କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୪

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୪

(ଚତୁର୍ଥ ଭାଗ)

ଟିକିଏ ପରେ ଆମକୁ ଏଇ ବିନ୍ୟାସର ପ୍ରସଂଗକୁ ଫେରିବାକୁ ହେବ। କିନ୍ତୁ ତାହାର ଆଗରୁ ଆଉ ଗୋଟିଏ କଥା କହି ନେବା ଦରକାର । ସେଇଟି ହେଉଛି ଯେ,ଶବ୍ଦକୁ ପ୍ରାଧାନ୍ୟ ଦେବାର ଏଇ ଯେଉଁ ପ୍ରବଣତା,ଏହାର ସମାନ୍ତରାଳଭାବରେ ଆଉ ଗୋଟିଏ ପ୍ରବଣତା ବି ଯେ ଭିନ୍ନତର ଗୋଟିଏ ସିଦ୍ଧାନ୍ତ ଆଡକୁ ଆଗେଇ ଯାଇଛି ,ତାହାକୁ ଆମେ ଲକ୍ଷ୍ୟ ନକରି ରହିପାରୁନା । ଆମେମାନେ ଦେଖିବାକୁ ପାଇବା ଯେ,ଗୋଟିଏ ଦିଗରେ ଯେତେବେଳେ ଶବ୍ଦ ଆଉ ଭାଷାର ଉପରେ ଗୁରୁତ୍ୱ ଆରୋପ କରାଯାଉଛି,ସେତେବେଳେ ଅନ୍ୟପଟେ,ଭାଷାର ଉପରେ ଆସନ ଦିଆଯାଉଛି ଭାବନାକୁ। ଶେଲିଙ୍କର "ଏ ଡିଫେନ୍ସ ଅଫ୍ ପୋଏଟ୍ରି" ଖୁବ୍ ସ୍ପଷ୍ଟ ଭାବରେ ଆମକୁ ଜଣେଇ ଦେଉଛି ଯେ,କବିତାର ଯାହା କି ନା ସାରାତ୍ସାର ,ଭାଷାର ଭିତରେ ତାହାକୁ ଖୋଜିଲେ ମିଳିବ ନାହିଁ,କାହିଁକି ନା ଶବ୍ଦକୁ ତାହା ଅତିକ୍ରମ କରିଯାଇଥାଏ । ଶୃଙ୍ଖଳା (ଅର୍ଡର),ସୌନ୍ଦର୍ଯ୍ୟ(ବିଉଟି) ଓ ସତ୍ୟ (ଟ୍ରୁଥ୍) ର ସହିତ ତାହାର ତୁଳନାକୁ ଟାଣି ଆଣିଛନ୍ତି ଶେଲି । କହିଛନ୍ତି,ଶବ୍ଦ ଦ୍ୱାରା ଯାହା ଆମେ ବନେଇଚୁନେଇ କହିଥାଉ ,କେବଳ ଠିକ୍ ସେତିକିର ଭିତରେ ତାହା ସୀମାବଦ୍ଧ ନୁହଁ ।

ଶେଲିଙ୍କର ଏଇ ବକ୍ତବ୍ୟରୁ ଆମର ବୁଝିବାରେ ଅସୁବିଧା ହୁଏନା ଯେ,କବିତାର ଶରୀର ଆଉ କାବ୍ୟ ଭାବନାକୁ ଅସଲରେ ଶେଲି ପୃଥକ କରି ଦେଖିବାକୁ ଚାହିଁଛନ୍ତି । ନିତାନ୍ତ ଶବ୍ଦର ଭିତରେ ଯେତିକି ଧରା ପଡିଛି,ଆମେମାନେ ଯେତେବେଳେ ତାହାରି ଉପରେ ନିବଦ୍ଧ କରୁଛୁ ଆମର ସମସ୍ତ ଆଗ୍ରହ ,ସେତେବେଳେ ତାଙ୍କ ଦିଗରୁ ଆମର ଚିନ୍ତାକୁ ସେ ଘୁରାଇ ଦେବାକୁ ଚାହିଁଛନ୍ତି ସେଇ ଭାବନା ଆଡକୁ ,ଥଣ୍ଡା ଓ କଠିନ ସେଇ ଶବ୍ଦ କେତୋଟି ଭିତରେ ଯାହାର ଅନେକ ଅଂଶ ହିଁ ଧରା ପଡିନାହିଁ ।

