ମୁଖା

ମୁଖା

ମୁଁ ଅନେକ ମୁଖା ରଖିଥାଏ

ଦିନ ରାତି ସଂଜବେଳ ପାଇଁ

କ୍ଷଣିକ ଆନନ୍ଦ ପାଇଁ

ବିୟୋଗାନ୍ତ ନାଟକର ଶେଷ ଅଙ୍କ ପାଇଁ

ଅତିଥି ଓ ସହଯାତ୍ରୀ ଏକଦା ପ୍ରେୟସୀ

ଏବଂ ତାର ସ୍ଵାମୀ ପାଇଁ

ସମ୍ରାଟ ସୈନିକ ବେଶ୍ୟା ଯାଦୁକର

ମଲାଲୋକ ଶୋଭାଯାତ୍ରା ପାଇଁ

ନିର୍ବାସିତ ଆକାଶ ଓ ଅବାକ୍ ସକାଳ

ପ୍ରେମ ପାଇଁ ପ୍ରତିରକ୍ଷା ପ୍ରତାରଣା ପାଇଁ

ବହୁବିଧ ମୁଖା ରଖି ଆଖି ପଲକରେ

ଭଳି ଭଳି ଛଦ୍ମବେଶ ନେଇଥାଏ

ଜୀବନର ପ୍ରତି ପର୍ଯ୍ୟାୟରେ

 

ମୁଁ ଏମିତି ମୁଖା ଖୋଜୁଥିଲି

ତା ଆଖିର ଈଷତ୍ ନୀଳରେ

ଯେତେକ କୁଆଁରୀ ଝିଅ

ସବୁ ମୋର ବଶୀଭୂତ ହେବେ

ମୋ ଓଠର ସାମାନ୍ୟ ଦୃଢ଼ତା ଦେଖି

ଶତ୍ରୁମାନେ ହାର ମାନିନେବେ

ଏକମାତ୍ର କଟାକ୍ଷରେ

ଆକାଶର ପକ୍ଷୀ ସବୁ ଆସିବେ ମୋ ପଂଜୁରୀକୁ

ମୁଁ କହିବି ରାତି ଏବଂ ସୂର୍ଯ୍ୟ ଅସ୍ତ ଯିବ

 

ସେ ମୁଖା ମିଳିଲା ନାହିଁ

ମୋର ମୁଖା ସବୁ

ଛୋଟ ଛୋଟ ବିସ୍ମୟ କେବଳ

ନିତାନ୍ତ ମାମୁଲି ହସ

ଉଦାସୀନ ଆନନ୍ଦ ଓ କ୍ଳୀବ ଅଭିମାନ

ଅତି କ୍ଷୀଣ ଆର୍ତ୍ତନାଦ ନପୁଂସକ ରୋଷ

ମୋର ମୁଖା ସାମାନ୍ୟ ପ୍ରେମ

ଓ ଅତି ସାଧାରଣ ବିରହ ସକଳ

 

ସେ ମୁଖା ମୁହଁରେ ପିନ୍ଧି

ଅତିଥି ସତ୍କାର କରେ ମନ୍ତ୍ର ପଢ଼େ

ପତ୍ନୀକୁ ଓ ପ୍ରେମିକାକୁ ପ୍ରେମ କରେ

ଆକାଶକୁ କେବେ କେବେ କଥା କହେ

ତାରାଙ୍କୁ ଅନାଏ

ମଣିଷଙ୍କ ଗହଳିରେ ହଜିଯାଏ ଅତି ସହଜରେ

 

ମୋ ବୟସ ବଢ଼ିଯାଏ

ଗୋଟିଏ ମୁଖାରୁ ପୁଣି ଅନ୍ୟ ମୁଖା ଯାଏ

ଗୋଟିଏ ଛଳନାଠାରୁ ଅନ୍ୟ ଛଳନାକୁ

ଛଦ୍ମବେଶ ଉହାଡରୁ

କେହି କେହି ଚେଷ୍ଟା କରିଥାନ୍ତି

 

ମତେ ଚିହ୍ନିବାକୁ

ଆଉ କେହି ଚିହ୍ନି ପୁଣି ଅଚିହ୍ନା ହୁଅନ୍ତି

କେବେ କେବେ ଯଦି ମୋର ମନେହୁଏ

ପରିଚୟ ପତ୍ର ହଜିଗଲା

ମୁଁ ନିଜକୁ ଦେଖିବାକୁ ଚେଷ୍ଟା କରେ

କାନ୍ଥକୁ ଅନାଏ

ଧାଡ଼ି ଧାଡ଼ି ମୁଖା ଏବଂ

ଇତସ୍ତତଃ ଭଙ୍ଗା କାଚ ଖାଲି

 

ଦର୍ପଣକୁ ପ୍ରଶ୍ନ କରି ଲାଭ ନାହିଁ