ଶାସ୍ତି

ଶାସ୍ତି

ଅନେକ ଡେରି ହେଲା ଆମର  ।

ଯେତେବେଳେ ଆମ ଦୁହିଁଙ୍କୁ 
ଅପେକ୍ଷା କରିକରି ଶେଷରେ 
ମରିଗଲା ଆମ ପ୍ରେମ ,
ସେତେବେଳେ ଆମେ ଦୁହେଁ ଜାଣିଲୁ 
ଆମ ଦୁହିଁଙ୍କ ଚଲାବାଟଠୁ ଅଦୂରରେ
ଆମର ଘରଟିଏ ଥିଲା । 

ତାକୁ ବି ଅଜଣା 
ମୋତେ ବି ଅଜଣା ରହିଲା ଏତେଦିନ .

ଭୋରର ପ୍ରଥମ ଆଲୋକ 
ରାତିର ପରିଚୟ ପୋଛିଦେବା ଆଗରୁ 
ଯେଉଁ ଶେଷ ଅନ୍ଧାର ଟିକକ 
ଲୁଚି ରହିଯାଏ ଭୋର ଭିତରେ କେଉଁଠି ନା କେଉଁଠି
ସେତିକି ଅନ୍ଧାରରେ ତିଆରି ସେ ଘରକୁ ରାସ୍ତା ।

କେହି ଆସିବେନି ବୋଲି ଜାଣି ସୁଦ୍ଧା 
ତଥାପି କାହା ଅପେକ୍ଷାରେ ଥିବାପରି 
ଘୁଣଖିଆ କାଠରେ କବାଟ ।

କାଂଥ ସବୁ କେମିତିକେମିତି 
ଯେମିତି କାହାକୁ ଖୁବ ଝୁରିଛନ୍ତି କେତେଦିନ 
ଆଉ ଏବେ ଖାଲି ଝୁରିହେବା ଅଛି 
ମୁହଁ ମନେନାହିଁ , 

ଝରକା
ସବୁ ଫେରେଇଦେବା ଯେମିତି ସେ ଝରକାର ନିୟତି 
ବର୍ଷାଟୋପା 
ଜ୍ୟୋସ୍ନା 
ପ୍ରଚଣ୍ଡ ଖରା 
ସବୁ ଫେରେଇଦେଲା ପରି ଝରକା

ଦୁଇଟି ବଖରା ଶୋଇବା ଘର 
ଗୋଟିଏରେ ଶୋଇହେବ ନିଦରେ ,
ଆଉ ଗୋଟିଏରେ ଶୋଇହେବ ସେତେବେଳେ 
ଯେତେବେଳେ ଆମ ଦୁହିଁଙ୍କ  ଦେହ 
ଶୋଇଥିବ ଆର ବଖରାରେ ।

ଗୋଟିଏ ଚୁଲି ଅଗଣାରେ 
ଥରେ ରାନ୍ଧି ଖାଇହେବ ଭୋକରେ , 
ଆଉଥରେ ଖାଇହେବ ଯେତେବେଳେ 
ଭୋକ ଆଦୌ ନଥିବ ପେଟରେ । 

           ଦୁହେଁ ଯେବେ ଜାଣିଲୁ 
           ଘରଟିଏ ଅଛି ଆମ ନାଁ ରେ ମରିଯାଇଥିବା ପ୍ରେମକୁ ନେଇ 
           ପହଞ୍ଚିଲୁ । 

      ଅପେକ୍ଷାର କବାଟ ଆଜି ଆଉଜା 
କବାଟରେ ଝୁଲୁଛି ଗୋଟିଏ ପୁରୁଣା ଚାବି 
            କାଗଜ ଖଣ୍ଡିଏ ମୋଡାହୋଇ ଖୋସାହୋଇଛି 
            ଝଞ୍ଜିର କଡ଼ିରେ ...
            ଲେଖାଯାଇଛି .... 

      "ଦୁହେଁ ଅଯୋଗ୍ୟ ଏ ଘର ପାଇଁ 
             
              ଯାଅ , ତାଲା ଖୋଜିଆଣି 
              ବନ୍ଦକର କବାଟ 
              ଚାବି ଫିଙ୍ଗିଦିଅ 
              ଅନ୍ଧାର ତିଆରି ରାସ୍ତାରେ 
 ମରିସାରିଥିବା ପ୍ରେମକୁ ନେଇ ଦୁହେଁ 
              ଘାଣ୍ଟିହୁଅ ।
          ମରଣ ନଛୁଉଁ ତୁମ ଦୁହିଁଙ୍କୁ ।
   ଏ ଘରର ଆୟୁଷ ନେଇ ବଞ୍ଚ ,
               ହସ , 
               ଲୁହଝରାଅ , 
               ଦହଗଞ୍ଜ ହୁଅ 
               ସଂସାର କର । 

               ଯାଅ ।