ପ୍ରଶ୍ନ ହେଉଛି ,କବିର ଭାବନାର ଯେଉଁ ଅଂଶକୁ ସେ ତାହାର କବିତାର ମଧ୍ୟରେ ଧରି ରଖିବାକୁ ଅକ୍ଷମ,ଆମର କ'ଣ ତାହା ଧର୍ତ୍ତବ୍ୟ ? ସତ୍ୟ କହିଲେ କ'ଣ,ତାହା ଯଦି ଆମର ଧର୍ତ୍ତବ୍ୟ ହୁଏ ,କବିତାକୁ ନେଇ ତାହାହେଲେ ଆଉ ବିତଣ୍ଡାର ଅନ୍ତ ରହିବ ନାହିଁ । ପ୍ରେମ ଭଲପାଇବା ବିଦ୍ୱେଷ ବିରହ ଯୁଦ୍ଧ ରକ୍ତପାତ କିମ୍ବା ଏହି ପ୍ରକାର ଯେ କୌଣସି ବିଷୟକୁ ନେଇ ନିତାନ୍ତ ଚଳନମାଫିକ୍ ଚାରି ଛଅ ଧାଡି ଲେଖିଦେଇ ତ ଯେ କୌଣସି କବି ସେକ୍ଷେତ୍ରରେ ଅକ୍ଳେଶରେ ଆମକୁ କହିପାରନ୍ତି ଯେ,ଏଇ ଚାରି ଛଅ ଲାଇନ୍ ଭିତରେ ଯାହା  ମିଳିଛି,ତାହାର ଭିତ୍ତିରେ କବିତାଟିକୁ ଯେମିତି ବିଚାର କରିବାକୁ ନଯାଉ,କାରଣ,ଏହା ର ମଧ୍ୟରେ ଯେତିକି ଧରା ପଡିଛି ,ତାହାର ତୁଳନାରେ ଅନେକ ବଡ , ଅନେକ ଗଭୀର ,ଅନେକ ନିବିଡ କରି ଏଇ ବିଷୟଟିକୁ ସେ ଭାବିଛନ୍ତି । କହିବା ବାହୁଲ୍ୟ,ଶିଳ୍ପୀ ମାତ୍ରକେ ତାହା ଭାବିଥାଇ ପାରନ୍ତି, ଏବଂ କୌଣସି ଶିଳ୍ପୀ ତାହାର ଭାବନାର ଏକେବାରେ ସର୍ବାଂଶକୁ ତାହାର ସୃଷ୍ଟିର ମଧ୍ୟରେ ବିମ୍ବିତ କରି ଦେଖାଇ ପାରେ ନାହିଁ । କବି ପାରନ୍ତି ନାହିଁ,ଚିତ୍ରକର ପାରନ୍ତି ନାହିଁ,ଭାସ୍କର ପାରନ୍ତି ନାହିଁ । ଭାବନା ଆଉ ରୂପର ଭିତରେ ଅଳ୍ପ ବହୁତ ପାର୍ଥକ୍ୟ ସବୁକ୍ଷେତ୍ରରେ ରହିଯାଏ । କେବଳ କବି ନୁହଁ,ତୃପ୍ତିହୀନତା ତେଣୁ ଶିଳ୍ପୀ ମାତ୍ରକର ନିୟତି ।

