ସମ୍ପର୍କହୀନ
କିଏ ଉଷୁମ ନିଦରେ ଶୋଇଥିବ
କିଏ ମୁହଁରେ ତୁଣ୍ଡି ବାନ୍ଧି ବସିଥିବ
କିଏ ହୁସିଆର ହୋଇ ଗଣୁଥୁବ
ପଦପାତର ଦୂରତ୍ଵ
କିଏ ପାଗଳ ହୋଇ କାଟୁଥିବ
ନିଜେ ନିଜର ହାତ ।
କେତେ ପ୍ରଶ୍ନ ମାଟି ଭିତରୁ
ଫଣା ଟେକୁଥିବେ
କେତେ ବିଷାଦ ଜଳି ଜଳି
ବାଷ୍ଫ ହେଉଥିବେ
କେତେ କାହାଣୀ
ପୁରୁଣା ହୋଇ ଖତ ଖାଉଥିବେ
କେତେ ଇମାରତ
ନିଜ ଓଜନରେ ଭାଙ୍ଗି ପଡୁଥିବେ ।
ତଥାପି କିଏ ଧାଉଁଥିବ
ଶତ୍ରୁ ସହିତ ଚୁକ୍ତି କରିବାକୁ
କିଏ ଆସୁଥିବ
ମୃତ୍ୟୁ ସହିତ ଯୁକ୍ତି କରିବାକୁ
କିଏ ଗୋଡକୁ ଟାଣୁଥିବ ପଛରୁ
କିଏ ଫେରାର ହେଉଥିବ
ହସ କାନ୍ଦର ଅଗଣାରୁ
କିଏ ଧାରେ ରକ୍ତର ଦଉଡିରେ
ବାନ୍ଧିବାକୁ ଯାଉଥିବ ଜହ୍ନକୁ
କିଏ କୂଳରେ ଠିଆ ହୋଇ ଭାବୁଥିବ
ଡେଇଁବ କି ନ ଡେଇଁବ ନଈକୁ ।
ପାଦରେ କଣ୍ଟା ଫୁଟୁଥିବ
ମଥାରେ ଫାଟ ଦିଶୁଥିବ
ପ୍ରତିଦିନ ଗୋଟେ ସ୍ଵପ୍ନ ପାଖରେ
ମାନିବାକୁ ଥିବ ପରାଜୟ
ଗୋଟେ ଅକ୍ଷର ଡେଣା ଛିଡାଇ
ଶୂନ୍ୟରୁ ଖସି ପଡୁଥିବ ।
ବିନା କ୍ରମରେ ଆସୁଥିବେ
ମୌନ ସକାଳ
ମୁଖର ଦୁଃଖ
ଗଛରୁ ଝରିଥିବା ପତ୍ର
ଇତିହାସ ପାଲଟିଥିବା କ୍ଷତ,
କବିତାକୁ ହଜାଇ ଦେଇଥିବା
କାକୁସ୍ଥ କବି ।
କେଉଁଠି ଖୋଜି ହେବ ସମ୍ପର୍କ ?
କିଏ ଜାଣେ
ଏତେ ସବୁ ଅଡୁଆ କଥା ଭିତରେ
କେଉଁଠି କିଛି ସମ୍ପର୍କ
ଥିବ କି ନଥିବ !