ଭାତ ଥାଳି
ମୁଁ ବର୍ଷାର ସବୁଜ ଶସ୍ୟ କିଆରୀ ପିତା
ତୁମ ଆରୋପିତ
ରୋକିପାରିଲିନି ତୁମ ଉପରେ ହେଉଥିବା ପ୍ରହାର
କ୍ଷେତ ନଷ୍ଟ କରୁଥିବା ପଂଗପାଳ
କି ନିଷ୍ଠୁର ଶାସନ ଦଣ୍ଡ ।
ତୁମ ଅମଳର ଶସ୍ୟକଣାରେ ପୁଷ୍ଟ ମୋର ହାତ
ଅଟକାଇ ପାରିନି ତୁମ ପିଠିରେ ଚାବୁକର ପ୍ରହାର ନିରଂତର
ଯେବେ ତୁମେ ଆବୋରି ଧରୁଥିଲ କ୍ଷତାକ୍ତ ଚାଷୀର ।
ଚାଷୀର ଶରୀର ଉପରେ
ଏ ବେତ୍ରାଘାତର ହାତ କାହାର ନିର୍ବାଚିତ ।
କ୍ଷେତର କାଦୁଅରୁ , ଶୀତରାତିର ପହରାରୁ
ଗ୍ରୀଷ୍ମର ରକ୍ତ ପରି
ସ୍ୱାଦୁଯୁକ୍ତ ଝାଳର ନିର୍ଯ୍ୟାସରେ
ଆମେ ସରବରାହ କରିଥିଲେ ଯେଉଁ ଶକ୍ତି
ଶସ୍ୟଶାଳୀ ପିଠିରେ ପଡ଼ୁଛି ସରାଟ ସରାଟ
କଡ଼ା ପାଲିସ ବୁଟର ଲାତ ।
ତୁମର ଛାତିରେ ମା
ତୁମ ସାରା ଶରୀରରେ ପିତା
ଛଟଛଟ ଛଟକି ଉଠୁଛି ଚାବୁକ ।
ଆମେ ବର୍ଷ ମାସ ଦିନ ମୁହୂର୍ତ୍ତ ବିଛାଇ
ଗୋଟାଗୋଟା ଶସ୍ୟରେ ଗଢିଲୁ ଯେଉଁ ଶକ୍ତି
ତାର ପ୍ରୟୋଗ ହେଉଛି ଆମ ଉପରେ ।
ଆଉ କେତେଟା ମହାମାରୀ ପରେ
ବୁଝିବେ ସେମାନେ ଯେ
ସୌଧ ନୁହେଁ ଶସ୍ୟ
ଲାଠି ଚାବୁକରେ ଗଢା ତଂତ୍ର ନୁହେଁ
କ୍ଷେତ କାଦୁଅରେ ଲଟପଟ ମଣିଷ ହିଁ ଆଗ ।
ମୁଁ କିଛି ହିଁ କରିପାରିଲିନି ସେଦିନ
ଟଳମଳ ପାଦ କୁନିକୁନି ହାତରେ
ମୋ ହିଡ଼ ସଜାଉଥିବା
କାଂଦ ଲାଳ ମିଶି ଏକାକାର ହେଉଥିବା ମୁହଁକୁ ସାଉଁଳିଦେବା ଛଡ଼ା ।
ତୁମ ମୁହଁ ପାଖରେ
କିଏ ସେ ରଖିଦେଇ ଯାଇଚି କୀଟନାଶକ
କିଏ ଷଡ଼ଯଂତ୍ର କରିଛି ଛଡ଼ାଇ ନେବାକୁ
ଝାଳର ସ୍ୱାଦରେ ମହକି ଉଠୁଥିବା ଭାତଥାଳି
ଲାଠିମୁନରେ କିଏ ତଡ଼ିନେଉଛି
ଭାଷଣ ଶୁଣିବାକୁ ଭିଡ଼ ଭିତରେ ।
ଜୀବନର ପ୍ରତିଜ୍ଞା ପରି ଏ କ୍ଷେତ
ତୁମ ଅପେକ୍ଷାରେ ଅଛି
ହେ ଚାଷୀ ପିତାମାତା , ଫେରିଆସ
ତୁମ ଶିଶୁ ହେପାଜତରେ ଅଛି ମୋର ।