ଅନ୍ୟାନ୍ୟ ଶିଳ୍ପର କଥା ବାଦ୍ ରହୁ । କବିତାର ପ୍ରସଙ୍ଗକୁ ଫେରି ଆସିବା। କବିର ଭାବନାର ସହିତ ସିଧାସଳଖ ପରିଚିତ ହେବାର କୌଣସି ଉପାୟ ଯଦି ଆମପାଖରେ ଥାଆନ୍ତା ,ତାହେଲେ ତ- ସ୍ଥୁଳ ଭାବରେ ଦେଖିବାକୁ ଗଲେ-କବିତା ପଢିବାର କୌଣସି ଦରକାର ହିଁ ଆମର ପଡିନଥାନ୍ତା। କିନ୍ତୁ ସେଇପରି କୌଣସି ଉପାୟ ଆମର ପାଖରେ ନାହିଁ । ଫଳରେ,କବିର ଭାବନାରେ ଯାହା ବ୍ୟକ୍ତ ଅଥବା ବାସ୍ତବ ରୂପ ,ଶବ୍ଦ-ରୂପ ତାହାର ସାହାଯ୍ୟ ନେବାକୁ ହୋଇଥାଏ ଆମକୁ । ଏବଂ ଖୁସି ରହିବାକୁ ହୁଏ  କବିର ଭାବନାର କେବଳ ସେଇଟିକକ ଅଂଶ ସହିତ ପରିଚିତ ହୋଇ,ଯେଉଁ ଟିକକ ଅଂଶ ତାହାର କବିତାର ଭିତରେ ବିମ୍ବିତ ବା ଆଭାସିତ ହୋଇଛି । କେଉଁଭଳି ବିମ୍ବିତ ବା ଆଭାସିତ ହୋଇଛି ,କେବଳ ସେଇ ଟିକକ ହିଁ ଆମର ବିଚାର୍ଯ୍ୟ । ଯେତେବେଳେ ଆମେ କବିତା ପଢୁ ,ସେତେବେଳେ ଆମେ କବିତା ହିଁ ପଢିଥାଉ ,ଭାବନାର ଏହି ଶବ୍ଦରୂପ ବ୍ୟତୀତ ଆଉ କିଛି ହିଁ ସେତେବେଳେ ଆମର ବିଚାର୍ଯ୍ୟ ନୁହଁ ।

କିନ୍ତୁ ଏଇ ଶବ୍ଦ-ରୂପର ଭିତର ଦେଇ ଯେଉଁ ଶବ୍ଦାତୀତର ଆଭାସ ମିଳିଯାଏ ଆମକୁ,ତାହାକୁ ବା କେମିତି ଅସ୍ୱୀକାର କରିବା ? ବସ୍ତୁତଃ କବିତା ଆଉ ଗଦ୍ୟର ଭିତରେ ଏଇଠି ହିଁ ବିରାଟ ପାର୍ଥକ୍ୟ ।  ଗଦ୍ୟ ବି ଗୋଟିଏ ଧରଣର ଶବ୍ଦ-ରୂପ ହିଁ,ଆମର ଭାବନାକୁ ସେ ହିଁ ମୂର୍ତି ଦିଏ,କିନ୍ତୁ ଶବ୍ଦ ସେଇଠି ତାହାର ତାତକ୍ଷଣିକ ବା ଅଭିଧାନିକ ଅର୍ଥ ଠାରୁ ଅଧିକ କିଛି ଆମକୁ କହେନା । କବିତାର ଶବ୍ଦ ସେଇଠି ତାହାର ତାତକ୍ଷଣିକ ଅର୍ଥକୁ ଅତିକ୍ରମ କରିଯିବାକୁ ଚାହେଁ ,ପ୍ରାୟତଃ ଅତିକ୍ରମ କରିଯାଏ,ଇଙ୍ଗିତ କରିଥାଏ ଅନ୍ୟତର କୌଣସି ଅର୍ଥ କିମ୍ବା ତାତ୍ପର୍ଯ୍ୟର ଦିଗକୁ ।

ଏହି ଯେଉଁ ତାତକ୍ଷଣିକ ଅର୍ଥକୁ ଅତିକ୍ରମ କରିଯିବା,ତାହାକୁ ଆମେ କହୁ ବ୍ୟଞ୍ଜନା,ଆଉ ଏହି ବ୍ୟଞ୍ଜନାକୁ ଆମେ କାବ୍ୟର ଗୋଟିଏ ଧ୍ରୁବ- ଅଭିଜ୍ଞାନ ବୋଲି ଗଣ୍ୟ କରିପାରିବା ।

