍ଦ୍ଦିଷ୍ଟ ଦଳୀୟ ଚିହ୍ନ ମାଧ୍ୟମରେ ଲୋକଙ୍କ ଭୋଟ ପାଇଥିବା ବିଧାୟକ ନିଜ ଭୋଟରଙ୍କ ସହିତ ବିଶ୍ବାସଘାତକତା କରି ଅନ୍ୟ ଦଳରେ ନିଜକୁ ବିକ୍ରୀ କରିଦିଏ। ଏହାକୁ ସାମ୍ବାଦିକତାର ଭାଷାରେ ଏକଦା ''ଘୋଡ଼ା ବେପାର" ବୋଲି କୁହାଯାଉଥିଲା ଓ ଅବିକା ଏହାକୁ "ବିଜେପି"ର ଖେଳ ବୋଲି କୁହାଯାଉଛି।

ବିଜେପିର ଏହି ଖେଳ ଭାରତୀୟ ଗଣତନ୍ତ୍ର ପାଇଁ କାଳ ପାଲଟି ସାରିଛି। କ୍ଷମତା ମୋହରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପପ୍ରୟୋଗ କରି ବିଜେପି ନିର୍ବାଚନ ବ୍ୟବସ୍ଥାକୁ ଧୂଳିସାତ କରି ସାରିଛି। ନିର୍ବାଚନରେ ଯିଏ ଜିତିଲେ ମଧ୍ୟ ବିଜେପିର ସରକାର ଗଢିବା ଥୟ ବୋଲି ହେଉଥିବା ଅସଭ୍ୟ କାଣ୍ଡକୁ ଆମର ଗଣମାଧ୍ୟମରେ ମାତ୍ରାଧିକ ପ୍ରଶଂସା କରାଯାଉଛି। କଂଗ୍ରେସ ସରକାର ସମୟରେ ଏ ପ୍ରକାର ଅନୈତିକ ଘୋଡ଼ା ବେପାରକୁ ଦେଶର ସବୁ ସମ୍ବାଦପତ୍ର କଠୋର ଭାଷାରେ ସମାଲୋଚନା କରୁଥିଲେ। ଯେଉଁ ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ବଚସ୍କର ଭାବରେ କାମ କରୁଥିଲେ ସେମାନଙ୍କୁ ଗଣମାଧ୍ୟମରେ ଖଳନାୟକ ଭାବରେ ଚିତ୍ରଣ କରାଯାଉଥିଲା। ରାଜୀବ ଗାନ୍ଧୀଙ୍କ ସମୟରେ ତତ୍କାଳୀନ ଉତ୍ତର ପ୍ରଦେଶ ରାଜ୍ୟପାଳ ରମେଶ ଭଣ୍ଡାରୀଙ୍କୁ ଜଣେ ନିନ୍ଦିତ ଖଳନାୟକ ଭାବରେ ଦେଶର ଗଣମାଧ୍ୟମ ଉପସ୍ଥାପନ କରିଥିଲେ ‌। ଆଜି କେରଳ, ପଶ୍ଚିମ ବଙ୍ଗ, ତାମିଲନାଡୁ, ଝାରଖଣ୍ଡ ଇତ୍ୟାଦି ରାଜ୍ୟର ରାଜ୍ୟପାଳମାନେ ଯାହା କରୁଛନ୍ତି, ତାହା ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ହୋଇଥିଲେ ମଧ୍ୟ, ଦେଶର ଗଣମାଧ୍ୟମ ସେମାନଙ୍କୁ ନିରବ ସମର୍ଥନ ଦେଇଚାଲିଛି।

ଦେଶର ଘୋଡ଼ା ବଜାରରେ ଟଙ୍କା ଥଳି ଧରି ସବୁଠୁ ବଡ଼ ଗରାଖ ହୋଇ ବସିଥିବା ନରେନ୍ଦ୍ର ମୋଦୀଙ୍କ ଦଳ ବା ବିଜେପି ଏହି ଜଘନ୍ୟ କାରବାରକୁ ରୋକିବା ପାଇଁ ଆଦୌ ଚାହିଁବ ନାହିଁ। ଘୋଡ଼ା ବେପାରର ସବୁଠୁ ଅଧିକ ଲାଭ ବିଜେପି ପାଉଥିବାରୁ ସ୍ବାଭାବିକ ଭାବରେ ସେମାନେ ଏହାକୁ ବଞ୍ଚାଇ ରଖିବାକୁ ଚାହିଁବେ। ହେଲେ ଘୋଡ଼ା ବେପାର ଆମ ଗଣତନ୍ତ୍ରକୁ ସବୁଦିନ ପାଇଁ ଯେ ଖତମ୍ କରିଦେବ, ଏ କଥା ସୁପ୍ରିମକୋର୍ଟ ବା ନିର୍ବାଚନ କମିଶନ କେବେ ବୁଝିବେ !!!