ଏଇଠି ତାହାହେଲେ ପ୍ରଶ୍ନ,ଶବ୍ଦ କେଉଁଭଳି ତାହାର ତାତକ୍ଷଣିକ ଅର୍ଥକୁ ଅତିକ୍ରମ କରିଯାଏ ? ଉତ୍ତରରେ ଆମର ଅଭିଜ୍ଞତାରୁ ଆମେ କହିପାରିବା ଯେ,ତାହାର ଏକକ ଶକ୍ତିରେ ତାହା ସମ୍ଭବ ହୁଏନାହିଁ । ପ୍ରତିଟି ଶବ୍ଦର ହିଁ ଗୋଟିଏ ସୁନିର୍ଦ୍ଦିଷ୍ଟ ଅର୍ଥ ରହିଛି ,ବାକ୍ୟର ଭିତରୁ ବାହାର କରି ଆଣି,ଶବ୍ଦଗୁଡିକୁ ଆମେ ଯେତେବେଳେ ପୃଥକ ପୃଥକ ଭାବରେ ଦେଖୁ ,ସେତେବେଳେ ସେହି ସୁନିର୍ଦ୍ଦିଷ୍ଟ ଅର୍ଥର ଆଶ୍ରୟରେ ହିଁ ସେମାନଙ୍କୁ ନିଶ୍ଚଳ ଭାବରେ ହିଁ ଛିଡା ହୋଇଥିବାର ଦେଖିଥାଉ। ପକ୍ଷାନ୍ତରରେ ,ବାକ୍ୟର ଭିତରକୁ ପ୍ରବିଷ୍ଟ ହେବା ସଂଗେ ସଂଗେ ହିଁ ସେମାନଙ୍କର ନିଶ୍ଚଳତାର ଅବସାନ ଘଟିଥାଏ ,ଠିକ୍ ତାହା ନୁହଁ । ଘଟିଥାଏ ଏକମାତ୍ର ସେତିକିବେଳେ, ସଠିକ-ନିର୍ବାଚିତ ଦୁଇ ବା ତତୋଧିକ ଶବ୍ଦ ଯେତେବେଳେ ଆସି ପରସ୍ପରର ସାନ୍ନିଧ୍ୟରେ ଉପସ୍ଥିତ ହୋଇଯାଇଥାନ୍ତି । ଏଇ ଭଳି ଯେଉଁ ପରସ୍ପରର ସାନ୍ନିଧ୍ୟରେ ଆସି ଉପସ୍ଥିତ ହେବା,ଏହାକୁ ଆମେ "ବିଦ୍ୟୁତମୟ" ସାନ୍ନିଧ୍ୟ ବୋଲି କହିପାରିବା। ଆମେ ଲକ୍ଷ୍ୟ କରୁ ଯେ,ଏଇ ସାନ୍ନିଧ୍ୟ ଅର୍ଜିତ ହେବାର  ପରେ ପରେ ସେଇ ଅର୍ଥଗତ ନିଶ୍ଚଳତାର ଅବସାନ ଘଟିଛି ,ସେମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି,ଏବଂ ପରସ୍ପରର ସହଯୋଗରେ ସେମାନେ ତାଙ୍କର ଧରାବନ୍ଧା ଅର୍ଥକୁ ଅତିକ୍ରମ କରି ଅନ୍ୟତର କୌଣସି ଅର୍ଥ ବା ତାତ୍ପର୍ଯ୍ୟକୁ ଆଭାସିତ କରିବାକୁ ଚାହିଁଛନ୍ତି । ଅର୍ଥାତ୍ ଅର୍ଥର ବିଚାରରେ ,ଯାହା ଥିଲା ନିହାତି ହିଁ ଏକମାତ୍ରିକ ବା "ଓୟାନ-ଡାଇମେନଶନାଲ" ବ୍ୟାପାର ,ସହସା ସେ ଗୋଟିଏ ବଢନ୍ତ ମାତ୍ରା ପାଇ ଯାଇଛି ।

ଜୀବନାନନ୍ଦଙ୍କ କବିତାରେ ଅଛି:

"ଅର୍ଥ ନୁହଁ,କୀର୍ତ୍ତି ନୁହଁ,ସଚ୍ଛଳତା ନୁହଁ-
ଆଉ ଏକ "ବିପନ୍ନ ବିସ୍ମୟ"
ଆମର "ଅନ୍ତର୍ଗତ ରକ୍ତର" ଭିତରେ
ଖେଳୁଥାଏ ..."

ସେତେବେଳେ ଆମେ ଶବ୍ଦର ସେହି ବିଦ୍ୟୁତମୟ ସାନ୍ନିଧ୍ୟର କ୍ରିୟାଫଳ ଉପଲବ୍ଧି କରି ପାରିଥାଉ । ଟିକିଏ ଆଗରୁ ଆମେ ଯେଉଁ ଓୟାର୍ଡ-ଅର୍ଡର ବା ଶବ୍ଦ-ବିନ୍ୟାସ ର କଥା ଶୁଣିଥିଲୁ ,ଠିକ୍ ଏଇଠି ହିଁ ରହିଛି ତାହାର ଗୁରୁତ୍ୱ ।

କିନ୍ତୁ ସଠିକ ବିନ୍ୟାସରୁ ଜାତ ହୋଇଛି ଯେଉଁ କ୍ରିୟାଫଳ - ଧରାବନ୍ଧା ଅର୍ଥର ଆଶ୍ରୟରୁ ବାହାରି ଯିବା ନିମନ୍ତେ ଏବଂ ଅନ୍ୟତର ଅର୍ଥକୁ ଆଭାସିତ କରିବାର ପ୍ରୟାସରେ ଶବ୍ଦର ଏଇ ଯେଉଁ ଚଞ୍ଚଳତା ,କେବଳ କବିତାର ଭିତରେ ଯେ ଏହାକୁ ଆମେ ଦେଖିବାକୁ ପାଉ,ସେକଥା ନୁହଁ । ଦେଖିବାକୁ ପାଉ ଅନେକ ଗଦ୍ୟ ରଚନାର ମଧ୍ୟରେ । ସେତେବେଳେ ଆମେ କହିଥାଉ ଯେ,ସେହି ଗଦ୍ୟରଚନା - ଅନ୍ତତଃ ସେଇ ରଚନାର ସେଇ ଅଂଶଟିକକ- ଯେମିତି କବିତା ହୋଇ ଉଠିଛି ।

କବିତା କ'ଣ ,ଏଇ ପ୍ରଶ୍ନର ମୁଖୋମୁଖି ଠିଆ ହେଲେ ଏଇଲେ ଆମେ କହିପାରିବା ଯେ,କବିତା ଅସଲରେ ଶବ୍ଦ ନୁହଁ,ବରଂ ଶବ୍ଦକୁ ବ୍ୟବହାର କରିବାର ଏକପ୍ରକାର ଗୁଣପଣ । ଭାଷାର ମଧ୍ୟରେ ଯିଏ କିନା ଅନ୍ୟବିଧ ଗୋଟିଏ ଦ୍ୟୋତନା ଆଣି ଦେଇଥାଏ ।(ଉଦ୍ଧୃତ ଜୀବନାନନ୍ଦଙ୍କ କବିତାଂଶରେ ଉଦ୍ଧୃତିଚିହ୍ନ ର ମଧ୍ୟରେ ଥିବା "ବିପନ୍ନ ବିସ୍ମୟ" ଆଉ "ଅନ୍ତର୍ଗତ ରକ୍ତ" ଯେମିତି ଆମକୁ ପ୍ରଦାନ କରିଛି)। ଅଥବା କହିପାରିବି,କବିତା ଅସଲରେ ଭାଷାର ଗୋଟିଏ ସ୍ତର,କବିତା ବୋଲି ଗଣ୍ୟ ହେବାକୁ ହେଲେ ଆମର ଭାବନାର ଶବ୍ଦ-ରୂପକୁ ଯେଉଁ ସ୍ତରକୁ ଉତ୍ତୀର୍ଣ୍ଣ ହେବାକୁ ହେବ ; ପୁଣି,ଅନ୍ୟଦିଗରେ ,ଗଦ୍ୟରଚନା ବି ଯେଉଁ ସ୍ତରକୁ ମଝିରେ ମଝିରେ ସ୍ପର୍ଶ କରି ଯାଇଥାଏ ।

(ସମାପ୍ତ)

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୧

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୨

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୩